ଦୁନିଆରେ ପ୍ରାୟ ୩୯୦୦ ପ୍ରଜାତିର ସାପ ଦେଖାଯାଏ। ବିଶ୍ୱରେ ପ୍ରାୟ ୨୦୦ ଦେଶ ଅଛି ଏବଂ କିଛି ସ୍ଥାନ ବାଦ ଦେଲେ ପ୍ରାୟ ସବୁଠାରେ ସାପ ଦେଖାଯାଏ। କୁହାଯାଏ ଯେ ସାପ ପୃଥିବୀରେ ସେତେବେଳେ ଥିଲେ ଯେତେବେଳେ ମନୁଷ୍ୟ ମଧ୍ୟ ନଥିଲେ। କିଛି ସାପ ପ୍ରଜାତି ବହୁତ ବିଷାକ୍ତ ହୋଇଥାନ୍ତି, ଆଉ କିଛି ବିଷହୀନ। ଅନେକ ଦେଶରେ ସାପଙ୍କୁ ନେଇ ଲୋକକଥା ରହିଛି। ଆପଣ ଜାଣିଛନ୍ତି କି କେଉଁ ଦେଶରେ ସାପ ସବୁଠାରୁ ଅଧିକ ଦେଖାଯାନ୍ତି ଏବଂ କେଉଁଠାରେ ବିଲକୁଲ ସାପ ହିଁ ନାହାନ୍ତି ?
ସବୁଠାରୁ ଅଧିକ ସାପ ବ୍ରାଜିଲରେ ଦେଖାଯାଏ
ବ୍ରାଜିଲରେ ବିଶ୍ୱର ସବୁଠାରୁ ଅଧିକ ସାପ ପ୍ରଜାତି ଦେଖାଯାଏ। ୪୦୦ରୁ ଅଧିକ ପ୍ରଜାତି। ଏହି ଦେଶ ଆମାଜନ ରେନଫରେଷ୍ଟର ଏକ ଅଂଶ, ଯାହାକୁ ଜୈବ ବିବିଧତାର ସବୁଠାରୁ ସମୃଦ୍ଧ ଅଞ୍ଚଳ ବୋଲି ବିବେଚନା କରାଯାଏ। ଏଠାରେ ଥିବା ଆର୍ଦ୍ର ଓ ଉଷ୍ଣ ଜଳବାୟୁ, ଘନ ଜଙ୍ଗଲ ଏବଂ ଜଳ ଉତ୍ସ ସାପମାନଙ୍କ ପାଇଁ ଆଦର୍ଶ ଆଶ୍ରୟସ୍ଥଳୀ ହୋଇଥାଏ।
ଏଠାରେ ବିଶ୍ୱର ସବୁଠାରୁ ବିଷାକ୍ତ ବାଇପର ‘ବୁଶମାଷ୍ଟର’ ଦେଖାଯାଏ। ଏହା ସହ ସବୁଠାରୁ ଦ୍ରୁତ ଓ ବିଷାକ୍ତ ସାପ ‘ଫେର ଡି ଲେନ୍ସ’ ମଧ୍ୟ ଏଠାରେ ମିଳେ। କୋରାଲ ସ୍ନେକ ଯେତିକି ରଙ୍ଗୀନ ଏବଂ ସେତିକି ବିଷାକ୍ତ। ବ୍ରାଜିଲରେ ବିଶ୍ୱର ସବୁଠାରୁ ବଡ଼ ସାପ ‘ଆନାକୋଣ୍ଡା’ ମଧ୍ୟ ଦେଖାଯାଏ, ଯାହାର ଲମ୍ବା ୩୩ ଫୁଟ ପର୍ଯ୍ୟନ୍ତ ହୋଇଥାଏ। ବ୍ରାଜିଲରେ ଏକ ଦ୍ୱୀପ ଅଛି, ଯାହାକୁ ‘ମୃତ୍ୟୁର ଦ୍ୱୀପ’ କୁହାଯାଏ। ଏଠାରେ ଯେଉଁଆଡ଼େ ଦେଖିବେ ସେଠାରେ ସାପ । ସେହି ଦ୍ୱୀପରେ ଥିବା ସାପମାନେ ବହୁତ ବିଷାକ୍ତ।
ବ୍ରାଜିଲରେ ହିଁ ଅଛି ସ୍ନେକ ଆଇଲାଣ୍ଡ
ଏହି ଦ୍ୱୀପ ବ୍ରାଜିଲ ଉପକୂଳରୁ କିଛି ଦୂରରେ ଅବସ୍ଥିତ। ଏଠାରେ ମଣିଷମାନଙ୍କ ଯିବା କଡ଼ାକଡ଼ି ନିଷିଦ୍ଧ। ଏହି ଛୋଟ ଦ୍ୱୀପରେ ହଜାର ହଜାର ବିପଜ୍ଜନକ ବିଷାକ୍ତ ସାପ ରହୁଛନ୍ତି, ଖାସ କରି ‘ଗୋଲ୍ଡେନ ଲାନ୍ସହେଡ ବାଇପର’ ନାମକ ପ୍ରଜାତି, ଯାହା ବିଶ୍ୱରେ କେବଳ ଏହି ଦ୍ୱୀପରେ ଦେଖାଯାଏ। କୁହାଯାଏ ଯେ ଏଠାରେ ପ୍ରତି ବର୍ଗ ମିଟରରେ ଗୋଟିଏ ସାପ ଦେଖିବାକୁ ମିଳିଥାଏ।
