BJP: କୌଣସି ଦଳ ପାଇଁ, ତାର ନେତା ଜଣେ ନେତା ବିପକ୍ଷ ଉପରେ ଆକ୍ରମଣାତ୍ମକ ହେବା ସହିତ ଆବଶ୍ୟକ ସମୟରେ ଦଳକୁ ରକ୍ଷା କରିବାରେ ମଧ୍ୟ ଯଦି ଢାଲ ସାଜେ,ତେବେ ସେ ଦଳ ପାଇଁ ସମ୍ବଳ ହୋଇଯାଆନ୍ତି । ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କୁ ଏପରି ଡିଫେଣ୍ଡର ଓ ଆଟାକର ବୋଲି କୁହାଯାଇପାରେ। ସେ କଠିନ ସମୟରେ ଦଳର ଢାଲ ହୁଅନ୍ତି ତ ବିପକ୍ଷକୁ ଟାର୍ଗେଟ କରିବାରେ କୌଣସି ସୁଯୋଗ ହାତଛଡ଼ା କରନ୍ତି ନାହିଁ। କିନ୍ତୁ ଏଥର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ଖନ୍ନାଙ୍କ ବିରୁଦ୍ଧରେ ବୟାନ ଦେଇ ସେ ସମ୍ଭବତଃ ନିଜ ସୀମା ଲଂଘନ କରିଛନ୍ତି । ତେଣୁ ବିଜେପି ନିଜର ଏହି ଆକ୍ରାମକ ଡିଫେଣ୍ଡରଙ୍କୁ ଡିଫେଣ୍ଡ କରିବାରେ ଅସହଜ ଅନୁଭବ କରୁଛି ।
ଶନିବାର ଦିନ ଦୁବେ ସିଧାସଳଖ ସୁପ୍ରିମକୋର୍ଟକୁ ଟାର୍ଗେଟ କରିଥିଲେ। ସେ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ଖନ୍ନାଙ୍କୁ ଦେଶରେ ଗୃହ ଯୁଦ୍ଧ ପାଇଁ ଦାୟୀ ବୋଲି ଅଭିଯୋଗ କରିଥିଲେ। ଯଦିଓ ଏହା ପରେ ତୁରନ୍ତ ବିଜେପି ଦୁବେଙ୍କ ବୟାନଠାରୁ ନିଜକୁ ଅଲଗା କରି ନେଇଥିଲା। ଦଳର ଅଧ୍ୟକ୍ଷ ଜେ.ପି. ନଡ୍ଡା ଦୁବେଙ୍କୁ ଏପରି ବୟାନବାଜୀ ନ କରିବାକୁ ଚେତାବନୀ ମଧ୍ୟ ଦେଇଥିଲେ। ଅନ୍ୟପଟେ, ନିଶିକାନ୍ତ ଦୁବେ କହିଥିଲେ ଯେ ସେ ଦଳର ଅନୁଶାସିତ ସୈନିକ ଏବଂ ଦଳ ଯାହା କହିବ ତାହା କରିବେ। ତେବେ, ଏହା ପୂର୍ବରୁ ଝାଡ଼ଖଣ୍ଡର ଏହି ସାଂସଦ କହିଥିଲେ ଯେ ସେ ଏ ବିଷୟରେ ଦଳ ସହ କୌଣସି ଆଲୋଚନା କରି ନାହାନ୍ତି।
କିନ୍ତୁ କଂଗ୍ରେସର ରାଜ୍ୟସଭା ସାଂସଦ ଜୟରାମ ରମେଶ ରବିବାର ଦିନ କହିଥିଲେ ଯେ ନଡ୍ଡାଙ୍କ କଥାର କୌଣସି ମୂଲ୍ୟ ନାହିଁ। ଏହା କେବଳ ଡ୍ୟାମେଜ୍ କଣ୍ଟ୍ରୋଲ ପ୍ରୟାସ। ଦୁବେଙ୍କ ବୟାନ ଉପରେ, ଯାହାକୁ ବିଜେପିର ରାଜ୍ୟସଭା ସାଂସଦ ତଥା ଉତ୍ତରପ୍ରଦେଶର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ମଧ୍ୟ ପୁନରାବୃତ୍ତି କରିଥିଲେ, ଜୟରାମ ରମେଶ କହିଥିଲେ ଯେ ଏହି ସାଂସଦମାନେ ଘୃଣାଭାଷଣ ଦେବାରେ ପାରଙ୍ଗମ। ସେ କହିଥିଲେ ଯେ ଏହି ସାଂସଦମାନଙ୍କୁ ପ୍ରାୟତଃ ସମ୍ପ୍ରଦାୟ, ସଂସ୍ଥା ଓ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରିବା ପାଇଁ ବ୍ୟବହାର କରାଯାଏ।
କର୍ପୋରେଟ ଚାକିରିରୁ ବିଜେପି
ଦେବଘରରେ ଜନ୍ମଗ୍ରହଣ କରିଥିବା ଏବଂ ଜନସଂଘ ନେତାଙ୍କ ଭାଣଜା ଦୁବେ ପ୍ରାରମ୍ଭରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ସହ ଜଡ଼ିତ ଥିଲେ। କର୍ପୋରେଟ ଜଗତରେ କିଛି ସମୟ କାଟିବା ପରେ ୫୬ ବର୍ଷୀୟ ଦୁବେ ୨୦୦୯ରେ ରାଜନୀତିରେ ପାଦ ରଖିଥିଲେ। ତା’ପରେ ସେ ଝାଡ଼ଖଣ୍ଡର ଗୋଡ୍ଡାରୁ ଲଗାତାର ଚତୁର୍ଥ ଥର ପାଇଁ ଲୋକସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।
