ବିଧାନସଭା ଚାଲିପାରୁନାହିଁ। ବିରୋଧୀଙ୍କ ହଟ୍ଟଗୋଳରେ ଗୃହ ଅଚଳ ରହୁଛି। ଦିନେ କିମ୍ବା ଦୁଇଦିନ ନୁହେଁ, ଲଗାତର ୯ ଦିନରୁ ଅଧିକ ହେଲାଣି ବିଧାନସଭାରେ ପ୍ରଶ୍ନୋତ୍ତର ଓ ଶୂନ୍ୟକାଳ ସ୍ୱାଭାବିକ ହୋଇପାରୁନି। ମୁଲତବୀ ପ୍ରସ୍ତାବ କେତେବେଳେ କେମିତି ଆଲୋଚନା ହେଉଛି। ତେବେ ବିଧାନସଭା ପରିଚାଳନାର ଦାୟିତ୍ଵ କାହାର ବୋଲି ପ୍ରଶ୍ନ ଉଠୁଛି। ବିଧାନସଭା ବ୍ୟବସ୍ଥା ଅନୁଯାୟୀ ଗୃହର ସୁପରିଚାଳନାରେ ଗୁରୁ ଦାୟିତ୍ଵ ରହିଛି ସରକାରଙ୍କର। ବାଚସ୍ପତି ଯଦିଓ ଗୃହର ସର୍ବମାନ୍ୟ କର୍ତ୍ତା, ତେବେ ଗୃହ ପରିଚାଳନାରେ ସରକାରଙ୍କର ଭୂମିକା ପ୍ରମୁଖ ରହିଥାଏ। ବିଶେଷକରି ସଂସଦୀୟ ବ୍ୟାପାର ବିଭାଗ ହେଉଛି ଏଥିରେ ମୁଖ୍ୟ ଭୂମିକା ନିର୍ବାହକାରୀ। ବିଭାଗର ମନ୍ତ୍ରୀ ଓ ବିଧାନସଭାର ସରକାରୀ ମୁଖ୍ୟ ସଚେତକ ତଥା ଉପମୁଖ୍ୟ ସଚେତକ ଏହି ଦାୟିତ୍ଵ ନିର୍ବାହ କରନ୍ତି।
ନୂଆ ସରକାରରେ ବିଧାନସଭା ବଜେଟ୍ ଅଧିବେଶନ ଅଚଳ ରହୁଥିବାବେଳେ ଏହି ବ୍ୟବସ୍ଥାରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳୁଥିବା ବିଶେଷଜ୍ଞମାନେ କହିଛନ୍ତି । କାରଣ ଗୃହ ପରିଚାଳନା କ୍ଷେତ୍ରରେ ଯେଉଁମାନଙ୍କର ପ୍ରମୁଖ ଭୂମିକା ରହିଛି, ସେମାନେ ସେତେ ସକ୍ରିୟ ନାହାନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ, ସରକାରୀ ମୁଖ୍ୟ ସଚେତକ ଓ ସରକାରୀ ଉପମୁଖ୍ୟ ସଚେତକ, ଏ ତିନିଜଣଙ୍କର ସକ୍ରିୟତା ଦେଖିବାକୁ ମିଳୁନାହିଁ। ସ୍ୱାଭାବିକ ଭାବରେ ପ୍ରଶ୍ନ ଉଠୁଛି ସେମାନେ ଗଲେ କୁଆଡ଼େ? ମନ୍ତ୍ରୀ ବିଧାନସଭାରେ ଉପସ୍ଥିତ ରହୁଛନ୍ତି, କିନ୍ତୁ ଗୃହ ପରିଚାଳନା କସରତରେ ପ୍ରଭାବୀ ହେଉନାହାନ୍ତି।
ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତଦାରଖରେ ହିଁ ବିଧାନସଭା ସୁଚାରୁରୂପେ ଚାଲିଥାଏ। ସରକାର ଓ ବିରୋଧୀଙ୍କ ମଧ୍ୟରେ ତାଙ୍କୁ ସବୁବେଳେ ସମନ୍ଵୟ ରକ୍ଷା କରିବାକୁ ହୁଏ। ବିରୋଧୀ ହଟ୍ଟଗୋଳ କରି ଗୃହ ଅଚଳ କରନ୍ତି ଓ ସରକାରଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ସେମାନଙ୍କ ସହିତ ଆଲୋଚନା ଓ ବୁଝାମଣା କରି ଗୃହ ସଚଳ କରିବାର ପ୍ରକ୍ରିୟାକୁ ସୁଗମ କରିଥାନ୍ତି। ଏଥିରେ ମନ୍ତ୍ରୀଙ୍କୁ ସରକାରୀ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ସହଯୋଗ କରନ୍ତି।
