ଥାଇଲାଣ୍ଡ ଓ କମ୍ବୋଡ଼ିଆ ମଧ୍ୟରେ ତୀବ୍ର ଉତ୍ତେଜନା ଜାରି ରହିଛି । ସୀମାରେ ଯୁଦ୍ଧ ଆରମ୍ଭ ହୋଇଛି । ଗୋଳାବାରୁଦ ଓ ବିମାନ ଆକ୍ରମଣରେ ଥାଇଲାଣ୍ଡର ୧୨ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି । ବାରମ୍ବାର ଉଭୟ ଦେଶ ମଧ୍ୟରେ ସୀମା ବିବାଦ ରକ୍ତାତ ସଂଘର୍ଷରେ ପରିଣତ ହୋଇଛି । ଗୋଳାବାରୁଦ ପରେ ଥାଇଲାଣ୍ଡ F-16 ବିମାନ ଆକ୍ରମଣ କରିଛି । କମ୍ବୋଡ଼ିଆ ରକେଟ ମାଡ଼ କରିଛି । ଏଥର ଏହି ବିବାଦର କେନ୍ଦ୍ର ଏକ ପ୍ରାଚୀନ ହିନ୍ଦୁ ଶିବ ମନ୍ଦିର । ତେବେ ପ୍ରଶ୍ନ ହେଲା ଦୁଇ ବୌଦ୍ଧ ଦେଶଙ୍କ ମଧ୍ୟରେ ଗୋଟିଏ ପ୍ରାଚୀନ ଶିବମନ୍ଦିରକୁ ନେଇ ବିବାଦ କଣ ପାଇଁ ? ଏହାର ଉତ୍ତର ହେଉଛି ଦୁଇ ଦେଶର ହିନ୍ଦୁ ଅତିତ ।
![]()
୧୯ଶ ଶତାବ୍ଦୀରେ ଫ୍ରାନ୍ସ ଭିଏତନାମ, ଥାଇଲାଣ୍ଡ ଓ ଲାଓସକୁ ନିଜ ଉପନିବେଶ କରି ଫ୍ରେଞ୍ଚ ଇଣ୍ଡୋଚାଇନା ଗଠନ କରିଥିଲା । କିନ୍ତୁ ପ୍ରାୟ ୭୦-୭୫ ବର୍ଷର ସଂଘର୍ଷ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଫ୍ରାନ୍ସକୁ ଏହା ଛାଡ଼ିବାକୁ ପଡ଼ିଥିଲା । ୧୯୫୩-୫୪ରେ ଭିଏତନାମ ଓ କମ୍ବୋଡ଼ିଆକୁ ସ୍ୱାଧୀନତା ମିଳିଥିଲା । କିନ୍ତୁ ତା’ପରେ ଉଭୟ ଦେଶ ମଧ୍ୟରେ ସୀମା ନେଇ ବିବାଦ ଚାଲିଆସୁଛି ।
ଥାଇଲାଣ୍ଡ ଓ କମ୍ବୋଡ଼ିଆ ମଧ୍ୟରେ ୫୦୮ ମାଇଲ (୮୧୭ କିଲୋମିଟର) ଲମ୍ବା ସୀମା ରହିଛି, ଯାହାର ଅଧିକାଂଶ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଫ୍ରାନ୍ସୀୟ ଔପନିବେଶିକ ଯୁଗର ମାନଚିତ୍ର ଦ୍ୱାରା ପ୍ରଭାବିତ । ମାନଚିତ୍ରରେ ଅନେକ ସ୍ଥାନର ସୀମାନିର୍ଦ୍ଧାରଣ ଏବେ ବି ବିବାଦୀୟ । ତେଣୁ ଉଭୟ ଦେଶ ମଧ୍ୟରେ ସଂଘର୍ଷ ହେଉଛି । ପ୍ରାଚୀନ ପ୍ରେହ ଭିହିଅର, ତା ମୋଆନ ଥମ ଓ ତା ମୁଏନ ଥମ ପରି ମନ୍ଦିର ସ୍ଥଳ ଆଖପାଖରେ ବିବାଦ ଅଧିକ ।
ଏଥର ବିବାଦର କେନ୍ଦ୍ର ଏକ ହିନ୍ଦୁ ମନ୍ଦିର କାହିଁକି?