ଏହି ଦ୍ୱୀପରେ ସାପମାନଙ୍କର ଜନସଂଖ୍ୟା ଏତେ ଅଧିକ ଏବଂ ବିଷର ପ୍ରଭାବ ଏତେ ତୀବ୍ର ଯେ ଯଦି କୌଣସି ମଣିଷ ଭୁଲରେ ମଧ୍ୟ ଏଠାରେ ଫସିଯାଏ, ତେବେ ତା’ର ଜୀବିତ ଫେରିବାର ସମ୍ଭାବନା ବହୁତ କମ। କୁହାଯାଏ ଯେ, ବହୁ ବର୍ଷ ତଳେ କିଛି ମତ୍ସ୍ୟଜୀବୀ ଭୁଲରେ ଏହି ଦ୍ୱୀପକୁ ଚାଲିଯାଇଥିଲେ। ପରଦିନ ସେମାନଙ୍କ ନୌକା କୂଳରେ ମିଳିଥିଲା, କିନ୍ତୁ ସେମାନେ ଫେରି ନଥିଲେ। ତେଣୁ ଏହାକୁ ‘ମୃତ୍ୟୁର ଦ୍ୱୀପ’ ମଧ୍ୟ କୁହାଯାଏ। ଏଠାରେ ମିଳୁଥିବା ‘ଗୋଲ୍ଡେନ ଲାନ୍ସହେଡ ବାଇପର’ର ବିଷ ଏତେ ପ୍ରଭାବଶାଳୀ ଯେ ଏହା କିଛି ଘଣ୍ଟାରେ ମଣିଷକୁ ମୃତ୍ୟୁମୁଖକୁ ପଠାଇପାରେ।
ବୈଜ୍ଞାନିକ ଦଳ ଏବଂ କିଛି ସାହସୀ ଅନୁସନ୍ଧାନକାରୀ ସରକାରୀ ଅନୁମତି ନେଇ ଏହି ଦ୍ୱୀପକୁ ଗବେଷଣା ପାଇଁ ଯାଇଥାନ୍ତି। ସାଧାରଣ ଲୋକଙ୍କ ପାଇଁ ଏଠାକୁ ଯିବା ସମ୍ପୂର୍ଣ୍ଣ ନିଷିଦ୍ଧ। କିନ୍ତୁ ସର୍ପ ତସ୍କର ଜୀବନକୁ ବାଜି ଲଗାଇ ଏହି ଦ୍ୱୀପକୁ ବିଷାକ୍ତ ସାପ ଧରିବାକୁ ଯାଇଥାନ୍ତି ।
ବିଶ୍ୱର ସବୁଠାରୁ ବିଷାକ୍ତ ସାପ ଅଷ୍ଟ୍ରେଲିଆରେ ଦେଖାଯାଏ
ବ୍ରାଜିଲ ପରେ ଅଷ୍ଟ୍ରେଲିଆର ନମ୍ବର। ଅଷ୍ଟ୍ରେଲିଆ ,କ୍ଷେତ୍ରଫଳ ମାମଲାରେ ବ୍ରାଜିଲଠାରୁ ଛୋଟ, କିନ୍ତୁ ଏଠାରେ ବିଷାକ୍ତ ସାପମାନଙ୍କର ସଂଖ୍ୟା ସବୁଠାରୁ ଅଧିକ। ବିଶ୍ୱର ସବୁଠାରୁ ବିଷାକ୍ତ ୧୦ ସାପଙ୍କ ମଧ୍ୟରୁ ୮ଟି ଅଷ୍ଟ୍ରେଲିଆରେ ଦେଖାଯାଇଥାନ୍ତି ।
ଭାରତରେ ୨୭୦ରୁ ଅଧିକ ପ୍ରଜାତି
ଭାରତରେ ୨୭୦ରୁ ଅଧିକ ସାପ ପ୍ରଜାତି ଦେଖାଯାଏ, ଯେଉଁଥିରେ ବିଷାକ୍ତ ଓ ଅବିଷାକ୍ତ ଉଭୟ ଅନ୍ତର୍ଭୁକ୍ତ। ବିଶ୍ୱର ସବୁଠାରୁ ବିଷାକ୍ତ ସାପ ଭାରତରେ ମଧ୍ୟ ମିଳନ୍ତି, ଯେଉଁଥିରେ କୋବ୍ରା, କରେତ, ରସେଲ ବାଇପର ଓ ସ-ସ୍କେଲ୍ଡ ବାଇପର ଅନ୍ତର୍ଭୁକ୍ତ। ବିଶ୍ୱରେ ସାପ କାମୁଡ଼ିବା ଯୋଗୁଁ ସବୁଠାରୁ ଅଧିକ ମୃତ୍ୟୁ ଭାରତରେ ହିଁ ହୁଏ। ଭାରତରେ ପ୍ରତିବର୍ଷ ପ୍ରାୟ ୫୦,୦୦୦ ମୃତ୍ୟୁ ସାପ କାମୁଡ଼ିବା ଯୋଗୁଁ ହୁଏ।