ବିଜେପିର ପ୍ରଥମ ପସନ୍ଦ
ତେବେ କଂଗ୍ରେସ ନଡ୍ଡାଙ୍କ ‘ଡ୍ୟାମେଜ କଣ୍ଟ୍ରୋଲ’ରେ କୌଣସି ଦମ୍ ଦେଖୁ ନାହିଁ। କଂଗ୍ରେସ ପ୍ରଶ୍ନ ଉଠାଇଛି ଯେ ବିଜେପି ସାଂସଦମାନେ ନ୍ୟାୟପାଳିକା ଉପରେ ଆକ୍ରମଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ କାହିଁକି ଚୁପ୍ ଅଛନ୍ତି। ଲୋକସଭାରେ ବିପକ୍ଷ ନେତା ରାହୁଲ ଗାନ୍ଧୀଙ୍କଠାରୁ ଆରମ୍ଭ କରି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପର୍ଯ୍ୟନ୍ତ, ଦୁବେ ବିପକ୍ଷ ନେତାଙ୍କୁ ଟାର୍ଗେଟ କରିବାରେ ସବୁବେଳେ ଆଗରେ ରହିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଦୁବେ ବିଜେପିର ପ୍ରଥମ ପସନ୍ଦ ହୋଇ ରହିଛନ୍ତି। ସେ ବଡ଼ ବିତର୍କର ଆରମ୍ଭ କରନ୍ତି କିମ୍ବା ବିପକ୍ଷ ଉପରେ ଆକ୍ରମଣ କରନ୍ତି। ୨୦୨୩ରେ ମହିଳା ସଂରକ୍ଷଣ ବିଲ ଉପରେ ବିତର୍କ ସମୟରେ ତାଙ୍କୁ ହଠାତ୍ ମୁଖ୍ୟ ବକ୍ତା ଭାବେ ଚୟନ କରାଯାଇଥିଲା। ସମସ୍ତେ ଆଶା କରୁଥିଲେ ଯେ ବିଜେପି ନିଜର କୌଣସି ମହିଳା ସାଂସଦଙ୍କୁ ଆଗେ କରିବ।
ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ମୋର୍ଚ୍ଚା ଖୋଲିଥିଲେ
ଚଳିତ ବର୍ଷ ଫେବୃଆରୀରେ ଦୁବେ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ମୋର୍ଚ୍ଚା ଖୋଲିଥିଲେ। ରାଷ୍ଟ୍ରପତିଙ୍କ ଅଭିଭାଷଣର ଉତ୍ତର ଦେବା ସମୟରେ ରାହୁଲ ଗାନ୍ଧୀ ଏକ ବିବାଦ ସୃଷ୍ଟି କରିଥିଲେ। ଦୁବେ ଲୋକସଭା ଅଧ୍ୟକ୍ଷ ଓମ ବିରଲାଙ୍କୁ ଚିଠି ଲେଖି ଗାନ୍ଧୀଙ୍କ ବିରୁଦ୍ଧରେ ସ୍ୱତନ୍ତ୍ରାଧିକାର ହନନ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ଦାବି କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ଗାନ୍ଧୀ ‘ଅପମାନଜନକ ଭାବେ ଐତିହାସିକ ଏବଂ ବାସ୍ତବ ତଥ୍ୟକୁ ବିକୃତ କରିଛନ୍ତି’ ଏବଂ ‘ଆମ ଦେଶର ମଜାକ ଉଡ଼ାଇବା ଓ ଆମ ଗଣତନ୍ତ୍ରର ପ୍ରତିଷ୍ଠାକୁ ହ୍ରାସ କରିବାର ଚେଷ୍ଟା କରିଛନ୍ତି’। ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ବୈଦେଶିକ ନୀତି ଉପରେ କହିଥିଲେ ଯେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ‘ତିନି କିମ୍ବା ଚାରି ଥର’ ଆମେରିକା ପଠାଯାଇଥିଲା ଯାହା ଫଳରେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶକୁ ନିମନ୍ତ୍ରଣ କରିଥିଲା।
ALSO READ: https://purvapaksa.com/when-will-the-bjp-get-the-president/