ଯେତେବେଳେ ଜଳାଶୟରେ ଲୁଚିଥିବା ଦୁର୍ଯୋଧନଙ୍କୁ ପାଣ୍ଡବମାନେ ଆହ୍ୱାନ କଲେ, ସେତେବେଳେ ସେ ବାହାରକୁ ଆସିଲେ। ତା’ପରେ ତାଙ୍କର ଓ ଭୀମଙ୍କ ମଧ୍ୟରେ ପ୍ରଚଣ୍ଡ ଗଦା ଯୁଦ୍ଧ ହେଲା। ଏହି ଯୁଦ୍ଧରେ ଭୀମ ତାଙ୍କୁ ମରଣାନ୍ତକ ଅବସ୍ଥାରେ ପହଞ୍ଚାଇ ଦେଇଥିଲେ । ଦୁର୍ଯୋଧନ ଭୂମିରେ ପଡ଼ି ମୃତ୍ୟୁର ଅପେକ୍ଷା କରୁଥିଲେ। କିନ୍ତୁ ଏଭଳି ସମୟରେ ମଧ୍ୟ ସେ ଶ୍ରୀକୃଷ୍ଣଙ୍କୁ ନେଇ ନିଜର ତୀବ୍ର ଘୃଣ ପ୍ରକାଶ କରିଥିଲେ। ତେବେ କାହିଁକି ଦୁର୍ଯୋଧନ ଶ୍ରୀକୃଷ୍ଣଙ୍କ ଉପରେ ଏତେ ରାଗିଥିଲେ ଏବଂ ତାଙ୍କୁ କ’ଣ ସବୁ କହିଥିଲେ? ଓ ଶ୍ରୀକୃଷ୍ଣଙ୍କ ଉତ୍ତର କ’ଣ ଥିଲା?
ମହାଭାରତ ଯୁଦ୍ଧରେ ହାରିବା ପରେ ଦୁର୍ଯୋଧନ ଗୁରୁତର ଆହତ ହୋଇ ଜଳାଶୟରେ ଲୁଚିଥିଲେ। ପାଣ୍ଡବମାନେ କୌଣସି ଉପାୟରେ ଜାଣିପାରିଥିଲେ ଯେ ସେ କେଉଁଠାରେ ଅଛନ୍ତି । ତେବେ ପାଣ୍ଡବମାନେ ସେହି ଜଳାଶୟ ନିକଟରେ ପହଞ୍ଚିଲେ ଏବଂ ଦୁର୍ଯୋଧନଙ୍କୁ ବାହାରକୁ ଆସିବାକୁ ଆହ୍ୱାନ କରିଥିଲେ। ଅବଶେଷରେ ଦୁର୍ଯୋଧନ ସରୋବରରୁ ବାହାରକୁ ଆସିଲେ । ତା’ପରେ ଭୀମ ଓ ଦୁର୍ଯୋଧନଙ୍କ ମଧ୍ୟରେ ଗଦା ଯୁଦ୍ଧ ଆରମ୍ଭ ହେଲା ।
ଭୀମ ଓ ଦୁର୍ଯୋଧନଙ୍କ ମଧ୍ୟରେ ତୀବ୍ର ଗଦା ଯୁଦ୍ଧ
ଉଭୟେ ପରସ୍ପର ଉପରେ ଗଦା ପ୍ରହାର କରିବାକୁ ଲାଗିଲେ। କେତେବେଳେ ସେମାନେ ଆଗକୁ ଆସୁଥିଲେ, କେତେବେଳେ ପଛକୁ ହଟୁଥିଲେ । କେତେବେଳେ ତଳେ ଝାମ୍ପି ପଡ଼ୁଥିଲେ ତ କେତେବେଳେ ଡେଇଁ ନିକଟକୁ ଆସି ପ୍ରହାର କରୁଥିଲେ। ଉଭୟଙ୍କର ଏଭଳି ଭୟଙ୍କର ଯୁଦ୍ଧ ଦେଖି ଏମିତି ଲାଗୁନଥିଲା ଯେ ସେମାନଙ୍କ ମଧ୍ୟରୁ କେହି ହାରିବେ। ତେବେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ, ଭୀମଙ୍କୁ ଇଶାରା କରି କୁହ ଯେ ଦୁର୍ଯୋଧନଙ୍କର ବାମ ଜଙ୍ଘରେ ଗଦା ପ୍ରହାର କରନ୍ତୁ ।
