ମିଛ ‘ଭୋଟଚୋରି’ ବିଷୟକୁ ନେଇ ମୌସୁମୀ ଅଧିବେଶନକୁ ଦୀର୍ଘଦିନ ହେଲା ଅବରୋଧ କରିଥିବା କଂଗ୍ରେସ ପାଇଁ ଆଉ ଏକ ହୃଦୟ ବିଦାରକ ଆହ୍ୱାନ ସୃଷ୍ଟି ହୋଇଛି। କେନ୍ଦ୍ର ସରକାର ଆଣିଥିବା ଏକ ନୂଆ ବିଧେୟକ କଂଗ୍ରେସକୁ ଏପରି ଯନ୍ତ୍ରଣାରେ ଆକ୍ରାନ୍ତ କରିଛି। ଏହା ଦେଶର ବା କୌଣସି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରରୁ ଅପରାଧିକ ମାମଲା ଥିବା ନେତାଙ୍କୁ ଦୂରରେ ରଖିବା ଲାଗି ଉଦ୍ଦିଷ୍ଟ ଥିଲେ ମଧ୍ୟ କଂଗ୍ରେସର ହଜମ ହେଉ ନାହିଁ। ଫଳରେ ପାଲଟା ଆକ୍ରମଣ କରିଛି କଂଗ୍ରେସ।
ଆଉ ବିକଳ୍ପ ନୁହେଁ କଂଗ୍ରେସ
ଦଶନ୍ଧି ଧରି ମେଣ୍ଟ ସରକାରରେ କ୍ଷମତାସୀନ ରହିବା ପରେ କଂଗ୍ରସକୁ ମତଦାତାମାନେ ଆଉ ସରକାର ଗଢ଼ିବା ଲାଗି ବିକଳ୍ପଭାବେ ଗ୍ରହଣ କରୁନାହାନ୍ତି। ଗଲା ୩ଟି ଲୋକସଭା ନିର୍ବାଚନରେ ଏହା ପ୍ରମାଣିତ ହୋଇଛି। ଅବଶ୍ୟ ନିକଟରେ ଶେଷ ହୋଇଥିବା କଂଗ୍ରେସ ଦଳକୁ ମତଦାତାମାନେ ସାମ୍ବିଧାନିକ ବିରୋଧୀ ଦଳ ଭୂମିକା ଦେଇ ଲୋକସଭାରେ ବିରୋଧୀ ଦଳ ନେତା ପଦବୀ ଦେଇଛନ୍ତି କିନ୍ତୁ ସରକାର ଗଠନ ଲାଗି ସୁଯୋଗ ଦେଇନାହାନ୍ତି। ଅପରପକ୍ଷେ ବିରୋଧୀଦଳଭାବେ କଂଗ୍ରେସ ସରକାରଙ୍କୁ ଗଠନମୂଳକ ସମାଲୋଚନା କରିବା ବଦଳରେ ସଂସଦକୁ ଅଚଳ କରିବାକୁ ଉଦ୍ୟମ କରିଛି। ସମ୍ପ୍ରତି ଚାଲିଥିବା ମୌସୁମୀ ଅଧିବେଶନକୁ ଆରମ୍ଭ ଦିନରୁ ବନ୍ଦ କରି ରଖିବା ଏହାର ପ୍ରମାଣ ଦେଉଛି। ସୁପ୍ରିମକୋର୍ଟରେ ଚାଲିଥିବା ‘ନିର୍ବାଚନ କମିଶନଙ୍କ ବିହାର ଭୋଟର ତାଲିକା ସଂଶୋଧନ’ ମାମଲାକୁ ନେଇ କଂଗ୍ରେସ ବିରୋଧ କରୁଛି। ଏହାକୁ ‘ଭୋଟ ଚୋରି’ ବୋଲି କଂଗ୍ରେସ ଅଭିଯୋଗ କରୁଥିଲେ ମଧ୍ୟ ଏହା ନିର୍ବାଚନ ପ୍ରଣୋଦିତ ଏକ ମିଛ ଅଭିଯୋଗ ବୋଲି ପ୍ରମାଣିତ ହୋଇଛି। ଏପରିକି ଯେଉଁମାନଙ୍କ ତଥ୍ୟ ଓ ଯାହାଙ୍କୁ ପ୍ରମାଣଭାବେ କଂଗ୍ରେସ ନେତା ରାହୁଲ ଗାନ୍ଧି ଗ୍ରହଣ କରୁଥିଲେ ତାହା ସତ୍ୟ ବୋଲି ଗ୍ରହଣ କରିବାକୁ ସେ ଏବେ ରାଜି ହେଉ ନାହାନ୍ତି। ଅତଃ ଆଇନ ଅନୁସାରେ ସତ୍ୟପାଠ ଦେବାରୁ ବିରତ ରହୁଛନ୍ତି।
କଂଗ୍ରେସ ପାଇଁ ପୋଡ଼ାଜଳା ହେଉଛି ସଂସ୍କାର ବିଧେୟକ
