ଅନେକ ମାସ ହୋଇଗଲାଣି ରାଜ୍ୟ ସରକାରଙ୍କ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଭାବ ରହିଛି କି ନା ତାହା ଜଣାପଡ଼ୁନାହିଁ। ମନ୍ତ୍ରୀମାନେ ଯେମିତି କିଛି ଭିଟୋ ପାଓ୍ୱାରରେ ନିଜକୁ କ୍ଷମତାପନ୍ନ କରିଥିବା ଅନୁଭବ ହେଉଛି। ଏଥିଯୋଗୁ କେବଳ ବଡ଼ ଘୋଷଣା ସିନା ଦେଖିବାକୁ ମିଳୁଛି କିନ୍ତୁ କାର୍ଯ୍ୟ ଘର ଗଲା ୧ ବର୍ଷ ଭିତରେ ଦେଖିଲା ଭଳି ପଦାକୁ ଆସିପାରୁନାହିଁ। ଖାଲି ଟଙ୍କା ବାଣ୍ଟିବା ଏବଂ ଅଧିକାରୀଙ୍କ ଅଦଳବଦଳ ଭିତରେ ସୀମିତ ରହୁଛି ସରକାରୀ କାର୍ଯ୍ୟ। ତେବେ କେନ୍ଦ୍ର ନେତୃତ୍ୱଙ୍କ ପସନ୍ଦରେ ନେତା ହୋଇଥିବା ମୋହନ ମାଝୀ ଓ ସଂଗଠନ ବିରୋଧରେ କିଏ ହୋଇଛି ପ୍ରତିବନ୍ଧକ? ଏହାଙ୍କ ପ୍ରତିଚ୍ଛବି କ’ଣ ଲୋକଙ୍କ ମୁଖ୍ୟମନ୍ତ୍ରୀଠାରୁ ଅଧିକ ବଡ଼?
ଗଲା କିଛିଦିନ ହେଲା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜନୀତିକ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ତା’ ଭିତରେ ଆଉ ଗୋଟିଏ ପ୍ରସଙ୍ଗ ଚର୍ଚ୍ଚିତ ହେଉଛି ତାହା ହେଲା ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ। ନିଗମ ଏବଂ ବୋର୍ଡ଼ଗୁଡ଼ିକରେ ଅଧ୍ୟକ୍ଷ ନିଯୁକ୍ତି। ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି ଏ ନେଇ ବାରମ୍ବାର କେନ୍ଦ୍ର ନେତାମାନଙ୍କୁ ଭେଟୁଛନ୍ତି, ଆଲୋଚନା କରୁଛନ୍ତି କିନ୍ତୁ କିଛି ଫଳ ଫଳିପାରୁ ନାହିଁ। କେଉଁଠି ନା କେଉଁଠି ପ୍ରତିବନ୍ଧକ ସାମ୍ନାକୁ ଆସୁଛି।
କେତେବେଳେ କୁହାଯାଉଛି ରାଜ୍ୟ ନେତୃତ୍ୱ କେନ୍ଦ୍ର ନେତାଙ୍କ ମୋହରକୁ ଅପେକ୍ଷା କରୁଛନ୍ତି ତ ଆଉ କେତେବେଳେ କୁହାଯାଉଛି ରାଜ୍ୟରେ ତାଲିକା ପ୍ରସ୍ତୁତି ହୋଇପାରିନାହିଁ। ଏହାର ଅର୍ଥ ୧୪ ମାସ ଭିତରେ ରାଜ୍ୟ ସରକାର ଓ ବିଜେପିର ରାଜ୍ୟ ନେତୃତ୍ୱ ସେହି ୬ ଜଣ ବିଧାୟକଙ୍କୁ ପାଇପାରୁ ନାହାନ୍ତି ଯେଉଁମାନେ ଆସନ୍ତା ସମୟରେ ମନ୍ତ୍ରୀ ହେବା ପାଇଁ ଯୋଗ୍ୟ। ବା ଏତେବଡ଼ ସଂଗଠନରୁ ୯ ଜଣ ଗୁରୁତ୍ୱପୂର୍ଣ୍ଣ ନେତାଙ୍କୁ ଖୋଜିପାରୁ ନାହାନ୍ତି ଯେଉଁମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ବୋର୍ଡ ଏବଂ ନିଗମରେ ଅଧ୍ୟକ୍ଷ ହେବାକୁ ଯୋଗ୍ୟ?
