ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରସିଦ୍ଧ ଚିକିତ୍ସକ ଡକ୍ଟର ବିଧାନଚନ୍ଦ୍ର ରାୟଙ୍କ ଜୟନ୍ତୀ ଏବଂ ଜାତୀୟ ଡାକ୍ଟର ଦିବସର ସଂଯୋଗ ଅତ୍ୟନ୍ତ ଅଦ୍ଭୁତ । ଭାରତରେ ପ୍ରତିବର୍ଷ ଜୁଲାଇ ୧ ତାରିଖରେ ଆଧୁନିକ ଚିକିତ୍ସକମାନଙ୍କ ସେବାକୁ ସମ୍ମାନ ଜଣାଇବା ପାଇଁ ଏହି ଦିବସ ପାଳନ କରାଯାଏ । ଯଦିଓ ଭାରତୀୟ ଚିକିତ୍ସା ବିଜ୍ଞାନର ମୂଳ ବେଶ୍ ଗଭୀର, ଆଧୁନିକ ଯୁଗରେ ଭାରତର ପ୍ରଥମ ଡାକ୍ଟର କିଏ ଥିଲେ ଏବଂ ଚିକିତ୍ସା କ୍ଷେତ୍ରରେ ସେ କିପରି ବିପ୍ଳବ ଆଣିଥିଲେ ? ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିବ।
ବିଶ୍ୱର ସମସ୍ତ ପ୍ରାଚୀନ ସଭ୍ୟତାର ନିଜସ୍ୱ ଚିକିତ୍ସା ପ୍ରଣାଳୀ ରହିଛି, କିନ୍ତୁ ଭାରତର ଔଷଧ ବ୍ୟବସ୍ଥା ସବୁଠାରୁ ଅଧିକ ବ୍ୟବସ୍ଥିତ ବୋଲି ବିବେଚନା କରାଯାଏ । ଭାରତରେ ଚିକିତ୍ସା ବିଜ୍ଞାନର ଇତିହାସ ଖ୍ରୀଷ୍ଟପୂର୍ବ ୧୫୦୦ ବର୍ଷରୁ ମିଳେ । ଚାରି ବେଦ, ଆର୍ୟୁବେଦ, ଆରଣ୍ୟକ ଏବଂ ଉପନିଷଦରେ ଏହାର ପ୍ରଚୁର ତଥ୍ୟ ରହିଛି । ଅଥର୍ବ ବେଦରେ ଶରୀରର ଅନେକ ଅଙ୍ଗ ବିଷୟରେ ସୂଚନା ମିଳେ । ବୈଦିକ ଯୁଗରେ ହିଁ ଭାରତୀୟ ଚିକିତ୍ସା ବିଜ୍ଞାନ ଅଧିକ ବ୍ୟବସ୍ଥିତ ହୋଇଥିଲା ଏବଂ ଭାରତୀୟ ଔଷଧର ସମସ୍ତ ତଥ୍ୟ ଆୟୁର୍ବେଦରେ ସମାହିତ ହୋଇଥିଲା ।
ଆୟୁର୍ବେଦର ଚିକିତ୍ସକମାନଙ୍କୁ ବୈଦ୍ୟ କୁହାଯାଇଥିଲା । ଅଧିକାଂଶ ଐତିହାସିକ ଆୟୁର୍ବେଦ ପାଇଁ ସଂସ୍କୃତରେ ଲିଖିତ ଦୁଇଟି ପୁସ୍ତକର ଉଲ୍ଲେଖ କରନ୍ତି, ଯେଉଁଗୁଡ଼ିକ ହେଉଛି ଚରକ ସଂହିତା ଏବଂ ସୁଶ୍ରୁତ ସଂହିତା । ଏହା ମଧ୍ୟରୁ ଚରକ ସଂହିତାର ଲେଖକ ଏବଂ ତାଙ୍କ ସମୟର ପ୍ରସିଦ୍ଧ ବୈଦ୍ୟ (ଚିକିତ୍ସକ) ରାଜା କନିଷ୍କଙ୍କ ଦରବାରୀ ଥିଲେ । ଅନ୍ୟପକ୍ଷରେ, ଆଉ ଜଣେ ପ୍ରାଚୀନ ଭାରତୀୟ ଚିକିତ୍ସକ ସୁଶ୍ରୁତ ବିଶ୍ୱକୁ ସୁଶ୍ରୁତ ସଂହିତା ପରି ଚିକିତ୍ସା ବିଜ୍ଞାନର ପୁସ୍ତକ ଦେଇଥିଲେ ।
