ଖବର ବଜାର ଗରମ। ପ୍ରଥମେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ତା’ପରେ କିଛି ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ ସନ୍ନ୍ୟାସୀଙ୍କ ଦେଶାନ୍ତର ଖବର କଥା କହିବାକୁ ଲାଗିଲେ। କିଛି ଖବର ତ’ ଏମିତି ଲେଖାଯାଇଥିଲା ଯେମିତି ଲେଖକ କାନ୍ଦିକାନ୍ଦି ଲେଖିଥିଲେ। ଏଠି ଆମେ ଯେଉଁ ସନ୍ନ୍ୟାସୀଙ୍କ କଥା କହୁଛୁ ସେ କୌଣସି ଆଶ୍ରମରେ ରହୁନାହାନ୍ତି। ହଁ, ଯଦି ଆପଣ ନବୀନ ନିବାସକୁ ଆଶ୍ରମ ଭାବିବେ ତେବେ ତାହା ଅଲଗା କଥା। ଏବେ ଆପଣଙ୍କ ପାଇଁ ଚିତ୍ର ନିଶ୍ଚିତରୂପେ ଆପାତତଃ ସ୍ପଷ୍ଟ ହୋଇଯିବଣି।
ଶୁଣିବାକୁ ମିଳୁଛି ପୂର୍ବତନ ବାବୁ ଓ ଏବେ ରାଜନୀତିରୁ ସନ୍ନ୍ୟାସ ନେଇଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ; ଯାହାଙ୍କ ଓଡ଼ିଆ ନାମ କାର୍ତ୍ତିକ ପାଣ୍ଡିଆନ। ସେ କୁଆଡ଼େ ରାଜ୍ୟ ଛାଡ଼ୁଛନ୍ତି। ଖାଲି ରାଜ୍ୟ ନୁହେଁ ସେ ଦେଶ ଛାଡ଼ୁଛନ୍ତି। ମାଇକ୍ରୋସଫ୍ଟ ମାଲିକ ବିଲ୍ ଗେଟ୍ସଙ୍କ ଫାଉଣ୍ଡେସନର ଲଣ୍ଡନ ସ୍ଥିତ କାର୍ଯ୍ୟାଳୟରେ ବାବୁ ତାଙ୍କ ଇଣ୍ଟରନ୍ୟାସନାଲ ଚାକିରି ଜୀବନ ଆରମ୍ଭ କରିବେ। ଓଡ଼ିଶା ଶାସନ ସହିତ ପାଖାପାଖି ଦୁଇ ଦଶନ୍ଧି କଟାଇ ଓ ୨୦୧୯ ପରଠାରୁ ଓଡ଼ିଶାକୁ ନିଜ ଜାଗିର ଭାବୁଥିବା ପାଣ୍ଡିଆନ ପଲିଟିକ୍ସରେ ଫେଲ୍ ହେବା ପରେ ପୁଣିଥରେ ଚାକିରି କରିବେ। ଏହି ଖବର ଆସିବା ପରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।
ଗୋଟିଏ ଡିଜିଟାଲ ପ୍ଲାଟଫର୍ମରେ ଏହା ମଧ୍ୟ ଲେଖାଯାଇଥିଲା ଯେ,ବାବୁ କୁଆଡ଼େ ଅଭିମାନ କରି ଓଡ଼ିଶା ଛାଡ଼ୁଛନ୍ତି। ଯେଉଁ ଓଡ଼ିଶା ପାଇଁ ସେ ଏତେ କଲେ ସେହି ଓଡ଼ିଶାବାସୀ ତାଙ୍କୁ ଦଗା ଦେଲେ ବୋଲି ବାବୁଙ୍କ ମନଦୁଃଖ। ତା’ ସହିତ ବିଜେଡିର କିଛି ନେତା ମଧ୍ୟ ତାଙ୍କୁ କାଳେ ଚାହୁଁନାହାନ୍ତି। ତେଣୁ ସେ ଓଡ଼ିଶା ଛାଡ଼ି ବିଦେଶ ପଳାଇବେ।