ଏ ପ୍ରଶ୍ନର ଉତ୍ତରରେ ଯେଉଁ ଅଭିଯୋଗ ଆସୁଛି ତାହା ରାଜ୍ୟରେ ବିଜେପି ନେତାଙ୍କ ସଙ୍କଟକୁ ଦର୍ଶାଉଛି ତାହା ନୁହେଁ, ବରଂ ନେତାଙ୍କ ଭିତରେ ଥିବା ବାଦ-ବିବାଦ, କ୍ଷମତା ଲୋଭ, ଲବି ଓ ପ୍ରଭାବ ପ୍ରଭୃତିକୁ ଏହି ସଙ୍କଟ ଇଙ୍ଗିତ କରୁଛି। ଆଉ ଏ ପଛରେ ଯଦି ନିରିଖେଇ ଅନୁଧ୍ୟାନ କରାଯାଏ ତେବେ ସଙ୍କଟ ପଛରେ ରହିଛି ଏକ ବଡ଼ ରହସ୍ୟ ଓ ଲବି ତାହା ହେଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଶକ୍ତ ଲବି ବା ପ୍ରଭାବ ଆପଣ ଯାହା କହିଲେ ବି ଭୁଲ୍ ହେବ ନାହିଁ।
ପ୍ରଶ୍ନ ଉଠୁଛି କେନ୍ଦ୍ରରେ ଅନେକ ବର୍ଷ ହେଲା ଓଡ଼ିଶାର ପରିଚୟ ହୋଇଥିବା ଏହି ବରିଷ୍ଠ ନେତା ରାଜ୍ୟରେ ତାଙ୍କ ଦଳର ସରକାରୀ କାର୍ଯ୍ୟକ୍ରମରେ ପ୍ରତିବନ୍ଧକ କାହିଁକି ସାଜୁଛନ୍ତି। ଯେଉଁ ଚର୍ଚ୍ଚାସବୁ ଚାଲିଛି ତାହାରି ଆଧାରରେ ୫ଟି ବନ୍ଦୁ ଆପଣଙ୍କ ଆଗରେ ଆଜି ରଖୁଛି।
ପ୍ରଥମ ହେଉଛି ଗୋଷ୍ଠୀବିବାଦ। ଅଭିଯୋଗ ଅନୁସାରେ କେନ୍ଦ୍ର ମନ୍ତ୍ରୀ ତଥା ଓଡ଼ିଶା ବିଜେପିର ପ୍ରମୁଖ ନେତା ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସଙ୍ଗଠନ ଉପରେ ଅଧିକ ନିୟନ୍ତ୍ରଣ ରଖିବାକୁ ଚାହୁଁଛନ୍ତି। ଯଦିଓ ପଦପଦବୀ ଓ ପାହ୍ୟା ଅନୁସାରେ ତାଙ୍କର କୌଣସି କ୍ଷମତା ରାଜ୍ୟ ସଂଗଠନ ଉପରେ ନାହିଁ କିନ୍ତୁ ପୂର୍ବରୁ ସେ ଯେଉଁ ସଂଗଠନ ତିଆରି କରିଛନ୍ତି ତାହାର ବିକଳ୍ପ ଏଯାଏ ରାଜ୍ୟ ନେତୃତ୍ୱ ସୃଷ୍ଟି କରିପାରି ନାହାନ୍ତି।
ପୂର୍ବରୁ ପ୍ରାର୍ଥୀ ଚୟନ ଓ ରଣନୀତିକ ନିଷ୍ପତ୍ତିରେ ତାଙ୍କର ପ୍ରଭାବ ରହିଥିଲା। ଏବେ ବି ତାହା ଜାରି ରହିଥିବା କୁହାଯାଉଛି। ବରିଷ୍ଠ ନେତାମାନଙ୍କୁ ପଛରେ ପକାଇ ସେ ନିଜ ଅନୁଗାମୀଙ୍କୁ ଅଭିଜ୍ଞତା ନ ଥାଇ ମଧ୍ୟ ବିଭିନ୍ନ ପଦପଦବୀରେ ଥଇଥାନ କରିବାକୁ ଚାହୁଁଥିବା ଅଭିଯୋଗ ହୋଇଛି। ସେଥିଲାଗି ସେ ବାରମ୍ବାର ରାଜ୍ୟ ଗସ୍ତରେ ଆସୁଛନ୍ତି ଏବଂ ଦିଲ୍ଲୀରେ ଥିବା ସମୟରେ ମଧ୍ୟ ନିଜ ସମର୍ଥକମାନଙ୍କୁ ଭେଟି କେନ୍ଦ୍ରୀୟ ନେତାଙ୍କ ଉପରେ ପରୋକ୍ଷ ଚାପ ପକାଉଛନ୍ତି।ତାଙ୍କର ଏହି କାର୍ଯ୍ୟକଳାପରେ ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା ଓ ମନମୋହନ ସାମଲଙ୍କ ପରି ନେତାମାନେ, ଯେଉଁମାନେ ରାଜ୍ୟ ନେତୃତ୍ୱରେ ନିଜର ସ୍ଥାନ ଚାହୁଁଛନ୍ତି, ସେମାନେ ଅଣଦେଖା ଅନୁଭବ କରୁଥିବା ନେଇ ଚର୍ଚ୍ଚା ହେଉଛି।
