ଓଡ଼ିଶାର ପ୍ରଶାସନିକ ବ୍ୟବସ୍ଥା ଆଜି ଯେଉଁ ଅବସ୍ଥାରେ ପହଞ୍ଚିଛି, ତାହାକୁ ବର୍ଣ୍ଣନା କରିବା ପାଇଁ “ସଙ୍କଟ” ଶବ୍ଦଟି ବୋଧହୁଏ ଯଥେଷ୍ଟ ନୁହେଁ। ଏହା ଏକ ଏମିତି ସଙ୍କଟ, ଯାହା ଧୀରେ ଧୀରେ ଲୋକତନ୍ତ୍ରର ମୂଳ ଧାରଣାକୁ ପରିବର୍ତ୍ତନ କରିଦେଉଛି। ଏହି ସଙ୍କଟର ନାମ—ଠିକା ନିଯୁକ୍ତିର ସାମ୍ରାଜ୍ୟ।
ଆଜି ଓଡ଼ିଶାରେ ଯେଉଁଠି ଦୃଷ୍ଟି ପକାଲେ, ସେଠି ଗୋଟିଏ ଚିତ୍ର—ଠିକାରେ କାମ, ଠିକାରେ ଚାକିରି, ଠିକାରେ ସେବା। ଶିକ୍ଷକ ଠିକାରେ, ଅଧ୍ୟାପକ ଠିକାରେ, ଡାକ୍ତର ଠିକାରେ,କିରାଣୀ ଠିକାରେ, ପୋଲିସ ଠିକାରେ, ଏବେ ତ ଅବସରପ୍ରାପ୍ତ ଅଧିକାରୀମାନେ ବି ଠିକାରେ ପୁନଃନିଯୁକ୍ତ। କେବଳ ସେତିକି ନୁହେଁ ଏହା କେବଳ ବ୍ୟଙ୍ଗ ନୁହେଁ। ଏହା ଏକ ଗଭୀର ରାଜନୈତିକ ଓ ସାମାଜିକ ପ୍ରଶ୍ନ, ଯାହା ଓଡ଼ିଶାର ଲୋକତନ୍ତ୍ରର ଭବିଷ୍ୟତ ସହିତ ସିଧାସଳଖ ଜଡ଼ିତ।
ସରକାରରେ ବରିଷ୍ଠ ସଚିବ ପଦରେ ବି ଠିକା ନିଯୁକ୍ତ ହୋଇଛି। ଏହି ପରିସ୍ଥିତିରେ ସାଧାରଣ ନାଗରିକଙ୍କ ମନରେ ଏକ ପ୍ରଶ୍ନ ଉଠିବା ସ୍ୱାଭାବିକ—ଯଦି ସମସ୍ତେ ଠିକାରେ, ତେବେ ସରକାର କାହିଁକି ନୁହେଁ?
ଠିକା ନିଯୁକ୍ତି: ଅସ୍ଥାୟୀ ସମାଧାନରୁ ସ୍ଥାୟୀ ରୋଗ
ଠିକା ନିଯୁକ୍ତି ଓଡ଼ିଶାରେ ଆଜି ନୂଆ ନୁହେଁ। ଏହାର ମୂଳ ଆରମ୍ଭ ହୋଇଥିଲା ନବୀନ ପଟ୍ଟନାୟକ ବିଜେଡି ସରକାରରେ “ଅସ୍ଥାୟୀ ସମାଧାନ” ଭାବେ। ତେବେ ସେତେବେଳେ ଯୁକ୍ତି ଦିଆଯାଇଥିଲା—ସରକାରୀ ଖର୍ଚ୍ଚ କମାଇବା, ଦ୍ରୁତ ନିଯୁକ୍ତି କରିବା ଓ ଦକ୍ଷତା ଆଣିବା ପାଇଁ ଠିକା ନିଯୁକ୍ତି ଆବଶ୍ୟକ।
କିନ୍ତୁ ସମୟ ବିତିବା ସହିତ ସେହି ଅସ୍ଥାୟୀ ସମାଧାନ ହିଁ ସ୍ଥାୟୀ ନୀତି ହୋଇଗଲା। ଆଜି ଠିକା ନିଯୁକ୍ତି କୌଣସି ଅପବାଦ ନୁହେଁ; ଏହା ହେଉଛି ନିୟମ। ସ୍ଥାୟୀ ନିଯୁକ୍ତି ଏବେ ଅପବାଦ ହୋଇଯାଇଛି।
