ରାଜ୍ୟ ରାଜନୀତିରେ ଏବେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ‘କ୍ରସ୍ ଭୋଟିଂ’ ବା ନିଜ ଦଳ ବିରୋଧରେ ଯାଇ ଅନ୍ୟ ଦଳକୁ ଭୋଟ୍ ଦେବା। ଯେତେବେଳେ ରାଜ୍ୟସଭା ନିର୍ବାଚନ ଆସେ ବା ବିଧାନପରିଷଦ ନିର୍ବାଚନର କଥା ଉଠେ, ସେତେବେଳେ ଏହି କ୍ରସ୍ ଭୋଟିଂର ଭୟ ପ୍ରତିଟି ରାଜନୈତିକ ଦଳକୁ ଘାରିଥାଏ। ନିକଟରେ ଓଡ଼ିଶା ରାଜନୀତିରେ ମଧ୍ୟ ଏହାକୁ ନେଇ ବେଶ୍ ଉଷ୍ମତା ଦେଖିବାକୁ ମିଳୁଛି। ବିଶେଷ କରି ବିଜୁ ଜନତା ଦଳ (ବିଜେଡି) ଶିବିରରେ କ୍ରସ୍ ଭୋଟିଂକୁ ନେଇ ଏକ ପ୍ରକାର ଅକଳ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି କି?
ସାଧାରଣ ଲୋକଙ୍କ ମନରେ ସବୁବେଳେ ଏକ ପ୍ରଶ୍ନ ଉଠେ ଯେ, ଯଦି କୌଣସି ବିଧାୟକ ନିଜ ଦଳର ପ୍ରାର୍ଥୀଙ୍କୁ ଭୋଟ ନ ଦେଇ ଅନ୍ୟ ଦଳର ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତି, ତେବେ କଣ ହେବ? କଣ ତାଙ୍କର ବିଧାୟକ ପଦ ବା ସଭ୍ୟପଦ ସବୁଦିନ ପାଇଁ ରଦ୍ଦ ହୋଇଯିବ? କଣ କହୁଛି ଆମର ସମ୍ବିଧାନ?
ପ୍ରତ୍ୟକ୍ଷ ଓ ପରୋକ୍ଷ ନିର୍ବାଚନର ତଫାତ୍
କ୍ରସ୍ ଭୋଟିଂର ନିୟମକୁ ବୁଝିବା ପୂର୍ବରୁ ଆମକୁ ପ୍ରଥମେ ନିର୍ବାଚନ ପ୍ରକ୍ରିୟା ବାବଦରେ ସ୍ପଷ୍ଟ ହେବାକୁ ପଡ଼ିବ। ଆମ ଦେଶରେ ନିର୍ବାଚନ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ। ଗୋଟିଏ ହେଲା ପ୍ରତ୍ୟକ୍ଷ ନିର୍ବାଚନ ବା ‘ଡାଇରେକ୍ଟ ଇଲେକ୍ସନ୍’ (Direct Election), ଯେଉଁଥିରେ ଆପଣ ସିଧାସଳଖ ଭୋଟ୍ କେନ୍ଦ୍ରକୁ ଯାଇ ବିଧାୟକ କିମ୍ବା ସାଂସଦ ବାଛିଥାଉ।
ଅନ୍ୟଟି ହେଲା ପରୋକ୍ଷ ନିର୍ବାଚନ ବା ‘ଇନଡାଇରେକ୍ଟ ଇଲେକ୍ସନ୍’ (Indirect Election)। ରାଜ୍ୟସଭା ନିର୍ବାଚନ ହେଉଛି ଏହି ପରୋକ୍ଷ ନିର୍ବାଚନର ଉଦାହରଣ। ଏଠାରେ ସାଧାରଣ ଜନତା ଭୋଟ ଦିଅନ୍ତି ନାହିଁ, ବରଂ ଆମ ଦ୍ୱାରା ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିବା ବିଧାୟକମାନେ ଆମର ପ୍ରତିନିଧି ସାଜି ରାଜ୍ୟସଭା ସାଂସଦଙ୍କୁ ଭୋଟ ଦେଇଥାନ୍ତି। ଭାରତୀୟ ନିର୍ବାଚନ କମିଶନ (ECI) ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ପରିଚାଳନା କରନ୍ତି।