ଦ୍ୱିତୀୟ ଅଭିଯୋଗଟି ହେଉଛି ନେତୃତ୍ୱ ଚୟନରେ ପକ୍ଷପାତ। କୁହାଯାଏ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ପାଇଁ ଶ୍ରୀ ପ୍ରଧାନ ନିଜର ବଳିଷ୍ଠ ପ୍ରଭାବକୁ ଦର୍ଶାଇବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କ ବିରୋଧରେ ଥିବା ଅନ୍ୟ ନେତାମାନଙ୍କ ରାୟ ତାଙ୍କୁ ରାଜ୍ୟକୁ ଫେରିବାକୁ ଦେଇନଥିଲା। ଏଣୁ ସେ ବଡ଼ ଖପ୍ପା ରହିଛନ୍ତି। ଖାଲି ସେତିକି ନୁହେଁ ରାଜ୍ୟର ସଂଗଠନ ଓ ସରକାରଙ୍କୁ ନିଜ ଇଙ୍ଗିତରେ ପରିଚାଳନା କରିବାକୁ ଚାହୁଁଛନ୍ତି। ସେଥିଲାଗି ଦଳରେ ଚାପା ଅସନ୍ତୋଷ ସୃଷ୍ଟି ହୋଇଛି।
ତୃତୀୟରେ ପ୍ରମୁଖ ନେତାମାନଙ୍କ ଇସ୍ତଫା। ଦଳ ଯେ ଏଥର ନିର୍ବାଚନରେ ପ୍ରବଳ ଜନମତ ହାସଲ କରି କ୍ଷମତା ପାଇବ ତାହାକୁ କେହି ସ୍ୱପ୍ନରେ ବି ଭାବି ନ ଥିଲେ। ଏପରିକି ଦଳ ଭିତରେ ଯେମିତି ନିଜ ଅନୁସରଣକାରୀଙ୍କୁ ଧର୍ମେନ୍ଦ୍ର ବିଭିନ୍ନ ପଦପଦବୀ ଦେଉଥିଲେ, କ୍ଷମତା ପ୍ରଦାନ କରୁଥିଲେ ସେଥିରେ ଅନେକ ନେତା ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଥିଲେ। ଓଡ଼ିଶା ବିଜେପିର ଉପାଧ୍ୟକ୍ଷ ରାଜ କିଶୋର ଦାସଙ୍କ ଇସ୍ତଫା ଏକ ଉଲ୍ଲେଖନୀୟ ଘଟଣା, ଯେଉଁଥିରେ ସେ ପ୍ରଧାନଙ୍କ ଉପରେ ଅନ୍ୟ ନେତାମାନଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବା ଅଭିଯୋଗ ଆଣିଥିଲେ। ଦାସଙ୍କ ପ୍ରସ୍ଥାନ ପ୍ରଧାନଙ୍କ ରାଜ୍ୟ ରାଜନୀତିରେ ପ୍ରାଧାନ୍ୟ ପ୍ରତି ବ୍ୟାପକ ଅସନ୍ତୋଷକୁ ପ୍ରତିଫଳିତ କରେ।
ଚତୁର୍ଥରେ ପୋଷ୍ଟର ବିବାଦ। ୨୦୨୫ ଜାନୁଆରୀରେ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ଉତ୍ସବ ସମୟରେ, ଶ୍ରୀ ପ୍ରଧାନଙ୍କ ସହ ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା ଓ ମନମୋହନ ସାମଲଙ୍କ ଫଟୋ ଥିବା ପୋଷ୍ଟରଗୁଡ଼ିକ ରାତାରାତି ହଟାଇ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମାଝୀଙ୍କ ଫଟୋ ଥିବା ପୋଷ୍ଟର ଦ୍ୱାରା ପ୍ରତିସ୍ଥାପିତ ହୋଇଥିଲା। ଏହାକୁ କେନ୍ଦ୍ରୀୟ ନେତୃତ୍ୱର ଏକ ସଙ୍କେତ ଭାବେ ବ୍ୟାଖ୍ୟା କରାଯାଇଥିଲା, ଯାହା ଶ୍ରୀ ପ୍ରଧାନ ସମେତ ଅନ୍ୟ ନେତାମାନଙ୍କର ଉଚ୍ଚାକାଙ୍କ୍ଷାକୁ ନିୟନ୍ତ୍ରଣ କରିବା ପାଇଁ ଥିଲା, ଯାହା ଅଭ୍ୟନ୍ତରୀଣ ପ୍ରତିଦ୍ୱନ୍ଦ୍ୱିତା ଓ ଅସନ୍ତୋଷକୁ ଆହୁରି ବଢ଼ାଇଥିଲା।
