ଓଡ଼ିଶାର ମାଟି, ପାଣି ଏବଂ ପବନରେ ଯଦି କୌଣସି ରାଜନେତାଙ୍କ ନାମ ସବୁଠୁ ଅଧିକ ସ୍ପନ୍ଦିତ ହୁଏ, ସେ ହେଉଛନ୍ତି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। ସେ କେବଳ ଜଣେ ମୁଖ୍ୟମନ୍ତ୍ରୀ କିମ୍ବା ଜଣେ ସାଂସଦ ନ ଥିଲେ; ସେ ଥିଲେ ଜଣେ ଯୁଗପୁରୁଷ, ଯାହାଙ୍କ ପାଇଁ ‘ଅସମ୍ଭବ’ ଶବ୍ଦଟି ତାଙ୍କ ଅଭିଧାନରେ ନ ଥିଲା। କିନ୍ତୁ ଆଜି, ତାଙ୍କ ଦେହାନ୍ତର ପ୍ରାୟ ତିନି ଦଶନ୍ଧି ପରେ ମଧ୍ୟ, ଏକ ପ୍ରଶ୍ନ ଓଡ଼ିଶାର ରାଜନୈତିକ ଗଳିଠାରୁ ଆରମ୍ଭ କରି ଦିଲ୍ଲୀ ଦରବାର ପର୍ଯ୍ୟନ୍ତ ଗୁଞ୍ଜରିତ ହେଉଛି— ବିଜୁ ବାବୁଙ୍କୁ ଭାରତ ରତ୍ନ’ କାହିଁକି ମିଳିନାହିଁ? ପ୍ରଧାନମନ୍ତ୍ରୀ ନ ହେବା ପାଇଁ କିଏ ଷଡ଼ଯନ୍ତ୍ର କରିଥିଲା।
ଏହି ପ୍ରଶ୍ନ ଯେତିକି ଭାବପ୍ରବଣ, ତା’ଠାରୁ ଅଧିକ ରାଜନୈତିକ। ବିଶେଷ କରି ଯେଉଁ ଦଳ ତାଙ୍କ ନାମରେ ଗଠିତ ଏବଂ ଯିଏ ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାର ଶାସନ ଗାଦିରେ ବସି ରହିଥିଲା, ସେହି ବିଜୁ ଜନତା ଦଳ (ବିଜେଡି)ର ଏହି ସମ୍ମାନ ପ୍ରତି ଆନ୍ତରିକତା କେତେ, ତାହା ଏବେ ବଡ଼ ସନ୍ଦେହ ଘେରରେ।
ପ୍ରଧାନମନ୍ତ୍ରୀ ହେବାରୁ କିଏ ଅଟକାଇଲା
୧୯୯୬ରେ ବିଜେପିର ଅଟଳ ବିହାରୀ ବାଜପେୟୀଙ୍କ ସରକାର ପତନ ପରେ ପ୍ରଧାନମନ୍ତ୍ରୀ ପଦ ପାଇଁ ବିଜୁ ପଟ୍ଟନାୟକଙ୍କ ନାଁ ସବୁଠାରୁ ଆଗରେ ଥିଲା। ବିଜୁ ବାବୁଙ୍କୁ ପ୍ରଧାନମନ୍ତ୍ରୀ କରାଇ ନ ଦେବା ପାଇଁ ବିଜୁଙ୍କ ମନ୍ତ୍ରିମଣ୍ଡଳରେ ଥିବା କେତେଜଣ ପୁରୁଣା ସହଯୋଗୀ ଦୁର୍ନୀତି ସମ୍ପର୍କୀତ ତଥ୍ୟ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଦେଇଥିଲେ। ସେହି ତଥ୍ୟ ଆଧାରରେ କଂଗ୍ରେସର ଜାନକୀ ପଟ୍ଟନାୟକଙ୍କ ସରକାର ବିଜୁ ପଟ୍ଟନାୟକଙ୍କ ନାଁ ରେ ଭିଜିଲାନ୍ସ ମାମଲା ରୁଜୁ କରିବାରୁ ସେ ପ୍ରଧାନମନ୍ତ୍ରୀ ହୋଇପାରିନଥିଲେ ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା।