ସରକାରୀ ମୁଖ୍ୟ ସଚେତକ ଏବଂ ଉପମୁଖ୍ୟ ସଚେତକଙ୍କ ଭଳି ବିରୋଧଦଳରେ ମଧ୍ୟ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ଏହି ସମନ୍ୱୟ କାର୍ଯ୍ୟକୁ ଆଗକୁ ନେବାକୁ ଅଛନ୍ତି। ଅର୍ଥାତ ସଂସଦୀୟ ବ୍ୟାପାର ମନ୍ତ୍ରୀ ଯେତେବେଳେ ବିରୋଧଦଳର ନେତା ବା ଉପନେତାଙ୍କ ପାଖରେ ପହଞ୍ଚି ଗୃହ ସଚଳ କରିବାର ପ୍ରୟାସ କରିଥାନ୍ତି, ସେତେବେଳେ ଉଭୟପକ୍ଷର ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ନିଜ ଭିତରେ ସମନ୍ୱୟ ରଖି ସେହି ପ୍ରୟାସକୁ ଆଗକୁ ନିଅନ୍ତି। ନୂଆ ସରକାରର ବିଧାନସଭା ପରିଚାଳନାରେ ଏସବୁ କିଛି ଦେଖିବାକୁ ମିଳୁନାହିଁ ।
ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବରେ ଅନୁଭବୀ ଦୁଇଥରର ବିଧାୟକ ଡ. ମୁକେଶ ମହାଲିଙ୍ଗ ଅଛନ୍ତି। ସରକାରୀ ମୁଖ୍ୟ ସଚେତକ ପଦବୀରେ ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ରହିଥିବାବେଳେ ଉପମୁଖ୍ୟ ସଚେତକ ପଦବୀରେ ରେମୁଣା ବିଧାୟକ ଗୋବିନ୍ଦ ଦାସ ଅଛନ୍ତି। ବର୍ତ୍ତମାନର ସମୟରେ ସେହି ତିନିଜଣ ହିଁ ପ୍ରମୁଖ ଭାଗରେ ରହିବା କଥା। ବ୍ୟତିକ୍ରମ ଏପରି ଯେ ସୋମବାର ବିଧାନସଭା ପରିଚାଳନା ସମ୍ପର୍କିତ ସରକାରଙ୍କର ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିବାବେଳେ ଏ ତିନିଜଣଙ୍କର ଅନୁପସ୍ଥିତି ରାଜନୈତିକ ବିଶ୍ଳେଷକଙ୍କୁ ଆଶ୍ଚର୍ଯ୍ୟ କରିଛି ।
ବିରୋଧୀଙ୍କ ହଟ୍ଟଗୋଳରେ ବିଧାନସଭା ଅଚଳ ରହୁଥିବାବେଳେ ଜବାବ ଦେବାକୁ ବିଧାନସଭା ପରିସର ସମ୍ମିଳନୀ କକ୍ଷରେ ସରକାରଙ୍କ ପକ୍ଷରୁ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ୪ ଜଣ ମନ୍ତ୍ରୀ ଓ ଜଣେ ବିଧାୟକ ଉପସ୍ଥିତ ଥିଲେ। ସେମାନେ ହେଲେ- ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ବମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ମଧ୍ୟ ଉପସ୍ଥିତ ରହିଥିଲେ। କିନ୍ତୁ ମୁକେଶ ମହାଲିଙ୍ଗ, ସରୋଜ ପ୍ରଧାନ କିମ୍ବା ଗୋବିନ୍ଦ ଦାସ ନ ଥିଲେ।