ପଞ୍ଚମ କାରଣ ହେଉଛି ନିର୍ବାଚନୀ ରେକର୍ଡ ଓ ପ୍ରାସଙ୍ଗିକତା। କେତେକ ବିଶ୍ଲେଷକଙ୍କ ମତରେ, ୨୦୨୪ରେ ପ୍ରଧାନଙ୍କ ସମ୍ବଲପୁର ଲୋକସଭା ଜୟ ମୋଦୀଙ୍କ ଜନପ୍ରିୟତା ଯୋଗୁଁ ଅଧିକ ହୋଇଥିଲା, ତାଙ୍କ ନିଜସ୍ୱ ଜନସମର୍ଥନ ଅପେକ୍ଷା। ଏହି ଧାରଣା ଦଳ ଭିତରେ ଏକ ସମାଲୋଚନା ସୃଷ୍ଟି କରିଛି ଯେ ଓଡ଼ିଶାରେ ପ୍ରଧାନଙ୍କ ପ୍ରଭାବ ଅତିରଞ୍ଜିତ, ଯାହା ନିଜକୁ ଅଧିକ ଜନସମର୍ଥନ ଥିବା ନେତାମାନଙ୍କ ସହ ବିବାଦ ସୃଷ୍ଟି କରିଛି।
ସଂକ୍ଷେପରେ, କହିବାକୁ ଗଲେ, ଅସନ୍ତୋଷର ମୂଳ କାରଣ ହେଉଛି ଓଡ଼ିଶା ବିଜେପି ସଙ୍ଗଠନରେ ପ୍ରଧାନଙ୍କର ଅଯାଚିତ ପ୍ରଭାବ, ଯାହା ଅନ୍ୟ ନେତାମାନଙ୍କୁ ଅଣଦେଖା କରିଥିବା ଭାବନା ସୃଷ୍ଟି କରିଛି। ଏହାସହ ଅଭ୍ୟନ୍ତରୀଣ ଗୋଷ୍ଠୀବାଜୀ ଏହି ଅସନ୍ତୋଷକୁ ଆହୁରି ବଢ଼ାଇଛି।
ତେବେ ପ୍ରଶ୍ନ ଉଠେ, ସରକାରରେ ଥାଇ ମଧ୍ୟ ମୋହନ ମାଝୀଙ୍କ ନେତୃତ୍ୱ ଏବଂ ସଭାପତି ଥିବା ମନମୋହନ ସାମଲଙ୍କ ଅଭିଜ୍ଞତା କାହିଁକି ଏହି ଗୋଷ୍ଠୀବାଜୀ ଓ ପ୍ରଭାବକୁ ହ୍ରାସ କରିପାରୁନାହିଁ? ଏହାର ପଛରେ ଦୃଢ଼ ନେତୃତ୍ୱର ଅଭାବ ଏବଂ ନିଜ ଭିତରେ ଆତ୍ମ ବିଶ୍ୱାସର ଘୋର ଅଭାବକୁ ଦାୟୀ କରାଯାଇପାରେ। ପୁଣି ଗତ ୧୪ ମାସ ଭିତରେ ସରକାର ସେମିତି କୌଣସି ଆଖିଦୃଶିଆ ଯୋଜନାକୁ ରୂପାୟନ କରି ନାହାନ୍ତି ଯାହା ମୁଖ୍ୟମନ୍ତ୍ରୀଙ୍କ ପ୍ରତିଚ୍ଛବିକୁ ବଳିଷ୍ଠ କରିଛି। କେବଳ ଟଙ୍କା ବାଣ୍ଟିବା ଏବଂ ଫମ୍ପା ଘୋଷଣା ହେତୁ ସରକାରଙ୍କ ଉପରେ ବି ନେତାଙ୍କ ଆସ୍ଥା ରହୁ ନାହିଁ। ଏଣୁ ବରିଷ୍ଠ ନେତାମାନେ ସରକାରୀ ପକ୍ଷଭୁକ୍ତ ହେବାକୁ ବି ସାହସ ଜୁଟାଇପାରୁ ନାହିଁ।
ଆସନ୍ତୁ ନଜର ପକାଇବା ସରକାରଙ୍କ ଏମିତି କିଛି ଘୋଷଣା ଓ ଯୋଜନା ଯାହା ଲୋକ ହିତରେ ପ୍ରଣୟନ କରାଯାଇଛି।
ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ସୁଭଦ୍ରା ଯୋଜନାରେ ୫ ବର୍ଷରେ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ। ଏପର୍ଯ୍ୟନ୍ତ ୧ କୋଟିରୁ ଅଧିକ ମହିଳା ଏହି ଯୋଜନାରେ ଉପକୃତ ହୋଇଛନ୍ତି। ନିକଟରେ ଅଗଷ୍ଟ ୯ ତାରିଖରେ ଏହି ଯୋଜନାର ତୃତୀୟ କିସ୍ତି ଲୋକଙ୍କ ପାଖରେ ପହଞ୍ଚିଛି। ଏହା ପୂର୍ବ ବିଜେଡି ସରକାରର ମିଶନ ଶକ୍ତି ସଂଗଠନ ବିରୋଧରେ ଏକ ସଫଳ ଉଦ୍ୟମ କିନ୍ତୁ ଏହା ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିରେ କୌଣସି ପରିବର୍ତ୍ତନ ଆଣିପାରିନାହିଁ।
ସେହିଭଳି ଚାଷୀଙ୍କ ପାଇଁ ଧାନ କିଣା ସମୟରେ ଅଧିକ ବୋନସ ପ୍ରଦାନ ବି ଏକ ଟଙ୍କା ବଣ୍ଟା କର୍ଯ୍ୟକ୍ରମ। ଏହି ଯୋଜନାରେ ଚାଷୀମାନଙ୍କୁ ଧାନର କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ବୋନସ ସହିତ ମୋଟ ୩,୧୦୦ ଟଙ୍କା ପ୍ରଦାନ କରାଯାଉଛି। ହେଲେ ରାଜ୍ୟରେ ଚାଷୀମାନଙ୍କ ପାଖରେ ଧାନ ପଡ଼ି ରହିବ, ଏଫ୍ସିଆଇ ଅଧିକ ଧାନ ନ କିଣିବା ଆଦି ପ୍ରସଙ୍ଗ ଏବେ ସରକାରଙ୍କ ଏହି ପ୍ରୋତ୍ସାହନର ବିରୋଧରେ ଏକ ସମାନ୍ତରାଳ ସମସ୍ୟା ସୃଷ୍ଟି କରିଛି।
ଶ୍ରୀଜଗନ୍ନାଥ ମନ୍ଦିର ପାଇଁ କର୍ପସ ପାଣ୍ଠି ଗଠନ ମଧ୍ୟ ସରକାରୀ ଅର୍ଥ ବଣ୍ଟନର ଆଉ ଏକ ଉଦାହରଣ।
ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ମୋହନ ସରକାର ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଘୋଷଣା କରିଛନ୍ତି। ହେଲେ ଏଯାଏ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ, ରତ୍ନ ଭଣ୍ଡାର ଗଣତି ମଣତି ଶେଷ ହୋଇପାରିନାହିଁ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଗୋଟିଏ ପଥର ନୂଆ ସଂଯୋଗ କରିପାରି ନାହାନ୍ତି ମୋହନ ସରକାର। ବାରମ୍ବାର ଜିଲ୍ଲାପାଳ ଏସ୍ପି ପରିବର୍ତ୍ତନ ବ୍ୟତିରକେ କୌଣସି କାର୍ଯ୍ୟକୁ ଗ୍ରହଣ କରିପାରିନାହାନ୍ତି ସରକାର।
୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷରେ ମୋଟ ୩୫ଟି ନୂଆ ଯୋଜନା ଓ କାର୍ଯ୍ୟକ୍ରମ ଘୋଷଣା କରାଯାଇଥିଲା। ଯେଉଁଥିରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ, ଅନ୍ତୋଦୟ ଗୃହ ଯୋଜନା, ଓ ସମୃଦ୍ଧ ସହର ଯୋଜନା ଅନ୍ତର୍ଭୁକ୍ତ ରହିଛି। ଏହି ଯୋଜନାକୁ କିନ୍ତୁ ଆଖିଦୃଶିଆ ପ୍ରଚାର କରାଯାଇପାରିନାହିଁ। ମନ୍ତ୍ରୀମାନେ ନିଜ ନିଜ ପ୍ରଚାରରେ ରହିଥିବାରୁ ସରକାରଙ୍କ ପ୍ରଚାରକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ଫଳରେ କେନ୍ଦ୍ରୀଭୂତ ଭାବେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଚ୍ଛବି ପ୍ରତି ଧ୍ୟାନ ଦେଉ ନାହାନ୍ତି ନେତାଏ।
