ନିଜର ବିଶାଳ ତୈଳ ଓ ପ୍ରାକୃତିକ ଗ୍ୟାସ ଭଣ୍ଡାର ହେତୁ ବିଶ୍ୱର ଅନ୍ୟତମ ଧନୀ ଦେଶ ହେଉଛି ସାଉଦୀ ଆରବ । ନିଜ ପେଟ୍ରୋ ଡଲାର ପାଇଁ ଶକ୍ତିଶାଳୀ ଏହି ରାଷ୍ଟ୍ର କିନ୍ତୁ ଏକ ଗମ୍ଭୀର ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। ଏହା ହେଉଛି ପାଣିର ଅଭାବ। ଏହି ଦେଶର ଅଧିକାଂଶ ଭାଗ ମରୁଭୂମିରେ ଆଚ୍ଛାଦିତ। ଏହା ହେତୁ ଏହାର ଜଳବାୟୁ ବେଶ କଠିନ। ଏଠାରେ ଗ୍ରୀଷ୍ମ ଋତୁରେ ଅତ୍ୟଧିକ ଗରମ ଏବଂ ଶୀତ ଋତୁରେ ପ୍ରଚଣ୍ଡ ଥଣ୍ଡା ହୁଏ। ସବୁଠାରୁ ବଡ଼ କଥା ହେଲା ଇଏ ଏକମାତ୍ର ଦେଶ,ଯେଉଁଠାରେ ଗୋଟିଏ ମଧ୍ୟ ନଦୀ ନାହିଁ । ନଦୀ ଛାଡ଼ନ୍ତୁ ଛୋଟ ନାଳ ଟିଏ ବି ନାହିଁ । କେବଳ ଖରା ଓ ଶୀତକୁ ଜାଣିଥିବା ଏହି ଦେଶରେ ବର୍ଷକୁ ଥରେ କିମ୍ବା ଦୁଇଥର ବର୍ଷା ହୁଏ । ଏବେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ,ନଦୀ କିମ୍ବା ହ୍ରଦ ନଥିବା ଦେଶର ଲୋକମାନେ କିପରି ଶୋଷ ମେଣ୍ଟାନ୍ତି? ଆସନ୍ତୁ ଜାଣିବା।
ସାଉଦୀ ଆରବରେ ହୁଏନି ଚାଷ !
ସାଉଦୀ ଆରବର ମାତ୍ର ଏକ ପ୍ରତିଶତ ଜମି କୃଷି ଯୋଗ୍ୟ। ଏକଦା ଏଠାରେ ଗହମ ଚାଷ ପାଇଁ ପ୍ରସ୍ତୁତି କରାଯାଇଥିଲା, କିନ୍ତୁ ଏହି ପରୀକ୍ଷଣ ବିଫଳ ହୋଇଥିଲା। ସିଞ୍ଚନ ପାଇଁ ପ୍ରଚୁର ପାଣି ବ୍ୟବହାର କରାଯାଇଥିଲା, ଯାହା ଫଳରେ ମାଟିରେ ଲୁଣ ଜମା ହୋଇଗଲା। ସମୟ ସହିତ ଏହି ଜମି ପଡ଼ିଆ ଏବଂ ବିଷାକ୍ତ ହୋଇଗଲା। କର୍ତ୍ତୃପକ୍ଷଙ୍କୁ ଏହି ସ୍ଥାନରେ ସାର୍ବଜନୀନ ପ୍ରବେଶ ରୋକିବା ପାଇଁ ବାଡ଼ ଘେରିବାକୁ ପଡ଼ିଥିଲା ।
ହ୍ରାସ ପାଉଛି ଭୂଗର୍ଭ ଜଳ ଓ କୂଅ:
ସାଉଦି ଆରବର ଲୋକ ପାଣି ପାଇଁ କୁଅ ଉପରେ ନିର୍ଭରଶୀଳ । ଶତାବ୍ଦୀ ଶତାବ୍ଦୀ ଧରି ଏଠାକାର ଲୋକ ପାନୀୟ ଦଳ ପାଇଁ କୂଅ ଉପରେ ନିର୍ଭରଶୀଳ । ଯେଉଁଥିପାଇଁ ଭୂଗର୍ଭ ଜଳ ଉପରେ ଅଧିକ ଚାପ ପଡୁଛି । ଜନସଂଖ୍ୟା ବୃଦ୍ଧି ଏବଂ ବଢ଼ୁଥିବା ଚାହିଦା ହେତୁ ଏହି କୂଅଗୁଡ଼ିକ ଶୁଖିଯାଇଛି। ବିଶେଷଜ୍ଞମାନେ କହୁଛନ୍ତି ଯେ ଯଦି ବର୍ତ୍ତମାନ ହିସାବରେ ଭୂଗର୍ଭ ଜଳ ଦୋହନ ଜାରି ରହେ, ତେବେ ସାଉଦୀ ଆରବର ଅବଶିଷ୍ଟ ପାଣି ଆଗାମୀ ୧୧ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ଶେଷ ହୋଇଯିବ। ସାଉଦୀ ଆରବରେ ବର୍ଷା ମଧ୍ୟ ବର୍ଷକୁ ମାତ୍ର ଏକ କିମ୍ବା ଦୁଇଥର ହୁଏ। ଏମିତିରେ ସାଉଦି ଆରବରେ ଜଳ ସଂକଟ ତିବ୍ର ହେବ ।
କେଉଁଠୁ ପାଣି ଆଣୁଛି ସାଉଦି ଆରବ ?
