ମୋଗଲମାନଙ୍କ ଇତିହାସ କେତେବେଳେ ଚକିତ ତ କରାଏ ତ କେତେବେଳେ ଦୁଃଖଦାୟକ କାହାଣୀ କୁହେ । ଏହି କାହାଣୀଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଶାହଜାହାନ ଓ ମୁମତାଜ ମହଲଙ୍କ କାହାଣୀ । ଏକପକ୍ଷରେ ମୁମତାଜଙ୍କ ପ୍ରେମରେ ବନ୍ଦୀ ଶାହଜାହାନ ତାଙ୍କ ସ୍ମୃତିରେ ତାଜମହଲ ନିର୍ମାଣ କରିଥିଲେ, ଅନ୍ୟପଟେ ମୋଗଲ ବାଦଶାହଙ୍କ ଏହି ପ୍ରିୟ ବେଗମ ଅସୀମ ଯନ୍ତ୍ରଣା ସହି ଏହି ଦୁନିଆକୁ ବିଦାୟ ଦେଇଥିଲେ । ତାରିଖ ଥିଲା ୧୭ ଜୁନ ୧୬୩୧ ମୁମତାଜ ମହଲ ମୋଟ ୧୪ଟି ସନ୍ତାନକୁ ଜନ୍ମ ଦେଇଥିଲେ । ଆସନ୍ତୁ ଜାଣିବା ତାଙ୍କ ମୃତ୍ୟୁ ପରେ ଏହି ସନ୍ତାନମାନଙ୍କର କ’ଣ ହେଲା ଏବଂ ଔରଙ୍ଗଜେବ କେତେଜଣଙ୍କୁ ହତ୍ୟା କରିଥିଲେ ।
୧୭ ମେ ୧୬୧୨ରେ ଶାହଜାହାନ ମୁମତାଜ ମହଲଙ୍କୁ ବିବାହ କରିଥିଲେ। ଏହାପରେ ୧୯ ବର୍ଷର ବୈବାହିକ ଜୀବନରେ ମୁମତାଜ ମହଲ ଅନେକବାର ଗର୍ଭବତୀ ହୋଇଥିଲେ ଏବଂ ୧୪ଟି ସନ୍ତାନକୁ ଜନ୍ମ ଦେଇଥିଲେ । ବିବାହ ପରେ ମୁମତାଜଙ୍କୁ ପ୍ରଥମେ ଲଗାତାର ୧୦ଟି ସନ୍ତାନ ହୋଇଥିଲେ । କିନ୍ତୁ, ତାଙ୍କର ୧୦ମ ସନ୍ତାନ ପରେ ୧୧ମ ସନ୍ତାନର ଜନ୍ମରେ ପାଞ୍ଚ ବର୍ଷର ବ୍ୟବଧାନ ଥିଲା।
୧୬୨୭ ମସିହାରେ ମୁମତାଜ ୧୨ମ ଥର ଗର୍ଭବତୀ ହୋଇଥିଲେ । ଏହାପରେ ଦୁଇ ବର୍ଷ ପରେ ସେ ୧୩ମ ସନ୍ତାନକୁ ଜନ୍ମ ଦେଇଥିଲେ । ୧୬୩୧ ମସିହାରେ ୧୪ମ ସନ୍ତାନର ଜନ୍ମ ହେଲା, ଯାହାପରେ ମୋଗଲ ବାଦଶାହଙ୍କ ଏହି ବେଗମ ୩୦ ଘଣ୍ଟାରୁ ଅଧିକ ସମୟ ଯନ୍ତ୍ରଣା ସହିଥିଲେ ଏବଂ ଶେଷରେ ମୃତ୍ୟୁବରଣ କରିଥିଲେ । ମୁମତାଜ ମହଲଙ୍କ ସନ୍ତାନମାନଙ୍କ ମଧ୍ୟରୁ ଆଠଜଣ ପୁଅ ଏବଂ ଛଅଜଣ ଝିଅ ଥିଲେ । କିନ୍ତୁ, ଏମାନଙ୍କ ମଧ୍ୟରୁ ମାତ୍ର ସାତଜଣ ହିଁ ଜୀବିତ ରହିଥିଲେ।
ପ୍ରସବ ପୂର୍ବରୁ ଶାହଜାହାନ ଦୀର୍ଘ ଯାତ୍ରା କରାଇଥିଲେ