ଖାଲି ପଡ଼ିଥିବା ସରକାରୀ ପଦବୀରେ ନିଯୁକ୍ତି ମଧ୍ୟ ସରକାରଙ୍କ ଆଗରେ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ପ୍ରଥମ ବର୍ଷରେ ୨୮,୦୦୦ ସରକାରୀ ଚାକିରି ପ୍ରଦାନ କରାଯାଇଥିବା ସରକାର କହିଛନ୍ତି। ଦ୍ୱିତୀୟ ବର୍ଷରେ ୪୦,୦୦୦ ଚାକିରି ଦେବାର ଲକ୍ଷ୍ୟ ରଖିଛନ୍ତି। ହେଲେ ଯେଉଁଭଳି ଭାବେ ପରୀକ୍ଷାରେ ନକଲ ଏବଂ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳୁଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନ। ଠିକ୍ ସେହିଭଳି ଓଡ଼ିଶାକୁ ଭାରତର ଶ୍ରେଷ୍ଠ ନିବେଶ କ୍ଷେତ୍ର କରିବାର ସଂକଳ୍ପ ରୂପେ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ମାଧ୍ୟମରେ ୧୬.୭୩ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ସଂଗ୍ରହ କରାଯାଇଛି। ହେଲେ କେଉଁ ଶିଳ୍ପ କେବେ ରାଜ୍ୟରେ ସ୍ଥାପନ ହେବ ତାହା ସନ୍ଦେହ ଭିତରେ ରହିଛି।
ଜନଶୁଣାଣୀ ଏକ ଡ୍ରାମା ସାଜିଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରତି ସୋମବାର ସ୍ଥିର ହେଉଥିଲେ ମଧ୍ୟ ଏହା ଅନେକ ସମୟରେ ବନ୍ଦ ରହୁଛି। ଫଳରେ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ଜାଣିଶୁଣି ଦଳ ଓ କଳ ହ୍ରାସ କରିବାରେ ଲାଗି ପଡ଼ିଥିବା ଚର୍ଚ୍ଚା ହେଉଛି। ଆଉ ଏ ସବୁ ଚର୍ଚ୍ଚା ପଛରେ ରହିଛି ଗୋଷ୍ଠୀବାଦ। ଯାହାକୁ କେନ୍ଦ୍ରମନ୍ତ୍ରୀ ଉତ୍ସାହିତ କରି ସରକାରଙ୍କୁ ଲଜ୍ଜିତ କରିବାକୁ ଚାହୁଁଥିବା ଅଭିଯୋଗ ହୋଇଛି। ଏହା ଚାଲିଲେ ଆଗକୁ ବିଜେପି ସରକାର କେବଳ ବିରୋଧୀ ଦଳ ଆସନ ପାଇଁ ହିଁ ଯୋଗ୍ୟ ହେବ ବୋଲି ଏବେଠାରୁ ଆଲୋଚନା ହେଲାଣି।
Also readhttps://purvapaksa.com/power-hungry-or-biswa-guru/
Power hungry or Biswa Guru ? II ମୋଦୀଙ୍କ ଉପରେ ମୋହନ ଛାଟ: କ୍ଷମତା ଲୋଭୀ ନା ବିଶ୍ୱଗୁରୁ
