ଓଡ଼ିଶା ରାଜନୀତିର ଆକାଶରେ ‘ବିଜୁ ପଟ୍ଟନାୟକ’ ଏକ ଏପରି ନାମ, ଯାହା ଗତ ପାଞ୍ଚଦଶନ୍ଧି ଧରି ରାଜ୍ୟର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ଚେତନାକୁ ପ୍ରଭାବିତ କରିଆସିଛି। ମାତ୍ର ଆଜି ବିଜୁ ବାବୁଙ୍କ ଦେହାନ୍ତର ପ୍ରାୟ ତିନିଦଶନ୍ଧି ପରେ ତାଙ୍କର ‘ଲିଗାସି’ ବା ଉତ୍ତରାଧିକାରକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେବଳ କ’ଣ ବିଜୁଙ୍କ ନାଁକୁ ବ୍ୟବହାର କରି ଶାସନ ଗାଦିରେ ବସିବା ହିଁ ବିଜୁ ଆଦର୍ଶ, ନା ବିଜୁ ବାବୁ ଗଢ଼ିଥିବା ସେହି ବିଶାଳ ‘ବିଜୁ ପରିବାର’ର ସମ୍ମିଳିତ ସ୍ୱର ହିଁ ପ୍ରକୃତ ଲିଗାସି? ଏହାକୁ ନେଇ ଏବେ ଓଡ଼ିଶା ରାଜନୀତିରେ ମନ୍ଥନ ଆରମ୍ଭ ହୋଇଛି।
ତାଙ୍କର ଅବର୍ତ୍ତମାନ ପରେ ଗଠିତ ବିଜୁ ଜନତା ଦଳ ତାଙ୍କର ଲିଗାସିକୁ ଆଗେଇ ନେବାର ଦାବି କରିଥିଲେ ମଧ୍ୟ, ଆଜି ପ୍ରଶ୍ନ ଉଠୁଛି—ବିଜୁ ଲିଗାସି କେଉଁଠି? ଏବଂ ଏହାକୁ ନେଇ ଦ୍ୱନ୍ଦ୍ୱ କାହିଁକି?
ବିଜୁ ପରିବାରର ଜନ୍ମ ଓ ଜନତା ଦଳର ବିଚାର
୧୯୯୭ ମସିହାରେ ଯେତେବେଳେ ବିଜୁ ଜନତା ଦଳ (ବିଜେଡି) ଗଠନ ହେଲା, ଏହାର ମୂଳଦୁଆ ଥିଲା ବିଜୁ ବାବୁଙ୍କ ଅଣ-କଂଗ୍ରେସ ଆଦର୍ଶ ଏବଂ ଓଡ଼ିଆ ଜାତୀୟତା। ବିଜୁ ପଟ୍ଟନାୟକ ନିଜ ରାଜନୈତିକ ଜୀବନ କଂଗ୍ରେସରୁ ଆରମ୍ଭ କରିଥିଲେ ମଧ୍ୟ, ପରବର୍ତ୍ତୀ ସମୟରେ ଇନ୍ଦିରା ଗାନ୍ଧୀଙ୍କ ଏକଛତ୍ରବାଦ ବିରୋଧରେ ସ୍ୱର ଉତ୍ତୋଳନ କରି ‘ଉତ୍କଳ କଂଗ୍ରେସ’ ଗଠନ କରିଥିଲେ। ସେ ସବୁବେଳେ ଚାହୁଁଥିଲେ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ଏକ ଶକ୍ତ ଆଞ୍ଚଳିକ ସ୍ୱର। ପାରାଦ୍ୱୀପ ବନ୍ଦରଠାରୁ ଆରମ୍ଭ କରି ଏକ୍ସପ୍ରେସ୍ ହାଇୱେ ପର୍ଯ୍ୟନ୍ତ, ଚୌଦ୍ୱାରର କଳିଙ୍ଗ ଟ୍ୟୁବ୍ଠାରୁ ଆରମ୍ଭ କରି ବଡ଼ବିଲର କଳିଙ୍ଗ ଆଇରନ ୱାର୍କସ ପର୍ଯ୍ୟନ୍ତ ତାଙ୍କର ପ୍ରତ୍ୟେକ ପଦକ୍ଷେପରେ ଓଡ଼ିଆ ଅସ୍ମିତା ପ୍ରତିଫଳିତ ହେଉଥିଲା। କେବଳ ସେତିକି ନୁହେଁ ସେ ରାଜ୍ୟ ପ୍ରଶାସନରେ ଅଣଓଡ଼ିଆ ଅଧିକାରୀଙ୍କୁ ଗୁରୁତ୍ୱ ଦେବା ପରିତବର୍ତ୍ତେ ଓଡ଼ିଆ ଅଧିକାରୀଙ୍କୁ ଗୁରୁତ୍ୱ ଦେଉଥିଲେ।
