ବାବୁ ଶାସନ ଭଲ ନା ନେତା ଶାସନ? ଯଦିଓ ଆମ ଦେଶର ସମ୍ବିଧାନ ଲୋକଙ୍କ ଦ୍ୱାରା ନିର୍ବାଚିତ ନେତାଙ୍କୁ ହିଁ ଶାସନ କରିବାକୁ କ୍ଷମତା ଦେଇଛି କିନ୍ତୁ ବିଗତ କିଛିବର୍ଷ ହେଲା ରାଜ୍ୟରେ ଆଇଏଏସ୍ ଓ ଅନ୍ୟ ସେବାର ବାବୁମାନେ ଯେଉଁଭଳି କ୍ଷମତା ଭୋଗ କରୁଥିଲେ ସେତେବଳେ ବାବୁ ଶାସନକୁ ଲୋକେ ଅନୁଭବ କରୁଥିଲେ। ଏଣୁ ନୂଆ ସରକାର ତାଙ୍କ ସରକାରଙ୍କୁ ଲୋକଙ୍କ ସରକାର ଭାବେ ପରିଚିତ କରିବାକୁ ଲାଗି ପଡ଼ିଛନ୍ତି। ହେଲେ ଏଇ କିଛିଦିନ ଭିତରେ ରାଜ୍ୟର ଶାସନ ପୂର୍ବଭଳି କଡ଼ା, ଶକ୍ତ ହୋଇପାରୁନଥିବା ଅଭିଯୋଗ ହୋଇଛି। ଗାଁ ଗଣ୍ଡାରେ କୁଜି ନେତା କ୍ଷମତାଶାଳୀ ହେବା, ପୁଲିସ ଶାସନ ନରମ ହେବା ଏବଂ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିଯିବା ଭଳି ଅଭିଯୋଗ ହେଉଛି। ତା’ ସହ ବାବୁମାନଙ୍କ କଳା କାରନାମା ବି ପଦାକୁ ଆସୁଛି। ଏଭଳି ମୁହୂର୍ତ୍ତରେ ଗୋଟିଏ ପ୍ରଶ୍ନ ମନକୁ ଆସୁଛି ତାହା ହେଲେ ରାଜ୍ୟର ଉନ୍ନତି ପାଇଁ କାହାର ଶାସନ ଆବଶ୍ୟକ ବାବୁ ନା ନେତା?
ଗଲା କିଛିଦିନ ହେଲା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଅନେକ ହୋ ହଲ୍ଲା ଲାଗି ରହିଛି। ଲୋକେ ପୁଲିସ ପ୍ରଶାସନ ଉପରେ ଖପ୍ପା ହୋଇଥିବା ବି ନଜରକୁ ଆସିଛି। ରାଜ୍ୟରେ ବିଜେପି ଶାସନକୁ ପୂର୍ବର ବିଜେଡି ଶାସନ ସହ ତୁଳନା କରିବା ବି ସୋଶାଲ୍ ମିଡିଆରେ ଆରମ୍ଭ ହେଲାଣି। ଏପରିକି ରାଜ୍ୟରେ ଯେତିକି ଉନ୍ନୟନମୂଳକ କାର୍ଯ୍ୟ ବିଜେଡି ସରକାର କରିଯାଇଛନ୍ତି ତାହାକୁ ସୁରକ୍ଷା ଦେବା ଓ ତାକୁ ଅଧିକ ବିକଶିତ କରିବାରେ ସରକାର ବିଫଳ ବା ଆଖଦୃଶିଆ ସଫଳତା ପାଉଥିବା ନଜରକୁ ଆସୁନାହିଁ ବୋଲି ଅଭିଯୋଗ ହେଉଛି। କିଛି ବ୍ୟକ୍ତି ତ ପୂର୍ବ ଶାସନ ଭଲ ଥିଲା ବୋଲି କହିଲେଣି। ଅର୍ଥାତ୍ ଏ ଅଭିଯୋଗରୁ ଗୋଟି ଜିନିଷ ସ୍ପଷ୍ଟ ଯେ ଏ ସରକାର ସମୟରେ କ୍ଷଣିକ ସଫଳତା ବା ଇନ୍ଷ୍ଟାଣ୍ଟ ରେଜଲ୍ଟ କିଛି ମିଳିପାରି ନାହିଁ।
