ଦେଶର ୧୪ତମ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ୨୧ ଜୁଲାଇ ରାତିରେ ତାଙ୍କ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ସଂସଦ ଅଧିବେଶନ ଆରମ୍ଭର ପ୍ରଥମ ଦିନରେ ହିଁ ଧନଖଡ଼ଙ୍କ ଇସ୍ତଫା ଉପରେ ବିରୋଧୀ ଦଳ ପ୍ରଶ୍ନ ଉଠାଉଛି। ଇସ୍ତଫା ପଛରେ ସେ ସ୍ୱାସ୍ଥ୍ୟଗତ କାରଣକୁ ଦାୟୀ କରିଛନ୍ତି । ୭୪ ବର୍ଷୀୟ ଧନଖଡ଼ଙ୍କର କାର୍ଯ୍ୟକାଳ ୧୦ ଅଗଷ୍ଟ ୨୦୨୭ ପର୍ଯ୍ୟନ୍ତ ଥିଲା। ଧନଖଡ଼ ୧୦ ଦିନ ପୂର୍ବେ ହିଁ ଇସ୍ତଫାର ସଙ୍କେତ ଦେଇଥିଲେ। କାର୍ଯ୍ୟକାଳ ମଧ୍ୟରେ ଇସ୍ତଫା ଦେଇଥିବା ସେ ତୃତୀୟ ଉପରାଷ୍ଟ୍ରପତି । ଏହାପୂର୍ବେ ଭି ଭି ଗିରି ଏବଂ ଭୈରୋଂ ସିଂହ ଶେଖାଓ୍ଵାତ ମଧ୍ୟ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବା ପୂର୍ବରୁ ଇସ୍ତଫା ଦେଇଥିଲେ । ଆର ଭେଙ୍କଟରମଣ ୧୯୮୭ରେ ଭାରତର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ ତେବେ ସେ ଉପରାଷ୍ଟ୍ରପତି ଥିଲେ । ସେ ଶପଥ ଗ୍ରହଣ ପୂର୍ବରୁ ହିଁ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ ।
୧୦ ଦିନ ପୂର୍ବେ ଅବସର ନେବା କଥା କହିଥିଲେ
୧୦ ଜୁଲାଇରେ ଏକ କାର୍ଯ୍ୟକ୍ରମରେ ସେ କହିଥିଲେ, ‘ଈଶ୍ୱରଙ୍କ କୃପା ରହିଲେ ମୁଁ ଅଗଷ୍ଟ ୨୦୨୭ରେ ଅବସର ନେବି । ସେତେବେଳେ କେହି ଅନୁମାନ କରି ନଥିଲେ ଯେ ୧୦ ଦିନ ପରେ ସେ ଉପରାଷ୍ଟ୍ରପତି ପଦ ଛାଡ଼ିବେ । ଏହି ମନ୍ତବ୍ୟ ସେ ଜେଏନୟୁରେ ଏକ କାର୍ଯ୍ୟକ୍ରମରେ କରିଥିଲେ। ସେ ହାଲୁକା ଅନ୍ଦାଜରେ କହିଥିଲେ, ‘ମୁଁ ଠିକ୍ ସମୟରେ ଅଗଷ୍ଟ ୨୦୨୭ରେ ଅବସର ନେବି । ଏହା ସବୁ ଈଶ୍ୱରଙ୍କ ଇଚ୍ଛା ଉପରେ ନିର୍ଭର କରେ ।
ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ଖବର ପରେ ତାଙ୍କ ପୈତୃକ ଗାଁ କିଠାନାରେ ଲୋକେ ସ୍ତମ୍ଭିତ ହୋଇଛନ୍ତି । ଧନଖଡ଼ଙ୍କ ଭାଇଙ୍କ ପୁଅ ହରେନ୍ଦ୍ର ଧନଖଡ଼ କହିଛନ୍ତି ଯେ ଏହି ଅଚାନକ ଇସ୍ତଫାକୁ କେହି ବିଶ୍ୱାସ କରିପାରୁ ନାହାନ୍ତି। ସେ କହିଛନ୍ତି ଯେ ଏହା ସତ ଯେ ଏହି ଦିନଗୁଡ଼ିକରେ ଧନଖଡ଼ଙ୍କ ସ୍ୱାସ୍ଥ୍ୟ ଖରାପ ଥିଲା । ତାଙ୍କ ପତ୍ନୀ ଡକ୍ଟର ସୁଦେଶ ଧନଖଡ଼ ବେଶ୍ ଚିନ୍ତିତ ଥିଲେ, କିନ୍ତୁ ସେ ଇସ୍ତଫା ଦେବେ ବୋଲି କେହି