ଅର୍ଜୁନ ଭୀମଙ୍କୁ ଇଶାରା କରି ନିଜର ବାମ ଜଙ୍ଘରେ ଗଦାମାଡ଼ କରିବାକୁ କହିଥିଲେ । ସେତେବେଳକୁ ଭୀମ ଓ ଦୁର୍ଯୋଧନ ଦୁହେଁ ଥକି ଯାଇଥାନ୍ତି । କିନ୍ତୁ ତା’ପରେ ମଧ୍ୟ ଭୀମ ପୂର୍ଣ୍ଣ ଗର୍ଜନା ସହ ଦୁର୍ଯୋଧନଙ୍କର ଉଭୟ ଜଙ୍ଘ ଗଦା ଦ୍ୱାରା ଭାଙ୍ଗି ଦେଇଥିଲେ। ଦୁର୍ଯୋଧନ ଚିତ୍କାର କରି ଭୂମିରେ ପଡ଼ିଗଲେ। ତା’ପରେ ଭୀମ ନିଜର ବାମ ପାଦରେ ଦୁର୍ଯୋଧନଙ୍କ ମୁଣ୍ଡରେ ଚାପ ଦେଇ ଅପମାନ କଲେ।
କିଛି ସମୟ ଦୁର୍ଯୋଧନ ଅଚେତ ପରି ପଡ଼ି ରହିଥିଲେ । ତାଙ୍କର ଅବସ୍ଥା ଏବେ ମୃତପ୍ରାୟ ଥିଲା। ଯେ କୌଣସି ସମୟରେ ତାଙ୍କର ପ୍ରାଣ ଚାଲିଯିବାର ଥିଲା । କିନ୍ତୁ ଯେତେବେଳେ ଶ୍ରୀକୃଷ୍ଣ ଦୁର୍ଯୋଧନଙ୍କ ନିକଟକୁ ଆସି ତାଙ୍କୁ ଅପଶବ୍ଦ କହିଲେ, ସେତେବେଳେ ଦୁର୍ଯୋଧନ କ୍ଷୁବ୍ଧ ହୋଇ ନିଜର ଦୁଇ ହାତର ସହାୟତାରେ ଉଠି ବସିଲେ। ସେତେବେଳେ ସେ ଶ୍ରୀକୃଷ୍ଣଙ୍କୁ ଆଙ୍ଗୁଠି ଦେଖାଇ କଠୋର କଥା କହିଲେ ।
ଶ୍ରୀକୃଷ୍ଣଙ୍କୁ କ’ଣ କଟୁ କଥା କହିଲେ?
ସେ କହିଲେ, ହେ କଂସଦାସର ପୁତ୍ର, ଅନ୍ୟାୟ ଯୁଦ୍ଧରେ ମୋତେ ପରାସ୍ତ କରି ତୁମେ ଲଜ୍ଜା ଅନୁଭବ କରୁ ନାହିଁ କି? ତୁମେ ହିଁ ଭୀମଙ୍କୁ ଜଙ୍ଘ ଭଙ୍ଗ କରିବାର ପ୍ରତିଜ୍ଞା ମନେ ପକାଇଲ। ତୁମେ ଅର୍ଜୁନଙ୍କୁ ଯାହା କହିଥିଲ, ତାହା କ’ଣ ମୁଁ ଜାଣେ ନାହିଁ ତୁମର କୂଟନୀତି ଯୋଗୁଁ ଆମର ଅନେକ ସହସ୍ର ଯୋଦ୍ଧା ନଷ୍ଟ ହୋଇଗଲେ। ତୁମେ ହିଁ ଶିଖଣ୍ଡୀଙ୍କୁ ଆଗରେ ରଖି ଅର୍ଜୁନଙ୍କ ବାଣରେ ଭୀଷ୍ମଙ୍କୁ ଧରାଶାୟୀ କରାଇଲ । ଅଶ୍ୱତ୍ଥାମାଙ୍କ ମୃତ୍ୟୁର ମିଥ୍ୟା ଖବର ଦେଇ ଦ୍ରୋଣାଚାର୍ଯ୍ୟଙ୍କ ବଧ କରାଇଲ । କର୍ଣ୍ଣ ଯେତେବେଳେ ଭୂମିରୁ ରଥର ଚକ୍ର ଉଠାଉଥିଲେ, ସେତେବେଳେ ତୁମେ ହିଁ ଅର୍ଜୁନଙ୍କ ଦ୍ୱାରା ତାଙ୍କର ହତ୍ୟା କରାଇଲ। ନ୍ୟାୟ ଯୁଦ୍ଧରେ ତୁମେ ଆମ ସହିତ କେବେ ବିଜୟୀ ହୋଇପାରି ନଥାନ୍ତ ।
ଶ୍ରୀକୃଷ୍ଣଙ୍କର ଉତ୍ତର କ’ଣ ଥିଲା ?