ଏ ପ୍ରସଙ୍ଗରୁ ମୁକ୍ତି ପାଇପାରୁନଥିବା କଂଗ୍ରେସ ପାଇଁ ଆଉ ଏକ ପୋଡ଼ାଜଳା ବିଷୟ ହୋଇଛି ସରକାରଙ୍କ ସଂସ୍କାର ବିଧେୟକ। ଏ ବିଧେୟକର ଅନନ୍ୟ ବ୍ୟବସ୍ଥା ଅନୁସାରେ ଜଘନ୍ୟ ଅପରାଧିକ ମାମଲାରେ ସମ୍ପୃକ୍ତ ହୋଇ ପୁଲିସ ହେପାଜତରେ ଲଗାତାର ୩୦ ଦିନ ରହିଥିବା କୌଣସି ନେତାଙ୍କୁ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀ ରହିବାର ଅଧିକାର ରହିବ ନାହିଁ। ସେ ଭୋଗ କରୁଥିବା ଏହି ସାମ୍ବିଧାନିକ ପଦବୀ ଆପେ ଚାଲିଯିବ। ବିଜେପି ଏହି ବିଧେୟକକୁ ନେଇ ନିଜ ଅପରାଧ ମୁକ୍ତ ଶାସନର ପ୍ରତିଶ୍ରୁତିକୁ ଦୋହରାଇଥିବାବେଳେ କଂଗ୍ରେସ କିନ୍ତୁ ଏହାକୁ ବିରୋଧୀ ଦଳର ସରକାରଙ୍କୁ ଗଡ଼ାଇବାର ଏକ ଅସ୍ତ୍ରଭାବେ ବିଜେପି ବ୍ୟବହାର କରିବ ବୋଲି ଆଶଙ୍କା ପ୍ରକାଶ କରିଛି।
ଆଜି ଲୋକସଭାରେ ଏହିଭଳି ଏକ ନିୟମକୁ ପ୍ରଣୟନ କରିବା ପାଇଁ କେନ୍ଦ୍ର ସରକାର ତିନିଟି ଆଇନକୁ ସଂଶୋଧନ କରିବା ପାଇଁ ଏକ ପ୍ରସ୍ତାବ ଆଗତ କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ଏହି ବିଧେୟକ ଆଣିଛନ୍ତି।
ସଂସ୍କାର ବିଧେୟକରେ କ’ଣ ରହିଛି
ଏହି କାର୍ଯ୍ୟବିଧି ଅନୁସାରେ କେନ୍ଦ୍ର ଗୃହମନ୍ତ୍ରୀ ସମ୍ବିଧାନର ୧୩୦ତମ ସଂଶୋଧନ ବିଧେୟକ, କେନ୍ଦ୍ରଶାସିତ ଅଞ୍ଚଳ ସଂଶୋଧନ ବିଧେୟକ-୨୦୨୫ ଏବଂ ଜମ୍ମୁ ଓ କଶ୍ମୀର ପୁନର୍ଗଠନ ବିଧେୟକ ୨୦୨୫ର ସଂଶୋଧନ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ବିଧେୟକ ଉପସ୍ଥାପନ କରିଛନ୍ତି। ଏଥିରେ ଦର୍ଶାଯାଇଛି ଯେ, ଯଦି କୌଣସି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ବା ମନ୍ତ୍ରୀ କୌଣସି ସଙ୍ଗୀନ ଅପରାଧିକ ମାମଲାରେ ଲଗାତାର ୩୦ ଦିନ ଗିରଫ ହୁଅନ୍ତି ବା ଅଟକ ରହନ୍ତି ଏବଂ ଯେଉଁ ମାମଲା ପାଇଁ ଦଣ୍ଡ ବିଧାନ ୫ ବର୍ଷରୁ ଅଧିକ କାରାଦଣ୍ଡ ବ୍ୟବସ୍ଥା ରହିଛି, ତେବେ ସେ ଇସ୍ତଫା ନ ଦେଲେ ମଧ୍ୟ ତାଙ୍କର ପଦବୀ ଚାଲିଯିବ।
ବିରୋଧୀ ଦଳ ପାଇଁ ବଡ଼ ଆହ୍ୱାନ