ଐତିହାସିକ ଅଫସର ଅହମ୍ମଦଙ୍କ ଏକ ପୁସ୍ତକ ‘ତାଜମହଲ ବା ମମୀ ମହଲ’ରେ ଉଲ୍ଲେଖ କରାଯାଇଛି ଯେ ମୁମତାଜ ମହଲ ତାଙ୍କର ୧୪ତମ ସନ୍ତାନ ଭାବେ ଏକ ଝିଅକୁ ଜନ୍ମ ଦେଇଥିଲେ । ଏହି ପୁସ୍ତକରେ ଅଫସର ଅହମ୍ମଦ ଲେଖିଛନ୍ତି ଯେ ଶେଷ ମୁହୂର୍ତ୍ତରେ ମୁମତାଜଙ୍କୁ ଅତ୍ୟଧିକ ଯନ୍ତ୍ରଣାର ସାମ୍ନା କରିବାକୁ ପଡ଼ିଥିଲା । ଐତିହାସିକମାନଙ୍କ ମତରେ, ଶାହଜାହାନ କୌଣସି ପରିସ୍ଥିତିରେ ମୁମତାଜଙ୍କ ଠାରୁ ଦୂରେଇ ରହିବାକୁ ଚାହୁଁନଥିଲେ, କିନ୍ତୁ ଠିକ ସେହି ସମୟରେ ଦକ୍ଷିଣରେ ବିଦ୍ରୋହ ହୋଇଥିଲା, ଯେତେବେଳେ ମୁମତାଜ ସନ୍ତାନ ଜନ୍ମ ଦେବାକୁ ଯାଉଥିଲେ ।
ବିଦ୍ରୋହକୁ ଦମନ କରିବା ପାଇଁ ଶାହଜାହାନଙ୍କୁ ବୁରହାନପୁର ଯିବାକୁ ପଡ଼ିଥିଲା । ପ୍ରସବ ସମୟ ନିକଟବର୍ତ୍ତୀ ଥାଇ ମଧ୍ୟ ଗର୍ଭବତୀ ମୁମତାଜଙ୍କୁ ଶାହଜାହାନ ନିଜ ସହ ଧୌଲପୁର, ଗ୍ୱାଲିୟର, ମାରୱାଡ଼ ସିରୋଞ୍ଜ ଓ ହନ୍ଦିଆ ଦେଇ ୭୮୭ କିଲୋମିଟର ଦୂର ବୁରହାନପୁରକୁ ନେଇଥିଲେ, ଯେଉଁଠାରେ ବିଦ୍ରୋହ ଦମନ ପାଇଁ ସାମରିକ ଅଭିଯାନ ଚାଲିଥିଲା ।
୩୦ ଘଣ୍ଟାର ଯନ୍ତ୍ରଣା ପରେ ଝିଅର ଜନ୍ମ
ଏତେ ଦୀର୍ଘ ଯାତ୍ରାରେ ମୁମତାଜ ବହୁତ ଥକି ଯାଇଥିଲେ । ଏହି ଯାତ୍ରା ଓ ଥକାପଣର ପ୍ରଭାବ ତାଙ୍କ ଗର୍ଭ ଉପରେ ମଧ୍ୟ ପଡ଼ିଥିଲା ଏବଂ ଅସୁବିଧା ଆରମ୍ଭ ହୋଇଥିଲା । ଅବଶେଷରେ ୧୬ ଜୁନ ୧୬୩୧ ରାତିରେ ମୁମତାଜଙ୍କୁ ପ୍ରସବ ଯନ୍ତ୍ରଣା ଆରମ୍ଭ ହେଲା । ଏକପଟେ ମୁମତାଜ ଯନ୍ତ୍ରଣାରେ ଛଟପଟ ହେଉଥିଲେ, ଅନ୍ୟପଟେ ଶାହଜାହାନ ଦକ୍ଷିଣର ବିଦ୍ରୋହ ଶେଷ କରି ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରୁଥିଲେ । ଏହି ସମୟରେ ତାଙ୍କୁ ମୁମତାଜଙ୍କ ଅବସ୍ଥା ବିଷୟରେ ଜଣାପଡ଼ିଲା, କିନ୍ତୁ ସେ ନିଜେ ତାଙ୍କ ପାଖକୁ ଯିବା ବଦଳରେ ଦାଇମାନଙ୍କୁ ପଠାଇବାକୁ ଆଦେଶ ଦେଇଥିଲେ।