ଡକ୍ଟର ମଧୁସୂଦନ ଗୁପ୍ତା ଥିଲେ ପ୍ରଥମ ଭାରତୀୟ ଡାକ୍ତର
ଆଧୁନିକ ଚିକିତ୍ସା ବିଜ୍ଞାନର ପ୍ରଥମ ଡାକ୍ଟର ଥିଲେ ମଧୁସୂଦନ ଗୁପ୍ତା । ପଶ୍ଚିମବଙ୍ଗର ହୁଗଳୀ ଜିଲ୍ଲାରେ ଏକ ପ୍ରସିଦ୍ଧ ବୈଦ୍ୟ ପରିବାରରେ ୧୮୦୦ ମସିହାରେ ତାଙ୍କର ଜନ୍ମ ହୋଇଥିଲା । ତାଙ୍କ ଜେଜେ ହୁଗଳୀର ନବାବଙ୍କ ପାରିବାରିକ ଚିକିତ୍ସକ ଥିଲେ । ୧୮୨୬ ଡିସେମ୍ବରରେ ଡକ୍ଟର ମଧୁସୂଦନ ସଂସ୍କୃତ କଲେଜରେ ନୂଆ ଖୋଲା ଆୟୁର୍ବେଦିକ ପାଠ୍ୟକ୍ରମରେ ପ୍ରବେଶ କରିଥିଲେ । ଏହି ପାଠ୍ୟରେ ସେ ଅସାଧାରଣ ପ୍ରତିଭା ଦେଖାଇଥିଲେ । ୧୮୩୦ ମେ’ ମାସରେ ତାଙ୍କୁ ସେହି କଲେଜରେ ଶିକ୍ଷକ ନିଯୁକ୍ତ କରାଯାଇଥିଲା ।
ପାଶ୍ଚାତ୍ୟ ପଦ୍ଧତିର ପ୍ରଥମ ମେଡିକାଲ କଲେଜରେ ପ୍ରଥମ ଭାରତୀୟ ଶିକ୍ଷକ
ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ ଲର୍ଡ ଉଇଲିୟମ ବେଣ୍ଟିଙ୍କଙ୍କ ସମୟରେ ୧୮୩୫ ଜାନୁଆରୀ ୨୮ରେ କଲିକତାରେ ଚିକିତ୍ସା ଶିକ୍ଷାର ଏକ ନୂଆ ଆରମ୍ଭ ହୋଇଥିଲା ଏବଂ ପାଶ୍ଚାତ୍ୟ ଶିକ୍ଷା ପଦ୍ଧତିରେ ପଢ଼ାଇବା ପାଇଁ କଲକାତା ମେଡିକାଲ କଲେଜର ମୂଳଦୁଆ ପକାଯାଇଥିଲା । ୧୮୩୫ ମାର୍ଚ୍ଚ ୧୭ରେ ମଧୁସୂଦନ ଗୁପ୍ତାଙ୍କୁ ଏହି କଲେଜରେ ସ୍ଥାନୀୟ ଶିକ୍ଷକ ଭାବେ ନିଯୁକ୍ତି ମିଳିଥିଲା । ପରବର୍ତୀ ଚାରି ବର୍ଷ ମଧ୍ୟରେ ୧୪ରୁ ୨୦ ବର୍ଷ ବୟସର ୫୦ ଜଣଙ୍କୁ ଏହି ନୂଆ ମେଡିକାଲ କଲେଜରେ ପଢ଼ିବାର ସୁଯୋଗ ମିଳିଥିଲା। କଲିକତା ମେଡିକାଲ କଲେଜ ଆରମ୍ଭ ହେବା ସମୟରେ ଡକ୍ଟର ମଧୁସୂଦନଙ୍କୁ ଶିକ୍ଷକ ଭାବେ ନିଯୁକ୍ତ କରାଯାଇଥିଲା ।
ମଧୁସୂଦନ ଗୁପ୍ତା ଏସିଆରେ କରିଥିଲେ ପ୍ରଥମ ଡିସେକ୍ସନ
ଏହା ସେହି ସମୟର କଥା ଯେତେବେଳେ ହିନ୍ଦୁମାନଙ୍କ ମଧ୍ୟରେ ମଣିଷ ଶରୀରର ଚିରାଫଡା ନିଷିଦ୍ଧ ଥିଲା। ଅନ୍ୟପକ୍ଷରେ, ପାଶ୍ଚାତ୍ୟ ଚିକିତ୍ସା ପଦ୍ଧତିରେ ସର୍ଜରୀର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଥିଲା । ଏପରି