ଭାରତ ସ୍ୱାଧିନ ହେବା ପରେ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ଆଶଙ୍କା ଥିଲା ଯେ, ଗୋଟିଏ ଅଶିକ୍ଷିତ ରାଷ୍ଟ୍ରରେ ଗଣତନ୍ତ୍ର କେତେ ସଫଳ ହେବ? ଆରମ୍ଭରୁ ପାଶ୍ଚାତ୍ୟ ରାଜନୈତିକ ବିଶେଷଜ୍ଞ ଭାରତରେ ଗଣତନ୍ତ୍ରର ଅପମୃତ୍ୟୁର ଭବିଷ୍ୟବାଣୀ କରିଥିଲେ। କିନ୍ତୁ ସେମାନଙ୍କ ଆଶଙ୍କାକୁ ଅମୁଳକ ସାବ୍ୟସ୍ତ କରି ଭାରତରେ ଗଣତନ୍ତ୍ର ୭୦ ବର୍ଷରୁ ଅଧିକ ବର୍ଷ ଧରି ଛିଡ଼ା ହୋଇଛି ଓ ଶସକ୍ତ ହେଉଛି। ଯେଉଁମାନେ ଦିନେ ଭାରତରେ ଗଣତନ୍ତ୍ରର ସ୍ଥାୟିତ୍ୱକୁ ନେଇ ସନ୍ଦେହରେ ଥିଲେ ଏବେ ସେମାନେ ଭାରତକୁ ବୃହତ୍ତମ ଗଣତନ୍ତ୍ର କହିବାକୁ କୁଣ୍ଠାବୋଧ କରୁନାହାନ୍ତି।
ଏସବୁ ସତ୍ତ୍ୱେ ଭାରତୀୟ ଗଣତନ୍ତ୍ରକୁ ଏହା ଭିତରୁ ହିଁ ବିପଦ ଅଛି। ବୁଥ୍ କବଜା ଭଳି ବିହାରୀ ମଡେଲ ଏବେ ପୁରୁଣା ହେଇଗଲାଣି। ଏଥିପାଇଁ ଟିଏନ୍ ଶେଷାନଙ୍କୁ ଧନ୍ୟବାଦ ଦେବାକୁ ଭାରତ ବାଧ୍ୟ କିନ୍ତୁ ଆଉ ଗୋଟିଏ ରୋଗ ଭାରତୀୟ ଗଣତନ୍ତ୍ର ଏବଂ ଏହାର ରାଜନୈତିକ ଦଳଙ୍କୁ ଗ୍ରାସ କରିଛି। ଯେକୌଣସି ମତେ କ୍ଷମତାକୁ ଆସିବାର ଇଛାରେ ରାଜନୈତିକ ଦଳଗୁଡ଼ିକ ଦେଶର ଅର୍ଥନୈତିକ ସ୍ୱାସ୍ଥ୍ୟ ସହିତ ଖେଳୁଛନ୍ତି। ସେମାନଙ୍କର ଏହି ନିଶା ଓ ଇଛା ଦିନେ ଭାରତକୁ ହୁଏତ ଭେନେଜୁଏଲାରେ ପରିଣତ କରିପାରେ। ଭେନେଜୁଏଲା କାହିଁକି? ଆଉ କୌଣସି ଦେଶ କାହିଁକି ନୁହେଁ ତାହା ଶେଷରେ କହିବି। ପ୍ରଥମେ ଚାଲନ୍ତୁ ଜାଣିବା ରାଜନୈତିକ ଦଳଙ୍କର ସେହି ‘ଖେଳ’ କ’ଣ ଯାହା ଦେଶର ଅର୍ଥନୀତି ପାଇଁ ‘ଟାଇମ୍ ବମ୍’ କହିଲେ ଭୁଲ ହେବ ନାହିଁ।
‘ମାଗଣା’ ଟାଇମ୍ ବମ୍
ଟିକ୍ ଟିକ୍ କରି ଘଣ୍ଟା ଚାଲିଛି। ଆଉ ଯେଉଁଦିନ ଏହା ଫୁଟିବ ସେଦିନ ଭାରତୀୟ ଅର୍ଥନୀତି ଧରାଶାୟୀ ହୋଇଯିବ। ଏହି ଟାଇମ୍ ବମ୍ ହେଉଛି ରାଜନୈତିକ ଦଳଙ୍କ ‘ଫ୍ରିବିସ୍’ ବା ଓଡ଼ିଆରେ କହିଲେ ‘ମାଗଣା’ ଅଫର। ରାଜନୈତିକ ଦଳଙ୍କର ଆଉ କିଛି ସ୍ଲୋଗାନ ଥିବା ଭଳି ଲାଗୁନି। ସେମାନେ କେବଳ ଗୋଟିଏ ଘୋଷାବାକ୍ୟ ଗାଉଛନ୍ତି। ତାହା ହେଲା ଆମକୁ ଭୋଟ୍ ଦେଲେ ଆମେ ତୁମକୁ ଅମୁକ ସମୁକ ‘ମାଗଣା’ ଦେବୁ। ଦେଖାଶିଖା ହୋଇ ଏବେ ସବୁ ରାଜନୈତିକ ଦଳ ଏହି ‘ମାଗଣା’ ଅଫରକୁ ନିଜ ଘୋଷଣା ପତ୍ରରେ ସର୍ବାଗ୍ରେ ରଖିଲେଣି। ଏଥିରେ ସବୁ ରାଜନୈତିକ ଦଳଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗିଛି।
କେଜିରୁ ପିଜି ଫ୍ରି
ଏ ପାର୍ଟି ୱିଥ୍ ଡିଫରେନ୍ସ ଟାଗ୍ ଲାଇନ୍ ସହିତ ଆସିଥିବା ଦଳକୁ ବି କେଜ୍ରିୱାଲ ‘ମାଗଣା’ ଦୌଡ଼ରେ ସାମିଲ ହେବାକୁ ବାଧ୍ୟ କରିପାରିଛନ୍ତି। ଆଉ କିଛିଦିନ ପରେ ଦିଲ୍ଲୀରେ ନିର୍ବାଚନ ହେବାକୁ ଥିବାବେଳେ କେଜ୍ରିୱାଲଙ୍କ କାଟ୍ ଭାବେ ବିଜେପି ‘କେଜିରୁ ପିଜି ଫ୍ରି’ ମନ୍ତ୍ର ପାଇଛି। କେଜ୍ରିୱାଲ ମାଗଣା ବିଜୁଳି, ମାଗଣା ପାଣି ଅଫର ଦେଇ ଗତ ୧୦ ବର୍ଷରୁ ଅଧିକ ସମୟ ଧରି ବିଜେପି ଓ କଂଗ୍ରେସ ପାଇଁ ଦିଲ୍ଲୀକୁ ଭୋଟ୍ ଦୃଷ୍ଟିରୁ ମରୁଡ଼ିଗସ୍ତ ଅଞ୍ଚଳ କରିଦେଇଛନ୍ତି। ଏମିତିରେ ଜେଣତେଣ କ୍ଷମତାକୁ ଫେରିବା ଚକ୍କରରେ ଥିବା ବିଜେପି ପାଣି ବିଜୁଳିଠାରୁ ଅଧିକ ମହଙ୍ଗା ‘କେଜି ପିଜି’ ଶିକ୍ଷାକୁ ଫ୍ରି’ କରିଦେବ ବୋଲି କହିଛି। ଆଗକୁ ଭୋଟର ପାଣି,ବିଜୁଳି ଫ୍ରି ଚାହୁଁଛନ୍ତି କି ଶିକ୍ଷା ଫ୍ରି ଚାହୁଁଛନ୍ତି ତାହା ଭୋଟ୍ ଗଣତି ପରେ ଜଣାପଡ଼ିବ। କିନ୍ତୁ ଗୋଟିଏ କଥା ସ୍ପଷ୍ଟ,ମାଗଣା’ ଅଫରରେ ଏହି ଦୌଡ଼ରେ କୌଣସି ରାଜନୈତିକ ଦଳ ପଛୁଆ ରହିବାକୁ ଚାହୁଁନାହାନ୍ତି। ଲାଗୁଛି ରାଜନୈତିକ ଦଳଙ୍କ ଗୋଟିଏ ମନୋଭାବ, ଆମେ କେବଳ ଭୋଟ୍ ଚାହୁଁଛୁ, ସରକାର ଗଠନ କରିବାକୁ ଚାହୁଁଛୁ, ସେଥିପାଇଁ ଆମେ ମାଗଣାରେ କିଛି ବି ଦେବାକୁ ପ୍ରସ୍ତୁତ। ଭାରତରେ ମାଗଣା ସୁବିଧାର ଅନେକ ଯୋଜନାର ମୂଲ୍ୟ ସରକାରଙ୍କ ଅନେକ ବିଭାଗର ବାର୍ଷିକ ବଜେଟ୍ଠାରୁ ଅଧିକ। ମାଗଣା ସୁବିଧା ଘୋଷଣା ଅର୍ଥ ଦଳ ପାଇଁ ବିଜୟର ଗ୍ୟାରେଣ୍ଟି।
‘ମାଗଣା ’ଅଫରର ଜନ୍ମ କେବେ ହୋଇଥିଲା?
ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ କାମରାଜ ପ୍ରଥମେ ମଧ୍ୟାହ୍ନ ଭୋଜନ ଯୋଜନା ଘୋଷଣା କରିଥିଲେ। ଏହି ଯୋଜନା ୧୯୫୬ ମସିହାରେ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଏହାକୁ ସମଗ୍ର ଦେଶରେ କାର୍ଯ୍ୟକାରୀ କରିଥିଲେ। ଏନଟି ରାମା ରାଓ ପ୍ରଥମେ ଦୁଇ କେଜି ମାଗଣା ରାସନ ଘୋଷଣା କରିଥିଲେ। ଆନ୍ଧ୍ରପ୍ରଦେଶର ଏହି ଯୋଜନା ଆଜି ଜାତୀୟ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମର ଏକ ଅଂଶ।
୧୯୬୭ରେ ଡିଏମକେ ପ୍ରତିଷ୍ଠାତା ସିଏନ ଆନ୍ନାଦୁରାଇ ନିର୍ବାଚନ ଜିତିବା ପାଇଁ କ୍ଷମତାକୁ ଆସିଲେ ଏକ ଟଙ୍କାରେ ସାଢ଼େ ୪ କେଜି ଚାଉଳ ଦେବେ ବୋଲି କହିଥିଲେ। ୨୦୦୬ରେ ଡିଏମକେ କ୍ଷମତାକୁ ଆସିଲେ ଲୋକଙ୍କୁ ମାଗଣାରେ ରଙ୍ଗୀନ ଟିଭି ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ପରବର୍ତ୍ତୀ ସମୟରେ ରାଜନୈତିକ ଦଳ ଆଉ ଚାଉଳରେ ନିଜକୁ ସୀମିତ କରି ରଖିବାକୁ ଚାହିଁନଥିଲେ। ସେମାନେ ଜମିଠାରୁ ଲାପଟପ୍, ସାଇକେଲ୍ ଦେବା ଭଳି ପ୍ରତିଶ୍ରୁତି ଦେଇଥିଲେ।
ଭୋଟ୍ ପାଇଁ ‘ମାଗଣା’ ଅଫର କାମ କରୁଛି କି?
ମାଗଣା ରାସନ ହେଉ, କୃଷକଙ୍କ ପାଇଁ ଋଣ ଛାଡ଼ ହେଉ, ମାଗଣା ବିଜୁଳି, ମାଗଣା ପାଣି, ମାଗଣା ବସ୍ ଯାତ୍ରା ହେଉ, ମାଗଣା ପାଠପଢ଼ା ହେଉ କିମ୍ବା ମାଗଣା ତୀର୍ଥଯାତ୍ରା। ଏସବୁ ପ୍ରକୃତରେ ଦଳଙ୍କୁ କ୍ଷମତା ଦେଇଛି। ସତରେ ଭୋଟର ମାଗଣା ଅଫରରେ ଭଳି ଭୋଟ୍ ମଧ୍ୟ କରିଛନ୍ତି। ବିଗତ ୮ଟି ବିଧାନସଭା ନିର୍ବାଚନକୁ ଦେଖିଲେ ଜଣାପଡ଼େ ଯେ ରାଜ୍ୟ ନିର୍ବାଚନ ଉପରେ ମାଗଣାର ଗଭୀର ପ୍ରଭାବ ପଡ଼ିଛି। ଯଦି ଆମେ କେବଳ ପାଞ୍ଚଟି ଯୋଜନା ଉପରେ ନଜର ପକାଇବା ତେବେ ଦେଖିବା ଯେ, ମହାରାଷ୍ଟ୍ର, ପଞ୍ଜାବ ଏବଂ ମଧ୍ୟପ୍ରଦେଶରେ ସରକାର ଗଠନରେ ମହିଳାଙ୍କ ମାସିକ ଭତ୍ତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସେହିଭଳି ଦିଲ୍ଲୀରେ ମହିଳାଙ୍କୁ ମାଗଣା ବସ ଯାତ୍ରାର ପ୍ରତିଶ୍ରୁତି କେଜିୱାଲଙ୍କୁ ସରକାର ଗଠନରେ ସାହାଯ୍ୟ କରିଥିଲା। ଓଡ଼ିଶାରେ ସୁଭଦ୍ରା ଯୋଜନା ବିଜେପିକୁ ୨୪ ବର୍ଷ ପୁରୁଣା ବିଜେଡି ସରକାରକୁ ଓପାଡ଼ି ଫୋପାଡ଼ିବାରେ ସାହାଯ୍ୟ କରିଥିଲା। ଏହି ସବୁ ‘ମାଗଣା’ ପ୍ରତିଶ୍ରୁତି ନିର୍ବାଚନରେ ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଯଇଛି।
