ଉପରାଷ୍ଟ୍ରପତି ପଦବୀରୁ କାହିଁକି ଇସ୍ତଫା ଦେଲେ ଜଗଦୀପ ଧନଖଡ଼ ? ଜଣେ ସୁସ୍ଥ ଓ ଶକ୍ତ ମାନସିକ ଧାରୀ ବ୍ୟକ୍ତି ଯିଏ କଠୋର ବିରୋଧୀଙ୍କୁ ତାଙ୍କ ଘାଟରେ ପାଣି ପିଆଉଥିଲେ ସେ ପୁଣି ହଠାତ୍ କେମିତି ଭାଙ୍ଗିପଡ଼ିଲେ? କାହିଁକି ମୌସୁମୀ ଅଧିବେଶନର ପ୍ରଥମ ଦିନକୁ ଇସ୍ତଫା ପାଇଁ ସ୍ଥିର କରାଯାଇଥିଲା ? ଏମିତି ଅନେକ ପ୍ରଶ୍ନ ଏବେ ଦେଶବାସୀଙ୍କ ମନରେ ଉଠୁଛି କାରଣ ଧନଖଡ଼ ହେଉଛନ୍ତି ପ୍ରଥମ ଉପ ରାଷ୍ଟ୍ରପତି ଯିଏ କାର୍ଯ୍ୟ ଶେଷ ପୂର୍ବରୁ ବିନା ରାଷ୍ଟ୍ରପତି ନିର୍ବାଚନ ଲକ୍ଷ୍ୟରେ ଇସ୍ତଫା ଦେଇଛନ୍ତି ।
ଜଗଦୀପ ବିଜେପିର ମୂଳପିଣ୍ଡ ସଂଘ ସଦସ୍ୟ ନୁହନ୍ତି। ସେ ବିଜେପିରେ ୨୦୦୩ ମସିହାରେ ଯୋଗ ଦେଇଥିଲେ। ଏହା ପୂର୍ବରୁ କଂଗ୍ରେସ ଓ ଜନତା ଦଳରେ କେନ୍ଦ୍ରମନ୍ତ୍ରୀ ହେବା ସହ ତାଙ୍କର ନିଜ ରାଜ୍ୟ ରାଜସ୍ଥାନ ବିଧାନସଭାରେ ସଦସ୍ୟ ରହିଥିଲେ ଧନଖଡ଼। ଯେଉଁ ପଦପଦବୀ ସେ ମଣ୍ଡିତ ହୋଇଛନ୍ତି ତାହାର କାର୍ଯ୍ୟକାଳ ସେ ସମ୍ପୂର୍ଣ୍ଣ ସମୟ ପୂରଣ କରିପାରି ନାହାନ୍ତି । ୧୯୮୯ ମସିହାରେ ସେ ପ୍ରଥମ ଥର ପାଇଁ ଲୋକସଭାର ସଦସ୍ୟ ଥିଲେ । ଏହା ୯ମ ଲୋକସଭା ଥିଲା । ଅଣ କଂଗ୍ରେସ ରାଜନୀତି ଓ ତତ୍କାଳୀନ ପରିସ୍ଥିତି ଯୋଗୁ ଲୋକସଭା ଭଙ୍ଗ ହୋଇଥିଲା । ଆଉ ଶ୍ରୀ ଧନଖଡ଼ଙ୍କ ପ୍ରଥମ ସାଂସଦ ପଣିଆ ୨ ବର୍ଷରେ ଶେଷ ହୋଇଯାଇଥିଲା ।
ଏହାପରେ ୧୯୯୧ ମସିହାରେ ସେ ଦଳ ବଦଳାଇ ଅଜମୀର ଲୋକସଭାରୁ କଂଗ୍ରେସ ପ୍ରାର୍ଥୀ ହେଲେ । କିନ୍ତୁ ହାରିଥିଲେ । ମୋଦୀ ଆସିବା ପରେ ତାଙ୍କର ଦଳରେ ଗୁରୁତ୍ୱ ବଢ଼ିଥିଲା । ୨୦୧୪ ନିର୍ବାଚନରେ ଟିକଟ ପାଇ ନ ଥିବା ବିଜେପି ଆଇନ ସେଲ୍ ମୁଖ୍ୟ ଧନଖଡ଼ଙ୍କୁ ୨୦୧୯ରେ ରାଜ୍ୟପାଳ ଉପହାର ମିଳିଲା। ଏହା ପୁଣି ବିଜେପି ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଶ୍ଚିମବଙ୍ଗରେ , ଏହି ସମୟରେ ରାଜ୍ୟପାଳ ପଦବୀରେ ଯେତିକି ବିବାଦୀୟ ହୋଇଥିଲେ ତାହା ପୂର୍ବରୁ କେବେ ହୋଇନାହିଁ । ସାରା ଭାରତ ବର୍ଷରେ ସେ ବିବାଦୀୟ ରାଜ୍ୟପାଳ ଭାବେ ପରିଚିତ ହେଲେ। ବିଜେପିକୁ ଏହା ବେଶ୍ ସୁହାଇଥିଲା ।