କିନ୍ତୁ ଏଠି ଗୋଟିଏ ପ୍ରଶ୍ନ ମନକୁ ଆସୁଛି। ୨୦୨୪ର ଓଡ଼ିଶା ବିଧାନସଭା ନିର୍ବାଚନ ପାଣ୍ଡିଆନଙ୍କ ନାମରେ ଲଢ଼ା ଯାଇଥିଲା। ବାବୁ ପାଣ୍ଡିଆନ ରାତି ଅଧିଆ ନେତା ହୋଇଯାଇଥିଲେ। ବିଜେପିକୁ ଓଡ଼ିଆ ଅସ୍ମିତା ନାମକ ବ୍ରହ୍ମାସ୍ତ୍ର ବିଜେଡି ପ୍ଲେଟରେ ସଜାଇ ଦେଇଥିଲା। ଏହା ସତ ଯେ, ତୃଣମୂଳସ୍ତରରେ ୨୪ ବର୍ଷର ପୁରୁଣା ଅହଂକାରୀ ସରକାର ବିରୋଧରେ ଜନଆକ୍ରୋଶ ଥିଲା। ନୀରବ ଭୋଟର ଅହଂକାରକୁ ଉତ୍ତର ଦେବାକୁ ପ୍ରସ୍ତୁତ ହେଉଥିଲେ।
ସେଇ ସମୟରେ ଯେତେବେଳେ ପାଣ୍ଡିଆନ୍ ଓଡ଼ିଆଙ୍କଠାରୁ ଅଧିକ ଓଡ଼ିଆ ହୋଇଗଲେ ଓ ସେଇ ଓଡ଼ିଆ ନେତାମାନଙ୍କୁ ତାଙ୍କ ଖଣ୍ଡିଆ ଓଡ଼ିଆରେ ସମାଲୋଚନା ଆରମ୍ଭ କଲେ ସେତେବେଳେ ଭୋଟର ଅଧିକ ପ୍ରତିକ୍ରିୟାଶୀଳ ହୋଇପଡ଼ିଲେ। ଭୋଟରେ ପଚାରିଲେ, ଇଏ କିଏ ହୋ? ଇଏ କ’ଣ ବାହାର ଲୋକ ହୋଇ ଆମକୁ ପାଠ ପଢ଼ାଉଛି। ବିଜେପି କ୍ଷମତାକୁ ଆସିବା ଏହି ପ୍ରତିକ୍ରିୟା ଥିଲା। ନ ହେଲେ ବିଜେପି ନେତାଏ ମଧ୍ୟ ଜାଣିଥିଲେ ଏଥର ସ୍କୋର ଭଲ ହେବ କିନ୍ତୁ ସରକାର ଗଢ଼ିବାକୁ ନେଇ ନିଶ୍ଚିତ ନ ଥିଲେ।
ଓଡ଼ିଆ ଅସ୍ମିତା, ରତ୍ନଭଣ୍ଡାର ସବୁ ପ୍ରସଙ୍ଗ ପାଣ୍ଡିଆନ୍ଙ୍କ ଆଡ଼କୁ ଇଙ୍ଗିତ କରୁଥିଲା। ରତ୍ନ ଭଣ୍ଡାର ଚାବି ତାମିଲନାଡ଼ୁ ଚାଲିଯାଇଛି। ଏହି ପ୍ରସିଦ୍ଧ ବାକ୍ୟବାଣ ତ’ ନିଶ୍ଚୟ ମନେଥିବ। ନବ ଦାସ ହତ୍ୟାକାଣ୍ଡକୁ ନେଇ ବି ବିଜେପି ନେତା ଜୟନାରାୟଣ ମିଶ୍ର ସେତେବେଳେ କ’ଣ ନ କହିଥିଲେ? ସିଧାସିଧା ସେ ନବୀନ ନିବାସରେ ଷଡ଼ଯନ୍ତ୍ର ହୋଇଥିବା କଥା କହିଥିଲେ। ଆଉ ସମସ୍ତେ ଜାଣନ୍ତି, ନବୀନ ନିବାସ ସେତେବେଳ କାହା ନିୟନ୍ତ୍ରଣରେ ଥିଲା। ଏବେ କିନ୍ତୁ ସରକାର ଗଢ଼ିବାର ୯ ମାସ ପରେ ପାଣ୍ଡିଆନ୍କୁ ନେଇ ବିଜେପିର ସେଇ ଆକ୍ରମକତା ନାହିଁ। ସମସ୍ତେ ଚୁପ୍। ଯେମିତି ପାଣ୍ଡିଆନ୍ ବୋଲି କେହି ନାହାନ୍ତି। ଏବେ ନବ ଦାସ ହତ୍ୟାକାଣ୍ଡକୁ ନେଇ ସାନି ତଦନ୍ତ ଆରମ୍ଭ ହୋଇଛି। ରତ୍ନଭଣ୍ଡାରରେ କିଛି ହେରଫେର ହେଇଛି କି ନାହିଁ ତାହା ମଧ୍ୟ ଜଣାପଡ଼ିନାହିଁ। ଏସବୁ ଭିତରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ବିଦେଶ ଯିବେ।