ବିଜେପି ଓ ବିଜୁ ଲିଗାସି: ଏକ ତର୍କସଂଗତ ପ୍ରଶ୍ନ
ଅନେକେ ବିଜୁ ଲିଗାସିକୁ ବିଜେପି ସହିତ ଯୋଡ଼ିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଇତିହାସ କହେ— ବିଜୁ ପଟ୍ଟନାୟକ କେବେ ବି ଜନସଂଘ ବା ବିଜେପି ଆଦର୍ଶ ସହିତ ଜଡ଼ିତ ନ ଥିଲେ।
କାରଣ ସେ ବ୍ୟକ୍ତିଗତ ଭାବରେ ମହାତ୍ମା ଗାନ୍ଧୀ ଓ ନେହେରୁଙ୍କୁ ନିଜର ଆଦର୍ଶ ପୁରୁଷ ଭାବରେ ଗ୍ରହଣ କରିନେଇଥିଲେ। ତେଣୁ ସେ ବିଜେପିକୁ ଭାଙ୍ଗିବା ପାଇଁ ୧୯୮୮ରେ ରାଜ୍ୟ ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଜନତା ଦଳକୁ ନେଇଯାଇଥିଲେ। ଯାହାଫଳରେ ବିଜେପି ରାଜ୍ୟରେ କେବଳ ସାଇନବୋର୍ଡ ପାର୍ଟିରେ ପରିଣତ ହୋଇଯାଇଥିଲା।
ନବୀନଙ୍କ ଆଗମନ ଓ ‘ବିଜୁ ପରିବାର’ରେ ଫାଟ
ବିଜୁ ବାବୁଙ୍କ ଅବର୍ତ୍ତମାନରେ ତାଙ୍କ ପୁଅ ନବୀନ ପଟ୍ଟନାୟକଙ୍କୁ ରାଜନୀତିକୁ ଅଣାଗଲା। ବିଜୁ ପ୍ରେମୀମାନେ ଭାବିଥିଲେ ଯେ ବିଜୁ ବାବୁଙ୍କ ରକ୍ତ ହିଁ ତାଙ୍କ ଆଦର୍ଶକୁ ଆଗକୁ ନେବ। ମାତ୍ର ସମୟକ୍ରମେ ଦେଖାଗଲା ଯେ, ନବୀନଙ୍କ କାର୍ଯ୍ୟଶୈଳୀ ବିଜୁ ବାବୁଙ୍କ ଶୈଳୀଠାରୁ ସମ୍ପୂର୍ଣ୍ଣ ଭିନ୍ନ।
ଗଣତନ୍ତ୍ର ବନାମ ଏକଛତ୍ରବାଦ:
ବିଜୁ ବାବୁ ଭିନ୍ନମତକୁ ସମ୍ମାନ ଦେଉଥିଲେ। ସେ ଦଳ ଭିତରେ ଏକ ପରିବାର ଗଢ଼ିଥିଲେ, ଯେଉଁଠି ନେତାମାନେ ନିଜର ମତାମତ ରଖିପାରୁଥିଲେ। ତାହାକୁ ବିଜୁ ବାବୁ ଶୁଣି ସମାଧାନର ବାଟ ଖୋଜୁଥିଲେ। ମାତ୍ର ନବୀନଙ୍କ ଶାସନ କାଳରେ ‘ବିଜୁ ପରିବାର’ର ସେହି ମୂଳ ସ୍ତମ୍ଭମାନଙ୍କୁ ପର୍ଯ୍ୟାୟକ୍ରମେ ବିଦା କରାଗଲା।