ସାଧାରଣ ନିର୍ବାଚନ ଭଳି ରାଜ୍ୟସଭା ନିର୍ବାଚନ ମଧ୍ୟ ‘ଗୁପ୍ତ ମତଦାନ’ ବା ‘ସିକ୍ରେଟ୍ ବାଲଟ୍’ (Secret Ballot) ମାଧ୍ୟମରେ ହୋଇଥାଏ। ଅର୍ଥାତ୍ କିଏ କାହାକୁ ଭୋଟ ଦେଲେ ତାହା ଗୁପ୍ତ ରହିବା କଥା। କିନ୍ତୁ ଅତୀତରେ ଦେଖାଯାଇଛି ଯେ, ଅନେକ ସମୟରେ ବିଧାୟକମାନେ ଟଙ୍କା କିମ୍ବା ଅନ୍ୟାନ୍ୟ ଆର୍ଥିକ ପ୍ରଲୋଭନରେ ପଡ଼ି ନିଜ ଦଳର ପ୍ରାର୍ଥୀଙ୍କୁ ଧୋକା ଦେଇ ବିରୋଧୀଙ୍କୁ ଭୋଟ ଦେଇଦିଅନ୍ତି। ଏହି ‘ହର୍ସ ଟ୍ରେଡିଂ’ ବା ଘୋଡ଼ା ବେପାରକୁ ରୋକିବା ପାଇଁ ମାମଲା ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଥିଲା।
ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ଐତିହାସିକ ନିଷ୍ପତ୍ତି ଶୁଣାଇଥିଲେ। କୋର୍ଟ କହିଲେ ଯେ ଦଳୀୟ ଶୃଙ୍ଖଳା ବଜାୟ ରଖିବା ପାଇଁ ରାଜ୍ୟସଭା ନିର୍ବାଚନରେ “ଓପନ୍ ସିକ୍ରେଟ୍ ବାଲଟ୍” ରହିବ। ଏହାର ଅର୍ଥ ହେଲା, ପ୍ରତ୍ୟେକ ରାଜନୈତିକ ଦଳ ନିଜର ଜଣେ ଅଥରାଇଜଡ୍ ଏଜେଣ୍ଟ ବା ପ୍ରତିନିଧି ସେଠାରେ ବସାଇବେ। ଦଳର କୌଣସି ବିଧାୟକ ବାକ୍ସରେ ଭୋଟ୍ ପକାଇବା ପୂର୍ବରୁ ନିଜ ଦଳର ଏଜେଣ୍ଟଙ୍କୁ ଦେଖାଇବେ ଯେ ସେ କାହାକୁ ଭୋଟ ଦେଉଛନ୍ତି। ଯଦି ଜଣେ ବିଧାୟକ ନିଜ ଏଜେଣ୍ଟଙ୍କୁ ନ ଦେଖାଇ ଭୋଟ୍ ପକାନ୍ତି, କିମ୍ବା ଭୁଲ୍ରେ ବିରୋଧୀ ଦଳର ଏଜେଣ୍ଟଙ୍କୁ ଦେଖାଇ ଦିଅନ୍ତି, ତେବେ ତାଙ୍କ ଭୋଟ୍ ସିଧାସଳଖ ନାକଚ ବା ବାତିଲ୍ ହୋଇଯିବ। କେବଳ ଏତିକି ହିଁ ହେଉଛି ଏହାର ସୀମିତତା। କେବଳ ଦଳ ଜାଣିପାରିବ ଯେ ତାଙ୍କ ବିଧାୟକ କାହାକୁ ଭୋଟ ଦେଲେ।
କଣ ବିଧାୟକଙ୍କୁ ଭୋଟ ଦେବାକୁ ବାଧ୍ୟ କରାଯାଇପାରିବ?
