କଟକ ଭଳି ପାରମ୍ପରିକ ରକ୍ଷଣଶୀଳ ସହରରୁ ଜଣେ ମହିଳାଭାବେ ନିର୍ବାଚିତ ହୋଇ ରାଜ୍ୟ ବିଧାନସଭାକୁ ଆସିବା ଏକ ଗୌରବମୟ ଅଧ୍ୟାୟ। ୧୯୭୨ ମସିହାରେ ନନ୍ଦିନୀ ଶତପଥି କଂଗ୍ରେସ ଟିକଟରେ ଏହି ଆସନରୁ ନିର୍ତବାଚିତ ହୋଇଥିଲେ। ତାଙ୍କ ପୂର୍ବରୁ ବା ତାଙ୍କ ପରେ ଏହି ନିର୍ବାଚନମଣ୍ଡଳିରୁ କେହି ମହିଳା ପ୍ରତିନିଧି ଓଡ଼ିଶା ବିଧାନସଭାକୁ ପ୍ରତିନିଧିତ୍ୱ କରିନାହାନ୍ତି। ୨୦୦୯ ମସିହାରେ ସୀମା ପୁନଃନିର୍ଦ୍ଧାରଣ ପରେ ମଧ୍ୟ କଟକ-ବାରବାଟୀ ଯାହା ମୂଳ କଟକ ସହରଭାବେ ପରିଚିତ, କେବଳ ପୁରୁଷ ପ୍ରତିନିଧିଙ୍କୁ ବାଛିଛି। ଏଥର ପ୍ରଥମ ଥର ପାଇଁ ସୋଫିଆ ଫିରଦୌସଙ୍କୁ ପ୍ରତିନିଧିଭାବେ ବିଧାନସଭା ପଠାଇଛି କଟକ। ଏଥିଲାଗି ତ ସେ ବେଶ୍ ପରିଚିତ ହୋଇଛନ୍ତି କିନ୍ତୁ ତାଙ୍କର ଅପରିପକ୍ୱ କାର୍ଯ୍ୟକଳାପ ଓ ଅତ୍ୟଧିକ ରାଜନୀତିକ ଆକାଂକ୍ଷା ରାଜ୍ୟକୁ ବଦନାମ ବି କରୁଛି।
ଭାରତ ବର୍ଷରେ ଏବେ ଦୁଇଜଣ ସୋଫିଆ ଚର୍ଚ୍ଚାରେ ଅଛନ୍ତି। ସେମାନେ ହେଲେ କର୍ଣ୍ଣେଲ ସୋଫିଆ କ୍ୟୁରେସି ଓ କଟକ-ବାରବାଟୀ ବିଧାୟିକା ସୋଫିଆ ଫିରଦୌସ। କର୍ଣ୍ଣେଲ ସୋଫିଆ କ୍ୟୁରେସି ଅପରେସନ ସିନ୍ଦୁରବେଳେ ଦେଶର ସୈନିକମାନଙ୍କ ବୀରଗାଥା ବର୍ଣ୍ଣନା କରି ସମଗ୍ର ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। କିନ୍ତୁ କଟକ-ବାରବାଟୀ ବିଧାୟିକା ସୋଫିଆ ଫିରଦୌସ ନିଜକୁ ରାଜ୍ୟକୁ ଏକ ବଳାତ୍କାରୀ ରାଜ୍ୟଭାବେ ପ୍ରଚାର କରି ସମଗ୍ର ବିଶ୍ୱରେ ପରିଚିତ ହୋଇଛନ୍ତି।
ଚଳିତ ବିଧାନସଭାରେ କଂଗ୍ରେସର ଏକମାତ୍ର ମହିଳା ବିଧାୟିକା ହେଉଛନ୍ତି ସୋଫିଆ ଫିରଦୌସ। ରାଜ୍ୟର ୧୧ ଜଣ ମହିଳା ସଦସ୍ୟଙ୍କ ଭିତରୁ ଜଣେ। ପ୍ରଥମ ଥର ବିଧାୟିକା କିନ୍ତୁ ଓଡ଼ିଶା ତଥା ଓଡ଼ିଶା ବାହାରେ ତାଙ୍କ ନାଁ ଅନେକ ଦୃଷ୍ଟିରୁ ପ୍ରସାରିତ ହୋଇଛି। ବିଶେଷ କରି ତିନିଟି କାରଣ ଏଠାରେ ଉଲ୍ଲେଖଯୋଗ୍ୟ।