କଂଗ୍ରେସ ସବୁବେଳେ ରାଜ୍ୟ ବିରୋଧୀ କାମ କରି ଆସିଛି। ବିଜୁ ବାବୁଙ୍କ ନାଁରେ ମାମଲା କରି ତାଙ୍କୁ ପ୍ରଧାନମନ୍ତ୍ରିତ୍ୱରୁ ବଞ୍ଚିତ କରିଥିବାବେଳେ ରାଜ୍ୟର ଆଦସିବାସୀ ଝିଅ ଯେତେବେଳେ ରାଷ୍ଟ୍ରପତି ପ୍ରାର୍ଥୀ ହେଲେ ସେତେବେଳେ ବି ତାଙ୍କୁ ବିରୋଧ କରିଥିଲା। କେବଳ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ନିଜ ବିବେକ ଆଧାରରେ ଦଳ ବିରୋଧରେ ଯାଇ ତାଙ୍କୁ ଭୋଟ୍ ଦେଇଥିଲେ।
୧୯୯୫ ନିର୍ବାଚନରେ କିଏ ହରାଇଲା
୧୯୯୫ ବିଧାନସଭା ନିର୍ବାଚନରେ ବିଜୁ ପଟ୍ଟନାୟକ ହାରିଯିବେ ବୋଲି କେହି ବିଶ୍ୱାସ କରିନଥିଲେ। କିନ୍ତୁ ସେ ହାରିଯାଇଥିଲେ। ସେତେବେଳେ କୁହାଗଲା ଯେ ବିଜୁଙ୍କର ଜଣେ ସହଯୋଗୀ ଯିଏକି ସେତେବେଳେ ବହୁତ ପ୍ରଭାବଶାଳୀ ଥିଲେ। ସେ ନିଜର ୫୦ଜଣ ସମର୍ଥକଙ୍କୁ ସ୍ୱାଧୀନ ଭାବେ ଲଢ଼ିବାକୁ ପ୍ରୋତ୍ସାହିତ କରିଥିଲେ। ଯାରହାଫଳରେ ବିଜୁ ପଟ୍ଟନାୟକ ନିର୍ବାଚନ ହାରିଯାଇଥିଲେ।
ଅତୀତର ଦଲିଲ୍: ଯେବେ ପୁଅ ହିଁ ‘ନା’ କହିଥିଲେ
ଜଣେ ସାମ୍ବାଦିକ ଭାବେ ଯେତେବେଳେ ଆମେ ତଥ୍ୟକୁ ପରଖୁ, ସେତେବେଳେ ୨୦୧୬ ମସିହାର ଓଡ଼ିଶା ବିଧାନସଭାର ଏକ ରିପୋର୍ଟ ସବୁଠୁ ଚକିତ କଲାଭଳି ତଥ୍ୟ ପ୍ରଦାନ କରେ। ଏକ ଜାତୀୟ ଇଂରାଜୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସେତେବେଳର ଭାରତୀୟ ଜନତା ପାର୍ଟିର ଜଣେ ବିଧାୟକ ପ୍ରଶ୍ନ କରିଥିଲେ ଯେ ଓଡ଼ିଶା ସରକାର ବିଜୁ ପଟ୍ଟନାୟକଙ୍କ ପାଇଁ କେନ୍ଦ୍ର ପାଖରେ ବିଧିବଦ୍ଧ ଭାବେ କୌଣସି ସୁପାରିଶ କରିଛନ୍ତି କି?
