ଭାଇ-ଭଉଣୀଙ୍କ ପ୍ରେମର ପର୍ବ ରକ୍ଷାବନ୍ଧନକୁ ମହାଭାରତ କାଳରେ ଶ୍ରୀକୃଷ୍ଣ-ଦ୍ରୌପଦୀ ସହିତ ମଧ୍ୟ ଜୋଡ଼ାଯାଏ । ଏପରି ପ୍ରାଚୀନ କାଳରୁ ପାଳନ କରାଯାଉଥିବା ଏହି ପର୍ବ ଦେଶରେ ମୋଗଲ ଶାସନ ଆରମ୍ଭ ହେବା ପରେ କିପରି ପାଳନ କରାଯାଉଥିଲା, ତାହାର କାହାଣୀ ମଧ୍ୟ ରୋଚକ । ସାଧାରଣତଃ ରକ୍ଷାବନ୍ଧନରେ ଭଉଣୀମାନେ ନିଜ ନିଜ ଭାଇଙ୍କର ଆଳତୀ କରନ୍ତି, ତିଳକ ଲଗାନ୍ତି ଏବଂ ସେମାନଙ୍କ ହାତରେ ରକ୍ଷା ସୂତ୍ର ବାନ୍ଧି ସେମାନଙ୍କ ମଙ୍ଗଳ କାମନା କରନ୍ତି । ଅନ୍ୟପକ୍ଷରେ, ଭାଇ ନିଜ ଭଉଣୀଙ୍କୁ ସବୁବେଳେ ରକ୍ଷା କରିବାର ପ୍ରତିଶ୍ରୁତି ଦିଏ । ଏହି ରକ୍ଷାର ପ୍ରତିଶ୍ରୁତି ଅନୁସାରେ ମେବାଡ଼ର ରାଣୀ କର୍ଣ୍ଣାବତୀ ମୋଗଲ ବାଦଶାହଙ୍କଠାରୁ ସାହାଯ୍ୟ ମାଗିଥିଲେ । ମୋଗଲ ବାଦଶାହମାନଙ୍କ ମଧ୍ୟରେ ରକ୍ଷାବନ୍ଧନ ପାଳନର ପରମ୍ପରା ସେଠାରୁ ଆରମ୍ଭ ହୋଇଥିଲା ।
ହୁମାୟୁଁଙ୍କ ସମୟରେ ମୋଗଲମାନଙ୍କ ରକ୍ଷାବନ୍ଧନ ପାଳନ ଆରମ୍ଭ
ମେବାଡ଼ର ରାଣା ସାଙ୍ଗାଙ୍କ ଉପରେ ଗୁଜରାଟର ଶାସକ ବାହାଦୁର ଶାହ ଆକ୍ରମଣ କରିଥିଲେ । ଏହି ଯୁଦ୍ଧରେ ରାଣା ସାଙ୍ଗା ଶହୀଦ ହୋଇଥିଲେ । ମେବାଡ଼ର ଅସ୍ତିତ୍ୱ ଉପରେ ବିପଦ ଦେଖି ରାଣା ସାଙ୍ଗାଙ୍କ ପତ୍ନୀ ମହାରାଣୀ କର୍ଣ୍ଣାବତୀ ମୋଗଲ ବାଦଶାହ ହୁମାୟୁଁଙ୍କୁ ଏକ ପତ୍ର ପଠାଇଥିଲେ । ଏହା ସହିତ ଏକ ରାକ୍ଷୀ ମଧ୍ୟ ଥିଲା । ରାଣୀ ହୁମାୟୁଁଙ୍କୁ ନିଜ ବଦଳରେ ମେବାଡ଼ର ରକ୍ଷା ପାଇଁ ଅନୁରୋଧ କରିଥିଲେ । ଏହି ପତ୍ର ଓ ରାକ୍ଷୀ ହୁମାୟୁଁଙ୍କୁ ପହଞ୍ଚିବା ପରେ ସେ ମେବାଡ଼ର ରକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ନିଜ ସୈନ୍ୟ ସହିତ ମେବାଡ଼ ଅଭିମୁଖେ ଯାତ୍ରା କରିଥିଲେ । କିନ୍ତୁ, ତାଙ୍କ ମେବାଡ଼ ପହଞ୍ଚିବା ପୂର୍ବରୁ ବହୁତ ବିଳମ୍ବ ହୋଇଯାଇଥିଲା । ହୁମାୟୁଁ ପହଞ୍ଚିବା ପୂର୍ବରୁ ବାହାଦୁର ଶାହ ଜାଫର ମେବାଡ଼କୁ ଜିତି ନେଇଥିଲେ ଏବଂ ରାଣୀ କର୍ଣ୍ଣାବତୀ ଜୌହର କରିଥିଲେ ।
