ବିଜେଡିର ବରିଷ୍ଠ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ବଦନାମ ପାଇଁ ଚାଲିଛି ସୁଚିଷ୍ଠିତ ଷଡ଼ଯନ୍ତ୍ର ଚାଲିଛି। ଦଳର ନବାଗତ ଏପରିକି ଦଳ ପ୍ରତି ସାମାନ୍ୟ ଅବଦାନ ନ ଥିବା ନେତାମାନେ ଦଳର ଏହି ବରିଷ୍ଠ ନେତ୍ରୀଙ୍କ ପ୍ରତି ଅତ୍ୟନ୍ତ ଅପମାନ ସୂଚକ ମନ୍ତବ୍ୟ ଦେଉଛନ୍ତି। ଏହାକୁ ନେଇ ବିଜେଡି ଦୁଇଭାଗ ହେଉଥିବାବେଳେ ଅନେକ କିନ୍ତୁ ଦଳ ପ୍ରତି ଶ୍ରୀମୟୀଙ୍କ ଅବଦାନକୁ ଭୁଲିଯାଉଥିବା ନେଇ କର୍ମୀ ମହଲରେ ଚର୍ଚ୍ଚା ଜୋର ଧରିଛି ।
ଶ୍ରୀମୟୀ ଏକଦା ଦଳର ଆଇକନ୍ ଥିଲେ । ପ୍ରତ୍ୟେକ କାର୍ଯ୍ୟକ୍ରମରେତାଙ୍କୁ ଦେଖିବାକୁ ମିଳୁଥିଲା।
ତାଙ୍କର ଦକ୍ଷତା, ଦଳର ଭାବମୂର୍ତ୍ତି ପାଇଁ ତାଙ୍କୁ ସାଂସଦ ପ୍ରାର୍ଥୀ କରିଥିଲେ ମଧ୍ୟ ରାଜନୈତିକ ବାଧ୍ୟବାଧକତାରେ ଶେଷ ମୁହୂର୍ତ୍ତରେ ଦଳ ତାଙ୍କୁ ହଟାଇ ନେଇଥିଲା। ସବୁଠାରୁ ବଡ଼ କଥା ହେଲା, ଦଳୀୟ ପ୍ରାର୍ଥୀଭାବେ ପ୍ରଚାର ମଇଦାନକୁ ଓହ୍ଲାଇବା ସହିତ ପୋଷ୍ଟର ବ୍ୟାନର ମାରି ପରବର୍ତ୍ତୀ ସମୟରେ ଟିକଟ ପାଇନଥିଲେ ମଧ୍ୟ ଶ୍ରୀମୟୀ କୌଣସି ପ୍ରତିବାଦ କରିନଥିଲେ। ଦଳର ଜଣେ ଶୃଙ୍ଖଳିତ ସୈନିକ ଭାବେ ଦଳପତିଙ୍କ ନିଷ୍ପତ୍ତିକୁ ମଥାପାତି ସହି ନେଇଥିଲେ । ନିର୍ବାଚନରେ ଦଳ ହାରିଯିବା ପରେ ସେ ରାଜନୀତିକୁ ଏକ ପ୍ରକାର ଦୂରେଇ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ମନୋନିବେଶ କରିଛନ୍ତି। ସୋସିଆଲ ମିଡିଆରେ ଅତ୍ୟନ୍ତ ସକ୍ରିୟ ଥିବା ଶ୍ରୀମୟୀ ବିଭିନ୍ନ ପ୍ରସଙ୍ଗରେ ନିଜର ମତ ରଖୁଛନ୍ତି। ହେଲେ ତାଙ୍କ କଥାରୁ ଖିଅ ବାହାର କରି କିଛି ଲୋକ ଏବେ ରାଜନୀତି କରିବା ଆରମ୍ଭ କରିଛନ୍ତି। ଏପରିକି ବିଜେଡିରେ ଶ୍ରୀମୟୀଙ୍କ ସପକ୍ଷରେ ଓ ବିପକ୍ଷରେ ଦୁଇଦଳ ହୋଇ ଗଣମାଧ୍ୟମରେ ଲଢିବା ଆରମ୍ଭ କରିଛନ୍ତି।
