ମ୍ୟାଗିକୁ ଭାରତର ପ୍ରାୟ ପ୍ରତ୍ୟେକ ଘରେ ପସନ୍ଦ କରାଯାଏ। ମାତ୍ର ୨ ମିନିଟ୍ରେ ତିଆରି ହୋଇଯାଉଥିବା ଏହି ସୁସ୍ୱାଦୁ ଖାଦ୍ୟ ଏବେ ଆମ ଦେଶରେ ଲୋକଙ୍କ ଜୀବନଶୈଳୀର ଅଂଶ ପାଲଟି ଯାଇଛି, ଖାସ କରି ପିଲା ଓ ବ୍ୟାଚଲୋର ଲୋକଙ୍କ ପାଇଁ । ତେବେ ମ୍ୟାଗି ଏବେ ଆମ ଦେଶରେ ମହଙ୍ଗା ହୋଇପାରେ। ହେଲେ ଏହି ଲୋକପ୍ରିୟ ଖାଦ୍ୟ ମହଙ୍ଗା ହେବା ପଛରେ ଆମ ଦେଶ ନୁହେଁ ସ୍ୱିଜରଲ୍ୟାଣ୍ଡ ସରକାରଙ୍କ ଏକ ନିୟମ ଦାୟି।
ଆମ ଦେଶରେ ମ୍ୟାଗି ମହଙ୍ଗା ହେବା ପଛରେ ଭାରତ ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ୧୯୯୪ ମସିହାରେ ହୋଇଥିବା ଏକ ରାଜିନାମା ଦାୟି। ଏହି ରାଜିନାମାରେ ଡବଲ ଟ୍ୟାକ୍ସେସନ ଆଭଏଡାନ୍ସ ଏଗ୍ରୀମେଣ୍ଟ (ଡିଟିଏଏ) ହୋଇଥିଲା। ଏଥିରେ ମୋଷ୍ଟ ଫେଭର୍ଡ ନେସନ (ଏମଏଫଏନ) ସସ୍ପେନସନ ରହିଛି। ତେବେ ସ୍ୱିଜରଲ୍ୟାଣ୍ଡ ୧ ଜାନୁୟାରୀ ୨୦୨୫ରେ ଏହି କ୍ଲଜକୁ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛି। ୨୦୨୩ରେ ଭାରତର ସୁପ୍ରିମକୋର୍ଟଙ୍କ ଏକ ରାୟ ପରେ ସ୍ୱିଜରଲ୍ୟାଣ୍ଡ ଏପରି ପଦକ୍ଷେପ ନେବାକୁ ଯାଉଛି।
ସୁପ୍ରିମକୋର୍ଟ ଏମଏଫଏନ ନିୟମ ସ୍ୱୟଂ ଲାଗୁ ହୁଏ ନାହିଁ , ଏହାକୁ ଲାଗୁ କରିବା ପାଇଁ ଭାରତ ସରକାରଙ୍କ ଏକ ଅଧିସୂଚନାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏମଏଫଏନ କ୍ଲଜର ଉଦ୍ଦେଶ୍ୟ କୌଣସି ଦ୍ୱିପକ୍ଷୀୟ କର ବୁଝାମଣାରେ ସାମିଲ ଦେଶ ଜଣେ ଜଣକୁ ସମାନ ଲାଭ ପ୍ରଦାନ କରିବା ନିଶ୍ଚିତ କରିଥାଏ। ତେବେ ସ୍ୱିଜରଲ୍ୟାଣ୍ଡ ଅଭିଯୋଗ କରିଛି ଯେ ଭାରତ ଅନ୍ୟ ଦେଶ ଯେପରିକି ସ୍ଲୋଭେନିୟା, ଲିଥୁଆନିୟା ଓ କୋଲମ୍ବିୟା ସହିତ ଡିଟିଏଏରେ ଅଧିକ ଅନୁକୂଳ ଟ୍ୟାକ୍ସ ଲାଭ ପ୍ରଦାନ କରୁଛି ହେଲେ ସ୍ୱିସ୍ କମ୍ପାନୀଙ୍କୁ ଏହି ଲାଭ ମିଳୁ ନାହିଁ।
ଭାରତ ସରକାରଙ୍କ ଏପରି ପକ୍ଷପାତକୁ ନଜରରେ ରଖି ସ୍ୱିଜରଲ୍ୟାଣ୍ଡ ୨୦୨୫ରେ ଏହି କ୍ଲଜ୍ କୁ ସସ୍ପେଣ୍ଡ କରିବାକୁ ନିଷ୍ପତ୍ତି ନେଇଛି। ଯଦି ସ୍ୱିସ୍ ସରକାର ଏପରି କୌଣସି ନିଷ୍ପତ୍ତି ନିଅନ୍ତି ତେବେ ଏହାର ସବୁଠୁ ଅଧିକ ପ୍ରଭାବ ନେସ୍ଲେଙ୍କ ଭଳି ବଡ଼ କମ୍ପାନୀଙ୍କ ଉପରେ ପଡିବ,ଯାହାର ଭାରତୀୟ ବଜାରରେ ଏକ ବଡ଼ ଅଂଶିଦାରୀ ରହିଛି। ନିୟମ ଅନୁସାରେ ସ୍ୱିସ୍ କମ୍ପାନୀମାନଙ୍କୁ ଭାରତୀୟ ଆୟ ସ୍ରୋତରୁ ପ୍ରାପ୍ତ ଡିଭିଡେଣ୍ଟର ୧୦ ପ୍ରତିଶତ ଶୁଳ୍କ ଆକାରରେ ପୈଠ କରିବାକୁ ପଡିବ। ବର୍ତ୍ତମାନ ସେମାନେ ଏ ବାବଦକୁ ମାତ୍ର ୫ ପ୍ରତିଶତ ଦେଉଛନ୍ତି।
ସ୍ୱିଜରଲ୍ୟାଣ୍ଡ ସରକାରଙ୍କ ଏହି ନିଷ୍ପତ୍ତି ପରେ ଭାରତୀୟ ବଜାରରେ ନେସ୍ଲେ ଉତ୍ପାଦ ମ୍ୟାଗି, ଅନ୍ୟ ମିଲ୍କ ପ୍ରଡକ୍ଟ ଓ ଫୁଡ ଆଇଟମ ଦର ବଢିବାର ଆଶଙ୍କା କରାଯାଉଛି। ବର୍ଦ୍ଧିତ ଶୁଳ୍କ ଏହାର କାରଣ, ଯାହାର ସିଧା ପ୍ରଭାବ ବଜାରରେ ବିକ୍ରି ହେଉଥିବା ସାମାନ ଉପରେ ପଡିବ। ଏଥିରେ ଗ୍ରାହକମାନେ ସିଧାଶଳଖ ପ୍ରଭାବିତ ହେବେ। ସେମାନଙ୍କୁ ଉତ୍ପାଦ ନିମନ୍ତେ ଅଧିକ ପଇସା ଖର୍ଚ୍ଚ କରିବାକୁ ପଡିବ।
Also readhttps://purvapaksa.com/fssais-major-decision-regarding-expiry-date-non-delivery-of-goods/