ଧ୍ରୁତରାଷ୍ଟ୍ର,ଦୁର୍ଯ୍ୟୋଧନ ଓ ଭଣ୍ଡ ସନ୍ନ୍ୟାସୀ ଉପାଖ୍ୟାନ ପରେ ଅନ୍ତତଃ ଯାହା ଆଶଙ୍କା କରାଯାଉଥିଲା ତାହା ହୋଇଛି। ଶ୍ରୀମୟୀଙ୍କୁ ବିଜେଡି ବାହାର ରାସ୍ତା ଦେଖାଇ ଦେଇଛି । ତାହା ପୁଣି ଅତ୍ୟନ୍ତ ଅପମାନଜନକ ଭାବେ । ତାଙ୍କର ରାଜନୈତିକ ଅନୁଭବ ଓ କ୍ୟାରିୟର ଗ୍ରାଫ୍ ଯାହା ହେଇଥାଉ ନା କାହିଁକି ତାଙ୍କୁ ଯେଉଁ ଦଳ ରାଜ୍ୟସ୍ତରୀୟ ଦାୟିତ୍ୱ ଦେଇଥିଲା, ସେହି ଦଳ ଗୋଟିଏ କାଗଜରେ ଦୁଇଜଣ ବ୍ଲକ୍ ସ୍ତରୀୟ ନେତାଙ୍କ ସହିତ ଦଳରୁ ବହିଷ୍କାର କରିଥିବା କଥା ଘୋଷଣା କରିଛି । ଏମିତି କରି ବିଜେଡି ସମ୍ଭବତଃ ଶ୍ରୀମୟୀଙ୍କୁ ତାଙ୍କ ଅସଲ ଔକାତ ଦେଖାଇବାକୁ ଚାହୁଁଛି । କିନ୍ତୁ ପ୍ରଶ୍ନ ହେଲା,ଶ୍ରୀମୟୀଙ୍କ ଯଦି କୌଣସି ରାଜନୈତିକ ଭ୍ୟାଲୁ ନଥିଲା,ଯାହା ଏବେ ଦଳର ଚେଲା ଚାମଣ୍ଡା କହୁଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି ଯେ, ପ୍ରଥମତଃ ତାଙ୍କୁ ଦଳ କାହିଁକି ଗଳାମାଳି କରିଥିଲା. ଓଟିଡିସିର ମୁଖିଆ ଚୌକିରେ ବସାଇଥିଲା ? ସେତେବେଳେ ସେ କାହିଁକି ଦଳ ପାଇଁ ଅଚାନକ ଆସେଟ୍ ହୋଇଯାଇଥିଲେ ଓ ଏବେ କାହିଁକି ଲାଇବେଲିଟି ?
ଆଉ ଶ୍ରୀମୟୀଙ୍କ କଥା ଯଦି କହିବା ତେବେ ଇଏ ସେହି ନେତ୍ରୀ (?) ଯିଏ ବିଜେଡିର ଛଦ୍ମ ସୁପ୍ରିମୋଙ୍କୁ ପ୍ରଶଂସାରେ ପୋତି ପକାଉଥିଲେ । କିନ୍ତୁ ବର୍ଷ ଗୋଟିଏରେ, ସେହି ଭୈରବ ପାଣ୍ଡିଆନ କାହିଁକି ତାଙ୍କ ପାଇଁ କପଟି ସାଧୁ ହୋଇଗଲେ ? ଶ୍ରୀମୟୀଙ୍କୁ ନେଇ ଉଠୁଥିବା ଏହି ପ୍ରଶ୍ନ ଆଉ ଗୋଟିଏ ବଡ଼ ପ୍ରଶ୍ନ ଉଠାଏ । ସବୁ ରାଜନୈତିକ ଦଳ କାହିଁକି ନିଜର ଅନେକ ବର୍ଷର ପୁରୁଣା କର୍ମୀଙ୍କ ନିଷ୍ଠା ଆଗରେ ଗ୍ଲାମରକୁ ଗୁରୁତ୍ୱ ଦେଇ ପାରାସୁଟ୍ ଡ୍ରପ୍ ଏଭଳି ନେତା ଓ ନେତ୍ରୀଙ୍କୁ ଗୁରୁତ୍ୱ ଦେଇଥାନ୍ତି । ଏହା କେବଳ ବିଜେଡିର କଥା ନୁହେଁ । ଏହି