ହେଲେ ଏଠାରେ ବି ସେ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିପାରିନଥିଲେ। ୩ ବର୍ଷରେ ସେ ବଦଳିଲେ । ଆଉ ଭାରତର ଉପ ରାଷ୍ଟ୍ରପତି ହେଲେ । ଏଠି ବି ତାଙ୍କ କାର୍ଯ୍ୟକାଳ ସମୟ ଅସମ୍ପୂର୍ଣ୍ଣ ରହିଛି । ଅର୍ଥାତ୍ ୫ ବର୍ଷ ଆଗରୁ ଇସ୍ତଫା ନେଇଛନ୍ତି ଧନଖଡ଼ । ଏଥର କାହିଁକି ଇସ୍ତଫା ଦେବା ଲାଗି ଧନଖଡ଼ ହଡ଼ବଡ଼ ହେଲେ ତାହାକୁ ନେଇ ଗଲା ତିନିଦିନ ହେଲେ ଚର୍ଚ୍ଚା ଲାଗି ରହିଛି। ଯଦିଓ ସେ ନିଜର ସ୍ୱାସ୍ଥ୍ୟଗତ କାରଣକୁ ଦର୍ଶାଉଛନ୍ତି; କିନ୍ତୁ ତାହାକୁ କେହି ଗ୍ରହଣ କରିବାକୁ ନାରାଜ। ଏଥିରେ ଆଉ କିଛି ଦାଗ ରହିଛି ଯାହାକୁ ନେଇ ଜାତୀୟ ଗଣମାଧ୍ୟମରେ ସମୀକରଣ ପ୍ରସ୍ତୁତ କରାଯାଉଛି । ଆଜି ସେଗୁଡ଼ିକୁ ବି ଆଲୋଚନା କରିବା ।
ଉପରାଷ୍ଟ୍ରପତି ହେବା ପରେ ମଧ୍ୟ ଧନଖଡ଼ ବିବାଦରୁ ବର୍ତ୍ତି ପାରିନଥିଲେ। ୩ ବର୍ଷର କାର୍ଯ୍ୟକାଳରେ ସେ ବିରୋଧୀଙ୍କୁ ଏପରି କଥା ଓ ଯୁକ୍ତିରେ ଦମନ କରୁଥିଲେ ଯେ ବିରୋଧୀ ତାଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ପଛାଇ ନ ଥିଲେ। ଭାରତର ଗଣତାନ୍ତ୍ରିକ ଇତିହାସରେ ସେ ହେଉଛନ୍ତି ପ୍ରଥମ ଉପରାଷ୍ଟ୍ରପତି ଯାହାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିବାକୁ ଅନୁମତି ମଗାଯାଇଥିଲା । ହେଲେ ଏ ପ୍ରସ୍ତାବଟି ଆଇନଗତ ଭାବେ ସଠିକ୍ ନ ଥିବାରୁ ଗୃହରେ ଆଗତ ହେବା ପୂର୍ବରୁ ଖାରଜ ହୋଇଯାଇଥିଲା । ଏବେ ବିଜେପି ଆଗରେ ଅନେକ ଯୋଜନା, ପ୍ରସ୍ତାବ, ବିଧେୟକ ରହିଥିବାବେଳେ ସେ କାହିଁକି ଇସ୍ତଫା ଦେଲେ ?
