କଥାରେ ଅଛି ଲୁହା କଅଁଳ ହେଲେ ବିଲେଇ କାମୁଡ଼େ। ଏ କଥାଟି ଓଡ଼ିଶା ଶାସନ ପାଇଁ ପୂରା ଉପଯୋଗୀ ମନେହେଉଛି। ରାଜ୍ୟ ସରକାର ଭିତରେ ଓ ବାହାରେ ଚାଲିଥିବା ରାଜନୀତିକ ପ୍ରତିଦ୍ୱନ୍ଦ୍ୱିତା ତଥା ଗୋଷ୍ଠୀବିବାଦ, ଲବି ମୁଖ୍ୟମନ୍ତ୍ରୀଙ୍କୁ ଯେ ଦୁର୍ବଳ କରି ଦେଇଛି ତାହା ଆଉ କହିବାର ଆବଶ୍ୟକତା ନାହିଁ। ଆଉ ଏହାର ଫାଇଦା ଖୋଦ ମୁଖ୍ୟ ସଚିବ ବି ପରୋକ୍ଷ ଭାବେ ହାସଲ କରୁଥିବା ଅଭିଯୋଗ ହେଉଛି। ଅବଶ୍ୟ ଏ ବିଷୟଟି ଅତ୍ୟନ୍ତ ଗମ୍ଭୀର। ଗତ କିଛିଦିନ ତଳେ ମୁଖ୍ୟ ସଚିବଙ୍କ ପତ୍ନୀ ତଥା ପୂର୍ବତନ ଆଇଏଏସ୍ ଅଧିକାରୀ ପରାମର୍ଶଦାତା ଥିବା ଏକ ଏନ୍ଜିଓ ଯେଉଁଭଳି ଭାବରେ ସରକାରୀ ପ୍ରକଳ୍ପକୁ ରୂପାୟନ ଲାଗି ଚୁକ୍ତିବଦ୍ଧ ହେଲା ତାହା ଏହି ଅଭିଯୋଗକୁ ସ୍ପଷ୍ଟ କରୁଛି। ଏହା ପ୍ରମାଣିତ କରୁଛି ଯେ, ମୁଖ୍ୟମନ୍ତ୍ରୀ ନିଜ କୁର୍ସି ବଞ୍ଚାଇବାକୁ ସଂଗ୍ରାମ କରୁଥିବାବେଳେ ତାଙ୍କ ବିଶ୍ୱସ୍ତ ଅଧିକାରୀମାନେ ପାରିବାରିକ ଫାଇଦା ପାଇଁ ଲାଗି ପଡ଼ିଛନ୍ତି।
ଓଡ଼ିଶା ସରକାରଙ୍କ ଅଫିସାମାନଙ୍କ ଭିତରେ ଏବେ ନେଣଦେଣ ପ୍ରକ୍ରିୟା ଏବେ ଜୋରଦାର ଚାଲିଛି। କାରଣ ବିଜେପି ସରକାର ଏବେ ସାଂଘାତିକ ଗୃହଯୁଦ୍ଧ ଭଳି ପରିସ୍ଥିତି ଦେଇ ଗତି କରୁଛି। ତେଣୁ ବିଭିନ୍ନ ବିଭାଗର ଅଫିସରମାନେ ଏବେ ମୁଖ୍ୟଶାସନ ସଚିବଙ୍କୁ କୌଣସି ପ୍ରକାରେ ଖୁସି କରାଇ ନିଜ ଆସନ ବଞ୍ଚାଇବା ସହିତ କାରବାର ସୁରକ୍ଷିତ ରଖିବାକୁ ଚେଷ୍ଠାରେ ରହିଛନ୍ତି। ମୋହନ ସରକାରଙ୍କ କ୍ଷେତ୍ରରେ ଏମିତି ଏକ ଅଭିଯୋଗ ଆସିଛି ସାମ୍ନାକୁ । ଅଭିଯୋଗଟି ସାଙ୍ଘାତିକ । ଏହା ସୂଚାଇ ଦେଉଛି ଯେ ଅମଲାତନ୍ତ୍ର କବଳରେ ସରକାର ପଡ଼ିସାରିଛନ୍ତି।
ଗତ କିଛି ମାସ ହେଲା ଏହି ଅମଲାତନ୍ତ୍ର ଯୋଗୁ ଡହଳବିକଳ ହେଉଛନ୍ତି ମୋହନ ସରକାର । ରଥଯାତ୍ରା ବିଭ୍ରାଟ ପରେ ଓଏଏସ୍ ସଂଘର ବେଆଇନ ଆନ୍ଦୋଳନ ସତ୍ତ୍ଵେ ମୁଖ୍ୟ ସଚିବ ଯେଉଁ ଢଙ୍ଗରେ କାର୍ଯ୍ୟ କଲେ, ତାହା ମଧ୍ୟ ଚାରିଆଡ଼ୁ ସମାଲୋଚନାର ବିନ୍ଦୁ ପାଲଟିଛି । କିନ୍ତୁ ଆଜିର ପ୍ରସଙ୍ଗଟି ଭିନ୍ନ।

ଗତ ଫେବ୍ରୁଆରୀରେ ଓଡ଼ିଶା ସରକାର ଦି କନଭର୍ଜେନ୍ ଫାଉଣ୍ଡେସନ (ଟିସିଏଫ୍) ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କଲେ । ରାଜ୍ୟରେ ଚାକିରୀ ସୃଷ୍ଟି ସହିତ ଉତ୍ପାଦକ ରୋଜଗାର ସୁବିଧା ନିମନ୍ତେ ଏହି ବୁଝାମଣାପତ୍ରଟି ସ୍ୱାକ୍ଷରିତ ହୋଇଥିଲା । ଅଧିକ ନିଯୁକ୍ତି ସୃଷ୍ଟି ନିମନ୍ତେ କୌଶଳ ଯୋଗୁ କୃଷି ଉତ୍ପାଦିକତା ବୃଦ୍ଧି ପାଇବ, ଜୀବିକାରେ ଉନ୍ନତି ଘଟିବ ଏବଂ ମହିଳାଙ୍କ ପାଇଁ ନିରନ୍ତର ନିଯୁକ୍ତି ପ୍ରୋତ୍ସାହନ ମିଳିବ।