ରୋଗ ଉଣା ଅଧିକେ ସବୁ ଦଳରେ ଅଛି । ବିଜେଡି,ବିଜେପି,କଂଗ୍ରେସ ଟିଏମସି ଭଳି ସବୁ ଦଳରେ ଶ୍ରୀମୟୀଙ୍କ ଭଳି ସିଧା ଉପରୁ ଆସିଥିବା ନେତା ଅଛନ୍ତି। ତେଣିକି ସେ ଜୟା ବଚ୍ଚନ ହୁଅନ୍ତୁ କି ତୃଣମୂଳ କଂଗ୍ରେସର ମହୁଆ ମୋଇତ୍ରା ।
ମହୁଆ ମୋଇତ୍ରା ହୁଅନ୍ତୁ କିମ୍ବା ସନି ଦେୱଲ,ଏମାନେ କେବେ ସାଧାରଣ ଲୋକଙ୍କ ଭିତରେ ଥିଲେ କି ? ଏମାନେ କ’ଣ କେହି କ୍ୟାରିୟର ପଲିଟିସିଆନ ? ଏମାନଙ୍କ ପଛରେ କ’ଣ ଜନତା ଅଛନ୍ତି ? ଉତ୍ତର ହେଉଛନ୍ତି ନା । ଏମାନେ ସମସ୍ତେ ହାୱାରେ ସବାର ହୋଇ ନିର୍ବାଚନ ଜିତନ୍ତି । ପଶ୍ଚିମ ବଙ୍ଗରେ ଏବେ ମମତାଙ୍କ ହାୱା ଅଛି । ଦିନେ ସେଠାରେ ବାମପନ୍ଥୀଙ୍କ ଦବଦବା ଥିଲା । ତେଣୁ ସବୁ ସେଲିବ୍ରିଟି ଓ ପେଜ୍ ଥ୍ରୀ ଚେହେରା ସେହି ଦଳରେ ଥିଲେ । ସେମାନେ ବିଧାନସଭାରୁ ରାଜ୍ୟସଭା ପର୍ଯ୍ୟନ୍ତ ଦୃଶ୍ୟମାନ ଥିଲେ । ତା’ପରେ ମମତାଙ୍କ ଯୁଗ ଆସିଲା । ମମତାଙ୍କ ଯୁଗରେ ମୁନମୁନ୍ ସେନଙ୍କ ଭଳି ବଲିଉଡର ଫ୍ଲପ୍ ହିରୋଇନ୍ ରାଜନୀତିରେ ହିଟ୍ ହୋଇଗଲେ । ମୁନମୁନ୍ ସାଧାରଣ ଲୋକଙ୍କ କେତେ ପାଖରେ ଥିଲେ ତାହା ଏଇଥିରୁ ଅନୁମାନ କରାଯାଇପାରେ ଯେ, ମାଡମ ମୁନମୁନ୍ କେବେ ମଧ୍ୟ ନିର୍ଧୁମ ଖରାରେ ନିର୍ବାଚନ ପ୍ରଚାର କରୁନଥିଲେ । ଏକେ ତେ କୁଚବିହାର ରାଣୀ । ଦୁଇରେ ବଲିଉଡର ଷ୍ଟାମ୍ପ ମରା ହିରୋଇନ। ତେଣୁ ସେ ଉପରବେଳା ନିର୍ବାଚନ ପ୍ରଚାର କରୁଥିଲେ । ଏହା ମଧ୍ୟ ଅଭିଯୋଗ ହେଉଥିଲା ଯେ, ମୁନମୁନ୍ ଯେତେବେଳେ ନିର୍ବାଚନ ପ୍ରଚାର କରିବାକୁ ଯେଉଁ ସ୍ଥାନକୁ ଯାଉଥିଲେ,ସେତେବେଳେ ମମତା ପ୍ରଶାସନ ରାସ୍ତା ଉପରେ ପାଣି ଢାଳୁଥିଲା । ଧୁଳି ଯେମିତି ଉଡ଼ିବ ନାହିଁ କି ମୁନମୁନଙ୍କ କେଶରାଶି ଓ ସ୍କିନ୍ ମଇଳା ହେବନାହିଁ । ଏହି ଗୋଟିଏ ଉଦାହାରଣରୁ ଆପଣ ବୁଝି ପାରୁଥିବେ ,ଏଭଳି ନେତା ଲୋକଙ୍କର କ’ଣ ସେବା କରିବେ।
