supreme court: ଝାଡ଼ଖଣ୍ଡର ଗୋଡ୍ଡାର ବିଜେପି ସାଂସଦ ନିଶିକାନ୍ତ ଦୁବେ ସୁପ୍ରିମ କୋର୍ଟ ଓ ପ୍ରଧାନ ବିଚାରପତି ସଂଜୀବ ଖନ୍ନାଙ୍କ ବିରୁଦ୍ଧରେ ବିବାଦୀୟ ବୟାନ ଦେଇ ରାଜନୈତିକ ଝଡ଼ ସୃଷ୍ଟି କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ସୁପ୍ରିମ କୋର୍ଟ ନିଜର ସୀମା ଅତିକ୍ରମ କରି ଦେଶରେ ‘ଗୃଗ ଯୁଦ୍ଧକୁ ଉସାକାଉଛନ୍ତି । ତାଙ୍କର ଏହି ବୟାନଠାରୁ ବିଜେପି ନିଜକୁ ଅଲଗା କରିନେଇଛି । ଏହାବାଦ ମଧ୍ୟ ନିଶିକାନ୍ତ ନିଜ ବୟାନ ଉପରେ କାୟମ ଅଛନ୍ତି ।
ଏହା ଭିତରେ ସୋମବାର ଦିନ ସେ ସୋସିଆଲ ମିଡିଆରେ ଏକ ଚମକପ୍ରଦ ଦାବି କରିଛନ୍ତି । ତାଙ୍କ ଅନୁସାରେ ୧୯୬୦ ଦଶକରେ ଭାରତର ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଏମିତି ଜଣେ ବ୍ୟକ୍ତି ଥିଲେ ଯିଏ ଔପଚାରିକ ଭାବେ ଆଇନ ପାଠ ପଢିନଥଇଲେ। ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ,‘କ’ଣ ଆପଣ ଜାଣନ୍ତି କି ଯେ, ୧୯୬୭-୬୮ରେ ଭାରତର ପ୍ରଧାନ ବିଚାରପତି କୈଲାଶନାଥ ବାଂଚୁ ଆଇନର କୌଣସି ଔପଚାରିକ ଶିକ୍ଷା ନେଇ ନଥିଲେ। ତେବେ କିଏ ଥିଲେ ଜଷ୍ଟିସ ବାଂଚୁ ଓ କିପରି ସେ ଏହି ସର୍ବୋଚ୍ଚ ନ୍ୟାୟିକ ପଦବୀରେ ପହଞ୍ଚିଲେ?” ଆସନ୍ତୁ ଜାଣିବା ଜଷ୍ଟିସ ବାଂଚୁ କିଏ ଥିଲେ ଓ ତାଙ୍କ ଜୀବନ ତଥା କାର୍ଯ୍ୟକାଳ କ’ଣ ଥିଲା ।
ଜଷ୍ଟିସ କୈଲାଶନାଥ ବାଂଚୁ ୧୯୦୩ ମସିହାରେ ଇଲାହାବାଦରେ ଏକ କାଶ୍ମୀରୀ ପଣ୍ଡିତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଇଲାହାବାଦ ବିଶ୍ୱବିଦ୍ୟାଳୟରୁ ବିଏ ଡିଗ୍ରୀ ହାସଲ କରି ସେ ୧୯୨୪ରେ ଇଣ୍ଡିଆନ ସିଭିଲ ସର୍ଭିସେସ (ଆଇସିଏସ୍) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଲଣ୍ଡନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ପ୍ରଶିକ୍ଷଣ ସମୟରେ ସେ ଅପରାଧିକ ଆଇନର ଗଭୀର ଅଧ୍ୟୟନ କରିଥିଲେ, ଯାହା ତାଙ୍କୁ ଆଇନର ବ୍ୟବହାରିକ ଜ୍ଞାନ ଦେଇଥିଲା। ଆଇସିଏସ୍ ଅଧିକାରୀ ହିସାବରେ ସେ ଉତ୍ତର ପ୍ରଦେଶରେ ଜଏଣ୍ଟ ମାଜିଷ୍ଟ୍ରେଟ ଓ କଲେକ୍ଟର ଭାବେ କାର୍ଯ୍ୟ କରିଥିଲେ, ଯାହା ତାଙ୍କ ପ୍ରଶାସନିକ ଓ ଆଇନଗତ ଦକ୍ଷତାକୁ ଆହୁରି ତୀକ୍ଷ୍ଣ କରିଥିଲା।”