ଏହି ପରିବର୍ତ୍ତନର ପ୍ରଭାବ କେବଳ କର୍ମଚାରୀଙ୍କ ଉପରେ ନୁହେଁ; ଏହା ସମଗ୍ର ପ୍ରଶାସନିକ ବ୍ୟବସ୍ଥାକୁ ଅସ୍ଥିର କରିଦେଇଛି। ଯେଉଁଠି ଚାକିରି ଅନିଶ୍ଚିତ, ସେଠି ସେବା ମଧ୍ୟ ଅନିଶ୍ଚିତ। ଯେଉଁଠି ଭବିଷ୍ୟତ ଅନ୍ଧକାର, ସେଠି ନୈତିକତା ଓ ଦାୟିତ୍ୱ ଆଶା କରିବା ଦୁର୍ଲଭ।
ଠିକା ପ୍ରଣାଳୀ ଓ ଦାୟିତ୍ୱର ସଂକଟ
ଠିକା ନିଯୁକ୍ତିର ସବୁଠୁ ବଡ଼ ଅସୁବିଧା ହେଉଛି—ଉତ୍ତରଦାୟିତ୍ୱର ଅଭାବ। ଠିକା କର୍ମଚାରୀଙ୍କ ପାଖରେ ସ୍ପଷ୍ଟ ସେବା ନୀତି ନାହିଁ, ନିର୍ଦ୍ଧାରିତ ପଦୋନ୍ନତି ନାହିଁ, ନାହିଁ କୌଣସି ଦୀର୍ଘକାଳୀନ ସୁରକ୍ଷା। ଫଳରେ ସେମାନେ ଲୋକଙ୍କ ପ୍ରତି ନୁହେଁ, ବରଂ ନିଯୁକ୍ତି ଦେଇଥିବା ଅଧିକାରୀଙ୍କ ପ୍ରତି ଅଧିକ ଦାୟିତ୍ୱବାନ୍ ହୋଇପଡ଼ନ୍ତି।
ଏହି ପ୍ରଣାଳୀର ଫଳ ଆମେ ବାରମ୍ବାର ଦେଖୁଛୁ। ମାଧ୍ୟମିକ ଶିକ୍ଷା ବୋର୍ଡରେ ପ୍ରଶ୍ନପତ୍ର ଲିକ୍ ଘଟଣା କୌଣସି ଆକସ୍ମିକ ଅପରାଧ ନୁହେଁ। ଏହା ଏକ ଦୀର୍ଘଦିନ ଧରି ଚାଲିଥିବା ଠିକା ପ୍ରଣାଳୀର ପରିଣାମ। ଯେଉଁଠି କର୍ମଚାରୀଙ୍କ ପାଖରେ ନ ଭୟ ଅଛି, ନ ଭବିଷ୍ୟତ ସୁରକ୍ଷା, ସେଠି ଦୁର୍ନୀତି ପାଇଁ ରାସ୍ତା ଖୋଲା ରହିଥାଏ।
ତେଣୁ ମାଧ୍ୟମିକ ଶିକ୍ଷା ବୋର୍ଡରେ ନିଯୁକ୍ତି ପାଇଥିବା ଠିକା କର୍ମଚାରୀ ନିଜର ଆର୍ଥିକ ଫାଇଦା ପାଇଁ ପ୍ରଶ୍ନପତ୍ର ଲିକ କରିବା ଘଟଣା ସାମ୍ନାକୁ ଆସିଛି।
ସରକାର ବଦଳିଲା, ପ୍ରଣାଳୀ ରହିଗଲା
ବିଜେଡି ଶାସନ କାଳରେ ଠିକା ନିଯୁକ୍ତି ଏକ ଅଭ୍ୟାସ ହୋଇଯାଇଥିଲା। ସରକାର ବଦଳିବା ପରେ ଲୋକ ଆଶା କରିଥିଲେ- ନୂଆ ସରକାର ଏହି ପରମ୍ପରାରେ ପୂର୍ଣ୍ଣଛେଦ ପକାଇବ। କିନ୍ତୁ ବାସ୍ତବ ଚିତ୍ର ହେଉଛି- ସରକାର ବଦଳିଲା, କିନ୍ତୁ ପ୍ରଶାସନିକ ମନୋଭାବ ବଦଳିଲା ନାହିଁ।
)
ସଚିବାଳୟର ଫାଇଲ୍, ଟେବୁଲ୍ ଓ ଚେୟାର ସହିତ ସେଇ ଚାଲାକ ପ୍ରଣାଳୀ ଅକ୍ଷୁର୍ଣ୍ଣ ରହିଲା। ଗୋଟିଏ ସରକାର ଯାଉଛି, ଆଉ ଗୋଟିଏ ଆସୁଛି; କିନ୍ତୁ ଠିକା ନିଯୁକ୍ତିର ଲାଭ ଉଠାଉଥିବା ଗୋଷ୍ଠୀ ରହିଯାଉଛି।