ତେବେ ଶ୍ରୀକୃଷ୍ଣ ଉତ୍ତର ଦେଇଥିଲେ, ହେ ଗାନ୍ଧାରୀ ପୁତ୍ର, ତୁମେ ପାପର ପଥରେ ଚାଲି ନିଜର ଆତ୍ମୀୟ ସ୍ୱଜନମାନଙ୍କୁ ହରାଇ ନଷ୍ଟ ହୋଇଗଲ । ତୁମେ ଆମ ବିରୁଦ୍ଧରେ ଯେଉଁ ଭୁଲ କାର୍ଯ୍ୟର କଥା କହୁଛ, ତାହା ତୁମର ନିଜର ଅପରାଧ ଯୋଗୁଁ ଘଟିଛି । ତୁମେ ଯେଉଁ ଦୁଷ୍କର୍ମ କରିଛ, ତାହାର ଫଳ ଏବେ ତୁମେ ପାଉଛ ।
ମୃତ୍ୟୁ ସମୟରେ ଆଙ୍ଗୁଠି ଉଠାଇ ଦୁର୍ଯୋଧନ ଶ୍ରୀକୃଷ୍ଣଙ୍କ ନୀତିର ସମାଲୋଚନା କରିଥିଲେ । ତାଙ୍କୁ ଲାଗୁଥିଲା ଯେ ଧର୍ମର ମୁଖା ପିନ୍ଧି ଶ୍ରୀକୃଷ୍ଣ ଅଧର୍ମ କରାଇଛନ୍ତି । ସେ ଜଣାଇବାକୁ ଚାହୁଁଥିଲେ ଯେ ଯଦିଓ ମୁଁ ଯୁଦ୍ଧରେ ହାରିଛି, କିନ୍ତୁ ନୈତିକ ଦୃଷ୍ଟିରୁ ଯାହା ଘଟିଛି ତାହା ଭୁଲ ଥିଲା । ମୁଁ ଛଳରେ ପରାସ୍ତ ହୋଇଛି। ଭାରତୀୟ ପରମ୍ପରାରେ ଆଙ୍ଗୁଠି ଉଠାଇବା କାହା ଉପରେ ଦୋଷ ଲଗାଇବା, କଟାକ୍ଷ କରିବା କିମ୍ବା ବିରୋଧ ପ୍ରକାଶ କରିବାର ସଙ୍କେତ ଅଟେ ।
ଦୁର୍ଯୋଧନ କ’ଣ ସ୍ୱୀକାର କରିପାରି ନଥିଲେ?
ଦୁର୍ଯୋଧନ ଶେଷ ପର୍ଯ୍ୟନ୍ତ ଏହା ସ୍ୱୀକାର କରିପାରି ନଥିଲେ ଯେ ଶ୍ରୀକୃଷ୍ଣ କୌଣସି ଅବତାର ଥିଲେ । ସେ ତାଙ୍କୁ କେବଳ ଜଣେ ଚତୁର କୂଟନୀତିଜ୍ଞ ଭାବେ ଗ୍ରହଣ କରିଥିଲେ । ଭକ୍ତି ଆନ୍ଦୋଳନର ସନ୍ଥମାନେ, ବିଶେଷକରି ସୁରଦାସ, ତୁଳସୀଦାସ ଓ ନରସୀ ମେହତା ପରି ଭକ୍ତ କବିମାନଙ୍କର ରଚନା କହେ, “ଯେତେବେଳେ ଦୁର୍ଯୋଧନ ମୃତ୍ୟୁ ପୂର୍ବରୁ ଶ୍ରୀକୃଷ୍ଣଙ୍କ ଆଡ଼କୁ ଆଙ୍ଗୁଠି ଉଠାଇଥିଲେ, ତାହା ତାଙ୍କର ଶେଷ ଅହଙ୍କାରର ଅଭିବ୍ୟକ୍ତି ଥିଲା ।
ଏହା କୁହାଯାଇପାରେ ଯେ ଆଙ୍ଗୁଠି ଉଠାଇବାର ଅର୍ଥ ଥିଲା ଦୁର୍ଯୋଧନଙ୍କର ଅହଙ୍କାର ଶେଷ ପର୍ଯ୍ୟନ୍ତ ରହିଥିଲା । ଅର୍ଥାତ୍ ଦୁର୍ଯୋଧନଙ୍କର ଶରୀର ଭାଙ୍ଗିଗଲା, ସତ୍ତା ନଷ୍ଟ ହେଲା, କିନ୍ତୁ ତାଙ୍କର ଅହଙ୍କାର ଭାଙ୍ଗି ନଥିଲା ।
ALSO READ https://purvapaksa.com/india-russia-oil-import-donald-trump-announces-25-tariff/