ନବୀନ ପଟ୍ଟନାୟକ ସମସ୍ତ ଆଚରଣ ଦୃଷ୍ଟିରୁ ବିଜୁ ପଟ୍ଟନାୟକଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ । ତାଙ୍କର ମୁଖ୍ୟମନ୍ତ୍ରୀ ଓ ଦଳର ସଭାପତି ଚଉକି ପ୍ରତି କୌଣସି ଲୋକ ବା ନେତା ବିପଦ ସୃଷ୍ଟି କରୁଥିବାର ସାମାନ୍ୟ ସୂଚନା ମିଳିବା କ୍ଷଣି ଦଳରୁ ତାଙ୍କୁ ବହିଷ୍କାର କରିବା ନବୀନ ପଟ୍ଟନାୟକଙ୍କ ରାଜନୈତିକ ଆଚରଣରେ ପରିଣତ ହେଲା।
ହୁଏତ ବିଜୁ ପଟ୍ଟନାୟକଙ୍କର ପୁଅ ଭାବରେ ତାଙ୍କର ପ୍ରତ୍ୟେକ ଆଚରଣକୁ ବିଜୁ ପ୍ରେମୀ ଜନସାଧାରଣ ସମର୍ଥନ କଲେ। ଯଦିଓ ଏହା ଜଣାଥିଲା ଯେ, ବିଜୁ ପଟ୍ଟନାୟକ ଯେଉଁ ରାଜନୈତିକ ପରିବାର ତାଙ୍କର ଦୀର୍ଘ ୫୦ ବର୍ଷ ରାଜନୈତିକ ଜୀବନରେ ଓଡ଼ିଶାରେ ସୃଷ୍ଟି କରିଥିଲେ, ସେଥିରେ ନବୀନ ପଟ୍ଟନାୟକ ସଦସ୍ୟ ନ ଥିଲେ। କାରଣ ପରିବାରର ସଦସ୍ୟମାନଙ୍କୁ ରାଜନୀତିକୁ ଆଣିବା ସେ କଦାପି ଚାହିଁନଥିଲେ।
କିନ୍ତୁ ନବୀନ ବିଜୁ ଜନତା ଦଳର ସଭାପତି ହେବାପରେ ବିଜୁ ପରିବାର ଚେତନାକୁ ଭାଙ୍ଗିଦେଲେ। ଫଳରେ ବିଜୁ ଲିଗାସି ଦୁର୍ବଳ ହେବାରେ ଲାଗିଲା । ବିଜୁଙ୍କର ବଡ଼କଥା ହେଲା ସେ ସବୁବେଳେ ଓଡ଼ିଆ ଜାତୀୟତାକୁ ପ୍ରାଧାନ୍ୟ ଦେଉଥିଲେ । କିନ୍ତୁ ନବୀନ ପଟ୍ଟନାୟକ ବିଜୁ ଲିଗାସିକୁ ଧୀରେ ଧୀରେ ଖତମ କରି ବିଜୁ ପରିବାରକୁ ଛିନଛତ୍ର କରି ନିଜର ଅନୁଗାମୀମାନଙ୍କୁ ନେଇ ରାଜନୀତି ଚଳାଇଲେ। ଧୀରେ ଧୀରେ ଅଣଓଡ଼ିଆ ଅମଲାମାନେ ବିଜେଡିକୁ କବଳିତ କରିନେଇଛନ୍ତି।
ଅମଲାତନ୍ତ୍ରର ପ୍ରାଧାନ୍ୟ
ବିଜୁ ପଟ୍ଟନାୟକ ସବୁବେଳେ ଅମଲାତନ୍ତ୍ରର ପ୍ରଭାବ ବିରୋଧରେ ଥିଲେ। କିନ୍ତୁ ନବୀନଙ୍କ ସମୟରେ ସମଗ୍ର ଶାସନ ବ୍ୟବସ୍ଥା ଅଫିସରମାନଙ୍କ ହାତକୁ ଚାଲିଗଲା। ବିଜେଡି ଶାସନ କାଳରେ ମନ୍ତ୍ରୀମାନେ ଅଫିସରଙ୍କୁ ଡରି କାମ କରୁଥିଲେ। ମନ୍ତ୍ରୀମାନଙ୍କର କୌଣସି ସ୍ୱାଧୀନତା ନ ଥିଲା। ଯାହା ବିଜୁ ଆଦର୍ଶର ଘୋର ବିରୋଧୀ ଥିଲା।