ବିହାରରେ ଚାଲିଥିବା ସଘନ ଭୋଟର ତାଲିକା ସଂଶୋଧନକୁ ନେଇ ମୌସୁମୀ ଅଧିବେଶନକୁ ସମ୍ପୂର୍ଣ୍ଣ ଅବରୋଧ କରିବାକୁ ଚାହିଁଥିବା ବିରୋଧୀ ଦଳ ପାଇଁ ଏହା ଏକ ବହୁତ ବଡ଼ ଆହ୍ୱାନ ଦେଇଛି। ସରକାର ସଂସଦର ଅଧିବେଶନକୁ ଅତ୍ୟନ୍ତ ଗୁରୁତ୍ୱ ଦେଉଛନ୍ତି ବୋଲି ବାର୍ତ୍ତା ଦେବା ଲାଗି ଏପରି ଏକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଆଣିବାକୁ ଯାଉଛନ୍ତି। କିନ୍ତୁ ଅନ୍ୟ ସରକାରୀ ବିଧେୟକ ପରି ଏହାକୁ କେବଳ ଶାସକ ଦଳର ଆଲୋଚନାରେ ପାରିତ କରିବାକୁ ଚାହୁଁ ନାହାନ୍ତି ସରକାର। ଏଣୁ ଏହି ବିଧେୟକର ବ୍ୟାପକ ତର୍ଜମା, ସଂଶୋଧନ ପ୍ରସ୍ତାବ ପାଇଁ ସରକାର ତାହାକୁ ଏକ ସାମ୍ବିଧାନିକ କମିଟିକୁ ପଠାଇବା ଲାଗି ବାଚସ୍ପତିଙ୍କୁ ଅନୁରୋଧ କରିବା କାର୍ଯ୍ୟକ୍ରମ ରହିଛି।
କ’ଣ ରହିଛି ନୂଆ ବ୍ୟବସ୍ଥା
ଏବେ ମଧ୍ୟ ଲୋକପ୍ରତିନିଧି ଆଇନ ଅନୁସାରେ ଏପରି ବ୍ୟବସ୍ଥା ରହିଛି। ଯଦି କୌଣସି ଲୋକପ୍ରତିନିଧି କୌଣସି ଅପରାଧିକ ମାମଲା ପାଇଁ ୨ ବର୍ଷରୁ ଅଧିକ କାରାଦଣ୍ଡ ଆଦେଶ ପାଆନ୍ତି ଅର୍ଥାତ୍ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କର ସଦସ୍ୟପଦକୁ ରଦ୍ଦ କରାଯିବାର ବ୍ୟବସ୍ଥା ରହିଛି। ଯେମିତି ଅତୀତରେ ରାହୁଲ ଗାନ୍ଧୀଙ୍କ ଲୋକସଭାରେ ସଦସ୍ୟ ପଦ ରଦ୍ଦ ହୋଇଥିଲା, ଠିକ୍ ସେମିତି। ହେଲେ ଏହି ନୂଆ ବ୍ୟବସ୍ଥାରେ ଏ ବିଧାନକୁ ଆହୁରି କଠୋର କରିବା ପାଇଁ ଦୁଇଟି ବ୍ୟବସ୍ଥା ଆପଣା ଯାଇଛି।
ପ୍ରଥମଟି ହେଲା, ନୂଆ ବ୍ୟବସ୍ଥା ଅନୁସାରେ ପ୍ରଧାନମନ୍ତ୍ରୀ ବା ମନ୍ତ୍ରିମଣ୍ଡଳ ସଦସ୍ୟଙ୍କୁ ଅପରାଧିକ ମାମଲାରୁ ମୁକ୍ତ କରିବା ପାଇଁ ଆଇନର ପରିସରଭୁକ୍ତ କରାଯାଇଛି।
ଦ୍ୱିତୀୟରେ ଦଣ୍ଡ ବିଧାନକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଯଦି କୌଣସି ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କୁ ୩୦ ଦିନ ଧରି ପୁଲିସ ଅଟକ ରଖେ ବା ସେ ବିଚାର ବିଭାଗୀୟ ହେପାଜତରେ ରହନ୍ତି ତେବେ ତାଙ୍କ ପଦବୀ ଆପେ ଚାଲିଯିବ। ପୁଣି ଏପରି ମାମଲାରେ ସେ ଗିରଫ ବା ଅଟକ ହୋଇଥିବେ ଯାହା ଏକ ଜଘନ୍ୟ ଅପରାଧ ହୋଇଥିବା ଏବଂ ଏଥିପାଇଁ ଦଣ୍ଡ ବିଧାନ ୫ ବର୍ଷ ହେବାର ଆଶଙ୍କା ଥିବ।
ବିରୋଧୀଙ୍କ ଲାଗି କଣ୍ଟା