ପ୍ରଥମ ପ୍ରଶ୍ନ ପଚରାଯାଉଛି ଜଷ୍ଟିସ ବର୍ମାଙ୍କ ଯୋଗୁ ସେ କୁର୍ସି ଛାଡ଼ିଲେ କି?
ଜଷ୍ଟିସ ବର୍ମା ହେଉଛନ୍ତି ସେହି ବିବାଦୀୟ ଜଷ୍ଟିସ ଯାହାଙ୍କ ଘରେ ନିଆଁ ଲାଗିବାବେଳେ ଗଦାଗଦା ଟଙ୍କା ଜବତ ହୋଇଥିଲା । ଏହା ମାର୍ଚ୍ଚ ମାସର ଘଟଣା। ଆଉ ଏହା ବିଚାର ବିଭାଗରେ ଦୁର୍ନୀତି ଓ ଅନିୟମିତାକୁ ସ୍ପଷ୍ଟ କରିଥିଲା । ଏହି ଦୁର୍ବଳ ସ୍ଥିତିରୁ ଫାଇଦା ନେବା ଲାଗି ସମସ୍ତ ରାଜନୀତିକ ଦଳ ଏକାଠି ହୋଇଥିଲୋ। ଆଉ ଶାସକ ଦଳ ଏହାକୁ ଲୋକସଭାରେ ଉପସ୍ଥାପନ କରି ତାଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ଚାହିଁଥିଲା । ହେଲେ ସଂସଦର ପ୍ରଥମ ଦିନରୁ ହିଁ ବାଜି ପଲଟାଇ ଦେଇଥିଲେ ଧନଖଡ଼ । କିଛି ବିରୋଧୀ ଦଳ ସଦସ୍ୟଙ୍କୁ ଡାକି ସେ ଏହି ଏ ବାବଦରେ ଗୃହକୁ ନୋଟିସ ଦେବାକୁ କହିଥିଲେ। ଏହା କିନ୍ତୁ ଦଳୀୟ ଯୋଜନାକୁ ପଣ୍ଡ କରିଥିଲା । ଖପ୍ପା ହୋଇଥିଲେ ବରିଷ୍ଠ ନେତା। ଏହି ପ୍ରସ୍ତାବରେ କୌଣସି ବିଜେପି ସଦସ୍ୟ ଦସ୍ତଖତ କରିନଥିଲେ । ୬୩ ଜଣ ବିରୋଧୀ ଦଳ ସଦସ୍ୟ ଦସ୍ତଖତ କରି ଉପରାଷ୍ଟ୍ରପତିଙ୍କୁ ଏହି ପ୍ରସ୍ତାବ ଆଣିବାକୁ ଅନୁମତି ଦେବା ପାଇଁ କହିଥିଲେ । ନିୟମ ଅନୁସାରେ ୫୦ ଜଣ ସଦସ୍ୟ ଯଦି ନୋଟିସ ଦିଅନ୍ତି ତେବେ ମହାଭିଯୋଗ ପ୍ରସ୍ତାବ ଗ୍ରହଣ କରାଯାଇପାରିବ । ଏଣୁ ଉପ ରାଷ୍ଟ୍ରପତି ତଥା ଗୃହର ଅଧ୍ୟକ୍ଷ ଏହାକୁ ଗ୍ରହଣ କରିଥିବା ଗୃହରେ ବି ସ୍ପଷ୍ଟ କରିଥିଲେ । ଏହା ବିଜେପିକୁ ହରଡ଼ଘଣାରେ ପକାଇଥିଲା ।
