ବର୍ତ୍ତମାନ ସାରାଦେଶରେ ଭାରତ-ଆମେରିକା ଟାରିଫ୍ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶ ରାଜନୀତି ଚର୍ଚ୍ଚାର ବିଷୟ ହୋଇଛି। କିନ୍ତୁ ଆମ ରାଜ୍ୟରେ ବିଜେଡିର ସ୍ଥାୟିତ୍ୱ ନେଇ ଅନେକ ପ୍ରକାରର ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ଆଗାମୀ ଦିନରେ ବିଜେଡି ରହିବା ନା ଖଣ୍ଡବିଖଣ୍ଡିତ ହୋଇଯିବ ସେ ପ୍ରସଙ୍ଗକୁ ନେଇ ବିଜୁ ଜନତା ଦଳର ନେତାମାନଙ୍କଠାରୁ ଆରମ୍ଭ କରି ବିଜେପି ଓ କଂଗ୍ରେସର ନେତାମାନଙ୍କ ସହିତ ରାଜନୀତିକ ସଚେତନ ଥିବା ଜନସାଧାରଣ ସନ୍ଦିହାନ ଅବସ୍ଥାରେ ଅଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରାୟ ୨୫ ବର୍ଷ ତଳେ ତାଙ୍କର ଜଣେ ଅତ୍ୟନ୍ତ ଘନିଷ୍ଠ ସହଯୋଗୀଙ୍କ ନିକଟରେ ଗୋଟିଏ ଭବିଷ୍ୟବାଣୀ କରିଥିଲେ ତାହା ଏବେ ଖୁବ୍ ଆଲୋଚନା ହେଉଛି । ନବୀନଙ୍କ ସେହି ଭବିଷ୍ୟବାଣୀ ଏବେ କ’ଣ ସତ୍ୟରେ ପରିଣତ ହେବାକୁ ଯାଉଛି ନା ଭୁଲ ପ୍ରମାଣିତ ହେବ ତାହା ରାଜନୀତିକ ମହଲରେ ଆଲୋଚନା ହେଉଛି। କ’ଣ ସେହି ଭବିଷ୍ୟବାଣୀ ଆଜି ତା’ ଉପରେ ଆଲୋଚନା କରିବା ‘ସତ ହେବ କି ନବୀନଙ୍କ ଭବିଷ୍ୟବାଣୀ’।
କ’ଣ ଥିଲା ନବୀନଙ୍କ ଭବିଷ୍ୟବାଣୀ?
ସାମ୍ପ୍ରତିକ ରାଜନୀତିରେ ବିଜେଡି ଡଙ୍ଗା ବୁଡ଼ିଯିବ କି? ନେତୃତ୍ୱ ବିବାଦ ଭିତରେ ଜନସାଧାରଣଙ୍କ ଆସ୍ଥା ହରାଇବ କି ଦଳ। କ’ଣ ସତ ହେବ ନବୀନଙ୍କ ପୂର୍ବ ଆକଳନ। ଏକଦା ନବୀନଙ୍କୁ ରାଜନୀତିକୁ ବାଟ କଢ଼ାଇ ଆଣିଥିବା ତଥା ତାଙ୍କ ଖାସ୍ ଥିବା ଜଣେ ନେତାକୁ ନବୀନ କହିଥିବା କଥା କ’ଣ ସତ ହେବ। ଏହି ନେତା ଏବେ ବିଜେଡିରେ ନାହାନ୍ତି। ଏହି ନେତାଙ୍କୁ ନବୀନ କୁଆଡ଼େ କହିଥିଲେ ବିଜେଡି ଆରମ୍ଭ ମୋ’ଠୁ ଆଉ ଶେଷ ବି ମୋଠି। ଏଣୁ ପ୍ରଶ୍ନ ଉଠୁଛି ଉତ୍ତରାଧିକାରୀ ବାଛିବାକୁ ନବୀନ ଚାହୁନାହାନ୍ତି କି? ଏମିତି ଅନେକ ପ୍ରଶ୍ନ ଏବେ ବିଜେଡି ମହଲରେ ଗୁଞ୍ଜରିତ ହେଉଛି।