ହଟ୍ଟଗୋଳରେ ଦୁଇ ବିରୋଧୀ ରହୁଛନ୍ତି। ବଡ଼ ବିରୋଧୀଦଳ ବିଜେଡି ଅପେକ୍ଷା ସାନ ବିରୋଧଦଳ କଂଗ୍ରେସ ଅଧିକ ଦିନ ଅଚଳ କରୁଛି । ନାରୀ ନିର୍ଯାତନା ଭଳି ଗୋଟିଏ ପ୍ରସଙ୍ଗକୁ ଧରି କଂଗ୍ରେସ ତା’ର ବିରୋଧ ଜାରି ରଖିଥିବାବେଳେ ବିଭିନ୍ନ ପ୍ରସଙ୍ଗରେ ବିଜେଡି ଗୃହର ମଧ୍ୟଭାଗକୁ ଓହ୍ଲାଇ ସରକାରଙ୍କୁ ଅଡୁଆରେ ପକାଉଛି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ବାଚସ୍ପତି ଏବଂ ଉପବାଚସ୍ପତିଙ୍କୁ ଛାଡ଼ିଦେଲେ ସରକାରଙ୍କ ପକ୍ଷରୁ ବିରୋଧୀଙ୍କୁ ବୁଝାଇ ବିଧାନସଭା ସଚଳ କରିବାର ଆଦୃଶିଆ ପ୍ରୟାସ ଦେଖାଯାଉନାହିଁ। ସମନ୍ବୟର ଅଭାବ ହିଁ ବିଧାନସଭାରେ ଅଚଳାବସ୍ଥାର ଯେମିତି ମୁଖ୍ୟ କାରଣ ହୋଇଯାଇଛି । ପ୍ରଶ୍ନ ଉଠୁଛି ବିଧାନସଭା ପରିଚାଳନାର ଦାୟିତ୍ୱ ପ୍ରକୃତରେ କାହାର?
ଅତୀତରେ ସବୁ ସମୟରେ ବିଧାନସଭା ଗୃହ ଭିତରେ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନ ଲାଗି ସଂସଦୀୟ ବ୍ୟାପାର ମନ୍ତ୍ରୀ, ସରକାରୀ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ସବୁ ପ୍ରକାର ନିଷ୍ପତ୍ତି ନେଇଥାନ୍ତି। କେବଳ ଗୃହର ନେତା ବା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ସେମାନେ ଏହି ନିଷ୍ପତ୍ତି ନିଅନ୍ତି ଓ ବାଚସ୍ପତିଙ୍କୁ ଗୃହ ପରିଚାଳନାରେ ପ୍ରମୁଖ ଭାବରେ ସକ୍ରିୟତାର ସହିତ ସହଯୋଗ କରନ୍ତି। ଏଥର ତାହା ଦେଖିବାକୁ ମିଳୁନାହିଁ। ଫଳରେ ସରକାର ଓ ବିରୋଧୀଙ୍କ ମଧ୍ୟରେ ବିଧାନସଭା ଭିତରେ ଦୂରତ୍ବ ବଢୁଛି। ଫଳତଃ ଗୃହ କାର୍ଯ୍ୟକ୍ରମ ସମ୍ପାଦନ ଠିକରେ ହୋଇପାରୁନି।
Also readhttps://purvapaksa.com/chief-minister-mohan-charan-majhi-mislead-by-officers/