ସେହି ‘ଜଘନ୍ୟ’ ପରମ୍ପରା: ବିଜୁ ଅନୁଗତଙ୍କୁ ବହିଷ୍କାର
ଓଡ଼ିଶା ରାଜନୀତିର ଇତିହାସରେ ୨୦୦୦ ମସିହାରେ ବିଜୟ ମହାପାତ୍ରଙ୍କ ଟିକେଟ୍ କଟାଯିବା ଘଟଣା ଏକ କଳା ଅଧ୍ୟାୟ ଭାବେ ରହିବ। ଏହା ପରେ ପରେ ଦିଲ୍ଲୀପ ରାୟ, ନଳିନୀକାନ୍ତ ମହାନ୍ତି, ରାମକୃଷ୍ଣ ପଟ୍ଟନାୟକ ଏବଂ ପ୍ୟାରୀମୋହନ ମହାପାତ୍ରଙ୍କ ଭଳି ନେତାଙ୍କୁ ଦଳରୁ ବାହାର କରିବା ପ୍ରମାଣ କଲା ଯେ, ନବୀନ ‘ବିଜୁ ଲିଗାସି’ ଅପେକ୍ଷା ନିଜର ବ୍ୟକ୍ତିଗତ କ୍ଷମତାକୁ ଅଧିକ ଗୁରୁତ୍ୱ ଦେଉଥିଲେ। ଯେଉଁ ନେତାମାନଙ୍କୁ ବିଜୁ ବାବୁ ନିଜେ ଗଢ଼ିଥିଲେ, ସେମାନଙ୍କୁ ‘ମାଷ୍ଟର୍ ଷ୍ଟ୍ରୋକ୍’ ନାମରେ ଦଳରୁ ବହିଷ୍କାର କରାଯିବା ଫଳରେ ବିଜୁ ପରିବାର ଛିନ୍ଛତ୍ର ହୋଇଗଲା।
୨୦୨୪ର ପରିବର୍ତ୍ତନ ଓ ଲିଗାସିର ପୁନରୁଦ୍ଧାର
ବିଜୁ ପଟ୍ଟନାୟକ ୧୯୯୦ରେ ପ୍ରବଳ ଜନସମର୍ଥନ ବଳରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ରାଜ୍ୟସଭା ନିର୍ବାଚନ ପାଇଁ କାହାକୁ ମନୋନୀତ କରାଯିବ ସେଥିପାଇଁ ନିଷ୍ପତି ନେବା ପୂର୍ବରୁ ଦଳର ବରିଷ୍ଠ ନେତାମାନଙ୍କ ସହିତ ଆଲୋଚନା କରୁଥିଲେ। ଏପରିକି ଇଲା ପଣ୍ଡାଙ୍କୁ ଯେତେବେଳେ ରାଜ୍ୟସଭା ପାଇଁ ମନୋନୀତ କରାଗଲା, ସେତେବେଳେ ସେ ତାଙ୍କୁ ପରାମର୍ଶ ଦେଲେ ଯେ, ଦଳର ପ୍ରମୁଖ ଭାଗରେ ଥିବା ନେତା ଯଥା- ବିଜୟ ମହାପାତ୍ର, ଦାମୋଦର ରାଉତ, ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ୧୦ଜଣ ମୁଖ୍ୟ ନେତାମାନଙ୍କୁ ସେ ସାକ୍ଷାତ କରି ସେମାନଙ୍କ ସମର୍ଥନ ଆଣନ୍ତୁ । ଇଲା ପଣ୍ଡା ସେହି ପରାମର୍ଶ ଗ୍ରହଣ କଲାପରେ ସେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ଏହା ଥିଲା ବିଜୁ ପଟ୍ଟନାୟକଙ୍କର ରାଜନୈତିକ ବିଚାର।
