ଓଡ଼ିଶାର ରାଜନୀତିରେ ଏବେ ଚାଲିଛି ଏକ ନିରବ ତୁଫାନ। ବାହାରୁ ସବୁ କିଛି ଶାନ୍ତ ଲାଗୁଥିଲେ ମଧ୍ୟ, ବିଜେଡି ଭିତରେ ନେତୃତ୍ୱକୁ ନେଇ ଚାଲିଛି ଟାଣାଟଣି, ଅନ୍ତର୍ଦ୍ୱନ୍ଦ୍ୱ ଏବଂ ଅସ୍ପଷ୍ଟତା। କିଏ ପୂରଣ କରିବ ସସ୍ମିତ ପାତ୍ରଙ୍କ ସ୍ଥାନ? ଏହି ପ୍ରଶ୍ନର ଉତ୍ତର ଖୋଜୁଥିବା ବେଳେ ଦଳର ଭିତରୁ ଯେଉଁ ସଙ୍କେତ ଆସୁଛି, ସେଗୁଡ଼ିକ ଅଧିକ ଚିନ୍ତାଜନକ। ଏବେ ମାନସ ମଙ୍ଗରାଜ ଏବଂ ସନ୍ତୃପ୍ତ ଙ୍କ ମଧ୍ୟରେ କିଏ ବେଶୀ ଚାଟୁକାର ତାକୁ ନେଇ ଟଣା ଓଟରା ଚାଲିଛି ? କିଏ ବାଜି ନେବ ସସ୍ମିତଙ୍କ ଜାଗା ତାକୁ ଆରମ୍ଭ ହୋଇଗଲାଣି ଶୀତଳ ଯୁଦ୍ଧ , ତେବେ ଖାଲି ଏ ଦୁଇ ଜଣ ନୁହେ ବିଜେଡ଼ିର ସବୁ ସାଂସଦ ଙ୍କ ନଜର ଏ ଆସନ ଉପରେ ଅଛି , ତେବେ ଆମେ ପ୍ରଥମେ ଯଦି ଦେବାଶୀଷ ସାମନ୍ତରାୟଙ୍କୁ ନେଇ କଥା ହୁଏ ତେବେ ତାଙ୍କର ରାଜନୈତିକ ଅଭିଜ୍ଞତା ନିଶ୍ଚୟ ଅଧିକ। ଦଳର ପୁରୁଣା ମୁହଁ, ସଂଗଠନରେ ଦୀର୍ଘ ସମୟର ଅନୁଭବ। କିନ୍ତୁ ପ୍ରଶ୍ନ ହେଉଛି ଆଜିର ବିଜେଡି କି ସେହି ପୁରୁଣା ବିଜେଡି ଅଛି ନା ନାହିଁ। ଆଜିର ବିଜେଡି ଏକ ସଂପୂର୍ଣ୍ଣ କେନ୍ଦ୍ରୀକୃତ ଦଳ, ଯେଉଁଠାରେ ନିଷ୍ପତ୍ତି ନେଉଛନ୍ତି କେବଳ କିଛି ଲୋକ। ଏହି ପରିସ୍ଥିତିରେ ଦେବାଶୀଷଙ୍କ ଭଳି ନେତାଙ୍କର ଆନୁଗତ୍ୟ ଏବଂ ଆଧୁନିକ ପଲିଟିକାଲ୍ ମ୍ୟାନେଜମେଣ୍ଟ ସ୍କିଲ୍ ନେଇ ସନ୍ଦେହ ଥିବା ସ୍ବାଭାବିକ।
ଏହାପରେ ଆସନ୍ତୁ ସୁଲତା ଦେଓଙ୍କ କଥାକୁ। ସେ ଚିଫ୍ ହୁଇପ୍ ଭାବେ କାମ କରିଛନ୍ତି ତେଣୁ ଏହା ନିଶ୍ଚୟ ତାଙ୍କର ଏକ ପ୍ଲସ୍ ପଏଣ୍ଟ। କିନ୍ତୁ ପ୍ରଶ୍ନ ହେଉଛି, ସେ କଣ ସସ୍ମିତ ପାତ୍ରଙ୍କ ଭଳି ରାଜ୍ୟସଭାରେ ଦୃଢ଼ ଭାବରେ ଦଳର ପକ୍ଷ ରଖିପାରିବେ ? ତାଙ୍କୁ ନିକଟରେ ଚିଫ୍ ହୁଇପ୍ ପଦରୁ ହଟାଯାଇଥିବା ଘଟଣା ଏହି ସନ୍ଦେହକୁ ଆଉ ଗଭୀର କରୁଛି। ଯଦି ଦଳ ତାଙ୍କୁ ପୂର୍ବ ପଦରେ ରଖିପାରୁନାହିଁ, ତେବେ ଏତେ ବଡ଼ ଦାୟିତ୍ୱ କେମିତି ଦେବ?
