ମୋହନ ମାଝୀ ସରକାରଙ୍କ ଭିଜିଲାନ୍ସ ଭାରି ସକ୍ରିୟ। ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କୁ ଖୋଜି ଖୋଜି ଧରୁଛି ଭିଜିଲାନସ୍ । କାହା ଘରେ କେତେବେଳେ ଭିଜିଲାନସ୍ ମାଡି ବସି ସେଇ ଚିନ୍ତାରେ କାଳେ ବାବୁଙ୍କ ଆଖିରେ ନିଦ ନାହିଁ । ଭିଜିଲାନ୍ସ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରୁ ଆଜି ଜବତ କରିଛି କୋଟି କୋଟି ଟଙ୍କାର ନୋଟ, ସୁନା ଓ ସମ୍ପତି । ଫିଲ୍ମ ରେଡ୍ ୨ର ରିପ୍ଲେ ଆଜି ଦେଖୁବାକୁ ମିଳିଛି ଜୟପୁର ସହରରେ । ଫିଲ୍ମର ନାୟକ ଅଜୟ ଦେବଗନ ଯେପରି ଘର ଭିତରେ ପଶି ରେଡ୍ ମାରି ଛାନଭିନ କଲା ପରେ ସ୍ବତନ୍ତ୍ର କଠୋରିରୁ ପୁଳା ପୁଳା ଟଙ୍କା ଓ ସୁନା ବାହାର କରିଥିଲେ ଆଜି ପରି ଜୟପୁରର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରୁ ଅବିକଳ ସେହିଭଳି ଭାବରେ ଭିଜିଲାନ୍ସ ଠାବ କରିଛି ବିପୁଳ ପରିମାଣର ଟଙ୍କା ଓ ସୁନା।
ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରୁ ପ୍ରାୟ କେଜିରୁ ଅଧୂକ ସୁନା ସହ କୋଟି କୋଟି ନଗଦ ଟଙ୍କା ଜବତ ହୋଇଛି । ୧କୋଟି ୪୪ ଲକ୍ଷ ଟଙ୍କା ଓ ସୁନା ମିଶି ୩ଲକ୍ଷ ୫୦ହଜାର ଟଙ୍କାର ସମ୍ପତି ଜବତ କରିଛି ଭିଜିଲାନ୍ସ। ତଦନ୍ତ ଆଉ ଟଙ୍କା ଗଣା ଏବେ ବି ଜାରି ରହିଛି। ଆହୁରି ଅଧିକା ପରିମାଣର ସମ୍ପତି ଠାବ ହେବାର ସମ୍ଭାବନା ରହିଛି । ଜୟପୁର ପିଆର ପେଟା ସାହିରେ ଆପାରଟମେଣ୍ଟ୍ ରେ ୨ଟି ଫ୍ଲାଟ୍ ରହିଛି । ଆପର୍ଟ ମେଣ୍ଟର ୫୧୦ ଓ ୫୧୧ ନମ୍ବର୍ ଦୁଇଟି ଫ୍ଲାଟ୍ ମଧ୍ୟରେ ପ୍ଲାଇଉଡ ରେ ଘରକୁ ଡିଜାଇନ୍ କରାଯାଇଛି । ପ୍ଲାଇଉଡ ଆଲମୀରା ତିଆରି କରାଯାଇଛି। ତାରି ଭିତରେ ଗୁପ୍ତ ଭାବେ ଗୋଦରେଜ ଆଲମୀରା ରଖୁବା ବ୍ୟବସ୍ଥା କରିଥିଲେ ଜଙ୍ଗଲ ବାବୁ। ସେହି ଆଲମୀରା ଭିତରେ ରହିଥୁଲା ରାମଚନ୍ଦ୍ର ନେପାକଙ୍କ କଳା ସାମ୍ରାଜ୍ୟର ବେଆଇନ ସମ୍ପତି। ଗଦରେଜ ଆଲମିରା ଭିତରେ ସଜେଇ କରି ରଖିଥିଲେ ବିଡ଼ା ବିଡ଼ା ୫୦୦ ଟଙ୍କିଆ ନୋଟ। ଘର ନୁହେଁ ସତେ ଯେମିତି ଗୋଟେ ଛୋଟ ବ୍ୟାଙ୍କ କରିଥିଲେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ। ଏହି ଦୁର୍ନୀତି ଗ୍ରସ୍ତ ଜଙ୍ଗଲ ଅଧିକାରୀ ରାମଚନ୍ଦ୍ର ନେପାକ ଟ୍ରେଜେରି ଦେଖି ଭିଜିଲାନସ୍ ଅଧିକାରୀ ବି କାବା ହୋଇଛନ୍ତି।
ଡିସେମ୍ବର ମାସରେ ଚାକିରୀରୁ ଅବସର ନେଇ ଥାନ୍ତେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ। ସେଥିପାଇଁ ଘରକ ସଜେଇ ବାରେ ଲାଗି ପଡ଼ିଥିଲେ, ଆଉ କଳା ଟଙ୍କା ଥଇଥାନ ପାଇଁ ବ୍ୟବସ୍ଥା ବି କରିଥିଲେ। ବିପୁଳ ପରିମାଣର ଆୟଠାରୁ ଅଧିକ ସମ୍ପତି ବିଷୟରେ ଭିଜିଲାନ୍ସ ହାତରେ ଲାଗିଥିଲା ସୂଚନା । ଏହାପରେ ହୋଇଥିଲା ଚଢ଼ାଉ, ଆଉ ଧରା ପଡିଗଲା ବିଡ଼ା ବିଡ଼ା ଟଙ୍କା । ୪ଟି ସୁନା ବିସ୍କୁଟ,୨୬ ଗୋଟି ୨୦୦ ଟଙ୍କିଆ ଓ ୫୦୦ ଟଙ୍କିଆ ନୋଟ୍ ବିଡା ସହ ସୁନା ମୁଦ୍ରା ଓ ସୁନାର ଅଳଙ୍କାର ମଧ୍ୟ ଜବତ କରିଛି ଭିଜିଲାନ୍ସ । ପ୍ରାୟ ୧୦୦ ଗ୍ରାମ ଲେଖାଏଁ ଓଜନ ଥୁବା ୪ଟି ସୁନା ବିସ୍କୁଟ ଓ ୧୬ ଟି ସୁନା ମୁଦ୍ରା ସହ ସୁନାର ଚୁଡ଼ି, ହାର, ମାଳି ଓ ଅନ୍ୟ ଗହଣା ଜବତ କରିଛି ଭିଜିଲାନସ୍। ଆୟ ବହିର୍ଭୂତ ସମ୍ପତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ୬ଟି ସ୍ଥାନରେ ଚଢାଉ କରି ତଲାସି ଜାରି ରଖିଛି । ଏଥିରେ ୬ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ବରେ ଏକକାଳୀନ ଚଢାଉ କରି ଘର ତଲାସ ଚଳାଇଛି ଭିଜିଲାନ୍ସ ।