ହେଲେ ଏହି ବିଧେୟକ ଏବେ ବିରୋଧୀଙ୍କ ଲାଗି କଣ୍ଟା ପରି ହୋଇଛି। କାରଣ ଅତୀତରେ ଅପରାଧିକ ମାମଲାରେ ରହିଥିଲେ ବି ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ପଦବୀରୁ ଇସ୍ତଫା ଦେଉନଥିଲେ। ଏବେ ଇସ୍ତଫା ଦେବା ଜରୁରୀ ହେବ ନାହିଁ। ଯଦି ଏ ବିଧେୟକ ପାରିତ ହୋଇ ଆଇନରେ ପରିଣତ ହୁଏ ତେବେ ସମ୍ପୃକ୍ତ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀ ସ୍ୱୟଂ ବହିଷ୍କୃତ ହେବେ। ଏହା ଶାସନ ବ୍ୟବସ୍ଥାରେ ଅପରାଧକୁ ହ୍ରାସ କରିବାରେ ତଥା ବ୍ୟକ୍ତିତ୍ୱ ବିକାଶରେ ସହାୟକ ହେବ। କିନ୍ତୁ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ଏହାକୁ ବିରୋଧ କରାଯାଇଛି। କୁହାଯାଇଛି ଯେ ଏହା କେନ୍ଦ୍ର ସରକାରଙ୍କୁ ରାଜ୍ୟରେ ସରକାର ଗଡ଼ାଇବାରେ ସହାୟକ ହେବ। କିପରି ?
ଅତୀତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ ଗିରଫ ହୋଇ ଅନେକ ଦିନ ଜେଲରେ ରହିଥିଲେ ମଧ୍ୟ ପଦବୀରୁ ଇସ୍ତଫା ଦେଇନଥିଲେ। ପରବର୍ତ୍ତୀ ସମୟରେ ନୂଆ ମୁଖ୍ୟମନ୍ତ୍ରୀ ତାଙ୍କ ପାଦୁକାପୂଜା କରିବା ଭଳି କୁର୍ସି ଛାଡ଼ି ଅନ୍ୟ ଏକ ଅତିରିକ୍ତ କୁର୍ସିରେ ବସି ଶାସନ କରିଥିଲେ। ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କୁ ରାଜନୀତିକ ଢଙ୍ଗରେ ଗିରଫ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଆଇନ କାର୍ଯ୍ୟକାରୀ ହେଲେ ଏବେ କିନ୍ତୁ ଜେଲରୁ ଶାସନ ପରିଚାଳନା ହୋଇପାରିବନାହିଁ।
ନିର୍ବାଚନ ସଂସ୍କାର ତଥା ସରକାରୀ ବ୍ୟବସ୍ଥାକୁ ଅପରାଧିକ କାର୍ଯ୍ୟକଳାପରୁ ମୁକ୍ତ କରିବା ପାଇଁ ଏପରି ଏକ ବ୍ୟବସ୍ଥା ଆଣିବାକୁ ଯାଉଥିବା ନେଇ ଆଲୋଚନା ହେଉଥିବାବେଳେ କଂଗ୍ରେସ ମୁଖପାତ୍ର ତଥା ବରିଷ୍ଠ ନେତା ଅଭିଶେକ ମନୁ ସିଙ୍ଗଭୀ ଏହାକୁ ବିରୋଧ କରିଛନ୍ତି। ଏପରି ବ୍ୟବସ୍ଥା ରାଜ୍ୟଗୁଡ଼ିକରେ ବିରୋଧୀ ଦଳର ସରକାରଙ୍କୁ ଗଡ଼ାଇବା ଲାଗି ସହାୟକ ହେବ ବୋଲି ସେ ଅଭିଯୋଗ କରିଛନ୍ତି। ପୁରୁଣା ମାମଲାକୁ ନେଇ ପୁଲିସ ଅଧିକ କ୍ରିୟାଶୀଳ ହୋଇପାରେ ବୋଲି ଆଲୋଚନା ହେଉଛି।
କଂଗ୍ରେସର ଡର କାହିଁକି?