ସଂତୃପ୍ତଙ୍କୁ ନେଇ ମଧ୍ୟ ଏକ ଭିନ୍ନ ଚିତ୍ର ଦେଖାଯାଉଛି। ସେ ନବୀନ ପଟ୍ଟନାୟକଙ୍କ ବିଶ୍ୱସ୍ତ ଏବଂ ଭି.କେ. ପାଣ୍ଡିଆନଙ୍କ ନିକଟତର—ଏହା ତାଙ୍କର ସବୁଠାରୁ ବଡ଼ ପ୍ଲସ୍। କିନ୍ତୁ ଏଠି ପ୍ରଶ୍ନ ଉଠୁଛି—କେବଳ ଆନୁଗତ୍ୟ ଦ୍ୱାରା କି ରାଜ୍ୟସଭା ଭଳି ଗୁରୁତ୍ୱପୂର୍ଣ୍ଣ ମଞ୍ଚରେ ସଫଳତା ମିଳିପାରିବ କି ? ତାଙ୍କର ଅଭିଜ୍ଞତାର ଅଭାବ ସ୍ପଷ୍ଟ।
ସୁଭାଶୀଷ ଖୁଣ୍ଟିଆ—ଏକ ଯୁବ ମୁହଁ। କିନ୍ତୁ ରାଜନୀତିରେ କେବଳ ଯୁବତ୍ୱ ହେଲେ ଚାଲିବ କି? ଅଭିଜ୍ଞତା ହେଉଛି ସବୁଠାରୁ ବଡ଼ ଶକ୍ତି। ଏବଂ ସେହି ଦିଗରୁ ସୁଭାଶୀଷ ପ୍ରାୟ ଜିରୋ କହିଲେ ବଇ ଭୁଲ ହେବ ନାହି । ଏଭଳି ସମୟରେ ତାଙ୍କୁ ଆଗକୁ ଆଣିବା ମାନେ ଏକ ବଡ଼ ଦଳ ପାଇଁ ବଡ ଚ୍ୟାଲେଞ୍ଜ ହୋଇପାରେ ।
ଏହି ସମସ୍ତ ଅସ୍ପଷ୍ଟତା ମଧ୍ୟରେ ଯେଉଁ ନାମଟି ଆସୁଛି, ସେହେଲା ମାନସ ମଙ୍ଗରାଜ। କିନ୍ତୁ ଏଠାରେ କଥା ଟି ଆହୁରି ଅଧିକ ରୋଚକ ହେଉଛି ଏବଂ ଚିନ୍ତାଜନକ ମଧ୍ୟ।
ମାନସ ମଙ୍ଗରାଜଙ୍କୁ ଆଗକୁ ଆଣିବା ପଛରେ ଯେଉଁ କାରଣଗୁଡ଼ିକ ଦେଖାଯାଉଛି, ସେଗୁଡ଼ିକ ସରଳ ରାଜନୈତିକ ଯୋଗ୍ୟତା ଉପରେ ନୁହେଁ। ପ୍ରଥମେ ମିଡିଆ ମ୍ୟାନେଜମେଣ୍ଟ। ତାଙ୍କର ଗଣମାଧ୍ୟମ ସହ ଭଲ ସମ୍ପର୍କ ଅଛି—ଏହାକୁ ଏକ ଦକ୍ଷତା ବୋଲି କୁହାଯାଉଛି। କିନ୍ତୁ ଏହା ରାଜନୀତିରେ ଏକ ଅନ୍ୟ ଚିତ୍ର ଦେଖାଉଛି—ଯେଉଁଠାରେ ସତକୁ ଚାପିବା ଏବଂ ନାରେଟିଭ୍କୁ ନିୟନ୍ତ୍ରଣ କରିବାକୁ ଦକ୍ଷତା ଭାବରେ ଦେଖାଯାଉଛି।
ଦ୍ୱିତୀୟ—ଆର୍ଥିକ ଶକ୍ତି। ମାନସ ମଙ୍ଗରାଜଙ୍କର ବିଶାଳ ବ୍ୟବସାୟିକ ସାମ୍ରାଜ୍ୟ ରହିଛି। ଏହା ଦଳ ପାଇଁ ଲାଭଦାୟକ ହୋଇପାରେ, କିନ୍ତୁ ପ୍ରଶ୍ନ ହେଉଛି—ରାଜନୀତି ଏବେ କଣ ପୂରାପୂରି ଆର୍ଥିକ ଶକ୍ତିରେ ଚାଲିବ? ଆଇଡିଓଲୋଜି, ଲୋକସେବା, ଏବଂ ଜନସମସ୍ୟା କେଉଁଠି?