୧୯୩୭ରେ ବାଂଚୁ ସେସନ୍ସ ଓ ଜିଲ୍ଲା ଜଜ ହେଲେ, ଯାହା ତାଙ୍କ ନ୍ୟାୟିକ ଜୀବନର ପ୍ରଥମ ପାହଚ ଥିଲା। ୧୯୪୭ରେ ସ୍ୱାଧୀନତା ପରେ ସେ ଇଲାହାବାଦ ହାଇକୋର୍ଟରେ ଅସ୍ଥାୟୀ ଜଜ ହେଲେ ଓ ମାତ୍ର ୧୦ ମାସ ମଧ୍ୟରେ ତାଙ୍କ ଯୋଗ୍ୟତା ବଳରେ ସ୍ଥାୟୀ ଜଜ ନିଯୁକ୍ତ ହେଲେ। ୧୯୫୧ରୁ ୧୯୫୮ ପର୍ଯ୍ୟନ୍ତ ସେ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ, ଯେଉଁଠାରେ ତାଙ୍କ ନିଷ୍ପକ୍ଷତା ଓ ଆଇନଗତ ଜ୍ଞାନ ତାଙ୍କୁ ଜାତୀୟ ସ୍ତରରେ ପରିଚିତ କରାଇଥିଲା। ୧୯୫୮ରେ ସେ ସୁପ୍ରିମ କୋର୍ଟର ଜଜ ହେଲେ, ଏବଂ ତାଙ୍କ ଅସାଧାରଣ ନ୍ୟାୟିକ ଦକ୍ଷତା ତାଙ୍କୁ ୧୯୬୭ରେ ପ୍ରଧାନ ବିଚାରପତି ପଦ ପର୍ଯ୍ୟନ୍ତ ନେଇଥିଲା ।
୧୯୬୭ରେ ଏକ ଅପ୍ରତ୍ୟାଶିତ ଘଟଣା ଘଟିଥିଲା। ତତ୍କାଳୀନ ପ୍ରଧାନ ବିଚାରପତି କେ. ସୁବ୍ବାରାଓ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅଚାନକ ଇସ୍ତଫା ଦେଇଥିଲେ। ଏହି ସ୍ଥିତିରେ ଅଭିଜ୍ଞତାରେ ସିନିୟର ଥିବା ଜଷ୍ଟିସ ବାଂଚୁଙ୍କୁ୨୪ ଏପ୍ରିଲ ୧୯୬୭ରେ ପ୍ରଧାନ ବିଚାରପତି ନିଯୁକ୍ତ କରାଗଲା। ୧୧ ମାସ କାଳ ସେ ଏହି ପଦବୀରେ ରହି ୧୨୮୬ ବେଞ୍ଚରେ ଅଂଶଗ୍ରହଣ କରିଥିଲେ ଓ ୩୫୫ଟି ଗୁରୁତ୍ୱପୂର୍ଣ୍ଣ ଫୈସଲା ଲେଖିଥିଲେ। ବିନା ଔପଚାରିକ ଆଇନ ଶିକ୍ଷା ସତ୍ତ୍ୱେ ତାଙ୍କ ନ୍ୟାୟିକ ଦକ୍ଷତା ଭାରତୀୟ ନ୍ୟାୟପାଳିକାରେ ଏକ ଅନନ୍ୟ ଅଧ୍ୟାୟ ରଚିଥିଲା।
ନିଶିକାନ୍ତ ଦୁବେଙ୍କ ବୟାନକୁ ବିରୋଧୀ ଦଳ ନ୍ୟାୟପାଳିକା ଉପରେ ଆକ୍ରମଣ ବୋଲି ନିନ୍ଦା କରିଛନ୍ତି, ଏବଂ ବିଜେପି ମଧ୍ୟ ଏହାକୁ ଦୁବେଙ୍କ ବ୍ୟକ୍ତିଗତ ମତ ବୋଲି କହି ଦୂରେଇ ରହିଛି। ଜଷ୍ଟିସ ବାଂଚୁଙ୍କ ଅନନ୍ୟ ଯାତ୍ରା ଆମକୁ ମନେ ପକାଇ ଦିଏ ଯେ, ନ୍ୟାୟପାଳିକାର ଶକ୍ତି କେବଳ ଔପଚାରିକ ଶିକ୍ଷାରେ ନୁହେଁ, ବରଂ ନିଷ୍ପକ୍ଷତା, ଦକ୍ଷତା ଓ ସଂବିଧାନ ପ୍ରତି ନିଷ୍ଠାରେ ନିହିତ। ଆଜି ଭାରତୀୟ ନ୍ୟାୟପାଳିକା ସଂବିଧାନର ରକ୍ଷକ ଭାବେ ଠିଆ ହୋଇଛି, ଏବଂ ଜଷ୍ଟିସ ବାଂଚୁଙ୍କ ଉତ୍ତରାଧିକାରୀ ଏହାକୁ ଆହୁରି ସୁଦୃଢ଼ କରୁଛନ୍ତି ।
ALSO READ: https://purvapaksa.com/why-is-bjp-not-defending-defender-atakar/