ଏହି ବୁଝାମଣାପତ୍ର ମୁଖ୍ୟ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ଟିସିଏଫ୍ ସିଇଓ ଆଶିଷ ଧାୱନଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ହୋଇଥିଲା । ମୁଖ୍ୟ ସଚିବ ରାଜ୍ୟର ବିକାଶ ଏବଂ ନିଯୁକ୍ତି ବୃଦ୍ଧି ଦିଗରେ ଟିସିଏଫ୍ ଉପାଦେୟ ସମର୍ଥ ନ ଯୋଗାଇ ଦେବ ବୋଲି ଆଶା ପ୍ରକାଶ କରିଥିଲେ।
ଟିସିଏଫ୍ ଏବଂ ଉଦୈତି ଫାଉଣ୍ଡେସନ ପରସ୍ପର ସହ ଜଡ଼ିତ । ଟିସିଏଫ୍ର ଆଉ ଏକ ଶାଖା ହେଉଛି ଉଦୈତି । ଆଶିଷ ଓ ମନୀଷା ଧାୱନ ଟିସିଏଫ୍ ଫାଉଣ୍ଡର । ଉଦୈତି ଫାଉଣ୍ଡେସନ ମହିଳାଙ୍କ ଆର୍ଥିକ ସଶକ୍ତିକରଣରେ କାର୍ଯ୍ୟ କରୁଛି।
କିନ୍ତୁ ବିବାଦର ବିନ୍ଦୁଟି ହେଲା ଉଦୈତି ପରାମର୍ଶଦାତା ବୋର୍ଡ଼ର ସଦସ୍ୟା ହେଲେ ଆରତୀ ଆହୁଜା। ଆରତୀ ହେଉଛନ୍ତି ଭାରତ ସରକାରଙ୍କ ପୂର୍ବତନ ଶ୍ରମ ଓ ନିଯୁକ୍ତି ସଚିବ। ଆରତୀଙ୍କ ବଡ଼ ପରିଚୟ ହେଲା ସେ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ସହଧର୍ମିଣୀ। ଉଦୈତି ମହିଳା ନିଯୁକ୍ତି ସଶକ୍ତିକରଣ ବ୍ୟାପାରରେ ୩ଟି ରାଜ୍ୟ ସରକାରଙ୍କ ସହିତ କାର୍ଯ୍ୟ କରୁଛି । ମହାରାଷ୍ଟ୍ର, ଓଡ଼ିଶା ଏବଂ ଉତ୍ତରପ୍ରଦେଶ।
ପ୍ରଶ୍ନ ଉଠୁଛି, ରାଜ୍ୟ ମୁଖ୍ୟ ସଚିବଙ୍କ ପତ୍ନୀ ଯେଉଁ ଏନ୍ଜିଓ ସହ ଜଡ଼ିତ ସେହି ଏନ୍ଜିଓ ସହ ଓଡ଼ିଶା ସରକାର ବୁଝାମଣାପତ୍ର ସ୍ୱାକ୍ଷର କରିବା କେତେଦୂର ଯୁକ୍ତିସଂଗତ ? ତୃତୀୟ ପକ୍ଷ ଆଉଟ୍ସିଂକୁ ନେଇ ନିଜେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କ୍ଷୋଭ ପ୍ରକାଶ କରିଛନ୍ତି । ସଂରଚନାତ୍ମକ ଷ୍ଟ୍ରାଟେଜୀ ପାଇଁ କ’ଣ ବିନିମୟରେ ଟିସିଏଫ୍ ସହ ରାଜିନାମା ସାକ୍ଷରିତ ହୋଇଛି ? ଯେଉଁ ସଂସ୍ଥା ସହ ଆରତୀଙ୍କ ସମ୍ପର୍କ ଅଛି ସେହି ସଂସ୍ଥା ସହ ରାଜିନାମା ବିବାଦ ସୃଷ୍ଟି କରିବ ନାହିଁ କି ? ଉଦୈତି ୱେବ୍ସାଇଟ୍ରେ ପରିଷ୍କାର ଉଲ୍ଲେଖ ଅଛି ଯେ ଏହି ସଂସ୍ଥାଟି ଓଡ଼ିଶା ସରକାରଙ୍କ ସହିତ କାର୍ଯ୍ୟ କରୁଛି।
ନୀତି ଓ ନିୟତ ଠିକ ନ ରହିଲେ ବିବାଦ ନିଶ୍ଚୟ ସୃଷ୍ଟି ହେବ । ମନୋଜଙ୍କୁ ନେଇ ମୋହନ ଅଡ଼ୁଆରେ ପଡ଼ିଲେ କେହି ବିସ୍ମିତ ହେବେ ନାହିଁ ।
Also readhttps://purvapaksa.com/3-let-terrorists-behind-pahalgam-attack-killed-in-op-mahadev/