ପ୍ରଥମଟି ହେଉଛି ବାପାଙ୍କ ଦୁର୍ନୀତି, ଦ୍ୱିତୀୟରେ ରାଜ୍ୟକୁ ଲଜ୍ଜିତ କରିବାର ପ୍ରୟାସ ଏବଂ ତୃତୀୟଟି ହେଉଛି ତାଙ୍କ ରିୟଲ ଇଷ୍ଟେଟ୍ ବ୍ୟବସାୟ।
ସୋଫିଆ ହେଉଛନ୍ତି କଟକ-ବାରବାଟୀର ପୂର୍ବତନ ବିଧାୟିକ ମହମ୍ମଦ ମୋକିମଙ୍କ ଝିଅ। ଆଉ ମୋକିମ୍ ଜଣେ ଜଣାଶୁଣା ରିୟଲ ଇଷ୍ଟେଟ ପ୍ରମୋଟରଭାବେ ଜଣାଶୁଣା। ତାଙ୍କ ନାଁରେ ଆର୍ଥିକ ଅନିୟମିତତା ଓ ନିର୍ବାଚନ ସମ୍ବନ୍ଧୀୟ ମାମଲା ରହିଛି। ଓଡ଼ିଶା ଗ୍ରାମାଞ୍ଚଳ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ (ଓଆରଏଚଡିସି) ସହ ଜଡ଼ିତ ଏକ ୧.୫ କୋଟି ଟଙ୍କାର ଋଣ ଦୁର୍ନୀତି ମାମଲାରେ ଅଭିଯୋଗ ରହିଛି। ସେ ମେଟ୍ରୋ ବିଲ୍ଡର୍ସ ପ୍ରାଇଭେଟ୍ ଲିମିଟେଡ୍ର ମ୍ୟାନେଜିଂ ଡାଇରେକ୍ଟର ଥାଇ ନୟାପାଲ୍ଲୀ, ଭୁବନେଶ୍ୱରରେ ମେଟ୍ରୋ ସିଟି-୨ ପ୍ରୋଜେକ୍ଟ ପାଇଁ ଏହି ଋଣ ଅନୁଚିତଭାବେ ହାସଲ କରିଥିବା ଅଭିଯୋଗ ହୋଇଥିଲା।
ମିଳିଥିବା ସୂଚନା ଅନୁସାରେ ପୂର୍ବରୁ ୧ କୋଟି ଟଙ୍କାର ଋଣ ଚୁକ୍ତିରେ ଡିଫଲ୍ଟର ଥାଇ ମଧ୍ୟ ମୋକିମ ୧.୫ କୋଟି ଟଙ୍କାର ଋଣ ପାଇଁ ଆବେଦନ କରିଥିଲେ। ସେ ନକଲି ଦଲିଲ, ଯଥା ଅଗ୍ନିସୁରକ୍ଷା ପାଇଁ ‘ନୋ ଅବଜେକ୍ସନ ସାର୍ଟିଫିକେଟ’ ଏବଂ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ (ସିଡିଏ)ର ଅନ୍ୟାନ୍ୟ ଅନୁମୋଦନ ଦଲିଲ ଜାଲ କରି ଋଣ ହାସଲ କରିଥିଲେ।
ଋଣ ଅନୁମୋଦନ ଓ ବଣ୍ଟନ ନିଗମର ନିୟମାବଳୀ ଉଲ୍ଲଂଘନ କରି ବିନା ବୋର୍ଡ ଅଫ୍ ଡାଇରେକ୍ଟର୍ସ ବା ଋଣ କମିଟି ଅନୁମୋଦନ ଏବଂ ସାଇଟ ଯାଞ୍ଚ ବିନା କରାଯାଇଥିଲା। ଭିଜିଲାନ୍ସ ବିଭାଗ ଅନୁସାରେ, ମୋକିମ ଓ ଓଆରଏଚଡିସି ଅଧିକାରୀମାନଙ୍କ ମିଳିତ ଷଡ଼ଯନ୍ତ୍ର ଯୋଗୁଁ ନିଗମକୁ ୩୧ ଜୁଲାଇ ୨୦୦୭ ସୁଦ୍ଧା ୬.୨ କୋଟି ଟଙ୍କାର ଆର୍ଥିକ କ୍ଷତି ହୋଇଥିଲା।