ପାୱାର ଆଟ୍ରାକ୍ଟସ ଗ୍ଲାମର । କ୍ଷମତା କେନ୍ଦ୍ର ଆଡ଼କୁ ଗ୍ଲାମର ଦୁନିଆ ଆକର୍ଷିତ ହୁଏ । ଆଗରୁ ଏମିତି ହେଉଥିଲା । ଏବେ ରାଜନୈତିକ ଦଳ ଗୁଡ଼ିକଙ୍କ ପାଖରେ ଭୋଟରଙ୍କୁ ଆକର୍ଷିତ କରିବାକୁ କିଛି ନଥିବାରୁ ସେମାନେ ଗ୍ଲାମର ଆଡ଼କୁ ଢଳୁଛନ୍ତି । ତେଣିକି ତାହା କଙ୍ଗନା ରଣାୱତଙ୍କ ଜରିଆରେ ହେଉ କି ୟୁସୁଫ ପଠାଣଙ୍କ ଜରିଆରେ । କ୍ରିକେଟର ଜାବତୀୟ କାମକୁ ନେଇ ବ୍ୟସ୍ତ ରହୁଥିବା ୟୁସୁଫ ତାଙ୍କ ନିର୍ବାଚନ ମଣ୍ଡଳୀ କୁ ନେଇ କେତେ ବ୍ୟସ୍ତ ଥିବେ ତାହା ମା’ ଗଙ୍ଗେଇ ଜାଣନ୍ତି । ଆଉ କଙ୍ଗନା ତ ଲୋକଙ୍କ ଦୁଃଖରେ ଏତେ ଦୁଃଖି ଯେ, ହିମାଚଳର ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କ ଦୁଃଖ ଶୁଣିବା ବେଳେ କହିପକାଇଲେ,ତମ ଭଳି ମୁଁ ବି ପୀଡ଼ିତ । ମୋ ରେସ୍ତୋରାଁ ବନ୍ଦ ହୋଯାଇଛି । ମୋତେ ଲକ୍ଷାଧିକ ଟଙ୍କା କ୍ଷତି ହେଉଛି । ଆହା,କି ଦୁଃଖ କହିଲେ । ସେହି ମହିଳା ଯାହାର ମୁଣ୍ଡଗୁଞ୍ଜିବାକୁ ଥିବା ଘର ବାଦଲଫଟା ବର୍ଷାରେ ଭାସି ଯାଇଛି,ସେ ଏ କଥା ଶୁଣି ଦୁଃଖି ହୋଇଥିବ କି ଖୁସି,ତାହା ଆମେ ଜାଣିନୁ । ଆମେ କେବଳ ଏତିକି ଜାଣିଛୁ,ସୋପିସ୍ ନେତା, ନେତ୍ରୀ କେବେ ବି ଲୋକଙ୍କ ଦୁଃଖ ବୁଝି ପାରିବେନି।
ଯଦି ଲୋକଙ୍କ ଦୁଃଖ ବୁଝି ପାରନ୍ତେ କିମ୍ବା ଲୋକଙ୍କ ମଧ୍ୟରୁ ଜଣେ ବୋଲି ନିଜକୁ ଭାବନ୍ତେ,ତେବେ ଜୟା ବଚ୍ଚନଙ୍କ ଭଳି ସାଧାରଣ ଲୋକଙ୍କୁ ପବ୍ଲିକରେ ଗାଳି କରନ୍ତେ ନାହିଁ । ଜୟା ବଚ୍ଚନଙ୍କ ଭାଇରାଲ ଭିଡିଓ ଦେଖିଲେ ,ଆପଣଙ୍କୁ ଲାଗେ କି ସେ ଜଣେ ନେତ୍ରୀ ? ପ୍ରଶ୍ନର ଉତ୍ତର ଆପଣ ଦିଅନ୍ତୁ ।