ଏବେ ଆସୁଛି ସବୁଠାରୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଜଣେ ବିଧାୟକଙ୍କର ନିଜସ୍ୱ ବିବେକ ଅଛି, ଏବଂ ସେ ନିଜ ଦଳର ପ୍ରାର୍ଥୀଙ୍କୁ ଅଯୋଗ୍ୟ ଭାବି ଭୋଟ ଦେବାକୁ ଚାହୁଁନାହାନ୍ତି, ତେବେ କଣ ଦଳ ତାଙ୍କୁ ଜୋର ଜବରଦସ୍ତ ବାଧ୍ୟ କରିପାରିବ?
ଏହାର ଉତ୍ତର ହେଉଛି ସମ୍ପୂର୍ଣ୍ଣ ‘ନା’। ଜଣେ ବିଧାୟକଙ୍କୁ ତାଙ୍କ ମତାଧିକାର ସାବ୍ୟସ୍ତ କରିବାକୁ କେହି ବି ବାଧ୍ୟ କରିପାରିବେ ନାହିଁ। ଭାରତୀୟ ପିଙ୍ଗଳ କୋଡ୍ (IPC) ଏବଂ ବର୍ତ୍ତମାନର ଭାରତୀୟ ନ୍ୟାୟ ସଂହିତା (BNS) ଅନୁଯାୟୀ, ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବା ଏକ ସାଂଘାତିକ ଅପରାଧ। କୌଣସି ବିଧାୟକଙ୍କୁ ଭୋଟ ଦେବା ପାଇଁ ଧମକାଇବା, ପ୍ରଲୋଭିତ କରିବା କିମ୍ବା ମାନସିକ ଚାପ ପକାଇବା ଆଇନତଃ ଦଣ୍ଡନୀୟ ଅଟେ। ଯଦି କୌଣସି ଦଳର ଶୀର୍ଷ ନେତା ଏପରି କରନ୍ତି, ତେବେ ବିଧାୟକ ଚାହିଁଲେ ତାଙ୍କ ବିରୋଧରେ ପୋଲିସରେ ଅଭିଯୋଗ ମଧ୍ୟ କରିପାରିବେ। ତେଣୁ ଦଳ କେବଳ ଏକ ‘ହ୍ୱିପ୍’ (Whip) ଜାରି କରିପାରିବ, ନିବେଦନ କରିପାରିବ, କିନ୍ତୁ ଶାରୀରିକ ବା ମାନସିକ ସ୍ତରରେ ବାଧ୍ୟ କରିପାରିବ ନାହିଁ।
ବର୍ତ୍ତମାନ ଆସିବା ସବୁଠାରୁ ଜଟିଳ ଆଇନଗତ ଦିଗ ଉପରେ, ଯାହାକୁ ନେଇ ସବୁବେଳେ ଭ୍ରାନ୍ତ ଧାରଣା ରହିଥାଏ। ତାହା ହେଲା ‘ଦଶମ ଅନୁସୂଚୀ’ ବା ଟେନ୍ଥ୍ ସିଡ୍ୟୁଲ୍ (Tenth Schedule) ଯାହାକୁ ଆମେ ଦଳବଦଳ ନିରୋଧୀ ଆଇନ (Anti-Defection Law) ବୋଲି ମଧ୍ୟ କହୁ। ଯଦି ଜଣେ ବିଧାୟକ କ୍ରସ୍ ଭୋଟିଂ କରନ୍ତି, ଅର୍ଥାତ୍ ଦଳୀୟ ନିର୍ଦ୍ଦେଶକୁ ଅମାନ୍ୟ କରି ଅନ୍ୟ ଦଳର ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତି, ତେବେ କଣ ତାଙ୍କର ବିଧାୟକ ପଦ ବା ସଭ୍ୟପଦ ରଦ୍ଦ ହୋଇଯିବ?