ପାଣ୍ଡିଆନ୍ଙ୍କ ବିଦେଶୀ ଚାକିରି ବାବଦରେ ବିଜେପି କାହିଁକି ପାଟି ଫିଟାଉ ନାହିଁ? ଆଇପିଏସ୍ କୁଟ୍ଟେଙ୍କ ବିରୋଧରେ ବି ବିଜେପି ନିର୍ବାଚନବେଳେ ମୁଖର ଥିଲା। କିନ୍ତୁ ନିର୍ବାଚନ ସରୁସରୁ ବିନା କୌଣସି କାର୍ଯ୍ୟାନୁଷ୍ଠାନରେ ତାଙ୍କୁ ଡେପୁଟେସନରେ ପଠାଇ ଦିଆଗଲା। କ’ଣ ପାଇଁ କେନ୍ଦ୍ରରେ ଥିବା ବିଜେପି ସରକାର ତାଙ୍କ ଉପରେ ଏତେ ମେହରବାନ, ତାହା ଏଯାଏଁ ଜଣାପଡ଼ିଲା ନାହିଁ।
ଧରି ନିଅନ୍ତୁ ପାଣ୍ଡିଆନ୍ଙ୍କ ବିଦେଶ ଯିବା ଖବର ସତ। ତେବେ ତାଙ୍କ ବିରୋଧରେ ତଦନ୍ତ କରାଯିବ ବୋଲି ନିର୍ବାଚନବେଳେ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା କ’ଣ ସମସ୍ତଙ୍କୁ ୧୫ ଲକ୍ଷ ଭଳି ଜୁମଲା ଥିଲା? ଆଉ ଯଦି ରାଜ୍ୟ ବିଜେପି ସରକାର କୌଣସି ପ୍ରସଙ୍ଗରେ ପାଣ୍ଡିଆନ୍ଙ୍କ ବିରୋଧରେ ତଦନ୍ତ କରିବେ କେବେ, ତେବେ ସେତେବେଳେ ଭୈରବ ବାବୁ ଓଡ଼ିଶା ଫେରିବେ ତ? କାରଣ ନିରବ ମୋଦି, ଲଲିତ ମୋଦି ଓ କିଙ୍ଗଫିସର ବାଲା ବିଜୟ ମାଲ୍ୟାଙ୍କ ଭଳି ଅନେକ ଉଦାହରଣ ଆମ ଆଗରେ ଅଛନ୍ତି। ଯେଉଁମାନେ ଥରେ ଗଲେ ଯେ, ଆଉ ଫେରିଲେ ନାହିଁ। ଲଲିତ ମୋଦି ତ ଗୋଟେ ୧୧ ହଜାର ଜନସଂଖ୍ୟା ବିଶିଷ୍ଟ ଦେଶର ନାଗରିକତା କିଣି ନେଇଥିଲେ। ହୋହଲ୍ଲା ପରେ ଭାରତ ସରକାର ଭାନୁତୁ ସରକାରଙ୍କ କାନ ମୋଡ଼ିବାରୁ ନାଗରିକତା କ୍ୟାନସଲ ହେଲା।
ପାଣ୍ଡିଆନ୍ଙ୍କ ପ୍ରତି ପ୍ରଥମେ ବିଜେପି ଗରମ, ଏବେ ନରମ ମନୋଭାବ କ’ଣ କୌଣସି ବଡ଼ ରାଜନୈତିକ ଚାଲର ଅଂଶବିଶେଷ କି? କ’ଣ ବିଜେପି ତାଙ୍କୁ ସେଫ୍ ପାସେଜ୍ ଦେବା ପଛରେ କିଛି ବଡ଼ ଡିଲ୍ ହୋଇଛି କି? ରାଜା ଚକ୍ର ବନ୍ଧା ହେବା ଓ ନବ ଦାସ କେସ୍ ରିଓପନିଂ କ’ଣ ଗୋଟିଏ ସମୟର ସର୍ବତ୍ର ବିଦ୍ୟମାନ, ସର୍ବ ଶକ୍ତିଶାଳୀ ବ୍ୟକ୍ତିଙ୍କୁ ଭୟଭୀତ କରାଇଛି କି? ଯେଉଁଥିପାଇଁ ସେହି ବ୍ୟକ୍ତି ଓଡ଼ିଶା ଛାଡ଼ିବା ପାଇଁ ବ୍ୟାକୁଳ ଅଛନ୍ତି? ଏହାର ଉତ୍ତର ସମୟ କହିବ। ସମୟ କହିବ ବିଜେପି କାହା ସହିତ ଥିଲା।
ଖଣିନୀତିକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ରାଜା ସ୍ୱାଇଁ, ଓରିସେଡ୍ ଆଇନ ୨୦୦୪ ବଦଳରେ ନୂଆ ବିଲ୍ ଆସୁ