ପରିସ୍ଥିତିରେ ଦ୍ୱାରକାନାଥ ଟାଗୋର ଏବଂ ରାଜା ରାମମୋହନ ରାୟଙ୍କ ସହାୟତାରେ କଲକାତା ମେଡିକାଲ କଲେଜ ସର୍ଜରୀ ପାଇଁ ଲୋକଙ୍କୁ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଥିଲା। ନିଷ୍ପତ୍ତି ହୋଇଥିଲା ଯେ ଯଦି ଭାରତୀୟ ପାରମ୍ପରିକ ସାହିତ୍ୟରେ ସର୍ଜରୀର ଉଲ୍ଲେଖ ମିଳେ ତେବେ ଏହାକୁ ଆଗେଇ ନିଆଯିବ । ଏହାକୁ ଖୋଜିବାର ଦାୟିତ୍ୱ ଦିଆଯାଇଥିଲା ମଧୁସୂଦନ ଗୁପ୍ତାଙ୍କୁ ।
ଏହାପରେ ୧୮୩୬ ଜାନୁଆରୀ ୧୦ରେ ମଧୁସୂଦନ ଗୁପ୍ତା ପ୍ରଥମ ଥର ପାଇଁ କ୍ୟାଡାଭେରିକ ଡିସେକ୍ସନ କରିଥିଲେ । ଏହା କେବଳ ଭାରତରେ ନୁହେଁ, ସମଗ୍ର ଏସିଆରେ ପ୍ରଥମ ଡିସେକ୍ସନ ଥିଲା । ଏହି ଉପଲବ୍ଧି ପାଇଁ ଇଂରେଜମାନଙ୍କ କଲକାତା (ବର୍ତ୍ତମାନ କୋଲକାତା)ର ଆଉଟପୋଷ୍ଟ ଫୋର୍ଟ ଉଇଲିୟମରେ ୫୦ ଗନ ସାଲୁଟ ଦିଆଯାଇଥିଲା ଏବଂ ଏହିପରି ଭାରତରେ ପାଶ୍ଚାତ୍ୟ ଚିକିତ୍ସା ପଦ୍ଧତି ଆରମ୍ଭ ହୋଇଥିଲା।
ଦେଶର ପ୍ରଥମ ମହିଳା ଡାକ୍ଟର ଥିଲେ ଆନନ୍ଦୀବାଈ ଯୋଶୀ
ଯଦି ଡକ୍ଟର ମଧୁସୂଦନ ଗୁପ୍ତା ଦେଶର ପ୍ରଥମ ଡାକ୍ଟର ଥିଲେ, ତେବେ ଆନନ୍ଦୀବାଈ ଗୋପାଳରାଓ ଯୋଶୀ ଦେଶର ପ୍ରଥମ ମହିଳା ଡାକ୍ଟର ଥିଲେ । ସେ ପ୍ରଥମ ଭାରତୀୟ ମହିଳା ଥିଲେ, ଯିଏ ଆମେରିକାରୁ ପାଶ୍ଚାତ୍ୟ ଚିକିତ୍ସା ପଦ୍ଧତିରେ ଶିକ୍ଷା ଗ୍ରହଣ କରିଥିଲେ । ସେ ଭାରତ ଓ ଆମେରିକାରେ ଅନେକ ମହିଳାଙ୍କୁ ଏହି କ୍ଷେତ୍ର ଗ୍ରହଣ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ । ଜନ୍ମ ସମୟରେ ଆନନ୍ଦୀବାଈଙ୍କ ନାମ ଯମୁନା ରଖାଯାଇଥିଲା, କିନ୍ତୁ ନୂଆ ନାମ ତାଙ୍କୁ ତାଙ୍କ ସ୍ୱାମୀ ଗୋପାଳରାଓ ଯୋଶୀ ଦେଇଥିଲେ, ଯାହାଙ୍କ ସହ ତାଙ୍କର ବିବାହ ମାତ୍ର ନଅ ବର୍ଷ ବୟସରେ ହୋଇଥିଲା।