ଇତିହାସକାରମାନେ ମାନନ୍ତି ଯେ ଏହି ଘଟଣା ପରେ ମୋଗଲ ଦରବାରରେ ମଧ୍ୟ ରାକ୍ଷୀ ପର୍ବ ପାଳନ ଆରମ୍ଭ ହୋଇଥିଲା । ବିଶେଷକରି ହିନ୍ଦୁ ଦରବାରୀମାନେ ଏହି ପର୍ବକୁ ନିଜ ପରମ୍ପରା ଅନୁଯାୟୀ ପାଳନ କରୁଥିଲେ । ସାଧାରଣ ଜନତା ତ ନିଜ ଢଙ୍ଗରେ ଏହି ପର୍ବ ପାଳନ କରୁଥିଲେ ।
ଅକବରଙ୍କ ଅମଳରେ ଦରବାରରେ ରାକ୍ଷୀ
ହୁମାୟୁଁଙ୍କ ପରେ ମୋଗଲ ଶାସନର ଦାୟିତ୍ୱ ଗ୍ରହଣ କରିଥିବା ଅକବର ମଧ୍ୟ ରକ୍ଷାବନ୍ଧନ ପାଳନ ଜାରି ରଖିଥିଲେ । ଏହାର ଏକ ପ୍ରମୁଖ କାରଣ ଥିଲା ଯେ ଅକବର ରଣନୀତିକ ଭାବେ ରାଜପୂତ ରାଜପରିବାରମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିଲେ । ସେ ସେମାନଙ୍କ ସହିତ ଶାହୀ ବିବାହର ସମ୍ପର୍କ ମଧ୍ୟ ଗଢ଼ିଥିଲେ । ତେଣୁ ସେ ସେମାନଙ୍କ ପରମ୍ପରାର ସମ୍ମାନ ମଧ୍ୟ କରୁଥିଲେ । ଏହା ସହିତ ଅକବରଙ୍କ ଦରବାରରେ ଅନେକ ହିନ୍ଦୁ ଦରବାରୀ ମଧ୍ୟ ଥିଲେ ।ପ୍ରସିଦ୍ଧ ଐତିହାସିକ ଇରଫାନ ହବିବଙ୍କ ମତ ଅନୁଯାୟୀ, ଅକବର ନିଜେ ମଧ୍ୟ ରକ୍ଷାବନ୍ଧନରେ ମୋଗଲ ଦରବାରରେ ରାଖୀ ବନ୍ଧାଇବା ଆରମ୍ଭ କରିଥିଲେ । ବାଦଶାହଙ୍କୁ ରାଖୀ ବାନ୍ଧିବା ପାଇଁ ବହୁ ସଂଖ୍ୟାରେ ଲୋକେ ପହଞ୍ଚୁଥିଲେ । ବାଦଶାହଙ୍କୁ ସାରା ଦିନ ଦରବାରରେ ବସି ରାଖୀ ବନ୍ଧାଇବାକୁ ପଡ଼ୁଥିଲା ଏବଂ ଅକବର ଏହାକୁ ଖୁସି ମନରେ କରୁଥିଲେ ।
ଜାହାଙ୍ଗୀର ମଧ୍ୟ ରକ୍ଷାବନ୍ଧନ ପରମ୍ପରା ଜାରି ରଖିଥିଲେ
ଅକବରଙ୍କ ପରେ ମୋଗଲ ଶାସନର ଦାୟିତ୍ୱ ଗ୍ରହଣ କରିଥିବା ଜାହାଙ୍ଗୀରଙ୍କୁ ଯଦିଓ ଅୟ୍ୟାଶ ବାଦଶାହ ଭାବେ ଦେଖାଯାଏ, କିନ୍ତୁ ସେ ନିଜ ପିତାଙ୍କ ରାଖୀ ବନ୍ଧାଇବାର ପରମ୍ପରାକୁ ଜାରି ରଖିଥିଲେ । ଏଥିରେ ସେ ଏକ ନୂଆ ଅଧ୍ୟାୟ ମଧ୍ୟ ଯୋଡ଼ିଥିଲେ । ଅକବର ନିଜ ଦରବାରରେ କେବଳ ଦରବାରୀଙ୍କ ପରିବାର ସଦସ୍ୟଙ୍କଠାରୁ ରାକ୍ଷୀ ବନ୍ଧାଉଥିଲେ । କିନ୍ତୁ ଜାହାଙ୍ଗୀର ଏହି ପରମ୍ପରାକୁ ଆଗେଇ ନେଇ ଏକ ନୂଆ ଆରମ୍ଭ କରିଥିଲେ । ସେ ଦରବାରୀଙ୍କ ପରିବାର ସଦସ୍ୟଙ୍କ ସହିତ ସାଧାରଣ ଜନତାଙ୍କଠାରୁ ମଧ୍ୟ ରାକ୍ଷୀ ବନ୍ଧାଇବା ଆରମ୍ଭ କରିଥିଲେ ।
ଶାହଜାହାନଙ୍କ ସମୟରେ ରକ୍ଷାବନ୍ଧନ ପରମ୍ପରା ମନ୍ଦ ପଡ଼ିଥିଲା