ଏହି ବିବାଦର କେନ୍ଦ୍ର ପ୍ରେହ ଭିହିଅର ମନ୍ଦିର, ଯାହା ଖମେର ସାମ୍ରାଜ୍ୟ ସମୟରେ ଡାଙ୍ଗରେକ ପର୍ବତରେ ଏକ ଶିଖର ଉପରେ ନିର୍ମିତ ନବମ ଶତାବ୍ଦୀର ଏକ ହିନ୍ଦୁ ମନ୍ଦିର। ଏହା ଏକ ଶିବ ମନ୍ଦିର । ଏହା ଭୌଗୋଳିକ ଦୃଷ୍ଟିରୁ ଥାଇଲାଣ୍ଡ ନିକଟବର୍ତ୍ତୀ । ତଥାପି ୧୯୬୨ରେ ଅନ୍ତର୍ଜାତୀୟ ନ୍ୟାୟାଳୟ ନିଷ୍ପତ୍ତି ଦେଇଥିଲା ଯେ ଏହି ମନ୍ଦିର କମ୍ବୋଡ଼ିଆର । ଥାଇଲାଣ୍ଡ ଏହି ନିଷ୍ପତ୍ତି ଗ୍ରହଣ କରିଥିଲା, କିନ୍ତୁ ଅସନ୍ତୋଷ ରହିଥିଲା।
ପ୍ରୀହ ଭିହିର ମନ୍ଦିରକୁ ପ୍ରସାତ ପ୍ରୀହ ଭିହିର ନାମରେ ମଧ୍ୟ ଜଣାଯାଏ। ଖମେର ସାମ୍ରାଜ୍ୟ ସମୟରେ ରାଜା ଉଦୟାଦିତ୍ୟବର୍ମନ ଦ୍ୱିତୀୟ ଏହା ନିର୍ମାଣ କରିଥିଲେ । ଏହା ଡାଙ୍ଗରେକ ପର୍ବତରେ ଏକ ଶିଖର ଉପରେ ଅବସ୍ଥିତ । ୨୦୦୮ରେ କମ୍ବୋଡ଼ିଆ ପ୍ରେହ ଭିହିଅରକୁ ଇଉନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ମାନ୍ୟତା ପାଇଁ ଆବେଦନ କରି ତାହା ହାସଲ କରିଥିଲା, ତେଣୁ ଉତ୍ତେଜନା ପୁନର୍ବାର ବୃଦ୍ଧି ପାଇଥିଲା। ଥାଇଲାଣ୍ଡ ଏହାର ତୀବ୍ର ବିରୋଧ କରି ଦାବି କରିଥିଲା ଯେ ପ୍ରସ୍ତାବିତ ମାନଚିତ୍ର ମନ୍ଦିର ଆଖପାଖର ୪.୬ ବର୍ଗ କିଲୋମିଟର ବିବାଦୀୟ ଅଞ୍ଚଳରେ ଅତିକ୍ରମଣ କରୁଛି । ଏହା ଥାଇଲାଣ୍ଡରେ ଜାତୀୟତାବାଦୀ ବିରୋଧ ପ୍ରଦର୍ଶନ, ସଂସଦୀୟ କାର୍ଯ୍ୟରେ ବାଧା ଓ ସୀମାରେ ମାରାତ୍ମକ ସଂଘର୍ଷକୁ ଜନ୍ମ ଦେଇଥିଲା ।