ଆମର ସମ୍ବିଧାନର ଆର୍ଟିକିଲ୍ ୧୦୨(୨) (Article 102(2)) ଏବଂ ୧୯୧(୨) (Article 191(2))କୁ ଆଧାର କରି ଏହି ଆଣ୍ଟି-ଡିଫେକ୍ସନ ଆଇନ ତିଆରି ହୋଇଛି। ଏହି ଆଇନ ଅନୁଯାୟୀ, ଜଣେ ବିଧାୟକଙ୍କ ସଭ୍ୟପଦ ମୁଖ୍ୟତଃ ଦୁଇଟି ପରିସ୍ଥିତିରେ ରଦ୍ଦ ହୋଇପାରିବ: ପ୍ରଥମଟି ହେଲା- ଯଦି ସେ ନିଜେ ସ୍ୱେଚ୍ଛାକୃତ ଭାବେ ନିଜ ଦଳରୁ ଇସ୍ତଫା ଦେଇ ଅନ୍ୟ ଦଳରେ ସାମିଲ ହୁଅନ୍ତି। ଆଉ ଦ୍ୱିତୀୟଟି ହେଲା- ଯଦି ସେ ‘ବିଧାନସଭା ଗୃହ ଭିତରେ’ ଦଳୀୟ ହ୍ୱିପ୍ ବା ନିର୍ଦ୍ଦେଶକୁ ଉଲ୍ଲଂଘନ କରନ୍ତି।
କିନ୍ତୁ ଏଠାରେ ଗୋଟିଏ ଶବ୍ଦ ଉପରେ ଧ୍ୟାନ ଦେବାକୁ ପଡ଼ିବ, ତାହା ହେଲା “ଗୃହ ଭିତରେ” (Inside the House)। ଯେତେବେଳେ ବିଧାନସଭାରେ କୌଣସି ବିଲ୍ ପାସ୍ ହେଉଥାଏ, ବଜେଟ୍ ଉପରେ ଆଲୋଚନା ହେଉଥାଏ, କିମ୍ବା ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥାଏ, ସେତେବେଳେ ଯଦି କୌଣସି ବିଧାୟକ ଦଳର ହ୍ୱିପ୍ ନ ମାନି ବିରୋଧୀଙ୍କ ସପକ୍ଷରେ ଭୋଟ ଦିଅନ୍ତି, ତେବେ ବାଚସ୍ପତି (Speaker) ତୁରନ୍ତ ତାଙ୍କ ସଭ୍ୟପଦ ରଦ୍ଦ କରିଦେବେ।
କିନ୍ତୁ ରାଜ୍ୟସଭା ନିର୍ବାଚନ ଗୃହର କାର୍ଯ୍ୟବାହୀ (Proceedings of the House) ନୁହେଁ। ଏହା ଗୃହ ବାହାରେ ଏକ ସ୍ୱତନ୍ତ୍ର ପ୍ରକୋଷ୍ଠରେ କରାଯାଇଥାଏ। ତେଣୁ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କଲେ ଆଣ୍ଟି-ଡିଫେକ୍ସନ ଲ’ ଲାଗୁ ହୁଏ ନାହିଁ କିମ୍ବା ସଭ୍ୟପଦ ରଦ୍ଦ ହୁଏ ନାହିଁ। ଏକଥା ସୁପ୍ରିମକୋର୍ଟ ମଧ୍ୟ ନିଜର ଏକାଧିକ ରାୟରେ ସ୍ପଷ୍ଟ କରିସାରିଛନ୍ତି।
ଯଦି ସଭ୍ୟପଦ ରଦ୍ଦ ନ ହୁଏ, ତେବେ ଦଳ କଣ କରିପାରିବ?