କିନ୍ତୁ ବିଗତ ଦିନମାନଙ୍କରେ ଭିଜିଲାନ୍ସ ଯେତିକି ଅଧିକାରୀଙ୍କୁ ଗିରଫ କରିଛି ତାହା ରାଜ୍ୟରେ ବହୁଦିନ ଧରି ରାଜ୍ୟରେ ଚାଲିଥିବା ବାବୁରାଜର ଦୁର୍ନୀତିକୁ ପଦାରେ ପକାଇଛି। ଅବଶ୍ୟ ଏହା ପୂର୍ବରୁ ବିଜେପି ନିର୍ବାଚନ ସମୟରେ ଅଫିସରଙ୍କ ଦୁର୍ନୀତି ବିଷୟରେ କହୁଥିଲା। ପାଣ୍ଡିଆନ୍-କୁଟ୍ଟେଙ୍କ ଯୋଡ଼ି କଥା ଆଲୋଚନା ହେଉଥିଲା। ହେଲେ ଆଇଏଏସ୍ ଅଧିକାରୀ ବିଷ୍ଣୁ ପ୍ରସାଦ ସେଠୀଙ୍କୁ ଛାଡ଼ି ଦେଲେ ଆଜି ଯାଏ ପାଣ୍ଡିଆନ୍ଙ୍କ ସମେତ କୌଣସି ପୂର୍ବତନ ବା ବର୍ତ୍ତମାନର ଆଇଏଏସ୍ ଅଧିକାରୀଙ୍କ ଦୁର୍ନୀତି, କଳାଧନ, ଆୟବହିର୍ଭୁତ ସମ୍ପତ୍ତି ବା ଲାଞ୍ଚ କାରବାର ବାବଦରେ ସ୍ପଷ୍ଟତା ମିଳିପାରିନାହିଁ। ହେଲେ ରାଜ୍ୟ ସରକାରଙ୍କ ଯେଉଁ ଅଧିକାରୀମାନେ ଭିଜିଲାନ୍ସର ଏହି ଜାଲରେ ପଡ଼ିଛନ୍ତି ସେମାନେ ଯେ ଗଲା ଅନେକ ବର୍ଷ ହେଲା ରାଜ୍ୟବାସୀଙ୍କୁ ଠକି, ସେମାନଙ୍କ କାର୍ତ୍ତବ୍ୟରେ ଜାଲିଆତି କରି ଏତେ ସମ୍ପତ୍ତି ଅର୍ଜନ କରିଛନ୍ତି ତାହା ସ୍ପଷ୍ଟ ଅନୁମେୟ।
ନିକଟ ଅତୀତର କିଛି ଉଦାହରଣ ଏଠାରେ ରଖିବାକୁ ଚାହୁଁଛି, ଯାହା ଏ କଥାକୁ ଅଧିକ ସ୍ପଷ୍ଟ କରିବ। ପ୍ରଥମେ ବୌଦ୍ଧ ଜିଲ୍ଲାର ଗାଡ଼ି ମୋଟର ଇନ୍ସପେକ୍ଟର। ପୁଲିସ ନୁହନ୍ତି। ତାଙ୍କୁ ଗତକାଲି ଗିରଫ କରାଯାଇଛି। ହେଲେ ଭିଜିଲାନ୍ସ ଖୋଲିଥିବା ଗୁମରରେ ତାଙ୍କର ସମ୍ପତ୍ତି ୬୩୦ ପ୍ରତିଶତ ବୃଦ୍ଧି ପାାଇଛି। ତାଙ୍କ ପାଖରୁ ୪୪ଟି ଆବାସିକ ପ୍ଲଟ ଜବତ କରାଯାଇଛି। ଏକ କିଲୋଗ୍ରାମ ସୁନା, ୧ କୋଟି ୩୪ ଲକ୍ଷ ଟଙ୍କା, ୨ କିଲୋ ରୁପା ଜବତ କରାଯାଇଛି। ଏହାବାଦ ନିଜ ଝିଅର ମେଡିକାଲ୍ ପାଠପଢ଼ା ପାଇଁ ସେ ୪୦ ଲକ୍ଷ ଟଙ୍କା ଅଫିସିଆଲି ଖର୍ଚ୍ଚ କରିଥିବା ହିସାବ ଭିଜିଲାନ୍ସ ପାଇଛି। ଏତିକିରେ ସରିନି। ବାରିପଦାରେ ଏକ ଦୁଇ ମହଲା ଘର ବି ଠାବ କରାଯାଇଛି। ବାବୁଙ୍କୁ କୋର୍ଟ ଚାଲାଣ କରାଯାଇଛି କୋର୍ଟ ଯାହା କହିବେ।
ଏମ୍ଭିଆଇ ବାବୁ ୧୯୯୧ ମସିହାରେ ଚାକିରିରେ ଯୋଗ ଦେଇଥିଲେ। ୫ ବର୍ଷ ପୂର୍ବରୁ ଅର୍ଥାତ୍ ୨୦୨୦ରେ ସେ ଏହି ପଦବୀକୁ ଆସିଥିଲେ। ଏବେ ବାବୁଙ୍କ ଦରମା ହେଉଛି ମାସିକ ୧ ଲକ୍ଷ ୮ ହଜାର। ଅର୍ଥାତ୍ ବାବୁଙ୍କ କଳାକାରନାମା ଅନେକ ବର୍ଷ ହେଲା ବେଧଡ଼କ ଚାଲି ଆସିଛି ସେଥିରେ ସନ୍ଦେହ କରିବା ଆଦୌ ଉଚିତ ନୁହେଁ।