ପ୍ରାକୃତିକ ମିଠା ପାଣି ଉତ୍ସର ଅଭାବର ସମ୍ମୁଖୀନ ହୋଇ ସାଉଦୀ ଆରବ ଏବେ ଡିସେଲିନେସନ୍ ଆଡ଼କୁ ମୁହାଁଇଛି। ଏହା ମାଧ୍ୟମରେ ସମୁଦ୍ର ଜଳରୁ ଲୁଣ ବାହାର କରାଯାଏ ଏବଂ ତା’ପରେ ଏହାକୁ ଘରୋଇ କିମ୍ବା ଶିଳ୍ପ ବ୍ୟବହାର ପାଇଁ ପ୍ରସ୍ତୁତ କରାଯାଏ। ଏହି ପ୍ରଯୁକ୍ତି ମାଧ୍ୟମରେ ଦେଶ ୫୦ ବର୍ଷରୁ ଅଧିକ ସମୟ ଧରି ପାଣି ସଂଗ୍ରହ କରୁଛି। ଯଦିଓ ଏହି ପ୍ରଯୁକ୍ତି ବେଶ ପ୍ରଭାବୀ, ତଥାପି ଏହାର ମୂଲ୍ୟ ବହୁତ ଅଧିକ।
ପାଣି ଉପରେ ସବସିଡି:
ସାଉଦୀ ଆରବରେ ନାଗରିକମାନଙ୍କ ପାଇଁ ପାଣିକୁ ସୁଲଭ ରଖିବା ପାଇଁ ବିପୁଳ ବିନିଯୋଗ କରାଯାଏ। ବିଶ୍ୱ ବ୍ୟାଙ୍କର ରିପୋର୍ଟ ଅନୁଯାୟୀ, ଦେଶ ନିଜ ଜିଡିପିର ପ୍ରାୟ ଦୁଇ ପ୍ରତିଶତ ଜଳ ସବସିଡି ଉପରେ ଖର୍ଚ୍ଚ କରେ। ଏହି ସବସିଡି ବିଶ୍ୱରେ ସର୍ବାଧିକ।
ଆପଣଙ୍କୁ କହି ରଖୁଛୁ ଯେ ଏଠାରେ ବର୍ଷା ପ୍ରାୟ ନଗଣ୍ୟ। ସୀମିତ କୃଷି ଯୋଗ୍ୟ ଜମି ଏବଂ ହ୍ରାସ ପାଉଥିବା ଭୂଗର୍ଭ ଜଳ ହେତୁ ସାଉଦୀ ଆରବ ଖାଦ୍ୟ ପାଇଁ ମଧ୍ୟ ଆମଦାନୀ ଉପରେ ବହୁତ ନିର୍ଭରଶୀଳ। ଫଳ, ପନିପରିବା, ଶସ୍ୟ ଆଦି ବିଦେଶରୁ ଆସେ।
also read https://purvapaksa.com/pakistan-on-fire/
Pakistan on fire ।। ଭାରତ କୋଳରେ ଆଫଗାନିସ୍ତାନ,ପାକିସ୍ତାନକୁ ଲାଗିଲା ନିଆଁ
