ଋଷ ଉପକୂଳରେ ବୁଧବାର ଭୟଙ୍କର ଭୂକମ୍ପ ପରେ ସୁନାମୀ ତାଣ୍ଡବ ରଚିଥିଲା। ଋଷ ସହ ଜାପାନ ଆମେରିକା ବି ବେଶ ପ୍ରଭାବିତ ହୋଇଥିଲା। ସମୁଦ୍ର ଭିତରୁ ଦୁଇ ତିନି ମୁଣ୍ଡରୁ ବଡ଼ ଲହରୀ ଉପକୂଳ ଆଡକୁ ମାଡି ଆସି ସବୁ ଭସେଇ ନେଇଥିଲା। ଉପକୂଳରେ ଥିବା ଶହଶହ ବଡ଼ ବଡ଼ ବିଲଡିଂ ସୁମଦ୍ର ଗର୍ଭରେ ଲୀନ ହୋଇଛି। ଉପକୂଳରେ ଥିବା ଲକ୍ଷାଧିକ ଲୋକ ଜୀବନ ବିକଳରେ ଉଚ୍ଚ ସ୍ଥାନକୁ ଯବାକୁ ଲାଗିଛନ୍ତି। ତେବେ ଚାଲନ୍ତୁ ଜାଣିବା ଏହି ସୁନାମୀ ବିଷୟରେ କିଛି ଅଜଣା କଥା।
ଜାପାନୀ ଶବ୍ଦ ସୁନାମୀ
ସୁନାମୀ ହେଉଛି ବର୍ଷା, ବନ୍ୟା, ଝଡ଼ତୋଫାନ, ବାତ୍ୟା, ବଜ୍ରପାତ, ଭୂସ୍ଖଳନ, ଆଗ୍ନେୟଗିରି ଉଦ୍ଗୀରଣ ଭଳି ବିଶ୍ବର ଅନ୍ୟତମ ପ୍ରକୃତିକ ବିପର୍ଯ୍ୟୟ । ଏହାର ଏହାର ବିନାଶକାରୀ ପ୍ରଭାବ ଅନ୍ୟ ଵିପର୍ଯ୍ୟୟ ତୁଳନାରେ ଅଧିକ ରହିଥାଏ । ତେବେ ଏହି ସୁନାମୀ ହେଉଛି ଏକ ଜାପାନୀ ଶବ୍ଦ । ଏହା ସମୁଦ୍ର ତଥା ମହାସାଗରରେ ଦେବାକୁ ମିଳିଥାଏ । ଅତ୍ୟଧୁକ ଦୀର୍ଘ ତଥା ଲମ୍ବା ସାମୁଦ୍ରିକ ତରଙ୍ଗର ଶୃଙ୍ଖଳାକୁ ସୁନାମୀ କୁହାଯାଇଥାଏ । ଭୂକମ୍ପ କିମ୍ବା ଆଗ୍ନେୟଗିରି କିମ୍ବା ଜ୍ଵାଳାମୂଖୀ ବିସ୍ଫୋରଣ କାରଣରୁ ସୁନାମୀ ଆସିପାରେ ।
କାହିଁକି ସୃଷ୍ଟି ହୁଏ ସୁନାମୀ?