ଏହି ପ୍ରଶ୍ନର ଉତ୍ତର ରଖିଥିଲେ ନିଜେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବିଜୁ ବାବୁଙ୍କ ପୁତ୍ର ନବୀନ ପଟ୍ଟନାୟକ। ସେ ଅତି ସ୍ପଷ୍ଟ ଭାବେ କହିଥିଲେ ଯେ, “ବିଜୁ ବାବୁଙ୍କୁ ଭାରତ ରତ୍ନ ଦେବା ପାଇଁ ଓଡ଼ିଶା ସରକାର ପକ୍ଷରୁ କୌଣସି ବିଧିବଦ୍ଧ ସୁପାରିଶ କରାଯାଇ ନାହିଁ।” ଏହି ଗୋଟିଏ ଲିଖିତ ଉତ୍ତର ବିଜେଡିର ବର୍ଷ ବର୍ଷର ‘ବିଜୁ ପ୍ରେମ’ ମୁଖାକୁ ଖୋଲି ଦେବା ପାଇଁ ଯଥେଷ୍ଟ। ଯଦି ଜଣେ ପୁଅ ଏବଂ ଜଣେ ମୁଖ୍ୟମନ୍ତ୍ରୀ ଭାବେ ସେ ନିଜେ ସୁପାରିଶ କରିବାକୁ ଚାହୁଁନଥିଲେ, ତେବେ କେଉଁ ଆଧାରରେ ବିଜେଡି କର୍ମୀମାନେ କେନ୍ଦ୍ରକୁ ଦୋଷାରୋପ କରନ୍ତି, ତାହା ଚିନ୍ତାର ବିଷୟ।
ଭି.କେ. ପାଣ୍ଡିଆନଙ୍କ ବୟାନ ଏବଂ ରହସ୍ୟମୟ ନୀରବତା
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ଭାବେ ଉଭା ହୋଇଥିବା ଭି.କେ. ପାଣ୍ଡିଆନଙ୍କ ଏକ ସାକ୍ଷାତକାର ଏହି ନିଆଁରେ ଘିଅ ଢାଳିଥିଲା। ସେ କହିଥିଲେ ଯେ, ଯଦି କେନ୍ଦ୍ର ସରକାର କୌଣସି ‘ରାଜନୈତିକ ଉଦ୍ଦେଶ୍ୟ’ ରଖି ବିଜୁ ବାବୁଙ୍କୁ ଭାରତ ରତ୍ନ ଘୋଷଣା କରନ୍ତି, ତେବେ ନବୀନ ପଟ୍ଟନାୟକ ତାକୁ ଗ୍ରହଣ କରିବେ ନାହିଁ।
ଜଣେ ପ୍ରଶାସନିକ ଅଧିକାରୀରୁ ନେତା ସାଜିଥିବା ବ୍ୟକ୍ତିଙ୍କ ଏହି ବୟାନ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରେ।
୧. ଭାରତ ରତ୍ନ କ’ଣ କୌଣସି ବ୍ୟକ୍ତିଗତ ସମ୍ପତ୍ତି ଯେ ଜଣେ ଗ୍ରହଣ କରିବେ ନାହିଁ ବୋଲି କହିବେ?
୨. ଯଦି କେନ୍ଦ୍ର ସମ୍ମାନ ଦେବାକୁ ଚାହୁଁଛି, ତେବେ ତାହା ଓଡ଼ିଶା ପାଇଁ ଗର୍ବର ବିଷୟ ନୁହେଁ କି?
୩. ବିଜୁ ବାବୁଙ୍କ ସମ୍ମାନଠାରୁ କ’ଣ ବିଜେଡିର ରାଜନୈତିକ ଅହଂକାର ବଡ଼?
