ଜୟଦେବ ଭବନ ଖଟି ଆଗରେ ଥିବା ସେହି ଗଛ,ଲାଗୁଛି ରାଉତରାୟ ପରିବାର କବଲା କରିନେଇଛି । ଆଗରୁ ବାପା ସୁର ରାଉତରାୟ ସେଠୁ ଢିଙ୍କିଶାଳରୁ ଢେଙ୍କାନାଳ ପର୍ଯ୍ୟନ୍ତ ଗପୁଥିଲେ । ଟ୍ରମ୍ପଠାରୁ ପୁଟିନ୍ ପୁଣି ମୋଦୀ ସମସ୍ତଙ୍କୁ ସେହି ଗଛ ମୁଳେ ଛିଡ଼ା ହୋଇ ସୁର ବାବୁ ଝାଡ଼ିଛନ୍ତି । ଏବେ ବାପାଙ୍କ ସ୍ଥାନ ନେଇଛନ୍ତି ପୁଅ । କ୍ୟାପ୍ଟେନ୍ କକ୍ ପିଟ୍ ଛାଡ଼ି ରାଜନୀତିକୁ ଆସିବା ଦିନଠାରୁ ଦଳର ସୁପ୍ରିମୋ ଓ ଛାୟା ସୁପ୍ରିମୋଙ୍କୁ ମାଲିସ କରିବାକୁ ଢେର ଉଦ୍ୟମ କରୁଛନ୍ତି। କିନ୍ତୁ ତାଙ୍କ ଅମାନିଆ ଜିଭ ତାଙ୍କ ପାଇଁ ଓ ତାଙ୍କ ଦଳ ପାଇଁ ବୁମେରାଂ ହୋଇପାରେ ।
ଜୟଦେବ ଭବନର ଗଛ
ଲାଗୁଛି ଜୟଦେବ ଭବନ ଆଗରେ ଥିବା ସେହି ଗଛ ବିକ୍ରମାଦିତ୍ୟଙ୍କ ବ୍ରତିଶ ସିଂହାସନ । ବ୍ରତିଶ ସିଂହାସନ ଉପରକୁ ଚଢିଲେ ଯେମିତି ଲୋକର ଆଚାର ବିଚାର ବଦଳି ଯାଉଥିଲା,ସେମିତି ସେହି ଗଛ ମୁଳେ ଯିଏ ଛିଡା ହେଲା ସିଏ ଅଲଗା ଅଲଗା ଲାଗନ୍ତି । ମୁହଁରୁ ଅନର୍ଗଳ ଭାଷଣ ବାହାରେ । ସୁର ବାବୁ ହୁଅନ୍ତୁ କି ନିକଟରେ ବିଜେଡିରୁ ତଡ଼ା ଖାଇଥିବା ମାନସ ବସ୍ତିଆ ହୁଅନ୍ତୁ । ମାନସ ବସ୍ତିଆ ସେଇ ଗଛ ପାଖାପାଖି ୱେବ ଚ୍ୟାନେଲଙ୍କୁ ବାଇଟ୍ ଦେଇଦେଇ ବିଜେଡି ନେତାଙ୍କୁ ହଲାପଟା କରିବା ପରେ ପ୍ରଥମ ଦଳର ସଦସ୍ୟ ନୁହନ୍ତି କହୁଥିବା ବିଜେଡି ତାଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ବହିଷ୍କାର କରିଛନ୍ତି ।
ଅନ୍ୟପକ୍ଷରେ ମନ୍ମଥ ବାବୁ,ସେଇ ଗଛ ମୁଳେ ବୁମ୍ ଦେଖି ଉତଫୁଲିତ ହୋଇ ଏମିତି ସବୁ କିଛି କହି ଯାଉଛନ୍ତି ଯାହା ପଲିଟିକାଲି କରେକ୍ଟ ନୁହେଁ । ଶ୍ରୀମୟୀଙ୍କ ତେରଛା ବାଣର ଉତ୍ତର ଦେବାକୁ ଯାଇ ମନ୍ମଥ ଏମିତି ସବୁ କଥା କହୁଛନ୍ତି,ଯାହା ତାଙ୍କ ରାଜନୈତିକ ଅନଭିଜ୍ଞତାକୁ ପଦାରେ ପକାଉଛି । ସେ ଭାବୁଛନ୍ତି ଯେ, ଏମିତି କହି ସେ ପାଣ୍ଡିଆନଙ୍କ ପ୍ରିୟପାତ୍ର ହେବେ । କିନ୍ତୁ ଯେଉଁଭଳି ଭାବେ ସେ ଭିଡିଓ,ପ୍ରମାଣ କଥା କହୁଛନ୍ତି,ସେଥିରୁ ଲାଗୁଛି ‘ଭବନ’ରେ ସବୁକିଛି ଠିକ୍ ନାହିଁ । ମନ୍ମଥ ଏଭଳି କହି ପାଣ୍ଡିଆନ ଆଣ୍ଡ କୋ’କୁ ଅଧିକ ଅଡ଼ୁଆରେ ପକାଉଛନ୍ତି ।
ମନ୍ମଥ ଭୁଲି ଯାଉଛନ୍ତି ଯେ, ସେ ସୁର ରାଉତରାୟ ନୁହନ୍ତି । ସୁର ଏଣୁ ତେଣୁ କହି ପାର ହୋଇଯାଉଥିଲେ । କାରଣ ତାଙ୍କ ଇମେଜ୍ ସେହିଭଳି,ଯାହା ମନ୍ମଥଙ୍କର ନୁହେଁ ।
ପ୍ଲେନ୍ ଚଲାଇବା ଓ ରାଜନୀତିରେ ଚାଲିବା ସମାନ ନୁହେଁ
ପ୍ଲେନ୍ ଚଲାଇବା ବେଳ ପାଇଲଟଙ୍କୁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରଙ୍କ ସହ ସମ୍ପର୍କରେ ରହିବାକୁ ପଡ଼େ । କେତେ ଫୁଟ ଉଚ୍ଚତାରେ ଉଡ଼ିବେ,କ’ଣ କରିବେ ତାହା ଏଟିସି ସୂଚିତ କରିଥାନ୍ତି । ରାଜନୀତି କିନ୍ତୁ ଅଲଗା । ରାଜନୀତିରେ ଆପଣଙ୍କୁ ନିଜ ସାଧାରଣ ଜ୍ଞାନର ମଧ୍ୟ ପ୍ରୟୋଗ କରିବାକୁ ପଡିଥାଏ । ରାଜନୀତିରେ ଯଦି ଆପଣ କେବଳ ନିଜ ବସ୍ ଙ୍କୁ ସନ୍ତୁଷ୍ଠ କରିବା ପାଇଁ ଏଣୁତେଣୁ ବୟାନ ଦେବେ,ଦିନେ ସେହି ଦଳ ହିଁ ଆପଣଙ୍କ ବାବଦରେ ଦି’ଥର ଭାବିବ । କାରଣ ବେଳେବେଳେ ଅତିରୁ ଇତି ହୋଇଥାଏ । ତେଣୁ ମନ୍ମଥଙ୍କୁ ଜୟଦେବ ଭବନ ଗଛମୁଳ ଛାଡି ଅଲଗା ଠିକଣା ଖୋଜିବାକୁ ହେବ ।
Also Read https://purvapaksa.com/ins-trikand-docks-at-limassol-port-cyprus-a-message-to-turkey/
