ବନ୍ଦେ ଭାରତ ଏକ୍ସପ୍ରେସ୍ର ସଫଳତା ପରେ ଭାରତୀୟ ରେଳବାଇ ଏବେ ଦେଶରେ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ସେବା ଆରମ୍ଭ କରିଛି । ଦୀର୍ଘଦୂର ରାତ୍ରି ଯାତ୍ରାକୁ ଆରାମଦାୟକ ଓ ଆଧୁନିକ କରିବା ଉଦ୍ଦେଶ୍ୟରେ ଆଣାଯାଇଥିବା ଏହି ହାଇ-ଟେକ୍ ଟ୍ରେନ୍ ଏବେ ଯାତ୍ରୀମାନଙ୍କ ପାଇଁ ଆଉ ଏକ ବଡ଼ ଆଶ୍ୱସ୍ତିକର ଖବର ଆଣିଛି । ପୂର୍ବ ସଂସ୍କରଣ ତୁଳନାରେ ବନ୍ଦେ ଭାରତ ସ୍ଲିପରର ଖାଦ୍ୟ ବ୍ୟବସ୍ଥାକୁ ଯଥେଷ୍ଟ ଉନ୍ନତ କରାଯାଇଛି ।

ବର୍ତ୍ତମାନ ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ହାୱଡାରୁ କାମାକ୍ଷା ମଧ୍ୟରେ ଚଳାଚଳ କରୁଛି । ଏହି ଟ୍ରେନ୍ରେ ଯାତ୍ରୀମାନେ ଆଧୁନିକ ସ୍ଲିପର କୋଚ୍, ସୁବିଧାଜନକ ବେଡ୍, ସ୍ମାର୍ଟ ଟଏଲେଟ୍ ଏବଂ ଉନ୍ନତ ସୁରକ୍ଷା ବ୍ୟବସ୍ଥା ସହିତ ଉଚ୍ଚମାନର ସେବା ପାଉଛନ୍ତି । ଏହା ସହିତ ଏବେ ଖାଦ୍ୟ ବିକଳ୍ପରେ ହୋଇଥିବା ପରିବର୍ତ୍ତନ ଯାତ୍ରୀଙ୍କ ସୁବିଧାକୁ ଆହୁରି ବଢ଼ାଇଛି ।
୧୭ ଜାନୁଆରୀରେ ଆରମ୍ଭ ହୋଇଥିବା ଏହି ଟ୍ରେନ୍ରେ ପ୍ରଥମେ କେବଳ ନିରାମିଷ ଖାଦ୍ୟ ପରିବେଷଣ କରାଯାଉଥିଲା । କିନ୍ତୁ ପଶ୍ଚିମବଙ୍ଗ ଓ ଆସାମ ଭଳି ରାଜ୍ୟରେ ଅଧିକାଂଶ ଲୋକ ଆମିଷ ଖାଦ୍ୟ ପସନ୍ଦ କରୁଥିବାରୁ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଖାଦ୍ୟକୁ ନେଇ ଯାତ୍ରୀଙ୍କ ଅଭିଯୋଗ ସାମ୍ନାକୁ ଆସିବା ପରେ ଏହି ବିଷୟ ରାଜନୈତିକ ବିତର୍କର ଆକାର ମଧ୍ୟ ନେଇଥିଲା।
ଯାତ୍ରୀଙ୍କ ପ୍ରତିକ୍ରିୟା ଓ ଆଞ୍ଚଳିକ ଖାଦ୍ୟ ସଂସ୍କୃତିକୁ ବିଚାରକୁ ନେଇ ଭାରତୀୟ ରେଳବାଇ ମେନୁରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି । ଏହା ଅନୁଯାୟୀ, ଏବେ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ରେ ନିରାମିଷ ସହିତ ଆମିଷ ଖାଦ୍ୟ ବିକଳ୍ପ ମଧ୍ୟ ଉପଲବ୍ଧ ହେବ।
ଫେବୃଆରୀ ୧ ତାରିଖରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ସ୍ପଷ୍ଟ କରିଥିଲେ ଯେ, ଯାତ୍ରୀମାନେ ଟିକେଟ୍ ବୁକ୍ କରିବା ସମୟରେ ନିରାମିଷ କିମ୍ବା ଆମିଷ ଖାଦ୍ୟ ଅପସନ୍ରୁ ଗୋଟିଏ ବାଛିପାରିବେ। ଆମିଷ ମେନୁରେ ଚିକେନ୍, ମାଛ ଏବଂ ଅଣ୍ଡା ସାମିଲ କରାଯିବ ବୋଲି ସେ କହିଥିଲେ।
ନୂଆ ବ୍ୟବସ୍ଥା ଅନୁଯାୟୀ, ନିରାମିଷ ଖାଦ୍ୟରେ ପନିର ମସଲା ଓ ଆମିଷ ଖାଦ୍ୟରେ ଚିକେନ୍ କରି ଯାତ୍ରୀଙ୍କୁ ପରିବେଷଣ କରାଯିବ। ଏହି ଖାଦ୍ୟଗୁଡ଼ିକୁ ବଙ୍ଗାଳୀ ଓ ଆସାମୀ ସ୍ୱାଦ ଅନୁସାରେ ପ୍ରସ୍ତୁତ କରାଯିବ । ପ୍ଲେଟର ଅନ୍ୟାନ୍ୟ ଆଇଟମ୍ଗୁଡ଼ିକ ପୂର୍ବଭଳି ରହିବ, ଯେଉଁଥିରେ ଜିରା କର୍ନ୍ ପୁଲାଓ, ତେହର ପରଟା, ମିଶ୍ରିତ ଡାଲ, ଆସାମୀ ଶୈଳୀର ବିନ୍ସ ଏବଂ ମିଠା ପାଇଁ ରସଗୋଲା ସାମିଲ ରହିବ । ଏହି ପରିବର୍ତ୍ତନ ପରେ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଦୀର୍ଘଦୂର ଯାତ୍ରା ପାଇଁ ଯାତ୍ରୀଙ୍କ ମଧ୍ୟରେ ଆହୁରି ଲୋକପ୍ରିୟ ହେବ ବୋଲି ରେଳବାଇ ଆଶା କରୁଛି।
also read https://purvapaksa.com/chinese-manja-ban/
https://purvapaksa.com/chinese-manja-ban/