ଅରୁଣଙ୍କର ରାଜନୀତି ପ୍ରତି ବୈରାଗ୍ୟ
ବିଜୁ ପଟ୍ଟନାୟକଙ୍କ ପୁଅ ଭାବରେ ନବୀନ ପଟ୍ଟନାୟକ ବାଧ୍ୟବାଧକତାରେ ଓଡ଼ିଶା ଆସି ବିଜୁ ଜନତା ଦଳର ନେତୃତ୍ୱ ନେଇ ରାଜ୍ୟରେ ଏକାଦିକ୍ରମେ ୨୪ ବର୍ଷ ମୁଖ୍ୟମନ୍ତ୍ରୀ ହେବାର ଗୌରବ ହାସଲ କରିଛନ୍ତି। ଯାହାକୁ କି ନିକଟ ଭବିଷ୍ୟତରେ କୌଣସି ନେତା ଏପରି ରେକର୍ଡ ହାସଲ କରିବାର ସମ୍ଭାବନା କ୍ଷୀଣ। ମୂଳ କଥା ହେଉଛି ନବୀନଙ୍କର କେହି ଉତ୍ତରାଧିକାରୀ ନାହାନ୍ତି ଯିଏ କି ଭବିଷ୍ୟତରେ ଦଳର ନେତୃତ୍ୱ ନେଇପାରିବ। ଏପରିକି ତାଙ୍କ ପୁତୁରା ଅରୁଣ ପଟ୍ଟନାୟକ ଦଳର ନେତୃତ୍ୱ ନେବେ ବୋଲି ମଝିରେ ମଝିରେ ଆଲୋଚନା ହେଉଥିଲା। କିନ୍ତୁ ଅରୁଣ ରାଜନୀତି କରିବାକୁ ଇଚ୍ଛୁକ ନ ଥିବା ସେ ଜଣାଇ ଦେଇଥିବା କଥା ବିଜେଡି ମହଲରେ ଆଲୋଚନା ହେଉଛି।
ସାମ୍ବାଦିକ ଡି କେ ସିଂହଙ୍କ ଆକଳନ
ଏହାଛଡ଼ା ଯେଉଁ ନେତାମାନେ ବିଜେଡି ଗଠନ କରି ନବୀନଙ୍କୁ ସର୍ବେସର୍ବା କରିଥିଲେ ସେମାନଙ୍କୁ ଭୟରେ ଦଳରୁ ପର୍ଯ୍ୟାୟକ୍ରମେ ବାହାରର ରାସ୍ତା ଦେଖାଇ ଦିଆଯାଇଛି। ଏପରିକି ଦଳର ନୂଆ ନେତାମାନଙ୍କୁ ନବୀନ ବିଶ୍ୱାସକୁ ନେଇପାରୁ ନାହାନ୍ତି। ତେଣୁ ଦଳର ଭବିଷ୍ୟତ ନେତୃତ୍ୱ ନେଇ ଏକ ପ୍ରକାରର ଘମାସାନ ଆରମ୍ଭ ହୋଇଯାଇଛି।
ଦି ପ୍ରିଣ୍ଟର ସାମ୍ବାଦିକ ଡି କେ ସିଂହଙ୍କ କହିବା ଅନୁସାରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଗତ ଦିନରେ ଦଳର ପରବର୍ତ୍ତୀ ନେତା କିଏ ହେବ ତାହା ସୃଷ୍ଟି କରିବାରେ ବିଫଳ ହୋଇଛନ୍ତି। ଦେଶରେ ନେତାଭିତ୍ତିକ ଯେଉଁ ଆଞ୍ଚଳିକ ଦଳ ରାଜନୀତି କରିଛନ୍ତି ସେମାନେ କିଛିଦିନ ପରେ ବିଲୟ ହୋଇଥିବାର ଅନେକ ନଜିର ରହିଛି। ସେହି ଦଳଗୁଡ଼ିକ ମଧ୍ୟରେ ତାମିଲନାଡ଼ୁର ଏଆଇଏଡିଏମକେ ସବୁଠାରୁ ବଡ଼ ଉଦାହରଣ। ତେଣୁ ବିଜେଡି ଆଗାମୀ ଦିନରେ ନିଶ୍ଚୟ ବିଲୟ ହେବ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି।