କିନ୍ତୁ ନବୀନ ପଟ୍ଟନାୟକ ସେହି ଧାରାକୁ ପୂରା ଭାଙ୍ଗି ଦେଇ ମନମାନୀ ଭାବରେ ଯେତେବେଳେ ଯାହାକୁ ଚାହିଁଲେ ତାଙ୍କର ଦଳପ୍ରତି କୌଣସି ଅବଦାନ ନ ଥିଲେ ମଧ୍ୟ ରାଜ୍ୟସଭାକୁ ମନୋନୀତ କଲେ। ସବୁ ନିଯୁକ୍ତିରେ ଏହି ଢଙ୍ଗ ଏପରି ଚାଲିଲା ଯେ, ସବୁନେତା କେବଳ ସୁପ୍ରିମୋଙ୍କ ଆଶିର୍ବାଦ ପାଇଁ ପ୍ରତିଯୋଗିତା କଲେ। ଏହି ପ୍ରକ୍ରିୟା ହିଁ ଅନ୍ତର ଭିତରୁ ଓ ଆଭ୍ୟନ୍ତରୀଣ ଭାବରେ ବିଜୁ ପରିବାରକୁ ବା ବିଜୁ ଲିଗାସିକୁ ଧ୍ୱଂସ କରିଦେଲା ।
୨୦୨୪ ନିର୍ବାଚନରେ ବିଜୁ ଜନତା ଦଳର ବିପର୍ଯ୍ୟୟ ଏବଂ ଓଡ଼ିଆ ଅସ୍ମିତାର ପ୍ରସଙ୍ଗରେ ବିଜେପିର ବିଜୟ ସ୍ପଷ୍ଟ କରିଛି ଯେ, ଓଡ଼ିଶାର ଲୋକେ କେବଳ ସେନାପତିଙ୍କୁ ନୁହେଁ, ବରଂ ଓଡ଼ିଆ ଜାତୀୟତାକୁ ଖୋଜୁଛନ୍ତି। ନିକଟରେ ରାଜ୍ୟସଭା ନିର୍ବାଚନରେ ବିଜୁ ଲିଗାସିର ପୁରୁଣା ସାରଥୀ ଦିଲ୍ଲୀପ ରାୟଙ୍କୁ ୮ ଜଣ ବିଜେଡି ବିଧାୟକ କ୍ରସଭୋଟିଂ କରି ସମର୍ଥନ କରିବା, ବିଜୁ ପରିବାର ପୁନର୍ଜୀବିତ ହେବାର ଏକ ସଙ୍କେତ।
ଦ୍ୱନ୍ଦ୍ୱର ଅନ୍ତ
ଏପ୍ରିଲ୍ ୧୭, ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସରେ ‘ଓଡ଼ିଶା ନାଗରିକ ମଞ୍ଚ’ ଜରିଆରେ ବିଜୁ ପରିବାରକୁ ଏକଜୁଟ କରିବାର ଯେଉଁ ପ୍ରୟାସ ଆରମ୍ଭ ହୋଇଛି, ତାହା ଓଡ଼ିଆ ସ୍ୱାଭିମାନ ପାଇଁ ଅତ୍ୟନ୍ତ ଜରୁରୀ। ବିଜୁ ଲିଗାସିର ଅର୍ଥ କେବଳ ଏକ ରାଜନୈତିକ ଦଳ ନୁହେଁ, ବରଂ ଓଡ଼ିଆ ସ୍ୱାଭିମାନ ଓ ସମସ୍ତଙ୍କ ମତାମତକୁ ନେଇ ଗଢ଼ାଯାଇଥିବା ଏକ ବ୍ୟବସ୍ଥା। ଏବେ ସମୟ ଆସିଛି, ବିଜୁ ପରିବାରର ବିଚ୍ଛିନ୍ନ ସଦସ୍ୟମାନେ ଏକାଠି ହୋଇ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ କାମ କରିବା, ଯାହା ହିଁ ବିଜୁ ବାବୁଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ।
AlsoRead; https://purvapaksa.com/extensive-railway-incentives-under-pradhan-mantri-gita-shakti/