ସଂସ୍କୃତି ବନାମ ପ୍ରତିମୂର୍ତ୍ତିର ରାଜନୀତି
ବିଜୁ ଜନତା ଦଳ ବିଗତ ଦୁଇ ଦଶନ୍ଧି ଧରି ବିଜୁ ବାବୁଙ୍କୁ ଏକ ‘ବ୍ରାଣ୍ଡ’ ଭାବେ ବ୍ୟବହାର କରିଆସିଛି। ରାସ୍ତା, ପୋଲ, ଷ୍ଟାଡିୟମ୍, ବିମାନବନ୍ଦର ଏବଂ ପ୍ରତିଟି ଜନକଲ୍ୟାଣକାରୀ ଯୋଜନାରେ ବିଜୁ ବାବୁଙ୍କ ନାମ ଯୋଡ଼ି ଦିଆଯାଇଛି। କିନ୍ତୁ ଏହା କ’ଣ ପ୍ରକୃତ ସମ୍ମାନ? ପ୍ରତିମୂର୍ତ୍ତି ଗଢ଼ିବା ଏବଂ ପ୍ରକୃତରେ ତାଙ୍କ ବିଚାରଧାରାକୁ ଆଗକୁ ନେବା ମଧ୍ୟରେ ଆକାଶ ପାତାଳ ତଫାତ୍ ରହିଛି।
ନିକଟରେ ବିଜେପିର କିଛି ସାଂସଦଙ୍କ ମନ୍ତବ୍ୟକୁ ନେଇ ଯେଉଁ ହଟ୍ଟଗୋଳ ହେଲା, ସେଥିରେ ଆବେଗ ଥିଲା କିନ୍ତୁ ଆନ୍ତରିକତା କମ୍ ଥିଲା। ଯେଉଁମାନେ ନିଜକୁ ବିଜୁ ବାବୁଙ୍କ ‘ଲିଗାସି’ ବା ଉତ୍ତରାଧିକାରୀ ବୋଲି କୁହନ୍ତି— ସେ ନବୀନ ପଟ୍ଟନାୟକ ହୁଅନ୍ତୁ, ବିଜୟ ମହାପାତ୍ର ହୁଅନ୍ତୁ କିମ୍ବା ବୈଜୟନ୍ତ ପଣ୍ଡା— ସେମାନେ ସମସ୍ତେ ଗୋଟିଏ ସମୟରେ କ୍ଷମତାରେ ଥିଲେ। କିନ୍ତୁ କେହି କେବେ ଦିଲ୍ଲୀ ରାଜପଥରେ ବିଜୁ ବାବୁଙ୍କ ଭାରତ ରତ୍ନ ପାଇଁ ପୋଷ୍ଟର ଧରି ଠିଆ ହେବାର ଦୃଶ୍ୟ ଓଡ଼ିଶାବାସୀ ଦେଖିନାହାନ୍ତି।
ପୋଷ୍ଟରରୁ ଫଟୋ ଗାଏବ: ଏକ ଗଭୀର ଷଡ଼ଯନ୍ତ୍ର?
୨୦୨୪ ନିର୍ବାଚନ ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା। ବିଜେଡିର ଅନେକ ପୋଷ୍ଟର ଏବଂ ବ୍ୟାନରରୁ ବିଜୁ ପଟ୍ଟନାୟକଙ୍କ ଫଟୋ ଗାଏବ ହୋଇଯାଇଥିଲା। ତାଙ୍କ ସ୍ଥାନ ନେଇଥିଲେ କିଛି ନୂଆ ଚେହେରା। ଏହାକୁ ନେଇ ଯେତେବେଳେ ଦଳର ତୃଣମୂଳ ସ୍ତରର କର୍ମୀ ଏବଂ ସାଧାରଣ ଓଡ଼ିଆ ଅପମାନିତ ଅନୁଭବ କଲେ, ସେତେବେଳେ ପୁଣିଥରେ ଫଟୋ ଫେରିଲା। କିନ୍ତୁ ଏହି ଘଟଣାଟି ଏକ ବଡ଼ ସଙ୍କେତ ଥିଲା ଯେ, ବିଜେଡି ବୋଧହୁଏ ବିଜୁ ବାବୁଙ୍କ ଛାୟାରୁ ବାହାରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚାହୁଁଥିଲା, ଯେଉଁଥିରେ ବିଜୁ ବାବୁଙ୍କ ଆଦର୍ଶ ଗୌଣ ହୋଇଯାଇଥିଲା।
ସାମ୍ବାଦିକଙ୍କ ନଜରରେ: ଓଡ଼ିଶାବାସୀଙ୍କୁ କେବେ ମିଳିବ ଉତ୍ତର?