ତାହେଲେ ଆପଣ ଭାବୁଥିବେ ଯେ, ଯଦି ସଭ୍ୟପଦ ରଦ୍ଦ ହେବ ନାହିଁ, ତେବେ କଣ ବିଧାୟକମାନେ ଖୋଲାଖୋଲି ମନଇଚ୍ଛା ଯାହାକୁ ଚାହିଁବେ ଭୋଟ ଦେବେ ଏବଂ ଦଳ କେବଳ ଚୁପ୍ ହୋଇ ଦେଖୁଥିବ?
ଏହାର ଉତ୍ତର ହେଲା— ନା। ଯଦିଓ ବିଧାୟକ ପଦ ରଦ୍ଦ ହେବ ନାହିଁ, ତଥାପି ରାଜନୈତିକ ଦଳ ନିକଟରେ କିଛି କ୍ଷମତା ରହିଛି। ଯଦି କୌଣସି ବିଧାୟକ ଅନ୍ୟ ଦଳକୁ ଭୋଟ ଦିଅନ୍ତି, ତେବେ ଏହାକୁ “ଦଳୀୟ ଶୃଙ୍ଖଳା ଭଙ୍ଗ” (Indiscipline) ବୋଲି ବିବେଚନା କରାଯିବ। ପ୍ରତ୍ୟେକ ରାଜନୈତିକ ଦଳର ନିଜସ୍ୱ ଏକ ସମ୍ବିଧାନ ବା ନିୟମାବଳୀ ଥାଏ। ସେହି ଅନୁଯାୟୀ, ଦଳ ଉକ୍ତ ବିଧାୟକଙ୍କୁ ‘କାରଣ ଦର୍ଶାଅ ନୋଟିସ୍’ (Show Cause Notice) ଜାରି କରିପାରିବ। ଦଳ ଚାହିଁଲେ ତାଙ୍କୁ ସସ୍ପେଣ୍ଡ୍ କରିପାରିବ କିମ୍ବା ଦଳରୁ ବହିଷ୍କାର ମଧ୍ୟ କରିପାରିବ।
କିନ୍ତୁ ମଜାଦାର କଥା ହେଲା, ଦଳରୁ ବହିଷ୍କୃତ ହେବା ପରେ ମଧ୍ୟ ସେହି ବ୍ୟକ୍ତି ଜଣକ ବିଧାନସଭାରେ ବିଧାୟକ ହୋଇ ରହିବେ। ସେ ଜଣେ ‘ଅନଆଟାଚଡ୍’ (Unattached) ବା ସ୍ୱାଧୀନ ବିଧାୟକ ଭାବେ ଗୃହରେ ବସିବେ ଏବଂ ତାଙ୍କର ସମସ୍ତ ସାମ୍ବିଧାନିକ କ୍ଷମତା ଅକ୍ଷୁର୍ଣ୍ଣ ରହିବ।
ବର୍ତ୍ତମାନ ଆସିବା ଓଡ଼ିଶାର ସାମ୍ପ୍ରତିକ ସ୍ଥିତି ଏବଂ ବିଜୁ ଜନତା ଦଳ (BJD) ର ଅକଳ ପରିସ୍ଥିତି ଉପରେ। ଦୀର୍ଘ ୨୪ ବର୍ଷ ଧରି ରାଜ୍ୟରେ ଏକଛତ୍ରବାଦ ଶାସନ କରିଥିବା ବିଜେଡି ଏବେ ବିରୋଧୀ ଆସନରେ। ପରାଜୟ ପରେ ଦଳ ଭିତରେ ଅନେକ ବିଧାୟକ ଅସନ୍ତୁଷ୍ଟ ଥିବା ନେଇ ବାରମ୍ବାର ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।