ଚିନ୍ତା ମଧ୍ୟ କରି ନଥିଲେ। ସେ କହିଛନ୍ତି ଯେ ଏହି ମାସର ପ୍ରଥମ ସପ୍ତାହରେ ଉପରାଷ୍ଟ୍ରପତିଙ୍କ ପତ୍ନୀ ଡକ୍ଟର ସୁଦେଶ ଧନଖଡ଼ ଗାଁକୁ ଆସିଥିଲେ। ସେ ତିନି ଦିନ ଗାଁରେ ରହିଥିଲେ । କଥାବାର୍ତ୍ତାରେ ସେ ଜଣାଇଥିଲେ ଯେ ଏବେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କର ପୂର୍ବ ଅପେକ୍ଷା ଅଧିକ ଯତ୍ନ ନେବାକୁ ପଡ଼ିବ କାରଣ ତାଙ୍କ ସ୍ୱାସ୍ଥ୍ୟ ଠିକ୍ ନାହିଁ ।
ମାର୍ଚ୍ଚରେ ହୃଦୟରେ ଅସ୍ତ୍ରୋପଚାର ହୋଇଥିଲା
ମାର୍ଚ୍ଚରେ ତାଙ୍କର ହୃଦୟରେ ଅସ୍ତ୍ରୋପଚାର ହୋଇଥିଲା । ଗତ ମାସରେ ଉତ୍ତରାଖଣ୍ଡରେ ତାଙ୍କୁ ଛାତିରେ ଯନ୍ତ୍ରଣାର ଅଭିଯୋଗ ହୋଇଥିଲା । ଗାଁରେ ତାଙ୍କ ଇସ୍ତଫା ଖବର ପରେ ନିରାଶାର ମାହୋଲ ରହିଛି । ଧନଖଡ଼ ସର୍ବଦା କିଠାନା ଗାଁର ବିକାଶ ପାଇଁ ଚିନ୍ତା କରିଛନ୍ତି । ଉପରାଷ୍ଟ୍ରପତି ହେବା ପରେ ଗାଁରେ ଐତିହାସିକ କାର୍ଯ୍ୟ କରାଇବାରେ ଧନଖଡ଼ଙ୍କର ଯୋଗଦାନ ରହିଛି । ଉପରାଷ୍ଟ୍ରପତି ହେବା ପରେ ସେ ଝୁଞ୍ଝୁନୁକୁ ସାତ ଥର ଆସିଛନ୍ତି ।
୧୮ ମେ ୧୯୫୧ରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିବା ଜଗଦୀପ ଧନଖଡ଼ ତାଙ୍କ କ୍ୟାରିଅର ଆରମ୍ଭ ଜଣେ ଓକିଲ ଭାବେ କରିଥିଲେ । ଯଦିଓ ତାଙ୍କର ଆଇଆଇଟି, ଏନଡିଏ ଏବଂ ଆଇଏଏସ ପାଇଁ ଚୟନ ହୋଇଥିଲା, ସେ ଓକାଳତିକୁ ନିଜର ପେଶା ଭାବେ ବାଛିଥିଲେ । ୧୯୭୯ରେ ସେ ରାଜସ୍ଥାନ ବାର କାଉନସିଲରେ ନାମାଙ୍କନ କରିଥିଲେ । ୧୯୯୦ରେ ରାଜସ୍ଥାନ ହାଇକୋର୍ଟ ତରଫରୁ ତାଙ୍କୁ ବରିଷ୍ଠ ଅଧିବକ୍ତା ଭାବେ ନାମିତ କରାଯାଇଥିଲା । ୧୯୮୯ରେ ସେ ଜନତା ଦଳରୁ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ରାଜସ୍ଥାନର ଝୁଞ୍ଝୁନୁରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ରେକର୍ଡ ଭୋଟରେ ବିଜୟୀ ହୋଇଥିଲେ । ସେ କେନ୍ଦ୍ରୀୟ ମନ୍ତ୍ରୀ ମଧ୍ୟ ହୋଇଥିଲେ। ପରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । ୧୯୯୩-୯୮ ମଧ୍ୟରେ ସେ କିଶନଗଡ଼ରୁ ବିଧାୟକ ହୋଇଥିଲେ। ୨୦୦୩ରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।
ALSO READ https://purvapaksa.com/state-bjp-chief-manmohan-samal-visits-delhi/
