Makar Sankranti: ପ୍ରତିବର୍ଷ ଜାନୁଆରୀ ୧୪ରେ ଦେଶର ବିଭିନ୍ନ ରାଜ୍ୟରେ ଏହି ଦିବସକୁ ବେଶ ଉତ୍ସାହର ସହ ପାଳନ କରାଯାଏ ।
ଏହି ଦିନ ଉତ୍ତର ଭାରତରେ ମକର ସଂକ୍ରାନ୍ତି, ପଞ୍ଜାବୀ ସମ୍ପ୍ରଦାୟରେ ଲୋହରୀ, ଦକ୍ଷିଣ ଭାରତରେ ପୋଙ୍ଗଲ, ଗୁଜରାଟର ଉତ୍ତରାୟଣ ଏବଂ ଉତ୍ତର ପୂର୍ବ ଭାରତରେ ବିହୁ ପାଳନ କରାଯାଏ । ଏହି ସବୁ ପର୍ବ ଅମଳ ବା ଚାଷ ସହିତ ଜଡ଼ିତ । ପ୍ରତ୍ୟେକ ପର୍ବର ନିଜର ମହତ୍ତ୍ୱ ରହିଛି । ମକର ସଂକ୍ରାନ୍ତି ପର୍ବରେ ସୂର୍ଯ୍ୟ ଓ ଶନିଙ୍କ ମଧ୍ୟରେ ସମ୍ପର୍କ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ । ମକର ସଂକ୍ରାନ୍ତିରେ ସୂର୍ଯ୍ୟଦେବଙ୍କୁ ପୂଜା କରିବା ଦ୍ୱାରା ବ୍ୟକ୍ତିର ସମସ୍ତ କଷ୍ଟ ଦୂର ହେବା ସହ ଘରେ ସୁଖ ଓ ସମୃଦ୍ଧି ଆସିଥାଏ ବୋଲି ବିଶ୍ୱାସ ରହିଛି।

ଏହି ଦିନ ଗଙ୍ଗାରେ ସ୍ନାନ କରି ଦାନ କଲେ ଉଭୟ ସଂସାରିକ ଓ ଆଧ୍ୟାତ୍ମିକ ସ୍ଥିତିରେ ଉନ୍ନତି ହୋଇଥାଏ। ଏହାବ୍ୟତୀତ, ଏହା ଅତୀତ ଜୀବନରୁ ଖରାପ କର୍ମରୁ ମୁକ୍ତି ପାଇବା ସହ ଜୀବନକୁ ଆନନ୍ଦମୟ କରିବାରେ ସହାୟକ ହୋଇଥାଏ। ଏଥିରେ ୧୦ଟି ଅଶ୍ଵମେଧ ଯଜ୍ଞ କରିବା ଓ ୧୦୦୦ ଗାଈ ଦାନ କରିବା ଭଳି ପୁଣ୍ୟ ମିଳିଥାଏ ବୋଲି କୁହାଯାଏ। ମକର ସଂକ୍ରାନ୍ତିକୁ ପତଙ୍ଗର ପର୍ବ ଭାବରେ ପାଳନ କରାଯାଏ ଏବଂ ଅମଳ ଋତୁର ଶୁଭାରମ୍ଭକୁ ଚିହ୍ନିତ କରେ ।

ତେବେ ମକର ସଂକ୍ରାନ୍ତି ଏକ ସର୍ବଭାରତୀୟ ପର୍ବ । ଏହି ପର୍ବକୁ ସମସ୍ତେ ଉତ୍ସାହର ସହିତ ପାଳନ କରନ୍ତି । ଭାରତର ବିଭିନ୍ନ ଅଞ୍ଚଳ ଅପେକ୍ଷା ଦକ୍ଷିଣ ଭାରତରେ ଏହା ସବୁଠାରୁ ବଡ଼ ପର୍ବ । ଦକ୍ଷିଣରେ ଏହାକୁ ପୋଙ୍ଗଲ ବୋଲି କହନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ । ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି । ଏହି ଦିନଠାରୁ ସୂର୍ଯଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ ।