ଯଦିଓ ଗୋପାଳରାଓ ପ୍ରଗତିଶୀଳ ଚିନ୍ତାଧାରାର ଥିଲେ ଏବଂ ସେ ତାଙ୍କ ପତ୍ନୀଙ୍କୁ ପଢ଼ିବା ପାଇଁ ଏକ ମିଶନାରୀ ସ୍କୁଲକୁ ପଠାଇଥିଲେ। ପରେ ସେ ତାଙ୍କ ସହ କଲକାତା ଗଲେ, ଯେଉଁଠାରେ ଆନନ୍ଦୀବାଈ ସଂସ୍କୃତ ଏବଂ ଇଂରାଜୀ ଶିଖିଥିଲେ। ଆନନ୍ଦୀବାଈ ଆମେରିକାର ପେନସିଲଭାନିଆରେ ଥିବା ୱିମେନ୍ସ ମେଡିକାଲ କଲେଜରେ ଏମଡି ପଢ଼ାଇ ସମାପ୍ତ କରିଥିଲେ।
ଏମଡି ପଢ଼ାଇ ସମାପ୍ତ କଲେ
୧୮୦୦ ଦଶକରେ ଯେତେବେଳେ କାହା ମହିଳା ଶିକ୍ଷା ଅକଳ୍ପନୀୟ ଥିଲା, ସେହି ସମୟରେ ଗୋପାଳରାଓ ନିଷ୍ପତ୍ତି ନେଇଥିଲେ ଯେ ସେ ତାଙ୍କ ପତ୍ନୀଙ୍କୁ ମେଡିସିନ ପଢ଼ିବା ପାଇଁ ଆମେରିକା ପଠାଇବେ। ସେ ଏହା ମଧ୍ୟ କରିଥିଲେ। ଯଦିଓ ସେହି ସମୟରେ ଆନନ୍ଦୀବାଈଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଥିଲା, କିନ୍ତୁ ଗୋପାଳରାଓ ତାଙ୍କୁ ଆମେରିକା ଯାଇ ଦେଶର ଅନ୍ୟ ମହିଳାମାନଙ୍କ ପାଇଁ ଉଦାହରଣ ହେବାକୁ କହିଥିଲେ।
ଆମେରିକାରେ ଆନନ୍ଦୀବାଈ ପେନସିଲଭାନିଆର ୱିମେନ୍ସ ମେଡିକାଲ କଲେଜରେ ପ୍ରବେଶ କରିଥିଲେ ଏବଂ ୧୯ ବର୍ଷ ବୟସରେ ଦୁଇ ବର୍ଷିଆ ମେଡିସିନ ପଢ଼ାଇ ସମାପ୍ତ କରିଥିଲେ। ୧୮୮୬ ମସିହାରେ ସେ ଏମଡି ଡିଗ୍ରୀ ହାସଲ କରିଥିଲେ। ଯଦିଓ ଡକ୍ଟର ଆନନ୍ଦୀବାଈଙ୍କୁ କେବେ ମେଡିକାଲ ପ୍ରାକ୍ଟିସ କରିବାର ସୁଯୋଗ ମିଳି ନଥିଲା, କାରଣ ଟିବି ପରି ରୋଗ ହେତୁ ୧୮୮୭ ଫେବୃଆରୀ ୨୬ରେ ମାତ୍ର ୨୧ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା।
କାଦମ୍ବିନୀ ଗାଙ୍ଗୁଲୀ ଭାରତରେ ହାସଲ କରିଥିଲେ ଶିକ୍ଷା
ଅନେକ ସମୟରେ ଦେଶର ପ୍ରଥମ ମହିଳା ଡାକ୍ଟର ଭାବେ କାଦମ୍ବିନୀ ଗାଙ୍ଗୁଲୀଙ୍କ ନାମ ନିଆଯାଏ । ଯଦିଓ ଏହା ସତ୍ୟ ନୁହେଁ। କାଦମ୍ବିନୀ ଗାଙ୍ଗୁଲୀ ଦେଶର ପ୍ରଥମ ମହିଳା ଡାକ୍ଟର ଥିଲେ, ଯିଏ ଦେଶରେ ହିଁ ଶିକ୍ଷା ହାସଲ କରିଥିଲେ ଏବଂ ନିୟମିତ ଭାବେ ଲୋକଙ୍କର ଚିକିତ୍ସା ମଧ୍ୟ କରିଥିଲେ। ଅନ୍ୟପକ୍ଷରେ, ଆନନ୍ଦୀବାଈ ଯୋଶୀ ଦେଶର ପ୍ରଥମ ମହିଳା ଡାକ୍ଟର ଏବଂ ବିଦେଶରୁ ମେଡିକାଲ ଶିକ୍ଷା ଗ୍ରହଣ କରିଥିବା ପ୍ରଥମ ଭାରତୀୟ ମହିଳା ଥିଲେ।