ସକାଳରୁ ମଧ୍ୟରାତି ପର୍ଯ୍ୟନ୍ତ ମୁମତାଜ ଯନ୍ତ୍ରଣା ସହିଥିଲେ ଏବଂ ୩୦ ଘଣ୍ଟା ଯନ୍ତ୍ରଣାରେ ଛଟପଟ ହେବା ପରେ ଗୋଟିଏ ଝିଅକୁ ଜନ୍ମ ଦେଇଥିଲେ, ଯାହାଙ୍କୁ ଗୌହର ଆରା ନାମରେ ଜଣାଯାଏ । ଏହାପରେ ମଧ୍ୟ ମୁମତାଜଙ୍କ ଅବସ୍ଥା ସୁଧୁରିବା ବଦଳରେ ଆହୁରି ଖରାପ ହେବାକୁ ଲାଗିଲା । ସେ ବହୁତ କମ୍ପୁଥିଲେ ଏବଂ ତାଙ୍କ ଗୋଡ଼ ଥଣ୍ଡା ହେବାକୁ ଲାଗିଥିଲା । ତାଙ୍କୁ ପ୍ରଚୁର ରକ୍ତସ୍ରାବ ହେଉଥିଲା।
ଶାହଜାହାନଙ୍କୁ ସତ କଥା କୁହାଯାଇ ନଥିଲା
ଅନ୍ୟପଟେ, ଶାହଜାହାନ ବାରମ୍ବାର ନିଜ କକ୍ଷରୁ ମୁମତାଜଙ୍କ ପାଖକୁ ସନ୍ଦେଶବାହକ ପଠାଉଥିଲେ, କିନ୍ତୁ କେହି ଫେରି ଆସୁନଥିଲେ । ମଧ୍ୟରାତି ପରେ ଅଧିକ ସମୟ ବିତିଯିବା ପରେ ଶାହଜାହାନ ନିଜେ ହରମରେ ମୁମତାଜଙ୍କ ପାଖକୁ ଯିବାକୁ ନିଷ୍ପତି ନେଇଥିଲେ । ଠିକ ସେହି ସମୟରେ ତାଙ୍କ ପାଖକୁ ଏକ ସନ୍ଦେଶ ଆସିଲା ଯେ ବେଗମ ଏବେ ଠିକ ଅଛନ୍ତି, କିନ୍ତୁ ବହୁତ ଥକିଯାଇଛନ୍ତି । ଝିଅର ଜନ୍ମ ପରେ ମୁମତାଜ ଗଭୀର ନିଦରେ ଶୋଇପଡ଼ିଛନ୍ତି। ତାଙ୍କୁ ବିରକ୍ତ କରାଯାଉ ନାହିଁ। ଏହାଶୁଣି ଶାହଜାହାନ ଶୋଇବାକୁ ଚାଲିଗଲେ । ଠିକ ସେହି ସମୟରେ ତାଙ୍କ ବଡ଼ ଝିଅ ଜାହାନ ଆରା ପହଞ୍ଚି କହିଲେ ଯେ ମାଆଙ୍କ ଅବସ୍ଥା ଆହୁରି ଖରାପ ହେଉଛି ।
ଶାହଜାହାନ ତୁରନ୍ତ ହରମରେ ପହଞ୍ଚିଲେ, ଯେଉଁଠାରେ ମୁମତାଜଙ୍କୁ ହକିମମାନେ ଘେରି ରଖିଥିଲେ । ମୁମତାଜ ବହୁତ ଛଟପଟ ହେଉଥିଲେ । ଶାହଜାହାନଙ୍କୁ ଦେଖି ଶାହୀ ହକିମଙ୍କୁ ଛାଡ଼ି ଅନ୍ୟ ସମସ୍ତେ ବାହାରକୁ ଚାଲିଗଲେ । ବାଦଶାହଙ୍କ ସ୍ୱର ଶୁଣି ବେଗମ ଆଖି ଖୋଲିଥିଲେ, ଯେଉଁଥିରେ ତାଙ୍କ ଆଖିରେ ଲୁହ ଭରି ରହିଥିଲା । ଶାହଜାହାନ ତାଙ୍କ ମୁଣ୍ଡ ପାଖରେ ବସିଥିଲେ ଏବଂ ତାଙ୍କ କୋଳରେ ହିଁ ମୁମତାଜ ମୃତ୍ୟୁବରଣ କରିଥିଲେ ।