୨୯ ସେପ୍ଟେମ୍ବର ୨୦୨୨ରେ ଭୁବନେଶ୍ୱରର ଭିଜିଲାନ୍ସ ସ୍ପେସିଆଲ ଜଜ୍ ମୋକିମଙ୍କୁ ଭାରତୀୟ ଦଣ୍ଡବିଧାନର ଧାରା ୪୬୮ (ଠକେଇ ପାଇଁ ଜାଲିଆତି), ୪୭୧ (ଜାଲ ଦଲିଲ ବ୍ୟବହାର), ୪୨୦ (ଠକେଇ), ଏବଂ ୧୨୦-ବି (ଅପରାଧୀ ଷଡ଼ଯନ୍ତ୍ର) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ। ତାଙ୍କୁ ତିନିବର୍ଷର କଠୋର କାରାଦଣ୍ଡ ଏବଂ ପ୍ରତ୍ୟେକ ଅପରାଧ ପାଇଁ ୫୦,୦୦୦ ଟଙ୍କା ଜୋରିମାନା ଦିଆଯାଇଥିଲା। ଜୋରିମାନା ଅଦାୟ ହେଲେ ଅତିରିକ୍ତ ୬ ମାସ ଜେଲ ଦଣ୍ଡ ଦିଆଯିବ ବୋଲି ରାୟ ଦେଇଥିଲେ। ଏହାପରେ ଉଚ୍ଚ ନ୍ୟାୟାଳୟ ଓ ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ମୋକିମ।
୨୩ ଏପ୍ରିଲ ୨୦୨୪ରେ ସୁପ୍ରିମକୋର୍ଟ ତାଙ୍କର ତିନିବର୍ଷର ଦଣ୍ଡାଦେଶକୁ ସ୍ଥଗିତ ରଖି ଓଡ଼ିଶା ସରକାରଙ୍କୁ ତାଙ୍କ ଅପିଲର ଜବାବ ଦେବାକୁ ନୋଟିସ ଜାରି କରିଥିଲେ। ଏହି ସ୍ଥଗିତ ଆଦେଶ ମୋକିମଙ୍କୁ ଅସ୍ଥାୟୀ ଆଶ୍ୱସ୍ତି ପ୍ରଦାନ କରିଛି।
ଠକେଇ ଘଟଣାରେ ଦୋଷୀ ସାବ୍ୟସ୍ତ ହେବା ମୋକିମଙ୍କ ନିର୍ବାଚନ ଲଢ଼ିବା ଅଧିକାରକୁ ପ୍ରଭାବିତ କରିଥିଲା। କାରଣ ରିପ୍ରେଜେଣ୍ଟେସନ ଅଫ୍ ଦି ପିପୁଲ୍ ଆକ୍ଟ ଅନୁଯାୟୀ ଦୁଇବର୍ଷ ବା ତଦୁର୍ଦ୍ଧ୍ୱ ଦଣ୍ଡ ପାଇଥିବା ବ୍ୟକ୍ତି ୬ ବର୍ଷ ପାଇଁ ନିର୍ବାଚନ ଲଢ଼ିପାରନ୍ତି ନାହିଁ। ସୁପ୍ରିମକୋର୍ଟର ଦଣ୍ଡ ସ୍ଥଗିତ ଆଦେଶ ତାଙ୍କୁ ଅସ୍ଥାୟୀ ଆଶ୍ୱସ୍ତି ଦେଇଛି।
ମୋକିମଙ୍କ ମାମଲାର ଏତିକିରେ ସରି ନାହିଁ। ୨୦୧୯ ନିର୍ବାଚନ ବାତିଲ ମାମଲା ମଧ୍ୟ ତାଙ୍କ ଲାଗି ଉତ୍କଟ ସମସ୍ୟା ସୃଷ୍ଟି କରିଥିଲା। ଏହି ବର୍ଷ ସେ ବିଧାୟକଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲାକୁ ଲୁଚାଇଥିବା ହେତୁ ମୋକିମଙ୍କ ବିଧାୟକ ନିର୍ବାଚନକୁ ବାତିଲ କରିଥିଲେ ହାଇକୋର୍ଟ। ମୋକିମ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ, ଏବଂ ୨୦୨୪ରେ ସୁପ୍ରିମକୋର୍ଟ ଉଚ୍ଚ ନ୍ୟାୟାଳୟର ଆଦେଶକୁ ସ୍ଥଗିତ ରଖି ତାଙ୍କୁ ବିଧାୟକ ପଦରେ ରହିବାକୁ ଅନୁମତି ଦେଇଥିଲେ। ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ କେ.ଭି. ବିଶ୍ୱନାଥନଙ୍କ ବେଞ୍ଚ ତାଙ୍କ ଅପିଲକୁ ଶୁଣାଣି କରିଥିଲେ। ଅର୍ଥାତ୍ ଜାଲିଆତି ଓ ଷଡ଼ଯନ୍ତ୍ର ଅଭିଯୋଗରେ ପରିପୂର୍ଣ୍ଣ ରହିଥିଲା ମୋକିମଙ୍କ ଅଧ୍ୟାୟ।
ଏହି ଅଧ୍ୟାୟରେ ଆଉ ଏକ ୟୁନିଟ୍ ହେଉଛନ୍ତି ସୋଫିଆ ଫିରଦୌସ। ଯଦି ମୋକିମ ବିରୋଧରେ ନିର୍ବାଚନ ସମ୍ପର୍କୀତ ମାମଲା ଚାଲି ନ ଥାଆନ୍ତା ତେବେ ହୁଏତ ସୋଫିଆ ଆଜି ବିଧାନସଭାକୁ ଆସି ନ ଥାଆନ୍ତେ।
ନିଜକୁ ରିୟଲ ଇଷ୍ଟେଟ୍ ବ୍ୟବସାୟରେ ବାନ୍ଧି ରଖିଥିବା ସୋଫିଆ ପରିବାରର ରାଜନୀତିକ ସତ୍ତାକୁ ରକ୍ଷା କରିବା ଲାଗି ୨୦୨୪ ନିର୍ବରଚନ ଲଢ଼ିଥିଲେ। କଂଗ୍ରେସର ତିନିଜଣ ମହିଳା ପ୍ରାର୍ଥୀଙ୍କ ଭିତରୁ ଏକମାତ୍ର ବିଧାୟିକାଭାବେ ନିର୍ବାଚିତ ହୋଇଥିଲେ। କେବଳ ସେତିକି ନୁହେଁ ମୋକିମ ଉପକୂଳରେ କଂଗ୍ରେସର ସତ୍ତାକୁ ରକ୍ଷା କରିବାରେ ସଫଳ ହୋଇଥିଲେ। ଏଥିଲାଗି ଗଣମାଧ୍ୟମରେ ଅନେକ ପ୍ରଶଂସା ସାଉଁଟିଛନ୍ତି ସୋଫିଆ। ହେଲେ ଏହି ପ୍ରଶଂସାକୁ ସେ ଓଡ଼ିଶାକୁ ବଦନାମ କରିବାକୁ ବ୍ୟବହାର କରଥିବା ଅଭିଯୋଗ ହେଉଛି।
୪ ମାସ ତଳେ ଦିଲ୍ଲୀରେ ଓଡ଼ିଶା ପ୍ରସଙ୍ଗକୁ ଉଠାଇବା ଲାଗି ପହଞ୍ଚିଥିଲେ ସୋଫିଆ। ସରକାରଙ୍କୁ ବିରୋଧ ନାଁରେ ଓଡ଼ିଶାକୁ ବଦନାମ କଲେ। ଏହାର ଫଳସ୍ୱରୂପ ଓଡ଼ିଶାକୁ ମହିଳା ନିର୍ଯାତନା, ଅପରହଣ, ବଳାତ୍କାରୀର ରାଜ୍ୟଭାବେ ଆମେରିକା ପକ୍ଷରୁ ରାଜ୍ୟକୁ ମୋହର ମିଳିଲା। ଆଉ ବିଦେଶୀ ପର୍ଯ୍ୟଟନ ମାନଚିତ୍ରରେ ଯେଉଁ ଓଡ଼ିଶା ସରଳତା, ଆତିଥେୟତା ପାଇଁ ପରିଚିତ ହେଉଥିଲା ତାହାକୁ ବଳାତ୍କାରୀଭାବେ ଚିତ୍ରଣ କରାଗଲା।