ବିଜୁ ବାବୁଙ୍କୁ ଭାରତ ରତ୍ନ ମିଳିବା କୌଣସି ଦଳ କିମ୍ବା ପରିବାରର ବ୍ୟକ୍ତିଗତ ବିଷୟ ନୁହେଁ। ଏହା ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆତ୍ମସମ୍ମାନର ପ୍ରଶ୍ନ। ଯେଉଁ ବ୍ୟକ୍ତି ଇଣ୍ଡୋନେସିଆର ଆକାଶରେ ନିଜ ଜୀବନକୁ ବାଜି ଲଗାଇ ପାରନ୍ତି, ଯିଏ ଭାରତୀୟ ରାଜନୀତିରେ ‘କିଙ୍ଗ୍ ମେକର୍’ ଭାବେ ପରିଚିତ, ତାଙ୍କ ପାଇଁ ଏକ ସୁପାରିଶ ପତ୍ର ପଠାଇବାରେ ୨୪ ବର୍ଷ ଲାଗିଯିବା ବଡ଼ ବିଡ଼ମ୍ବନା।
ଆଜି ସୋସିଆଲ ମିଡିଆରେ ଯେଉଁ କଳି ଚାଲିଛି, ତାହା କେବଳ ଭୋଟ୍ ହାତେଇବାର ଏକ ମାଧ୍ୟମ। ଯଦି ପ୍ରକୃତରେ ସମ୍ମାନ ଦେବାର ଥାଆନ୍ତା, ତେବେ ବହୁ ପୂର୍ବରୁ ବିଜେଡି ଏବଂ ଓଡ଼ିଶାର ଅନ୍ୟ ନେତାମାନେ ଏକାଠି ହୋଇ କେନ୍ଦ୍ର ଉପରେ ଚାପ ପ୍ରୟୋଗ କରିଥାନ୍ତେ।
ବିଜୁ ଓ ବିଜେପି
ବିଜେପି ସରକାର କ୍ଷମତାକୁ ଆସିବା ପରେ ଜୁଲାଇ ମାସରେ ଅଚାନକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମ ବଦଳାଇ ଦିଆଯାଇଥିଲା। ବିଜୁ ପଟ୍ଟନାୟକଙ୍କ ନାମ ହଟାଇ ଦିଆଯାଇ ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଥିଲା ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ। ସେହି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଜଣେ ଯୁବକ ଏବଂ ରାଜନୀତି ଓ ଆଦର୍ଶକୁ ନେଇ ଅନେକ ବଳିଷ୍ଠ ମନ୍ତବ୍ୟ ଦିଅନ୍ତି। କିନ୍ତୁ ସିଏ ହିଁ ବିଜୁ ଲିଗାସୀ ହଟାଇବାର ପ୍ରଥମ ଓ ଜବରଦସ୍ତ ପଦକ୍ଷେପ ନେଇଥିଲେ। ସାରା ରାଜ୍ୟରୁ ବିରୋଧ ପରେ ଜବରଦସ୍ତ ଅପମାନିତ ଢଙ୍ଗରେ ମନ୍ତ୍ରୀଙ୍କ ନିଷ୍ପତ୍ତିକୁ ହଟାଇ ବିଜୁ ପଟ୍ଟନାୟକଙ୍କ ନାଁ ହଟିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣ କରିଥିଲେ।