ତୃତୀୟ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ—ଆନୁଗତ୍ୟ। ବର୍ତ୍ତମାନ ବିଜେଡିରେ ଏହା ସବୁଠାରୁ ବଡ଼ ମାପକାଠି ହୋଇପାରିଛି। କିଏ କେତେ ପଣ୍ଡିଆନଙ୍କ ପ୍ରତି ନିଷ୍ଠାବାନ୍ ଯାହାକୁ ନେଇ ନେତୃତ୍ୱ ନିର୍ଦ୍ଧାରିତ ହେଉଛି। ଏହି ପ୍ରବୃତ୍ତି ଦଳର ଭବିଷ୍ୟତ ପାଇଁ ଅତ୍ୟନ୍ତ ଆପଦଜନକ।
ମାନସ ମଙ୍ଗରାଜଙ୍କର ଆଉ ଏକ ଦିଗ ହେଉଛି—ତାଙ୍କର ବିଜେପି ନେତାଙ୍କ ସହ ସମନ୍ୱୟ ରଖିବା ଚେଷ୍ଟା। ମନମୋହନ ସାମଲ ଏବଂ ଦିଲ୍ଲୀପ ରାୟଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇବା ଏହାର ଉଦାହରଣ। ଏହାକୁ କେହି କହୁଛନ୍ତି—ରାଜନୈତିକ ପକ୍କତା। କିନ୍ତୁ ଅନ୍ୟ ପକ୍ଷରୁ ଦେଖିଲେ ଏହା ଦଳୀୟ ମନୋଭାବରେ ଏକ ଦୁର୍ବଳତାର ସଙ୍କେତ ମଧ୍ୟ ହୋଇପାରେ।
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି—ମାନସ ମଙ୍ଗରାଜ କଣ ସସ୍ମିତ ପାତ୍ରଙ୍କ ଭଳି ରାଜ୍ୟସଭାରେ ଓଡ଼ିଶାର ସ୍ବରକୁ ଜୋରଦାର ଭାବେ ଉଠାଇପାରିବେ ? ତାଙ୍କର ଅଭିଜ୍ଞତା ଏଥିରେ ସେମିତି ଖାସ ନୁହେଁ ।
ଏହି ସମସ୍ତ ଚିତ୍ର ଦେଖିଲେ ଏକ କଥା ସ୍ପଷ୍ଟ ଯେ ବିଜେଡିରେ ଏବେ ଯୋଗ୍ୟତା ଠାରୁ ଅଧିକ ଗୁରୁତ୍ୱ ପାଉଛି ଆନୁଗତ୍ୟ, ପ୍ରଭାବ ଏବଂ ଆର୍ଥିକ ଶକ୍ତି। ଯଦି ଏହି ପ୍ରବୃତ୍ତି ଚାଲିଥାଏ, ତେବେ ଆଗାମୀ ଦିନରେ ଦଳ ଭିତରେ ଅସନ୍ତୋଷ ଆଉ ବଢ଼ିବା ସ୍ବାଭାବିକ।
ଶେଷରେ ପ୍ରଶ୍ନ ହେଉଛି—ବିଜେଡି କଣ ଏକ ମଜବୁତ ନେତୃତ୍ୱ ଚୟନ କରିପାରିବ, ନାକି ଆନ୍ତରିକ ରାଜନୀତି ଏବଂ ପାୱାର ଗେମ୍ରେ ଆଉ ଅଧିକ ଘଣ୍ଟି ହେବ ?
AlsoRead; https://purvapaksa.com/seat-reservation-begins-for-panchayat-elections/
ପଞ୍ଚାୟତ ନିର୍ବାଚନ ପାଇଁ ଆସନ ସଂରକ୍ଷଣ ଆରମ୍ଭ || Seat reservation begins for Panchayat elections