ଭୂକମ୍ପ: ଭୂକମ୍ପ ଯୋଗୁଁଁ ଅଧିକାଂଶ ସୁନାମୀ ଆସିଥାଏ। ପୃଥିବୀର ଟେକ୍ଟୋନିକ ପ୍ଲେଟ ବାଉଣ୍ଡାରୀରେ ସଂଘର୍ଷ ବା ବିଭାଜନ ଯୋଗୁଁଁ ଭୂକମ୍ପ ସୃଷ୍ଟି ହୋଇଥାଏ। ଏହି କାରଣ ଯୋଗୁଁ ହେଉଥିବା ଭୂକମ୍ପଗୁଡିକ ୭.୦ ତୀବ୍ରତାଠାରୁ ଅଧିକ। ଏହାଦ୍ୱାର ସମୁଦ୍ର ତଳର ଜଳ ସ୍ତର ଉପରକୁ ସିଧା ଉଠିଥାଏ। ଏହା ଦ୍ୱାରା ବହୁ ପରିମାଣରେ ଜଳ ବିସ୍ଥାପନ ହୋଇଥାଏ। ଫଳରେ ଦୀର୍ଘ ଓ ଉଚ୍ଚ ଲହଡି ସୃଷ୍ଟି ହୋଇଥାଏ। ତେବେ ସବୁ ଭୂକମ୍ପ ସୁନାମୀ ସୃଷ୍ଟି କରି ନଥାଏ। କେବଳ ସମୁଦ୍ର ତଳରେ ୭.୦ କିମ୍ବା ତା’ଠାରୁ ଅଧିକ ତୀବ୍ରତାର ଭୂମିକମ୍ପ ହେଲେ ସୁନାମୀ ଆସିଥାଏ।
ଆଗ୍ନେୟ ଉଦଗୀରଣ: ଆଗ୍ନେୟଗିରି ବିସ୍ଫୋରଣ ତଥା ଆଗ୍ନେୟ ଉଦଗୀରଣ ଯୋଗୁଁ ମଧ୍ୟ ସୁନାମୀ ସୃଷ୍ଟି ହୋଇଥାଏ। ତେବେ ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ଆଗ୍ନେୟ ଉଦଗୀରଣ ହେଲେ ବହୁ ପରିମାଣରେ ଜଳ ବିସ୍ଥାପିତ ହୋଇଥାଏ। କାରଣ ଆଗ୍ନେୟ ଉଦଗୀରଣ କାରଣରୁ ବହୁ ପରିମାଣରେ ପଥର ଓ ପାଉଁଷ ସମୁଦ୍ରରେ ପଡ଼ିବା ଫଳରେ ଜଳ ବିସ୍ଥାପନ ହୋଇ ସୁନାମୀ ସୃଷ୍ଟି କରିଥାଏ।
ଭୂସ୍ଖଳନ: ଉପକୂଳବର୍ତ୍ତୀ ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ମଧ୍ୟ ସମୁଦ୍ରରେ ବହୁ ପରିମାଣରେ ଜଳ ବିସ୍ଥାପିତ ହେବା ଫଳରେ ସୁନାମୀ ଆସିଥାଏ। ଅବଶ୍ୟ ଏହି ଭୂସ୍ଖଳନ ଭୂକମ୍ପ କିମ୍ବା ଭୁଗର୍ଭୀୟ ଗତିବିଧି କାରଣରୁ ସୃଷ୍ଟି ହୋଇଥାଏ। ଭୂସ୍ଖଳନ ଯୋଗୁଁ ବହୁ ପରିମାଣରେ ମାଟି କିମ୍ବା ପଥର ସମୁଦ୍ରରେ ପଡ଼ିବା ଯୋଗୁଁ ଏପରି ହୋଇଥାଏ।
ଅନ୍ୟ କାରଣ: ଅନ୍ୟ କେତେକ କାରଣ ମଧ୍ୟ ସୁନାମୀ ପାଇଁ ଦାୟୀ ହୋଇଥାଏ। ସମୁଦ୍ରରେ ଉଲକା ପିଣ୍ଡ କିମ୍ବା ଗ୍ରହାଣୁ ପୁଞ୍ଜ ମାଡ ହେଲେ ମଧ୍ୟ ବହୁ ପରିମାଣରେ ଜଳ ବିସ୍ଥାପନ ହୋଇ ସୁନାମୀ ଆସିଥାଏ। ସେହିପରି ସମୁଦ୍ର ଉପକୂଳରେ ବିସ୍ଫାରଣ ଜନିତ ପରୀକ୍ଷା ମଧ୍ୟ ସୁନାମୀ ସୃଷ୍ଟି କରିଥାଏ। ଉଦାହରଣ ସ୍ୱରୂପ ଯଦି ସମୁଦ୍ରରେ ଆଣବିକ ପରୀକ୍ଷଣ କରାଯାଏ ତେବେ ସୁନାମୀ ଆସିବାର ଆଶଙ୍କା ରହିଥାଏ। ସେହିପରି ହିମସ୍ଖଳନ କାରଣରୁ ବଡ଼ ବଡ଼ ବରଫ ଖଣ୍ଡ ସମୁଦ୍ରରେ ପଡ଼ିଲେ ସୁନାମୀ ଭଳି ବିପର୍ଯ୍ୟୟ ସୃଷ୍ଟି ହୋଇଥାଏ।
Also Readhttps://purvapaksa.com/koida-is-now-the-second-nagada/
Naveen’s gift to Odisha; Koida is now second Nagada! ଓଡ଼ିଶାକୁ ନବୀନଙ୍କ ଦାନ; କୋଇଡା ଏବେ ଦ୍ୱତୀୟ ନଗଡ଼ା !