ଏହି ଘଟଣାର ୭-୮ ମାସ ପରେ ଦ୍ୱିତୀୟ ଚାଲ୍ ଚଳେଇ ଥିଲେ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ରବି ନାୟକ। ନବେ ଦଶକରୁ ରାଜ୍ୟରେ ପାଳିତ ହେଉଥିବା ପଞ୍ଚାୟତିରାଜ ଦିବସକୁ ବନ୍ଦ କରିଥିଲା ପଞ୍ଚାୟତିରାଜ ବିଭାଗ। ବିଜୁ ବାବୁଙ୍କ ଜନ୍ମଦିନ ଛୁଟିକୁ ବି ବନ୍ଦ କରିଥିଲେ ମୋହନ ମାଝୀ ସରକାର। ମାର୍ଚ୍ଚ ୫ରେ ବିଜୁ ବାବୁଙ୍କ ଜନ୍ମଦିନରେ ପଞ୍ଚାୟତିରାଜ ଦିବସ ପାଳନ ହୁଏ। ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ଏହି ଉତ୍ସବ ପାଳନକୁ ବନ୍ଦ କରିନଥିଲେ। କାରଣ, ଜାନକୀବଲ୍ଲଭ ପଟ୍ଟନାୟକ ବିଜୁ ବାବୁଙ୍କ ସହ କାମ କରିଥିଲେ, ତାଙ୍କୁ ଚିହ୍ନିଥିଲେ ଓ ତାଙ୍କ ଛାତିକୁ ବୁଝିଥିଲେ। କିନ୍ତୁ ବିଜୁ ବାବୁଙ୍କୁ ଜାଣି ନ ଥିବା ମୋହନ ମାଝୀ ସରକାରର ନୂଆ ମନ୍ତ୍ରୀ ପଞ୍ଚାୟତିରାଜ ଦିବସ ଉଠାଇ ଦେଇଛନ୍ତି।
ଆଉ ଏଥରର ଷଡ଼ଯନ୍ତ୍ର କିନ୍ତୁ ଭୟାନକ ଏବଂ ଜାତୀୟ ସ୍ତରର ଥିଲା। ବିଜେପି ସାଂସଦ ନିଶିକାନ୍ତ ଦୁବେ ବିଜୁ ପଟ୍ଟନାୟକଙ୍କୁ ସିଆଇଏ ଏଜେଣ୍ଟ ବୋଲି କହିଥିଲେ।
ବିଜୁ ବାବୁ କେବଳ ଏକ ନାମ ନୁହନ୍ତି, ଏକ ଅନୁଷ୍ଠାନ
ପରିଶେଷରେ, ବିଜୁ ପଟ୍ଟନାୟକଙ୍କୁ ‘ଭାରତ ରତ୍ନ’ ମିଳୁ କି ନ ମିଳୁ, ଓଡ଼ିଆଙ୍କ ହୃଦୟରେ ସେ ସବୁବେଳେ ରତ୍ନ ହୋଇ ରହିବେ। କିନ୍ତୁ ଇତିହାସ ଯେତେବେଳେ ପୃଷ୍ଠା ଓଲଟାଇବ, ସେତେବେଳେ ପ୍ରଶ୍ନ କରାଯିବ— ଯେଉଁମାନେ ତାଙ୍କ ନାମରେ ବଡ଼ ବଡ଼ ସାମ୍ରାଜ୍ୟ ଗଢ଼ିଲେ, ସେମାନେ ତାଙ୍କ ପ୍ରକୃତ ସମ୍ମାନ ପାଇଁ କେତେ ପାଦ ଆଗକୁ ବଢ଼ିଥିଲେ?
ବିଜେଡିର ଏହି ‘ଲୁଚକାଳି’ ଖେଳ ଆଉ ବେଶି ଦିନ ଚାଲିବ ନାହିଁ। ଓଡ଼ିଶାବାସୀ ଏବେ ତଥ୍ୟ ଓ ପ୍ରମାଣ ସହ ବୁଝିଲେଣି ଯେ, ବିଜୁ ବାବୁଙ୍କୁ ସମ୍ମାନ ଦେବାର ଆଳରେ କିପରି କେବଳ କ୍ଷମତା ଦଖଲର ଲଢ଼େଇ ଚାଲିଥିଲା। ସମୟ ଆସିଛି, ରାଜନୈତିକ ଦଳଗୁଡ଼ିକ ଆତ୍ମସମୀକ୍ଷା କରନ୍ତୁ ଏବଂ ବିଜୁ ବାବୁଙ୍କୁ ଦଳୀୟ ସୀମାରୁ ଊର୍ଦ୍ଧ୍ୱକୁ ନେଇ ଜଣେ ମହାପୁରୁଷ ଭାବେ ସମ୍ମାନିତ କରନ୍ତୁ।
AlsoRead; https://purvapaksa.com/kurukshetra-election-rahuls-hundred-percent-defeat/
ନିର୍ବାଚନୀ କୁରୁକ୍ଷେତ୍ର: ରାହୁଳଙ୍କ ଶତକ ପରାଜୟ! || Kurukshetra Election: Rahul’s hundred percent defeat!