ଜାହାଙ୍ଗୀରଙ୍କ ପରେ ମୋଗଲ ବାଦଶାହ ହୋଇଥିବା ଶାହଜାହାନଙ୍କ ସମୟରେ ମୋଗଲ ଦରବାରରେ ରକ୍ଷାବନ୍ଧନ ପାଳନର କୌଣସି ସ୍ପଷ୍ଟ ବିବରଣୀ ମିଳେ ନାହିଁ । ତେଣୁ ଐତିହାସିକମାନେ ମାନନ୍ତି ଯେ ଶାହଜାହାନଙ୍କ ସମୟରେ ମୋଗଲ ଦରବାରରେ ରକ୍ଷାବନ୍ଧନ ପାଳନର ପରମ୍ପରା କମିଯାଇଥିଲା ।
ଔରଙ୍ଗଜେବ ସମସ୍ତ ହିନ୍ଦୁ ପର୍ବ ଉପରେ ରୋକ ଲଗାଇଥିଲେ
ମୋଗଲ ଶାସକମାନଙ୍କ ମଧ୍ୟରେ ସବୁଠାରୁ ଧର୍ମାନ୍ଧ ବୋଲି ବିବେଚିତ ଔରଙ୍ଗଜେବ ହିନ୍ଦୁ ରୀତିନୀତି, ପରମ୍ପରା ଓ ପର୍ବ ଉପରେ ବେଶ କଟକଣା ଲଗାଇଥିଲେ । ଏପରିକି ଅକବରଙ୍କ ଦ୍ୱାରା ଉଠାଇ ଦିଆଯାଇଥିବା ଜଜିୟା କରକୁ ସେ ପୁନର୍ବାର ଲାଗୁ କରିଥିଲେ । ଏହା ସହିତ ସେ ମୋଗଲ ଦରବାରରେ ହିନ୍ଦୁ ପର୍ବ ପାଳନ ଉପରେ ମଧ୍ୟ ରୋକ ଲଗାଇଥିଲେ, ଯେଉଁଥିରେ ରକ୍ଷାବନ୍ଧନ ମଧ୍ୟ ଅନ୍ତର୍ଭୁକ୍ତ ଥିଲା ।
ଔରଙ୍ଗଜେବ ଏକ ଆଦେଶ ଜାରି କରିଥିଲେ
ଔରଙ୍ଗଜେବଙ୍କ ଶାସନକାଳରେ ମୋଗଲ ଦରବାରରେ ରକ୍ଷାବନ୍ଧନ ପାଳନ ଉପରେ ଆନୁଷ୍ଠାନିକ ଭାବେ ଆଦେଶ ଜାରି କରି ସଂପୂର୍ଣ୍ଣ ରୋକ ଲଗାଯାଇଥିଲା । ୧୬୫୮ରେ ଔରଙ୍ଗଜେବ ବାଦଶାହ ହେବା ସମୟରେ ମୋଗଲ ଦରବାରରେ ଏହି ପରମ୍ପରା ପ୍ରାୟ ଶେଷ ହୋଇଯାଇଥିଲା । ତଥାପି, ୮ ଏପ୍ରିଲ ୧୬୫୮ରେ ସେ ଏକ ଆଦେଶ ଜାରି କରି ସମସ୍ତ ହିନ୍ଦୁ ପର୍ବ ପାଳନ ଉପରେ ରୋକ ଲଗାଇଥିଲେ ।
ଔରଙ୍ଗଜେବଙ୍କ ଦରବାର ସହିତ ଜଡ଼ିତ ସାକି ମୁସ୍ତାଇଦ ଖାନଙ୍କ ଲିଖିତ “ମଆସିର-ଏ-ଆଲମଗିରୀ”ରେ ଏହି ଆଦେଶର ଉଲ୍ଲେଖ ମିଳେ। ଏହା ଅନୁଯାୟୀ, ହିନ୍ଦୁ ପର୍ବ ଉପରେ ରୋକର ଆଦେଶ କେବଳ ମୋଗଲ ଦରବାର ନୁହେଁ, ବରଂ ଔରଙ୍ଗଜେବଙ୍କ ଶାସନାଧୀନ ସେତେବେଳେ ଥିବା ସମସ୍ତ ୨୧ଟି ସୁବା ଉପରେ ଲାଗୁ କରାଯାଇଥିଲା।
https://purvapaksa.com/brahmos-is-gaining-popularity-in-asia-one-country-after-another-is-placing-orders-%e0%a5%a4%e0%a5%a4-%e0%ac%8f%e0%ac%b8%e0%ac%bf%e0%ac%86%e0%ac%b0%e0%ad%87-%e0%ac%ac%e0%ad%8d%e0%ac%b0%e0%ac%b9/