ଜଣେ ରାଜନୈତିକ ଉଚ୍ଚଶିକ୍ଷିତ ମହିଳା ସୋସିଆଲ ମିଡିଆରେ ବିଭିନ୍ନ ପ୍ରସଙ୍ଗକୁ ଉଦ୍ଧାର କରି ନିଜର ମତ ରଖିବାରେ କୌଣସି ବାଧା ନାହିଁ। ହେଲେ ଶ୍ରୀମୟୀ ଛୋଟ ହେଉ ବା ବଡ଼ ହେଉ, କୌଣସି ପ୍ରସଙ୍ଗରେ କିଛି ମତ ରଖିବାମାତ୍ରେ ତାହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ସବୁଠାରୁ ବଡକଥା ହେଲା ଶ୍ରୀମୟୀ କିମ୍ବା ବିଜେଡି ସଭାପତି ଏ ବାବଦରେ ପଦୁଟିଏ ପାଟି ଫିଟାଉ ନ ଥିବାଳେ ଆକସ୍ମିକ ଭାବେ ଦଳୀୟ ଟିକଟ ନେଇ ଚିତ୍ପଟାଙ୍ଗ ମାରିଥିବା ମନ୍ମଥ ରାଉତରାୟ ଏ କ୍ଷେତ୍ରରେ ଏବେ ଆଗରେ ଅଛନ୍ତି। ପ୍ରତିଦିନ ଶ୍ରୀମୟୀଙ୍କୁ ଲକ୍ଷ୍ୟକରି ଅତ୍ୟନ୍ତ ଅରୁଚିକର ମନ୍ତବ୍ୟ ଦେଉଛନ୍ତି। ବିଜେଡିର କିଛି ନେତାଙ୍କ କହିବା କଥା ଯେ, ମନ୍ମଥ ଭୁଲିଯାଉଛନ୍ତି ଶ୍ରୀମୟୀ ଏକଦା ନବୀନଙ୍କ ପାଇଁ ଗୀତ ଗାଇବା ସହିତ ବିଜେଡି ପ୍ରଚାରର ମଙ୍ଗ ଧରିଥିଲେ। ନାରୀ ନେତ୍ରୀଙ୍କ ମଧ୍ୟରେ ସବୁଠାରୁ ଆଗଧାଡିରେ ଥିଲେ। ଏତେ ସବୁ ବାକ୍ଯୁଦ୍ଧ ସତ୍ତ୍ବେ ଏବେ ବି ଦଳର ଜଣେ ଶୃଙ୍ଖଳିତ ସୈନିକ। ହେଲେ ଦଳରେ ଅଳ୍ପଦିନ ତଳେ ଯୋଗ ଦେଇଥିବା ମନ୍ମଥ ଓ ନିର୍ବାଚନରେ ଶୋଚନୀୟ ଭାବେ ହାରିଥିବା କିଛି ନେତା ଏବେ ଶ୍ରୀମୟୀଙ୍କୁ ଆଶାବାଡି କରି ରାଜନୀତି ଚଳାଇଛନ୍ତି। ଏହା ହୁଏତ ସେହିସବୁ ନେତାଙ୍କୁ କିଛିଦିନ ପାଇଁ ପବ୍ଲିସିଟି ଦେଇପାରେ, କିନ୍ତୁ ବିଜେଡିର ଯେଉଁ କ୍ଷତି ହେଉଛି ତାହାକୁ ଭରଣା କରିବା କଷ୍ଟକର ହୋଇପଡ଼ିବ ବୋଲି ମତପ୍ରକାଶ ପାଉଛି।
Health Minister in a dream ।। ସ୍ୱପ୍ନ ରାଇଜରେ ସ୍ୱାସ୍ଥ୍ୟମନ୍ତ୍ରୀ ରାଜ୍ୟରେ ସ୍ୱାସ୍ଥ୍ୟସେବା ବେହାଲ