ଏହାଙ୍କ ପୂର୍ବରୁ ସେମିତି ଏକ ପୁରୁଣା ଲାଞ୍ଚଖିଆ ଅଧିକାରୀ ଦୟାନିଧି ବାଗଙ୍କୁ ଭିଜିଲାନ୍ସ ଧରିଥିଲା। କୌଣସି ସୂତ୍ରରୁ ଖବର ଓ ପ୍ରମାଣ ଯୋଗାଡ଼ କରିବା ପରେ ରାୟଗଡ଼ା ଜିଲ୍ଲାର ଜଳଛାୟା ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଥିବା ଦୟାନିଧିଙ୍କ ଘର ଓ ଅଫିସ ତଥା ଅନ୍ୟ ଆଡ୍ଡା ଉପରେ ଚଢ଼ଉ କରାଯାଇଥିଲା। ତାଙ୍କ ମାଲିକାନାରେ ୮୪ ଏକର ଜମି ଠାବ କରିଥିଲା ଭିଜିଲାନ୍ସ। ଖାଲି ସେତିକି ନୁହେଁ, ଭୁବନେଶ୍ୱରରେ ତିନୋଟି ଫ୍ଲାଟ, ନବରଙ୍ଗପୁରରେ ଏକ ବହୁତଳ ପ୍ରାସାଦ, ଏକ ସପିଂ କମ୍ପ୍ଲେକ୍ସ ପ୍ରଭୃତି ତାଙ୍କ ସମ୍ପତ୍ତି ଭାବେ ଗ୍ରହଣ କରାଯାଉଛି। ହେଲେ ବାବୁ କିନ୍ତୁ ନିଜ ନାଁରେ ଗାଡ଼ିଟିଏ ବି କରିନାହାନ୍ତି। ଅନ୍ୟ ନାଁରେ ଥିବା ଚାରିଚକିଆ ଗାଡ଼ି କିନ୍ତୁ ଚଳାଉଥିବା ଭିଜିଲାନ୍ସ ଜାଣି ତାକୁ ବି ଜବତ କରିଛି। ଆହୁରି ଅନେକ ସମ୍ପିତ୍ତି ତାଙ୍କ ନାଁରେ ରହିଛି। ଟଙ୍କା, ସୁନା ବି ଭିଜିଲାନ୍ସ ଜବତ କରିଛି। ଏହା ଜୁନ୍ ୩୦ ତାରିଖ ଘଟଣା।
ଆଉଜଣେ ସରକାରୀ କର୍ମଚାରୀରୁ ଦୁର୍ନୀତି ସମ୍ରାଟ ପାଲଟିଥିବା ଅଧିକାରୀଙ୍କ କଥା ଭିଜିଲାନ୍ସ ପ୍ରମାଣ ସହ ବାହାରକୁ ଆଣିଥିଲା ଜୁଲାଇ ୨୨ ତାରିଖରେ। ତାଙ୍କ ପାଖରୁ ୧୧୫ଟି ପ୍ଲଟ ଜବତ କରାଯାଇଛି। ୨୦୦୭ ମସିହାରୁ ତାଙ୍କର ଏହିପରି ଆରମ୍ଭ ହୋଇଥିଲା। ଖଡିଆର ଡିଭିଜନ୍ର କେନ୍ଦୁପତ୍ର ଡିଏଫ୍ଓ ଥିବାବେଳେ ସେ ୬୪ଟି ପ୍ଲଟ ଅକ୍ତିଆର କରିଥିଲା।। ଏହାପରେ ୨୦୧୫ରୁ ୨୦୨୨ ଭିତରେ ସେ ୪୯ଟି ପ୍ଲଟ ମାଲିକାନା ନେଇଥିଲେ। ଅନୁଗୁଳରେ ୪ ମହଲା ଘର, ସ୍ତ୍ରୀ ଓ ପିଲାଙ୍କ ନାଁରେ ସମ୍ପତ୍ତିପ୍ରଭୃତି ସେ ଦଖଲ କରିଥିବା ଭିଜିଲାନ୍ସ କହିଥିଲେ।
ଆଉ ଜଣେ ପ୍ଲଟ ସମ୍ରାଟଙ୍କ କଥା କହୁଛି। ସେ ହେଉଛନ୍ତି ଜଣେ ନିର୍ମାଣ ଯନ୍ତ୍ରୀ। ନାଁ ପ୍ରଭାସ କୁମାର ପ୍ରଧାନ। ଆନନ୍ଦପୁର ବନ୍ଧ ପ୍ରକଳ୍ପର ସେ ହେଉଛନ୍ତି ମୁଖ୍ୟଯନ୍ତ୍ରୀ। ବାବୁଙ୍କ ନାଁରେ ୧୦୫ ପ୍ଲଟର ମାଲିକାନା। ଏହାସହ ୫ ମହଲା ଘର, ମାର୍କେଟ କୋଠା, ୭୮ ଲକ୍ଷ ଡିପୋଜିଟ ଦେଖିବାକୁ ମିଳିଥିଲା। ଭିଜିଲାନ୍ସ ଏହାର ମୂଲ୍ୟ ଆକଳନ କରି କହିଥିଲା ଯେ ବାବୁଙ୍କ ସମ୍ପତ୍ତି ସମୁଦାୟ ଚାକିରିଜନିତ ଆୟଠାରୁ ୨୪୫ ପ୍ରତିଶତ ଅଧିକ। ତାଙ୍କ ଭଳି ୫୦ ପ୍ଲଟର ମାଲିକ ଓବିସିସିର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ମଧ୍ୟ ପାଲାରେ ପଡ଼ିଥିଲେ।
ଏସବୁ ଉଦାହରଣ ସ୍ପଷ୍ଟ କରୁଛି ଯେ ଦୁର୍ନୀତି କେବଳ କିଛି ଯନ୍ତ୍ରୀଙ୍କ ପାଖରେ ସୀମିତ ନାହିଁ, ବରଂ ଏହା ସବୁ ଧରଣର ଅଧିକାରୀଙ୍କୁ ଧାରଣ କରିଛି। ଓଡ଼ିଶା ଶାସନର କୋଣ ଅନୁକୋଣକୁ ଦୁର୍ନୀତି ବ୍ୟାପିଛି। ଆଉ ଏସବୁ ଦୁର୍ନୀତି ଗତ ଏକ ବର୍ଷର ନୁହେଁ। ବରଂ ବର୍ଷବର୍ଷ ଧରି ନିଜ ଚେରକୁ ସୁଦୃଢ଼ କରିଛି।
ଏହାର କାରଣ କ’ଣ? ଏହାର କାରଣ ପଛରେ ଗୋଟିଏ କଥା ସ୍ପଷ୍ଟ- ତାହା ହେଲା, ରାଜ୍ୟରେ ଅମଲାଙ୍କ ଶାସନ। ଲୋକ ପ୍ରତିନିଧିଙ୍କ ଶାସନର ଅଭାବ। ୨୦୦୦ ମସିହାରୁ ୨୦୨୪ ଅର୍ଥାତ୍ ୨୪ ବର୍ଷ ଧରି ଏକ ସ୍ଥିର ଶାସନ ଓ ସେଥିରେ ଲୋକପ୍ରତିନିଧିଙ୍କ କମ୍ ହସ୍ତକ୍ଷେପ ଏହି ଅଧିକାରୀଙ୍କ ମୁହଁରେ ଟଙ୍କା ଓ ସମ୍ପତ୍ତିର ନିଶା ବାନ୍ଧି ଦେଇଛି। ସେମାନେ ସେ ସର୍ବଶକ୍ତିମାନ ଥିଲେ ତାହାକୁ ପ୍ରମାଣିତ କରିଛି। ଏହା ଯେ ଉପର ଅଧିକାରୀ ବା ବ୍ୟବସ୍ଥା ଜାଣିନଥିଲା ତାହା ନୁହେଁ, କିନ୍ତୁ ସେହି ଉପର ବ୍ୟବସ୍ଥାଟିକୁ କିପରି କରାୟତ କରାଯାଇପାରିବ ତାହାର ଫର୍ମୁଲା ଏହି କରିତ୍କର୍ତମା ଅଧିକାରୀଙ୍କୁ ଜଣାଥିଲା। ଏଥିରୁ ଆପଣ ଚିନ୍ତା କରନ୍ତୁ ସ୍ଥିର ଶାସନ ବ୍ୟବସ୍ଥା ଭଲ ନା ବଦଳୁଥିବା ନେତାଙ୍କ ଶାସନ?
Also readhttps://purvapaksa.com/will-something-big-happen-regarding-jammu-and-kashmir/
Will something big happen regarding Jammu and Kashmir?।। ଜାମ୍ମୁ-କାଶ୍ମୀରକୁ ନେଇ କିଛି ବଡ଼ ହେବ କି ?