ସାପ ନଥିବା ଦେଶ
ଯଦିଓ ସାପ ବିଶ୍ୱର ଅଧିକାଂଶ ଅଞ୍ଚଳରେ ଦେଖାଯାଏ, କିଛି ଦେଶ ଏପରି ଅଛି ଯେଉଁଠାରେ ପ୍ରାକୃତିକ ଭାବେ ଗୋଟିଏ ମଧ୍ୟ ସାପ ମିଳେ ନାହିଁ।
ଆୟରଲ୍ୟାଣ୍ଡ – ଆୟରଲ୍ୟାଣ୍ଡରେ ଗୋଟିଏ ମଧ୍ୟ ସ୍ଥଳଚର ସାପ ଦେଖାଯାଏ ନାହିଁ। ଏହା ଏକମାତ୍ର ଇଉରୋପୀୟ ଦେଶ ଯେଉଁଠାରେ ସାପ ମିଳେ ନାହିଁ। ଏହା ପଛରେ ମୁଖ୍ୟ କାରଣ ହେଉଛି ଶେଷ ହିମଯୁଗ ପରେ ଯେତେବେଳେ ଇଉରୋପରେ ବରଫ ତରଳିଲା, ସାପମାନେ ଇଉରୋପର ଅଧିକାଂଶ ଅଞ୍ଚଳରେ ବ୍ୟାପିବା ଆରମ୍ଭ କଲେ, କିନ୍ତୁ ଆୟରଲ୍ୟାଣ୍ଡ ଏକ ଦ୍ୱୀପ ହୋଇଥିବାରୁ ମହାଦେଶରୁ ଅଲଗା ରହିଗଲା। ସେଠାକୁ ସାପମାନେ ପହଞ୍ଚି ପାରିଲେ ନାହିଁ। ଯଦିଓ ଲୋକମାନେ ଏହାକୁ ସେଣ୍ଟ ପେଟ୍ରିକଙ୍କ କାହାଣୀ ସହ ଯୋଡ଼ିଛନ୍ତି, ଯିଏ କଥିତ ରୂପେ “ଆୟରଲ୍ୟାଣ୍ଡରୁ ସମସ୍ତ ସାପକୁ ତଡ଼ି ଦେଇଥିଲେ”।
ଆଇସଲ୍ୟାଣ୍ଡ – ଏହା ଏକ ଜ୍ୱାଳାମୁଖୀ ଓ ଅତ୍ୟଧିକ ଥଣ୍ଡା ଦ୍ୱୀପ। ଏଠାରେ ତାପମାତ୍ରା ଓ ପରିବେଶ ସାପମାନଙ୍କ ଅସ୍ତିତ୍ୱ ପାଇଁ ବିଲକୁଲ ଉପଯୁକ୍ତ ନୁହେ, ତେଣୁ ଏଠାରେ ସାପ ଦେଖାଯାଏ ନାହିଁ।
ନ୍ୟୁଜିଲାଣ୍ଡ – ନ୍ୟୁଜିଲାଣ୍ଡରେ କୌଣସି ସ୍ଥଳଚର ସାପ ଦେଖାଯାଏ ନାହିଁ। ଏଠାରେ କେବଳ କିଛି ସାମୁଦ୍ରିକ ସାପ ଉପକୂଳୀୟ ଜଳରେ ଦେଖାଯାଏ, ତାହା ମଧ୍ୟ ବହୁତ ଦୁର୍ଲଭ। ନ୍ୟୁଜିଲାଣ୍ଡ ସରକାର ଏହା ନେଇ ବହୁତ କଡ଼ା। ଏଠାରେ ସାପମାନଙ୍କ ପ୍ରବେଶ ଅବୈଧ।
ଗ୍ରୀନଲାଣ୍ଡ – ଏହି ଅଞ୍ଚଳ ବହୁତ ଥଣ୍ଡା ଓ ବରଫରେ ଘେରା ରହେ, ଯେଉଁଥିପାଇଁ ଏଠାରେ ସାପ ଦେଖିବାକୁ ମିଳେ ନାହିଁ ।
ସାପମାନେ ଥଣ୍ଡା ସ୍ଥାନରେ ରହିପାରନ୍ତି ନାହିଁ କାହିଁକି ?
ସାପମାନଙ୍କର ରକ୍ତ ଥଣ୍ଡା ହୋଇଥାଏ। ସେମାନଙ୍କୁ ନିଜ ଶରୀରର ତାପମାତ୍ରା ବଜାୟ ରଖିବା ପାଇଁ ବାହାରୁ ଉଷ୍ମତାର ଆବଶ୍ୟକତା ହୁଏ। ତେଣୁ ସେମାନେ ଅତ୍ୟଧିକ ଥଣ୍ଡା ସ୍ଥାନରେ ଜୀବିତ ରହିପାରନ୍ତି ନାହିଁ।