ମାଗଣା ବିଜୁଳି ଯୋଜନାରେ ମଧ୍ୟ ସମାନ ଅବସ୍ଥା। ଦିଲ୍ଲୀର ଆଖପାଖ ଜିଲ୍ଲାରେ କାମ କରିବାକୁ ଆସୁଥିବା ଲୋକମାନେ ମାଗଣା ବିଜୁଳି ଓ ପାଣି ସୁବିଧା ପାଇଥିବାରୁ ସେଠାରେ ରହିବା ପରିବର୍ତ୍ତେ ଦିଲ୍ଲୀରେ ରହିବାକୁ ପସନ୍ଦ କରୁଛନ୍ତି। କିଷାନ ସମ୍ମାନ ନିଧି ଏବଂ ମାଗଣା ଏଲପିଜି ଗ୍ୟାସ ସିଲିଣ୍ଡର ସିଧାସଳଖ ଉତ୍ତର ପ୍ରଦେଶ ଭଳି ଏକ ବଡ ରାଜ୍ୟକୁ ଟାର୍ଗେଟ କରିଛି ଏବଂ ସେଠାରେ ବିଜେପି ସରକାର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।
ଏବେ ଆସନ୍ତୁ ଭେନେଜୁଏଲକୁ…
ଆରମ୍ଭରେ ଯେଉଁ ଭେନେଜୁଏଲ କଥା କୁହାଯାଇଥିଲା ତାହା ଲାଟିନ୍ ଆମେରିକାର ଗୋଟିଏ ଦେଶ। ମ୍ୟାପରେ ଦେଖନ୍ତୁ ଏହି ଭେନେଜୁଏଲା କେଉଁଠି ଅଛି। ପେଟ୍ରୋଲିୟମ ସମ୍ବଳରେ ଭରପୁର ଏହି ଦେଶ ପେଟ୍ରୋଲ ରପ୍ତାନୀ କରି ଢେର ଅର୍ଥ ଉପାର୍ଜନ କରୁଥିଲା। କିନ୍ତୁ ଗୋଟିଏ ସମୟରେ ଭୋଟ୍ ହାତେଇବା ପାଇଁ ସେଠାକାର ରାଜନୈତିକ ଦଳ ସବୁ ସରକାରୀ ଟ୍ରେଜରୀରେ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ନରଖି ‘ମାଗଣା’ ବାଣ୍ଟିବା ଆରମ୍ଭ କରିଥିଲେ। ସବୁକିଛି ମାଗଣା ଦିଆ ଚାଲିଥିଲା। କିନ୍ତୁ କିଛିବର୍ଷ ପରେ ଟିକ୍ ଟିକ୍ କରୁଥିବା ଟାଇମ୍ ବମ୍ ଫାଟିଥିଲା। ଭେନେଜୁଏଲାରେ ଭୀଷଣ ମୁଦ୍ରସ୍ଫୀତି ସୃଷ୍ଟି ହୋଇଥିଲା। ଯାହା ଏବେ ମଧ୍ୟ ଜାରି ରହିଛି। ନେତାଙ୍କ ମାଗଣା ବଣ୍ଟାର ନିଶା ଓ ଭୋଟରଙ୍କ ମାଗଣା ଖାଇବାର ଲୋଭ, ଗୋଟିଏ ସମୃଦ୍ଧ ଦେଶକୁ କାଙ୍ଗାଳ କରିଦେଇଛି। ମୁଦ୍ରାର ମୂଲ୍ୟରେ ଅବମୂଲ୍ୟାୟନ ଏତେ ଯେ, ଯୋତା ସଜାଡ଼ିବା ପାଇଁ ବି ଭାରତୀୟ ମୁଦ୍ରାରେ କେତେ ଲକ୍ଷ ଟଙ୍କା ଦେବାକୁ ପଡ଼ୁଛି। ଏହାର ସତ୍ୟତା ଜାଣିବା ପାଇଁ ଆପଣ ଇଣ୍ଟରନେଟରେ ଭେନେଜୁଏଲା ଅର୍ଥନୈତିକ ସଂକଟ ଟାଇପ୍ କରି ସର୍ଚ୍ଚ କରିପାରିବେ।
Also readhttps://purvapaksa.com/budget-2025-and-donald-trump-unpredictable-trade-policies/
ବଜେଟ୍ ଉପରେ ରହିବ ଟ୍ରମ୍ପ ପ୍ରଭାବ? କ’ଣ ନିର୍ମଳାଙ୍କ ‘ପାର୍ଟି’କୁ ବିଗାଡ଼ିବେ ଟ୍ରମ୍ପ?