ପାଣ୍ଡିଆନଙ୍କୁ ବିରୋଧ
ଏହି ଆଶଙ୍କା ପଛରେ ଯେଉଁ କାରଣ ରହିଛି ତାହା ହେଲା ବିଜେଡି ନେତୃତ୍ୱ ନେବାକୁ ପାଣ୍ଡିଆନ ଦମ୍ପତ୍ତି ନବୀନଙ୍କ ସେବା ମାଧ୍ୟମରେ ଯେଉଁ ଗୋଟି ଚାଳନା କରୁଛନ୍ତି ତାହା ସଫଳ ହେବାକୁ ଦିଆଯିବ ନାହିଁ ବୋଲି ଦଳର ବରିଷ୍ଠ ନେତାମାନେ ବିଭିନ୍ନ ଫୋରମରେ ଖୋଲାଖୋଲି ଏବେ କହିବା ଆରମ୍ଭ କଲେଣି। ଏପରିକି ପାଣ୍ଡିଆନ ଦମ୍ପତ୍ତିଙ୍କ ବିରୋଧରେ ସାଂସଦ ଦେବାଶୀଷ ସାମନ୍ତରାୟ, ମୁନ୍ନା ଖାଁ, ବିଧାୟକ ଅରୁଣ ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅନେକ ବରିଷ୍ଠ ଏବଂ ଯୁବନେତାମାନେ ଏବେ ମୁଖର ହୋଇଉଠିଛନ୍ତି। ଏଥିପାଇଁ ସେମାନେ ବାରମ୍ବାର ବୈଠକ କରି ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା ମଧ୍ୟ କରୁଛନ୍ତି। ଯାହା ଫଳରେ ପାଣ୍ଡିଆନ ଦମ୍ପତ୍ତିଙ୍କ ଭିତରୁ କାହାକୁ ଉତ୍ତରାଧିକାରୀ ଘୋଷଣା କରିବାକୁ ନବୀନ ସାହାସ ଜୁଟାଇ ପାରୁନାହାନ୍ତି।
ଜନତା ଦଳ ଭଳି ହେବ କି ବିଜୁ ଜନତା ଦଳ?
ରାଜ୍ୟବାସୀ ଦେଖିଛନ୍ତି ପୂର୍ବର ଜନତା ଦଳ ରାଜ୍ୟରେ ବିଜୁ ପଟ୍ଟନାୟକ କେନ୍ଦ୍ରୀତ ଥିଲା। ୧୯୯୭ରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତର ବର୍ଷେ ନ ପୁରୁଣୁ ଜନତା ଦଳ ଭାଙ୍ଗିଗଲା। ଏବେ ରାଜ୍ୟରେ ଜନତା ଦଳର ଚିହ୍ନବର୍ଣ୍ଣ ନାହିଁ। ବିଜୁ ଜନତା ଦଳର ବୟସ ମାତ୍ର ୨୮ବର୍ଷ। ସେଥିମଧ୍ୟରୁ ୫ଟି ନିର୍ବାଚନ ବିଜୟ ସହ ବିଜେଡି ଓଡ଼ିଶାକୁ ୨୪ ବର୍ଷ ଏକାଦିକ୍ରମେ ଶାସନ କରିଛି। ୨୦୨୪ ନିର୍ବାଚନରେ ନବୀନଙ୍କ ନେତୃତ୍ୱାଧୀନ ବିଜେଡି କ୍ଷମତାଚ୍ୟୁତ ହୋଇଛି। ୨୦୧୯ ନିର୍ବାଚନରେ ପାଇଥିବା ବିଜେଡି୧୧୩ ଆସନରୁ ୨୦୨୪ରେ ଖସିଗଲା ୫୧କୁ। ଏପରି ଲୋକସଭାରେ ସମ୍ପୂର୍ଣ୍ଣ ସଫା ହୋଇଯାଇଛି। ତେଣୁ ଏବେ ପ୍ରଶ୍ନ ଉଠୁଲାଣି ବିଜୁଙ୍କ ଜନତା ଦଳ ପରି ସମାନ ଅବସ୍ଥା ହେବାକୁ ଯାଉନାହିଁ ତ ନବୀନଙ୍କ ବିଜୁ ଜନତା ଦଳର?
ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଯାହା, ବିଜୁ ଜନତା ଦଳ ଆଉଥରେ କ୍ଷମତାକୁ ଫେରିବା ସମ୍ଭାବନା ଅତ୍ୟନ୍ତ କ୍ଷୀଣ। ସାଧାରଣତଃ ନିର୍ବାଚନରେ ହାରଜିତ୍ ଦୁଇଟି କାରଣ ଯୋଗୁ ହୋଇଥାଏ। ପ୍ରଥମଟି ହେଲା ରାଜନୈତିକ ଗତିଶୀଳତା ବା ସମୀକରଣ ଏବଂ ଭୋଟରଙ୍କ ମାନସିକତା। ୨୦୨୪ ଫଳାଫଳଠାରୁ ଆଉ କିଛି ଅଧିକ ପ୍ରମାଣ ଦରକାର କି ?
ବିଜେଡିର ସବୁଠୁ ବଡ଼ ଦୁଇଟି ପୁଞ୍ଜି ହେଲା ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏବଂ ତୃଣମୂଳସ୍ତରରେ ସୁଦୃଢ଼ ସଂଗଠନ। କିନ୍ତୁ ଦଳର ସବୁଠୁ ଦୁର୍ବଳତା ହେଉଛି ନବୀନଙ୍କ ସ୍ୱାସ୍ଥ୍ୟ ଓ ସାଧାରଣରେ ତାଙ୍କର ଅନୁପସ୍ଥିତି।
ଦ୍ୱିତୀୟରେ ନିର୍ବାଚନରେ ପରାଜୟ ପରଠାରୁ ବିଜେଡିର କୌଣସି ରାଜନୈତିକ କାର୍ଯ୍ୟକ୍ରମ ନ ଥିବାରୁ ତୃଣମୂଳସ୍ତରର ସଂଗଠନ ବୁଡ଼ିବାକୁ ବସିଲାଣି। ତା’ଛଡ଼ା ଦଳରେ ଆଭ୍ୟନ୍ତରୀଣ କନ୍ଦଳ ଅତ୍ୟନ୍ତ କଦର୍ଯ୍ୟସ୍ତରକୁ ଯାଇସାରିଲାଣି।
ବିଜେଡିର ଅବସ୍ଥା ଆଦୌ ଭଲ ନାହିଁ
ନବୀନ ବାବୁଙ୍କ ପାଖରେ ବଳ ନାହିଁ କି ବୟସ ମଧ୍ୟ ନାହିଁ। ୨୦୨୯ ନିର୍ବାଚନବେଳକୁ ତାଙ୍କୁ ୮୨ ବର୍ଷ ହୋଇଯିବ। ଆଉ ଦଳ ପାଇଁ ପ୍ରଚାର କରିବା ଅବସ୍ଥାରେ ନ ଥିବେ ବିଜେଡି ସଭାପତି ନବୀନ। ପାଣ୍ଡିଆନଙ୍କୁ ଦାୟିତ୍ୱ ଦେଇ ଗତ ନିର୍ବାଚନରେ ନାମ ପାଇଛନ୍ତି ନବୀନ। ସେ ଓ ତାଙ୍କ ଦଳ କ୍ଷମତାରୁ ଗଲେ। ଆଉ କେହି ତାଙ୍କ ପ୍ରତିନିଧି ହୋଇ ପ୍ରଚାର କଲେ ରାଜ୍ୟର ଲୋକମାନେ ଗ୍ରହଣ କରିବେ କି? ନବୀନ ପଟ୍ଟନାୟକ ରାଜନୀତିକ ଦୃଶ୍ୟପଟରେ ଯେତିକି ଅଦୃଶ୍ୟ ହେବେ ବିଜୁ ଜନତା ଦଳ ସେତିକି ତଳକୁ ଖସିଯିବ। ବିଜେଡିରେ ଏପର୍ଯ୍ୟନ୍ତ ସ୍ପଷ୍ଟ ଉତ୍ତରାଧିରୀ କେହି ନାହାଁନ୍ତି। ପାଣ୍ଡଆନଙ୍କୁ ଲୋକମାନେ ଗ୍ରହଣ କରୁନାହାଁନ୍ତି। ସୁଜାତାଙ୍କୁ ଅଣାଗଲେ ବି ତାହା ବିଶେଷ ପ୍ରଭାବଶାଳୀ ହେବ ନାହିଁ। ଦଳରେ ଅନ୍ୟ ନେତାମାନେ ତାଙ୍କୁ କାହିଁକି ଗ୍ରହଣ କରିବେ? ତେଣୁ ମୋଟାମୋଟି ଭାବେ ଦେଖିବାକୁ ଗଲେ ଏହି ଦଳର ଅବସ୍ଥା ଆଦୌ ଭଲ ନାହିଁ।
ଗତ ୧୫ମାସ ଭିତରେ ବିଜେଡି କୌଣସି ବଡ଼ ରାଜନୈତିକ କାର୍ଯ୍ୟକ୍ରମ ହାତକୁ ନେଇପାରିନାହିଁ। କେବଳ ପୂର୍ବଭଳି ସେହି ଚିଠି ଲେଖାରେ ଅଟକିଛନ୍ତି ନବୀନ ପଟ୍ଟନାୟକ। ଏପରିକି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବଲାବେଳେ ଯେମିତି ବିଧାନସଭାକୁ ଆସୁନଥିଲେ ବିରୋଧୀଦଳ ନେତା ହୋଇ ମଧ୍ୟ ସେମିତି ବିଧାନସଭାକୁ ଆସୁନାହାନ୍ତି। ଏମିତି ଅବସ୍ଥାରେ ନବୀନଙ୍କ ପରେ ଦଳର ଅବସ୍ଥା କ’ଣ ହେବ? ବିଜୁ ବାବୁଙ୍କ ପରେ ଜନତା ଦଳ ଭାଙ୍ଗିଥିଲା। କିନ୍ତୁ ଯେତେଦୂର ମନେହୁଏ ନବୀନଙ୍କ ଅସମ୍ଭବ ପାଣ୍ଡିଆନ ପ୍ରୀତି କାରଣରୁ ସେ ଥିବା ଅବସ୍ଥାରେ ହିଁ ବିଜେଡିରେ ବିଭାଜନ ଘଟିବ। ମୋଦୀ ଏବଂ ଶାହାଙ୍କ କୌଣସି ରାଜନୀତି ବିଭାଜନକୁ ରୋକିପାରିବ ବୋଲି ମନେ ହେଉନାହିଁ।
Also readhttps://purvapaksa.com/what-is-americas-operation-37-what-are-the-plans-going-forward/
What is America’s Operation 37 ? ।। ଆମେରିକାର ଅପରେସନ ୩୭ କ’ଣ? ଆଗକୁ କି ଯୋଜନା?