୨୦୦୮ ଓ ୨୦୧୧ ମଧ୍ୟରେ ଏହି ବିବାଦ ଅନେକ ହିଂସାତ୍ମକ ସଂଘର୍ଷରେ ପରିଣତ ହୋଇଥିଲା, ଯେଉଁଥିରେ ୨୦୧୧ରେ ଏକ ସପ୍ତାହ ଧରି ଚାଲିଥିବା ଗୋଳାବାରୁଦ ମାଡ଼ରେ ଅତି କମରେ ଏକ ଡଜନ ଲୋକ ମୃତ୍ୟୁବରଣ କରିଥିଲେ । ଉଭୟ ପକ୍ଷର ହଜାର ହଜାର ଗ୍ରାମବାସୀଙ୍କୁ ପଳାୟନ କରିବାକୁ ପଡ଼ିଥିଲା। ଉଭୟ ଦେଶ ପରସ୍ପର ଉପରେ ଆକ୍ରମଣାତ୍ମକତା ଓ ସାର୍ବଭୌମତ୍ୱ ଉଲ୍ଲଂଘନର ଅଭିଯୋଗ ଲଗାଇଥିଲେ ।
୨୦୧୩ରେ ଅନ୍ତର୍ଜାତୀୟ ନ୍ୟାୟାଳୟ ଏକ ସ୍ପଷ୍ଟୀକରଣ ଜାରି କରି କହିଥିଲା ଯେ କମ୍ବୋଡ଼ିଆର ପ୍ରେହ ଭିହିଅର ମନ୍ଦିର ଆଖପାଖ ଅଞ୍ଚଳ ଉପରେ ମଧ୍ୟ ସାର୍ବଭୌମତ୍ୱ ରହିଛି। ଥାଇ ସୈନ୍ୟମାନଙ୍କୁ ବିବାଦୀୟ ଅଞ୍ଚଳରୁ ହଟିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଥାଇଲାଣ୍ଡ ଏହା ପାଳନ କରିଥିଲା, କିନ୍ତୁ ମାନଚିତ୍ର, ସୈନ୍ୟ ଗସ୍ତ ମାର୍ଗ ଓ ସାର୍ବଭୌମତ୍ୱ ଚିହ୍ନ ଉପରେ ମତଭେଦ ଏହି ଅଞ୍ଚଳରେ ଜାରି ରହିଥିଲା ।
ପ୍ରେହ ଭିହିଅର ସହିତ ଥାଇଲାଣ୍ଡର ସୁରିନ ପ୍ରାନ୍ତରେ କମ୍ବୋଡ଼ିଆର ଓଦ୍ଦାର ମିନଚେ ସୀମା ନିକଟରେ ଅବସ୍ଥିତ ତା ମୋଆନ ଥମ ଓ ତା ମୁଏନ ଥମ ପରି ଅନ୍ୟ ପ୍ରାଚୀନ ମନ୍ଦିର ମଧ୍ୟ ସଂଘର୍ଷର ବିନ୍ଦୁ ହୋଇଛି । ଏହି ସ୍ଥାନଗୁଡ଼ିକ ଅସ୍ପଷ୍ଟ ସୀମାରେ ଅବସ୍ଥିତ ଏବଂ ଉଭୟ ଦେଶ ପାଇଁ ଗଭୀର ଜାତୀୟ, ସାଂସ୍କୃତିକ ଓ ପ୍ରତୀକାତ୍ମକ ମହତ୍ତ୍ୱ ରଖିଛି ।
ବର୍ତ୍ତମାନର ସଂଘର୍ଷର କାରଣ କ’ଣ?