କଂଗ୍ରେସର ଏ ଡର ପଛରେ କାରଣ ଅନେକ ରହିଛି। ସବୁଠାରୁ ବଡ଼ କାରଣ ହେଲା ନିଜର ଅତୀତ ଓ କାରନାମା। କଂଗ୍ରେସ ସମ୍ବିଧାନର ଧାରା ୩୫୬କୁ ବ୍ୟବହାର କରି ରାଜ୍ୟଗୁଡ଼ିକର ସରକାରଙ୍କୁ ଗାଦିଚ୍ୟୁତ କରିବାର ଉଦାହରଣ ଅନେକ ରହିଛି। ବିଭିନ୍ନ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରିକରି ନିର୍ବାଚିତ ସରକାରଙ୍କୁ କ୍ଷମତାରୁ ଦୂରରେ ରଖିବା କଂଗ୍ରେସର ଶିରା ପ୍ରଶିରାରେ ଥିବାର ଅଭିଯୋଗ ବିଜେପି ଆଣିଛି। ଓଡ଼ିଶା ବି ଅତୀତରେ ଏହିଭଳି ଆକ୍ରମଣର ଶିକାର ହୋଇଛି। ଅଣ କଂଗ୍ରେସ ସରକାରଙ୍କୁ ହଟାଇ ନିଜ ସରକାର ସ୍ଥାପନ ପାଇଁ ଏପରି ଉଦ୍ୟମ ହୋଇଛି। ଏଣୁ କଂଗ୍ରେସ କେନ୍ଦ୍ର ସରକାରଙ୍କ ନୂଆ ବିଧି ବ୍ୟବସ୍ଥା ଉଦ୍ୟମକୁ ଡରିବା ସ୍ୱାଭାବିକ। ଏଥିପାଇଁ ବିଧେୟକ ବାବଦରେ ଆଲୋଚନା କରିବାକୁ ସାହସ କରିପାରୁନାହିଁ କଂଗ୍ରେସ। କାରଣ ଆଲୋଚନା ହେଲେ କଂଗ୍ରସ ଶାସନର କଳା କାରନାମାକୁ ଖୋଲିବା ପାଇଁ ସରକାର ପ୍ରସ୍ତୁତ ହୋଇ ରହିଛନ୍ତି।
ଏହି ଭୟରେ ସଂସଦକୁ ଅଚଳ କରି ବିଧେୟକକୁ ଅବରୋଧ କରିବା ପାଇଁ ଚାହୁଁଥିବା କଂଗ୍ରେସକୁ କିନ୍ତୁ ସରକାର ସାମ୍ବିଧାନିକ ବ୍ୟବସ୍ଥାର ପାଠ ପଢ଼ାଇଛନ୍ତି। ଏଥିଲାଗି ବାଚସ୍ପତି ସିଲେକ୍ଟ କମିଟି ଗଠନ କରିଛନ୍ତି। ଏଥିରେ ଉଭୟ ସରକାରୀ ଓ ବିରୋଧୀ ଦଳର ବଛା ବଛା ସଦସ୍ୟ ରହିବେ। ସୋମାନେ ଏ ବିଧେୟକର ପ୍ରତିଟି ଶବ୍ଦକୁ ତନ୍ନ ତନ୍ନ ଯାଞ୍ଚ କରିବେ। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ତାହା ରହିଛି କି ନା ତାହାର ତର୍ଜମା କରିବେ। ତା ’ପରେ ପୁଣିଥରେ ବିଧେୟକ ଲୋକସଭାରେ ଆଗତ ହେବ। ଆଉ ତାହା ଆଗକୁ ଅପରାଧିକ ମାମଲାରେ ଥିବା ନେତାଙ୍କୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କ ଭଳି ପଦବୀ ଦେବାରୁ ବିଚ୍ୟୁତ କରିବ।
Also read https://purvapaksa.com/bjd-says-it-will-oppose-sir-in-odisha/
BJD says it will oppose SIR in Odisha ।। ଓଡ଼ିଶାରେ ଏସଆଇଆରକୁ ବିରୋଧ କରିବ ବିଜେଡି