ଏବେ ଆସିବା ଶ୍ରୀମୟୀଙ୍କ ପାଖକୁ । ଶ୍ରୀମୟୀ ରାଜନୀତିକୁ ଆସିବା ପୂର୍ବରୁ ଆଲବମ୍ ହିରୋଇନ୍ ଥିଲେ । ତାଙ୍କ ଆଲବମ ହିଟ୍ ବି ହୋଇଥିଲା । ରାଜନତୀକୁ ଏଣ୍ଟ୍ରି କରିବାରେ ତାଙ୍କର ଯୋଗ୍ୟତାର ମାପକାଠି ବୋଧେ ଏହାହିଁ ଥିଲା। ତାଙ୍କ ବାୟୋଡାଟାରେ ଆଲବମ୍ ହିରୋଇନ ଭାବେ ତାଙ୍କ ଅଭିଜ୍ଞତାକୁ ଦେଖି,ବିଜେଡିର କାର୍ପଟଦାରମାନେ ସମ୍ଭବତଃ ତାଙ୍କୁ ଦଳକୁ ଆଣିଥିଲେ । ଆଉ ବଡ଼ବଡ଼ ପଦବୀ ଦେଇଥିଲେ । ଏମିତିକି ତାଙ୍କୁ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ କରିବାକୁ ମଧ୍ୟ ଆଶ୍ୱସନା ଦେଇଥିଲେ । କିନ୍ତୁ ଆଉ ଜଣେ ପାରସୁଟ୍ ଡ୍ରପର-ବିମାନ ଚାଳକ କ୍ୟାପ୍ଟେନ ମନ୍ମଥଙ୍କ ଆଗମନ ସହିତ ତାଙ୍କ ଟିକେଟ୍ କଟିଥିଲା ।
ଏହା ନିଶ୍ଚିତ ଭାବେ ଯାହାକୁ ନା ତାକୁ କାଟିବ । ଶ୍ରୀମୟୀ ମୁଣ୍ଡଫଟା ଖରାରେ ଭୁବନେଶ୍ୱର ଲୋକସଭା ଆସନ ଅଧିନରେ ଆସୁଥିବା ଗାଁ ସବୁ ବୁଲୁଥିଲେ । ଅବଶ୍ୟ ମୁନମୁନ୍ ସେନଙ୍କ ପାଇଁ ଟିଏମସି ଯେମିତି ରାସ୍ତାରେ ପାଣି ଢାଳୁଥିଲା,ସେମିତି ବିଜେଡି କରିନଥିଲା । ତେଣୁ ଧୁଳିଧୂସର ରାସ୍ତାରେ ଏତେ ବୁଲିବା ପରେ ଟିକେଟ୍ କଟିବା ଶ୍ରୀମୟୀଙ୍କୁ ମାନସିକ ଆଘାତ ଦେଇଥିଲା । କିନ୍ତୁ ଏଥିରେ କରିବାର କିଛି ନଥିଲା । ଶ୍ରୀମୟୀଙ୍କର ବୁଝିବାର ମଧ୍ୟ ଥିଲା ଯେ, ଯେମିତି ସେ ସିଧା ଓଳିଆରୁ ପଡ଼ି ଗଜା ହୋଇଥିଲେ,ସେମିତି ତାମିଲନାଡୁରୁ ଆସିଥିବା ଆଉ ଜଣେ ମଧ୍ୟ ପୁରା ଦଳକୁ ହାଇଜ୍ୟାକ୍ କରିନେଇଛନ୍ତି । ଦଳ ପାଇଁ ଆଣ୍ଠୁଗଣ୍ଠି ଛିଡାଉଥିବା ନେତା ଯେତେବେଳେ ସେହି ତାମିଲ ଭଦ୍ରଲୋକଙ୍କ ଆଗରେ ନତମସ୍ତକ ସେତେବେଳେ ଶ୍ରୀମୟୀ କିଏ ? କିନ୍ତୁ ଯକ୍ଷ ପ୍ରଶ୍ନ ହେଉଛି,ଦଳ ସବୁ ଏଭଳି ନେତାଙ୍କୁ କାହିଁକି ଗୁରୁତ୍ୱ ଦିଅନ୍ତି ? ଆଉ ପରେ ସେମାନଙ୍କୁ ସମ୍ଭାଳି ପାରନ୍ତି ନାହିଁ ?
Also Read https://purvapaksa.com/donald-trump-un-speech-said-london-want-to-go-to-sharia-law-attack/