ବର୍ତ୍ତମାନର ଉତ୍ତେଜନା ମେ ୨୦୨୫ରେ ଆରମ୍ଭ ହୋଇଥିଲା, ଯେତେବେଳେ ଏମରାଲଡ ଟ୍ରାଏଙ୍ଗଲ ନିକଟରେ, ଯେଉଁଠାରେ କମ୍ବୋଡ଼ିଆ, ଥାଇଲାଣ୍ଡ ଓ ଲାଓସ ମିଶୁଛନ୍ତି, ଏକ ଗୋଳାବାରୁଦରେ ଜଣେ କମ୍ବୋଡ଼ିଆନ ସୈନିକ ମୃତ୍ୟୁବରଣ କରିଥିଲେ । ଏହି ଘଟଣା ଉଭୟ ପକ୍ଷରେ ଜାତୀୟତାବାଦୀ ଆକ୍ରୋଶ ଜନ୍ମାଇଥିଲା ଏବଂ ବର୍ତ୍ତମାନର ସଙ୍କଟ ଆରମ୍ଭ କରିଥିଲା ।
୧୭ ଜୁଲାଇରେ ଏକ ବିବାଦୀୟ ଅଞ୍ଚଳରେ ବାରୁଦ ସୁ଼ଡଙ୍ଗ ବିସ୍ଫୋରଣରେ ତିନି ଥାଇ ସୈନିକ ଆହତ ହୋଇଥିଲେ, ଜଣେ ସୈନିକଙ୍କର ଗୋଡ଼ କଟି ଯାଇଥିଲା । ଏକ ସପ୍ତାହ ପରେ ୨୩ ଜୁଲାଇରେ ଉବୋନ ରାତ୍ଚାଥାନୀ ପ୍ରାନ୍ତରେ ଏକ ବାରୁଦୀ ସୁରଙ୍ଗ ବିସ୍ଫୋରଣରେ ଜଣେ ଥାଇ ସୈନିକଙ୍କର ଗୋଡ଼ କଟି ଯାଇଥିଲା ।
ଥାଇଲାଣ୍ଡ ଅଭିଯୋଗ କରିଥିଲା ଯେ ଏହି ସୁଡ଼ଙ୍ଗଗୁଡ଼ିକ “ନୂଆ ବିଛା ଯାଇଥିବା” ରୁଷ ନିର୍ମିତ ଆଣ୍ଟି-ପର୍ସନାଲ ମାଇନ ଥିଲା, ଯାହା ପୂର୍ବ ପାରସ୍ପରିକ ସହମତି ଅନୁଯାୟୀ ସୁରକ୍ଷିତ ରହିଥିଲା । ଥାଇ ସେନା କମ୍ବୋଡ଼ିଆ ଉପରେ ଓଟାୱା ସନ୍ଧି ଉଲ୍ଲଂଘନର ଅଭିଯୋଗ କରିଥିଲା, ଯାହା ଆଣ୍ଟି-ପର୍ସନାଲ ମାଇନର ବ୍ୟବହାର ଓ ଉତ୍ପାଦନ ଉପରେ ନିଷେଧାଦେଶ ଜାରି କରିଛି । କମ୍ବୋଡ଼ିଆ ଏହାର ତୀବ୍ର ଖଣ୍ଡନ କରି ଯୁକ୍ତି ଦେଇଥିଲା ଯେ ବିସ୍ଫୋରଣ ତା’ର ପ୍ରୀହ ଭିହିଅର ପ୍ରାନ୍ତରେ ହୋଇଥିଲା ।
ସଂଘର୍ଷ କିପରି ହିଂସାତ୍ମକ ହେଲା?