ଏହାର ପ୍ରତିକ୍ରିୟା ମଧ୍ୟ ସେହିଦିନ ଦେଖିବାକୁ ମିଳିଥିଲା । ଦ୍ୱିତୀୟ କାର୍ଯ୍ୟ ପରିଚାଳନା କମିଟିର ବୈଠକରେ ଯୋଗ ଦେଇନଥିଲେ ଗୃହର ନେତା ତଥା ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜ୍ଜୁ । ଏହାକୁ ନେଇ ଧନଖଡ଼ ବ୍ୟସ୍ତ ଥିବା ଚର୍ଚ୍ଚା ହୋଇଛି । ଏପରିକି ଏହା ତାଙ୍କ ସମ୍ମାନ ହାନୀକୁ ଇଙ୍ଗିତ ଦେଇଥିବା ମଧ୍ୟ କୁହାଯାଉଛି। ଯାହା ତାଙ୍କୁ ଏପରି କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ କରିଥିଲା ବୋଲି ଅଭିଯୋଗ ହୁଏ । ଯଦିଓ ବିଜେପି ଏହାକୁ ଖଣ୍ଡନ କରିଛି କିନ୍ତୁ ଏହା ବିରୋଧୀଙ୍କ ଲାଗି ଖିଅ ଦେଇଛି ।
ପୂର୍ବରୁ ଧନଖଡ଼ ତାଙ୍କ ଉପରେ ସରକାରୀ ଦଳର ବଢ଼ୁଥିବା ଚାପ ବାବଦରେ ମଧ୍ୟ କହିଛନ୍ତି । କାର୍ଯ୍ୟଭାର ଏତେ ବଢ଼ିଛି ଯେ ତାହା ତାଙ୍କ ହାତ ବାହାରକୁ ଚାଲି ଯାଇଥିବା ସେ କହିଛନ୍ତି । ସେହିପରି କିଛିଦିନ ତଳେ ଏପ୍ରିଲ ମାସରେ ଯେତେବେଳେ ଆମେରିକାର ଉପ ରାଷ୍ଟ୍ରପତି ଜେଡି ଭାନ୍ସ ଭାରତ ଆସିଥିଲେ ସେତେବେଳେ ତାଙ୍କ ସହ ସାକ୍ଷାତ୍ କରିବାରେ ତାଙ୍କୁ ରୋକାଯାଇଥିବା ମଧ୍ୟ ଅଭିଯୋଗ ହୁଏ । ଏ ନେଇ ଶ୍ରୀ ଧନଖଡ଼ ଅସନ୍ତୁଷ୍ଟ ଥିବା ନେଇ ବିରୋଧୀ ଦଳ ପ୍ରକାଶ କରିଛନ୍ତି । କାରଣ ଯାହା ବି ଥାଉ ନା କାହିଁକି, ଭାରତର ଦ୍ୱିତୀୟ ମୁଖ୍ୟ ସାମ୍ବିଧାନିକ ପଦବୀ ଏବେ ଖାଲି ପଡ଼ିଛି। ଏ ଆକସ୍ମିକ ଶୂନ୍ୟସ୍ଥାନ ପୁଣି ଇସ୍ତଫା ଯୋଗୁ ସୃଷ୍ଟି ହୋଇଛି । ଏହାକୁ ଇତିହାସ କେବେ ଭୁଲିବ ନାହିଁ । ଅର୍ଥାତ୍ ନିଜ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବା ପୂର୍ବରୁ ଆକସ୍ମିକ ଇସ୍ତଫା ଦେଇଥିବା ଉପ ରାଷ୍ଟ୍ରପତି କିଏ କହିଲେ ଜଗଦୀପ ଧନଖଡ଼ଙ୍କ ନାଁକୁ ଆସନ୍ତା ପିଢ଼ି ପଢ଼ିବେ ।
ALSO READ https://purvapaksa.com/kanwar-yatra-journey-of-faith/
Kanwar yatra journey of faith ।। କାଉଡ଼ି ଯାତ୍ରା ପଛର ବିଶ୍ଵାସ ଆଉ ଆସ୍ଥା
