Utkarsh Odisha: ‘ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ଶିଳ୍ପ ବିଭାଗ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଏକ ବିସ୍ତୃତ କାର୍ଯ୍ୟସୂଚୀ ଉପସ୍ଥାପନ କରାଯାଇଛି।
ରାଜ୍ୟରେ ବିଜେପି ସରକାର କାର୍ଯ୍ୟକାଳରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେବାକୁ ଥିବା ‘ଉତ୍କର୍ଷ ଓଡ଼ିଶା କନକ୍ଲେଭ’ର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଅବସରରେ ଚଳିତମାସ ୨୭ରୁ ୩୦ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ରହିଥିବାବେଳେ ୨୮ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ଆସି ଶିଳ୍ପପତି ଓ ପୁଞ୍ଜିନିବେଶକଙ୍କୁ ଉଦବୋଧନ ଦେବେ ବୋଲି ଜଣାପଡ଼ିଛି।
‘ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ଶିଳ୍ପ ବିଭାଗ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଏକ ବିସ୍ତୃତ କାର୍ଯ୍ୟସୂଚୀ ଉପସ୍ଥାପନ କରାଯାଇଛି। ଜାନୁୟାରୀ ୨୭ତାରିଖରେ ସିଆଇଆଇ(ଭାରତୀୟ ଶିଳ୍ପ ମହାସଂଘ)ର ଜାତୀୟ କାର୍ଯ୍ୟନିର୍ବାହୀ ପରିଷଦର ବୈଠକ ଅନୁଷ୍ଠିତ ହେବ। ୨୮-୨୯ ଦୁଇଦିନ ଧରି ୪ଟି ପ୍ଲେନାରୀ ସେସନ୍, ୧୬ଟି ସେକ୍ଟରରାଲ ସେସନ୍ ଓ ୪ଟି ରାଉଣ୍ଡ ଟେବୁଲ କନଫରେନ୍ସ ଅନୁଷ୍ଠିତ ହେବ। ଏହି ଦୁଇ ଦିନ ମଧ୍ୟରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ପ୍ରାୟ ୩ହଜାର ଶିଳ୍ପପତି, ପୁଞ୍ଜିନିବେଶକ, ଷ୍ଟାର୍ଟଅପ୍ ଉଦ୍ୟୋଗୀ ଓ ଶିଳ୍ପ ସଂସ୍ଥା ସହିତ ଜଡ଼ିତ ବ୍ୟକ୍ତିମାନେ ଯୋଗ ଦେବେ। ୨୮ରୁ ୩୦ତାରିଖ ପର୍ଯ୍ୟନ୍ତ ଶିଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହେବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୮ତାରିଖ ଦିନ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଶିଳ୍ପପତି ଓ ପୁଞ୍ଜିନିବେଶକଙ୍କୁ ଉଦବୋଧନ ଦେବେ। ଏହି ଦୁଇଦିନ ମଧ୍ୟରେ ଶିଳ୍ପର ବିଭିନ୍ନ କ୍ଷେତ୍ର ସମ୍ବନ୍ଧିତ ସ୍ୱତନ୍ତ୍ର ସେସନ୍ ଅନୁଷ୍ଠିତ ହେବାସହିତ ବିଶିଷ୍ଟ ଶିଳ୍ପମାନଙ୍କ ଅଭିଭାଷଣ, ମୁଖ୍ୟମନ୍ତ୍ରୀଙ୍କ ସହିତ ବଡ଼ବଡ଼ ଶିଳ୍ପ ସଂସ୍ଥାର ସିଇଓମାନଙ୍କ ରାଉଣ୍ଡ ଟେବୁଲ, ଓଡ଼ିଆ ଉଦ୍ୟୋଗୀଙ୍କ ସ୍ୱତନ୍ତ୍ର ସେସନ୍ ଓ ମହିଳା ବିଜିନେସ୍ ଲିଡର୍ସମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ସେସନ୍ ଅନୁଷ୍ଠିତ ହେବ। ‘ସୁଭଦ୍ରାରୁ ମୁଦ୍ରା’ ନାମରେ ଓଡ଼ିଆ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ସେସନ୍ ଅନୁଷ୍ଠିତ ହେବ। ଆଜିର ଏହି ବୈଠକରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
Also readhttps://purvapaksa.com/ias-officer-manoj-sahoo-appointed-private-secy-to-odisha-cm/