ପ୍ରତି ସଂକ୍ରାନ୍ତିରେ ସୂର୍ଯ୍ୟ ଗୋଟିଏ ଲେଖାଏଁ ରାଶିକୁ ଗମନ କରି ସେଥିରେ ଏକ ମାସ ଅବସ୍ଥାନ କରନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇ ମକର ରାଶିକୁ ଆସନ୍ତି । ଓଡ଼ିଆ ପ୍ରବାଦ ଅନୁଯାୟୀ ‘ମକରଠାରୁ ଦିନ ବକର ହୁଏ’, ଅର୍ଥାତ ଏହି ଦିନଠାରୁ ଦିନ କ୍ରମଶଃ ବଡ଼ ହୁଏ । ସୂର୍ଯ୍ୟଙ୍କର ତେଜ ମଧ୍ୟ ଏହି ଦିନଠାରୁ ପ୍ରଖର ହୁଏ । ତେବେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ସମୟରେ ଯେଉଁମାନଙ୍କର ଦେହାନ୍ତ ହୁଏ, ସେମାନଙ୍କୁ ସ୍ୱର୍ଗଲୋକ ପ୍ରାପ୍ତ ହୁଏ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି । ମକର ସଂକ୍ରାନ୍ତିଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେଉଥିବାରୁ ଆଲୋକ ଏବଂ ଜୀବନର ଉତ୍ସ ସୂର୍ଯ୍ୟଙ୍କୁ ହିନ୍ଦୁମାନେ ଏହିଦିନ ପୂଜାର୍ଚ୍ଚନା କରନ୍ତି । ଆଉ କେତେକ ସ୍ଥାନରେ ଏହି ଦିନ ଶିବଙ୍କୁ ପୂଜା କରାଯାଏ ।

କେତେକ ଏହି ଦିନ ଉଭୟ ଶିବ ଓ ସୂର୍ଯ୍ୟଙ୍କୁ ପୂଜା କରନ୍ତି । କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଆସାମ, ବଙ୍ଗଳା ଓ ଓଡ଼ିଶା ପ୍ରଭୃତି ସ୍ଥାନରେ କୃଷକମାନେ ମକର ପର୍ବକୁ ଦୁଇଦିନ ବା ତିନିଦିନ ପାଳନ କରିଥା’ନ୍ତି । ଦକ୍ଷିଣ ଭାରତରେ ଏହା ପୋଙ୍ଗଲ ଓ ଅନ୍ୟାନ୍ୟ ସ୍ଥାନରେ ବିହୁ ପର୍ବ ଭାବେ ପରିଚିତ । ଏହିଦିନଠାରୁ ଦକ୍ଷିଣରେ ନୂଆବର୍ଷ ଆରମ୍ଭ ହୋଇଥାଏ । ଏହିପର୍ବଟିକୁ ଦାକ୍ଷିଣାତ୍ୟରେ ତିନିଦିନ ଧରି ପାଳନ କରାଯାଇଥାଏ ।

ଏହି ଦିନ ଗୁଡି ଉଡେଇବାର ନିୟମ ରହିଛି । ଏହି ‘ଗୁଡି’ ସିଧାସଳଖ ଭାବରେ ମହାରାଷ୍ଟ୍ରର ଗୁଡି ପଡ଼ୱା ପର୍ବ ସହ ଜଡିତ । ମହାରାଷ୍ଟ୍ରରେ ଯେତେବେଳେ ହିନ୍ଦୁ ନବବର୍ଷର ଆଗମନ ହୋଇଥାଏ, ଏପର୍ବ ପାଳନ କରାଯାଏ। ‘ଗୁଡି’ କୁ ସେଠାରେ ବିଜୟର ପ୍ରତୀକ ଭାବରେ ବ୍ୟବହାର କରାଯାଏ । ଗୁଡି ପଡ଼ୱା ପର୍ବ ସମୟରେ ମହାରାଷ୍ଟ୍ରରେ ସମସ୍ତଙ୍କ ଘରେ ଘରେ ପତାକା ବା ଧ୍ୱଜ ଉତ୍ତୋଳନ କରାଯାଏ । ଏହା ବିଜୟର ଉତ୍ସବକୁ ପ୍ରତିପାଦନ କରେ । ସେଥିପାଇଁ ଲୋକେ ମକର ସଂକ୍ରାନ୍ତି ଦିନ ଦେଶର ବିଭିନ୍ନ ସ୍ଥାନରେ ମକରସଂକ୍ରାନ୍ତିରେ ଗୁଡି ଉଡାନ୍ତି । ଏହି ଦିନରେ ଓଡ଼ିଶାରେ ମଧ୍ୟ ପ୍ରତ୍ୟେକ ଘରେ ଗୁଡି ଉଡେଇବାର ଦେଖାଯାଏ ।

ALSO READ: https://purvapaksa.com/why-did-makar-sankranti-fall-on-14th/
୧୪ ତାରିଖରେ କାହିଁକି ପାଳନ କରାଯାଏ ମକର ସଂକ୍ରାନ୍ତି, ଜାଣନ୍ତୁ ଏହା ପଛର କାରଣ କ’ଣ?