୨୪ ଜୁଲାଇରେ ସ୍ଥିତି ଖୋଲା ସଂଘର୍ଷରେ ପରିଣତ ହେଲା, ଯେତେବେଳେ ଥାଇଲାଣ୍ଡ ତା ମୋଆନ ଥମ ମନ୍ଦିର ନିକଟରେ କମ୍ବୋଡ଼ିଆନ ସୈନ୍ୟ ଠିକଣା ଉପରେ ଆକ୍ରମଣ କରିବା ପାଇଁ F-16 ଯୁଦ୍ଧ ବିମାନ ମୁତୟନ କରିଥିଲା । ଏହା ସହିତ ଥାଇ ଓ କମ୍ବୋଡ଼ିଆନ ସୈନିକଙ୍କ ମଧ୍ୟରେ ତୋପ, ମୋର୍ଟାର ଓ ରକେଟରେ ଗୋଳାବାରୁଦ ଆକ୍ରମଣ ହୋଇଥିଲା, ଯାହା ସୀମାରେ ବ୍ୟାପକ ଆତଙ୍କ ସୃଷ୍ଟି କରିଥିଲା । କମ୍ବୋଡ଼ିଆ ଭାରୀ ଗୋଳାବାରୁଦ କରିଥିଲା, ଯେଉଁଥିରେ BM-21 ଗ୍ରାଡ ରକେଟ ଲଞ୍ଚରର ବ୍ୟବହାର ମଧ୍ୟ ସାମିଲ ଥିଲା, ଯାହା ଥାଇଲାଣ୍ଡର ସି ସା କେତ ପ୍ରାନ୍ତରେ ନାଗରିକ ଅଞ୍ଚଳ ଉପରେ ଆକ୍ରମଣ କରିଥିଲା । ଏପର୍ଯ୍ୟନ୍ତ ୧୨ ଥାଇ ଲୋକଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି ।
କୂଟନୈତିକ ଓ ରାଜନୈତିକ ପରିଣାମ:
ହିଂସା ହେତୁ ଥାଇଲାଣ୍ଡ-କମ୍ବୋଡ଼ିଆ ସମ୍ପର୍କ ବର୍ଷ ବର୍ଷ ଧରି ନିମ୍ନତମ ସ୍ତରକୁ ଖସି ଆସିଛି । ଉଭୟ ଦେଶ ନିଜ ରାଜଦୂତଙ୍କୁ ଫେରାଇ ନେଇଛନ୍ତି କିମ୍ବା ବାହାର କରି ଦେଇଛନ୍ତି । ଉଭୟ ଦେଶ ମଧ୍ୟରେ ଯାତ୍ରା ଓ ବାଣିଜ୍ୟ ବନ୍ଦ ହୋଇଛି । କମ୍ବୋଡ଼ିଆ ଥାଇ ଚଳଚ୍ଚିତ୍ର ଓ ଟିଭି ଶୋ ଉପରେ ନିଷେଧାଦେଶ ସହିତ ଫଳ ଓ ପନିପରିବା ଆମଦାନୀ ଉପରେ ରୋକ ଲଗାଇଛି । ଥାଇଲାଣ୍ଡର ଇଣ୍ଟରନେଟ ଓ ବିଦ୍ୟୁତ ଯୋଗାଣ ସଂଯୋଗର ବର୍ଜନ କରିଛି । ଥାଇଲାଣ୍ଡରୁ ଇନ୍ଧନ ଆମଦାନୀ ଉପରେ ମଧ୍ୟ ରୋକ ଲଗାଇଛି ।
ଥାଇଲାଣ୍ଡର ରାଜା ଏବେ କେଉଁଠାରେ ଅଛନ୍ତି?
ଥାଇଲାଣ୍ଡର ରାଜା କିଙ୍ଗ ମହା ଭଜିରାଲୋଙ୍ଗକୋର୍ଣ (ରାମା X) ଏବେ ବାଙ୍କକର ଆମ୍ପୋର୍ନ ସଥନ ଥ୍ରୋନ ହଲରେ ଅଛନ୍ତି । ସେ ୩ ଜୁଲାଇ ୨୦୨୫ରେ ନୂଆ ମନ୍ତ୍ରୀମଣ୍ଡଳୀଙ୍କୁ ଶପଥ ଗ୍ରହଣ କରାଇଥିଲେ । ଏବେ ୨୮ ଜୁଲାଇରେ ତାଙ୍କର ଜନ୍ମଦିନ ଥିବାରୁ ସେ ଦେଶରେ ହିଁ ରହିବେ । ସାଧାରଣତଃ ସେ ଜର୍ମାନୀରେ ରହନ୍ତି ।
ALSO READ https://purvapaksa.com/new-upi-rules-from-august-1/
New UPI Rules From August 1 ।। ପିକ୍ ଆୱାର୍ସ ସମୟରେ ବିଭ୍ରାଟ ହ୍ରାସ କରିବା ପାଇଁ ଅଗଷ୍ଟ ୧ ରୁ ନୂଆ UPI ନିୟମ