ଏଠାରେ ମହିଳା ସୁରକ୍ଷା ନୁହନ୍ତି ବୋଲି ଏକ ଛବି ବିଦେଶରେ ପ୍ରଚାରିତ ହେଲା। ଆଉ ଏହାକୁ ନେଇ ଲଜ୍ଜା ଅନୁଭବ ବଦଳରେ ସୋଫିଆ ଦଳରେ ନିଜ ସ୍ଥିତିକୁ ଆହୁରି ମଜଭୁତ କରିବାକୁ ଚାହିଁଲେ। ଆଉ ଏହି ପର୍ଯ୍ୟାୟରେ ବାରମ୍ବାର ଦିଲ୍ଲୀରେ ଓଡ଼ିଶା ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି କହିଲେ। ଏହି ଧାରା ଏବେ ବି ଜାରି ରହିଛି। ଛାତ୍ରୀ ଆତ୍ମହୂତିକୁ ରାଜ୍ୟ ସରକାରଙ୍କ ବିଫଳତାଭାବେ ପ୍ରଚାରିତ କରିଛନ୍ତି ସୋଫିଆ।
କିନ୍ତୁ ସୋଫିଆ ନିଜ ଦଳଦ୍ୱାରା ମହିଳା ନିର୍ଯାତନା ଘଟଣାକୁ ଭୁଲି ଯାଇଛନ୍ତି। ଓଡ଼ିଶାରେ ଶାନ୍ତିଲତା, ଛବିରାଣୀ, ଅନ୍ଧୁଣୀ ଛାତ୍ରୀ, ଅଞ୍ଜନା ମିଶ୍ର ମାମଲା ବିଷୟରେ ପଢ଼ି ଅନ୍ୟକୁ ଆଙ୍ଗୁଠି ଦେଖାଇବା ପୂର୍ବରୁ ନିଜ ଦଳର ଇତିହାସକୁ ଜାଣନ୍ତୁ।
ଏହି ନିଶ୍ଚିତ ଯେ, ରାଜ୍ୟରେ ବାରମ୍ବାର ଘଟୁଥିବା ମହିଳା ଆତ୍ମହୂତି ଘଟଣା ଏକ ଚିନ୍ତାର କାରଣ। ଏଥିରେ ସରକାରୀ ବିଫଳତା ସହ ସାମାଜିକ ସ୍ଖଳନ ବି ରହିଛି। ଏହା ଦିନକର ଅଭ୍ୟୁତ୍ଥାନ ନୁହେଁ। ଏଥିଲାଗି ଆମକୁ ଓ ସରକାରଙ୍କୁ ଚିନ୍ତା କରିବାର ଆବଶ୍ୟକତା ରହିଛି। ଏଥିରେ ରାଜନୀତିକୁ ନ ଦେଖି କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି। କିନ୍ତୁ ଏହାକୁ ନେଇ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ମିଡିଆ ଦୃଷ୍ଟି ଆକର୍ଷଣ କରିବାର କିଛି ଆବଶ୍ୟକତା ରହିଛି କି? ଯଦି ସମାଧାନର ରାସ୍ତା ନ ଦେଇପାରିବେ ତାହା ହେଲେ ଆପଣ କି ଜନପ୍ରତିନିଧି ହେବେ?
ଠକାମି ଓ ଭ୍ରଷ୍ଟାଚାରରର ଭିତ୍ତିଭୂମି ଉପରେ ପ୍ରତିଷ୍ଠା ହୋଇଥିବା ଏ ଭିତ୍ତିଭୂମି କ’ଣ ସୋଫିଆଙ୍କୁ ରାଜନୀତିକ ସଫଳତା ଆଣିବାରେ ସହାୟକ ହେବ? ନା କଂଗ୍ରେସ ଯେପରି ରାଜ୍ୟ ଓ ଦେଶବାସୀଙ୍କ ମନରୁ ଉଭେଇବାରେ ଲାଗିଛି ସୋଫିଆଙ୍କ କ୍ଷେତ୍ରରେ ତାହା ପ୍ରମାଣିତ ହେବ।
Also readhttps://purvapaksa.com/bjd-heir-bobby-sujata-face-to-face/
BJD heir: Bobby-Sujata face to face II ବିଜେଡି ଉତ୍ତରାଧିକାରୀ : ବବି-ସୁଜାତା ମୁହଁମୁହିଁ
