BJP: ରାଜ୍ୟରେ ବିଜେପି ଶାସନ ଚାଲିଛି। ଲୋକେ ଆକୁଣ୍ଠ ସମର୍ଥନ ଦେଉଛନ୍ତି ହେଲେ ନେତୃତ୍ୱ ନେବାକୁ ନେତା କିଏ ହେବେ ତାହା ସ୍ଥିର ହୋଇପାରୁନି। ସରକାରରେ ଯେମିତି ଜଣେ ମନ୍ତ୍ରୀ ଅନେକ ଦାୟିତ୍ୱକୁ ସମ୍ଭାଳିଛନ୍ତି ଠିକ୍ ସେମିତି ଦଳର ମଙ୍ଗୁଆଳ ତଥା ସଭାପତିଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲେ ବି ନୂଆ ସଭାପତି ନିଯୁକ୍ତି ହୋଇପାରୁ ନାହିଁ। ଅର୍ଥାତ୍ ରାଜ୍ୟରେ ଦଳ ଏବଂ ସରକାର ଅନିଶ୍ଚିତତାରେ ଗତି କରୁଛନ୍ତି।
ଅପରପକ୍ଷେ ଦୀର୍ଘ ଦିନ ହେଲା ବିବାଦରେ ଫଶି ଥିବା ବିଜେଡି ନିଜ ସଂଗଠନର ସଭାପତି ଭାବେ ପୁଣିଥରେ ନବୀନଙ୍କୁ ନିର୍ବାଚିତ ଘୋଷଣା କରିଛି। ୧୮ ଜିଲ୍ଲାସଭାପତିଙ୍କ ନାଁ ଘୋଷଣା ବି ଶେଷ ହୋଇଛି।
କ୍ରମାଗତଭାବେ ଷଷ୍ଠ ଥର ପାଇଁ ହାରିବା ପରେ ପ୍ରାୟ ୭ ମାସ କଂଗ୍ରେସ ମୁଖ୍ୟ ବିହୀନ ହୋଇଥିଲା । ଶେଷରେ କଂଗ୍ରେସ ହାଇକମାଣ୍ଡ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଅଣକଂଗ୍ରେସର ଟାଣୁଆ ନେତା ଭକ୍ତ ଦାସଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ନିଯୁକ୍ତି ଦେଇଥିଲେ।
କଂଗ୍ରେସ ତା’ର ସଭାପତି ପାଇବା ପରେ ରାଜ୍ୟରେ ବେଶ ଚଳଚଞ୍ଚଳ ହୋଇଛି I ଉକ୍ତଙ୍କ ନେତୃତ୍ବରେ ଦଳ ଆଉ ବିଶ୍ରାମ ନେଉନାହିଁ। ବିଧାନସଭାରେ ଓ ବିଧାନସଭା ବାହାରେ କମ୍ପମାନ କରୁଛି। କିନ୍ତୁ ବିଜେପି ସଂଗଠନ ଚୁପ୍ ଥିବାରୁ ସବୁକିଛି ଯେ ଏଠାରେ ଠିକ୍ ଚାଲିନି ତାହା ସ୍ପଷ୍ଟ କରୁଛି।
ବିଜେପି କେନ୍ଦ୍ରୀୟ ପ୍ରଭାରୀ ବିଜୟ ପାଲ ସିଂ ତୋମର ଅନେକ ତାରିଖ ଦେଇ ସାରିଲେଣି। ଗତବର୍ଷ ଡିସେମ୍ବର ମାସରୁ ସେ ତାରିଖ ଦେଇ ଚାଲୁଛନ୍ତି। ଜାନୁଆରୀ ପ୍ରଥମ ସପ୍ତାହ, ଦ୍ବିତୀୟ ସପ୍ତାହ ଶେଷ ସପ୍ତାହ, ପୁଣି ଫେବୃଆରୀ ଶେଷ ସୁଦ୍ଧା ଏମିତି କେତେ ତାରିଖ ଦେବା ପରେ ଏବେ ସେ ଚୁପ ରହିଛନ୍ତି। ଜାନୁଆରୀ, ଫେବୃଆରୀ ଓ ମାର୍ଚ୍ଚ ଯାଇ ଏପ୍ରିଲ ଯିବାକୁ ବସିଲାଣି । ଏପର୍ଯ୍ୟନ୍ତ କିନ୍ତୁ ରାଜ୍ୟ ବିଜେପିର ସଭାପତି ନିର୍ବାଚନ ହୋଇପାରୁନାହିଁ ।
ସଭାପତି ପଦରେ ରହିଥିବା ଦଳର ବରିଷ୍ଠ ନେତା ମନମୋହନ ସାମଲଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଯେହେତୁ ସେ ଗତ ନିର୍ବାଚନରେ ଦଳକୁ ନେତୃତ୍ବ ଦେଇ ବିଜୟୀ କରାଇଛନ୍ତି ଓ ନିଜେ ହାରି ଯାଇଛନ୍ତି ତେଣୁ ତାଙ୍କୁ ଆଉଥରେ ସଭାପତି ପଦରେ ବସାଇବାର ଏକ ଚର୍ଚ୍ଚା ରହିଛି। ଅପରପକ୍ଷରେ ତାଙ୍କ ପରିବର୍ତ୍ତେ ଆଉ ଜଣେ ନୂଆ ନେତାଙ୍କୁ ସଭାପତି ପଦରେ ବସାଇବାର ଚର୍ଚ୍ଚା ମଧ୍ୟ ଅଛି। ସେଇଠି ଦ୍ଵନ୍ଦ ସୃଷ୍ଟି ହୋଇଥିବାରୁ ନୂତନ ସଭାପତି ନିଷ୍ପତ୍ତି ହୋଇପାରୁନି ଜାତୀୟସ୍ତରରେ ବିଜେପିର ସଭାପତି ପଦ ମଧ୍ୟ ନୂଆ ଅପେକ୍ଷାରେ ରହିଛି।
କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଥିବା ଜେ.ପି.ନଡ୍ଡାଙ୍କ କାର୍ଯ୍ୟକାଳ ସରିଲାଣି। ଗତବର୍ଷ ନିର୍ବାଚନ ଥିବାରୁ ତାଙ୍କ କାର୍ଯ୍ୟକାଳ ବଢ଼ାଯାଇଥିଲା । ଏଥର ତାଙ୍କୁ ପରିବର୍ତ୍ତନ କରି ଦଳର ରାଷ୍ଟ୍ରୀୟ ସଭାପତି ପଦରେ ନୂଆ ନେତାଙ୍କୁ ବସାଯିବାର ଚର୍ଚ୍ଚା ରହିଛି । ସେଥିରେ ଓଡ଼ିଆ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି କିନ୍ତୁ ଏପର୍ଯ୍ୟନ୍ତ ନା ରାଷ୍ଟ୍ରୀୟ ନା ରାଜ୍ୟ ସଭାପତି ବାଛିବାରେ ବିଜେପି ସମର୍ଥ ହୋଇପାରିନାହିଁ ।
ALSO READ: https://purvapaksa.com/is-dharmendra-spoiling-balangirs-equation-beware-kv/