ଏଭଳି ଏକ ସମ୍ବେଦନଶୀଳ ସ୍ଥିତିରେ, ଯଦି ଆଗାମୀ ଦିନରେ କୌଣସି ନିର୍ବାଚନ ଆସେ ଏବଂ ବିଜେଡି ନିଜର ପ୍ରାର୍ଥୀ ଦିଏ, ତେବେ ଦଳର ସମସ୍ତ ବିଧାୟକ ଏକଜୁଟ୍ ହୋଇ ଭୋଟ ଦେବେ କି ନାହିଁ ତାହା ଦଳୀୟ ସୁପ୍ରିମୋଙ୍କ ପାଇଁ ଏକ ବଡ଼ ଚିନ୍ତାର କାରଣ ହୋଇପାରେ। କାରଣ ଆଇନର ଗଳାବାଟ ଦେଖିଲେ ଜଣାପଡ଼ୁଛି ଯେ, ଯଦି ବିଜେଡିର କିଛି ଅସନ୍ତୁଷ୍ଟ ବିଧାୟକ ଶାସକ ବିଜେପି (BJP) ପ୍ରାର୍ଥୀଙ୍କୁ ଭୋଟ ଦେଇଦିଅନ୍ତି, ତେବେ ବିଜେଡି ସେମାନଙ୍କର କିଛି ବଡ଼ କ୍ଷତି କରିପାରିବ ନାହିଁ। ଦଳ ବେଶୀରୁ ବେଶୀ ସେମାନଙ୍କୁ ଦଳରୁ ବାହାର କରିଦେବ। କିନ୍ତୁ ବିଧାୟକ ପଦ ବଞ୍ଚି ରହିବ। ଆଉ ଦଳରୁ ବାହାର କରିଦେଲେ ସେମାନେ ଖୋଲାଖୋଲି ଭାବେ ଶାସକ ଦଳର ସମର୍ଥକ ପାଲଟିଯିବାର ବଡ଼ ସମ୍ଭାବନା ରହିଛି। ଯାହା ବିଜେଡିର ବିଧାୟକ ସଂଖ୍ୟାକୁ ଗୃହରେ ଆହୁରି କମାଇଦେବ। ତେଣୁ ଏହି ‘କ୍ରସ୍ ଭୋଟିଂ’ ନିୟମ ବର୍ତ୍ତମାନ ପରିସ୍ଥିତିରେ ବିଜେଡି ପାଇଁ ଏକ ଖଣ୍ଡାଧାରରେ ଚାଲିବା ସଦୃଶ ହୋଇଛି।
ସାଧାରଣ ଲୋକଙ୍କ ମନରେ ସବୁବେଳେ କ୍ଷୋଭ ଥାଏ ଯେ ରାଜନେତାମାନେ ନିଜ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବାରମ୍ବାର ଦଳବଦଳ କରନ୍ତି କିମ୍ବା କ୍ରସ୍ ଭୋଟିଂ କରନ୍ତି, ତଥାପି ଆଇନ ସେମାନଙ୍କୁ କାହିଁକି ଏତେ ସୁରକ୍ଷା ଦିଏ?
କିନ୍ତୁ ଅନ୍ୟପଟେ ଦେଖିବାକୁ ଗଲେ, ଆମର ସମ୍ବିଧାନ ପ୍ରଣେତାମାନେ ପ୍ରତ୍ୟେକ ପ୍ରତିନିଧିଙ୍କୁ ଏକ ସ୍ୱାଧୀନ ଅଧିକାର ଦେଇଛନ୍ତି, ଯାହା ଫଳରେ ଗଣତନ୍ତ୍ରରେ ଦଳର ଏକଛତ୍ରବାଦ କାଏମ ନରହୁ ଏବଂ ବିଧାୟକମାନେ ନିଜ ବିବେକ ଅନୁଯାୟୀ ନିଷ୍ପତ୍ତି ନେଇପାରନ୍ତୁ।
AlsoRead; https://purvapaksa.com/narendra-modi-v-s-indian-national-congress-foreign-policy/
ମୋଦୀ ବନାମ କଂଗ୍ରେସ ବିଦେଶ ନୀତି || Narendra Modi V/S Indian National Congress foreign policy