ଅବସରପ୍ରାପ୍ତ ଅଧିକାରୀଙ୍କ ପୁନଃନିଯୁକ୍ତି: ନୈତିକ ପ୍ରଶ୍ନ
ଏବେ ଓଡ଼ିଶାର ମନ୍ତ୍ରୀମାନଙ୍କ ଅଫିସରେ ଯେଉଁ ଦୃଶ୍ୟ ଦେଖାଯାଉଛି, ତାହା ଆଉ ଏକ ଗଭୀର ନୈତିକ ପ୍ରଶ୍ନ ଉଠାଉଛି। ଅବସରପ୍ରାପ୍ତ ଓଏଏସ ଅଧିକାରୀମାନେ ଓଏସଡି ଭାବରେ ପୁନଃ ନିଯୁକ୍ତ ହେଉଛନ୍ତି। ଅନେକ ମାମଲାରେ ସେମାନଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ମଧ୍ୟ ଥିଲା।
ଏହା କ’ଣ ସୂଚାଏ? ଯଦି ସେମାନେ ଏତେ ଆବଶ୍ୟକ, ତେବେ ସେମାନେ ଅବସର ନେଲେ କାହିଁକି? ନା ଓଡ଼ିଶାରେ ଅବସରର ଅର୍ଥ ବଦଳିଯାଇଛି—ଅବସର ମାନେ ଏବେ ଦ୍ୱିତୀୟ ଇନିଂସ୍?
ପୋଲିସ ନିଯୁକ୍ତିର ବିଫଳତା ଓ ଯୁବ ଭବିଷ୍ୟତ
ପୋଲିସ ନିଯୁକ୍ତି ପରୀକ୍ଷା କରିବାରେ ସରକାରର ବିଫଳତା ଆଉ ଏକ ଉଦାହରଣ। ଏହାର ସମାଧାନ ଭାବେ ୮୦୦ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ଠିକାରେ ପୁନଃନିଯୁକ୍ତ କରାଯାଉଛି। ଏହା ସାମୟିକ ସମାଧାନ ହୋଇପାରେ, କିନ୍ତୁ ଏହା ଯୁବକମାନଙ୍କ ପାଇଁ ଏକ ଭୟଙ୍କର ବାର୍ତ୍ତା।
ଯେଉଁ ରାଜ୍ୟରେ ଯୁବକମାନେ ଚାକିରି ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରୁଛନ୍ତି, ସେଠି ଅବସରପ୍ରାପ୍ତଙ୍କୁ ପୁନଃନିଯୁକ୍ତି ଦେବା ଏକ ନୀତିଗତ ବିଫଳତା।

ଶୋଇଲା ପୁଅର ଭାଗ ନାହିଁ
କଥାରେ ଅଛି ଶୋଇଲା ପୁଅର ଭାଗ ନାହିଁ। ଓଡ଼ିଶାର ଶିକ୍ଷିତ ବେ;କାର ଯୁବକ ଏବେ ମଦ ପିଇ ରାସ୍ତାରେ ଗଡ଼ୁଛନ୍ତି କିମ୍ବା ଅନ୍ୟରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ନିଜ ରାଜ୍ୟରେ ଯାହାଙ୍କୁ ଆମେ ଶାସନ ଗାଦିରେ ବସାଇଛେ ସେମାନେ ଓଡ଼ିଆ ମାରଣ ନୀତି ଆପଣାଉଛନ୍ତି। ଅଥଚ ଆମେ ନୀରବ। ତେଣୁ ରାଜ୍ୟରେ ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ ଗଢ଼ା ଗଲା। ସେଥିରେ ୩ହଜାର ଅବସରପ୍ରାପ୍ତ ଆର୍ମି ଯବାନଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିରେ ଓଡ଼ିଶାରୁ ହାତଗଣତି ଲୋକ ଥିବାବେଳେ ଆଉସବୁ ବାହାର ରାଜ୍ୟର। ପୁଣି ଦରମା କିଛି କମ ନୁହେଁ। ମାସକୁ ୫୦ ହଜାର ବାଦେ ବିଭିନ୍ନ ପ୍ରକାରର ଭତ୍ତା ରହିଛି। ଯଦି ଓଡ଼ିଆ ଯୁବକମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ନିଯୁକ୍ତି କରାଯାଇଥାନ୍ତା ତେବେ ରାଜ୍ୟର ଶିକ୍ଷିତ ବେକାର ଯୁବକମାନେ କର୍ମ ନିଯୁକ୍ତି ପାଇପାରିଥାଆନ୍ତେ।
ତେବେ ପ୍ରଶ୍ନ ଅବଶ୍ୟମ୍ଭାବୀ
ଏହି ସମସ୍ତ ପରିପ୍ରେକ୍ଷୀରେ ପ୍ରଶ୍ନ ଅବଶ୍ୟ ଉଠିବ—ଯଦି ସରକାରୀ ସେବା ଠିକାରେ ଚାଲିବ, ତେବେ ସରକାର କାହିଁକି ନୁହେଁ?
• ମନ୍ତ୍ରୀ ଓ ବିଧାୟକମାନେ ୫ ବର୍ଷ ପାଇଁ ନିର୍ବାଚିତ ହେଉଛନ୍ତି, ସେମାନଙ୍କ କାମ ଓ ଦକ୍ଷତାର କୌଣସି ମଧ୍ୟବର୍ତ୍ତୀ ମୂଲ୍ୟାୟନ ବିକରାଯାଉନାହିଁ।
• କାମ କଲେ କି ନାହିଁ, ଲୋକଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ।
• ଯଦି କର୍ମଚାରୀଙ୍କ ପାଇଁ ଚୁକ୍ତି ଦରକାର, ତେବେ ଶକ୍ତିଧାରୀଙ୍କ ପାଇଁ ମଧ୍ୟ ଉତ୍ତରଦାୟିତ୍ୱ ଦରକାର।
ଏହା ରାଜନୀତି ନୁହେଁ, ଲୋକତନ୍ତ୍ରର ପ୍ରଶ୍ନ
ଆଜିର ଆଲୋଚନା କୌଣସି ଦଳ ବିରୋଧରେ ନୁହେଁ। ଏହା ଓଡ଼ିଶାର ଲୋକତନ୍ତ୍ରକୁ ବଞ୍ଚାଇବା ପାଇଁ ଏକ ଚେତାବନୀ। ଯେଉଁଠି ସେବା ଅସ୍ଥାୟୀ, ଦାୟିତ୍ୱ ଅସ୍ପଷ୍ଟ ଓ ଶକ୍ତି ସ୍ଥାୟୀ, ସେଠି ଲୋକତନ୍ତ୍ର ଧୀରେ ଧୀରେ ଅର୍ଥହୀନ ହୋଇଯାଏ।
ପ୍ରଶ୍ନ ଏହା ନୁହେଁ—ସରକାର କେବେ ଠିକାରେ ନିଯୁକ୍ତି ହେବ।
ପ୍ରଶ୍ନ ହେଉଛି—ଲୋକତନ୍ତ୍ରକୁ ଆମେ କେତେଦିନ ଅଧିକ ଠିକାରେ ଚାଲିବାକୁ ଦେବୁ?
AlsoRead; https://purvapaksa.com/pregnancy-will-be-easier-with-the-help-of-glp-1/
Pregnancy will be easier with the help of GLP-1! || GLP-1 ବ୍ୟବହାର ସାହାଯ୍ୟରେ ସହଜ ହେବ ଗର୍ଭଧାରଣ!