ଔରଙ୍ଗଜେବ ଭାଇମାନଙ୍କୁ ମୃତ୍ୟୁ ମୁଖକୁ ପଠାଇଥିଲେ
ଯେତେବେଳେ ଔରଙ୍ଗଜେବ ଶାହଜାହାନଙ୍କଠାରୁ ସତ୍ତା ଛଡ଼ାଇ ନେଇଥିଲେ, ସେତେବେଳେ ତାଙ୍କର ୧୩ ଭାଇଭଉଣୀଙ୍କ ମଧ୍ୟରୁ ମାତ୍ର ଛଅଜଣ ଜୀବିତ ଥିଲେ । ସାତଜଣଙ୍କର ବାଲ୍ୟକାଳରେ ହିଁ ମୃତ୍ୟୁ ହୋଇଥିଲା । ଔରଙ୍ଗଜେବ ଯେତେବେଳେ ସତ୍ତା ଗ୍ରହଣ କଲେ, ଏହା ସ୍ପଷ୍ଟ ଥିଲା ଯେ ଯିଏ ତାଙ୍କ ପଥରେ ଆସିବ, ତାକୁ ସେ ସମାପ୍ତ କରିଦେବେ । ଏହା ଅନୁଯାୟୀ, ଔରଙ୍ଗଜେବଙ୍କ ସବୁଠାରୁ ବଡ଼ ଭାଇ ଦାରାଶିକୋହଙ୍କୁ, ଯାହାଙ୍କୁ ଶାହଜାହାନ ବାଦଶାହ କରିବାକୁ ଚାହୁଁଥିଲେ, ତାଙ୍କ ମୁଣ୍ଡ କାଟି ହତ୍ୟା କରାଗଲା ।
ଆଉ ଜଣେ ଭାଇ ଶାହଶୁଜା ମ୍ୟାନମାରକୁ ପଳାଇଥିଲେ ଏବଂ ସେଠାରୁ ରହସ୍ୟମୟ ଭାବେ ନିଖୋଜ ହୋଇଥିଲେ । ସବୁଠାରୁ ଛୋଟ ଭାଇ ମୁରାଦ ବଖ୍ଶଙ୍କୁ ମଧ୍ୟ ବନ୍ଦୀ କରି ହତ୍ୟା କରାଯାଇଥିଲା । ତିନି ଭଉଣୀ ଜାହାନଆରା, ରୋଶନଆରା ଓ ଗୌହର ଆରା ଥିଲେ । ସେମାନଙ୍କର ବିବାହ ହୋଇପାରି ନ ଥିଲା, କାରଣ ମୋଗଲ ପରମ୍ପରା ଅନୁଯାୟୀ ପୁଅମାନେ ଯାହାଙ୍କୁ ଇଚ୍ଛା ବିବାହ କରିପାରନ୍ତି, କିନ୍ତୁ ଝିଅମାନଙ୍କୁ ନିଜ ସମକକ୍ଷ ଶାହୀ ଖାନଦାନରେ ହିଁ ବିବାହ କରିବାକୁ ପଡ଼ୁଥିଲା ।
ଔରଙ୍ଗଜେବଙ୍କ ଶାସନ ସମୟରେ ମୋଗଲ ସାମ୍ରାଜ୍ୟ ଏତେ ବିସ୍ତାର ହୋଇଯାଇଥିଲା ଯେ ତାଙ୍କ ସମକକ୍ଷ ଅନ୍ୟ କୌଣସି ଶାହୀ ଖାନଦାନ ବଞ୍ଚି ରହିନଥିଲା । ଏପରି ସ୍ଥିତିରେ ଏହି ତିନି ଭଉଣୀଙ୍କର ବିବାହ ହୋଇପାରିନଥିଲା ଏବଂ ସେମାନଙ୍କୁ ଅନ୍ୟ କାହା ସହ ବିବାହ ପାଇଁ ଅନୁମତି ମିଳିନଥିଲା ।
ALSO READ https://purvapaksa.com/where-do-people-earn-more-israel-or-iran/
Where do people earn more, Israel or Iran? ।। ଇସ୍ରାଏଲ ନା ଇରାନ କେଉଁଠାରେ ଲୋକମାନେ ଅଧିକ ରୋଜଗାର କରନ୍ତି?
