ପାକିସ୍ତାନ ସହ ମିଶି ଭାରତ ସାଙ୍ଗରେ ଖେଳ କରୁଛି ଆମେରିକା। ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଆସିମ ମୁନିର ଜୁନ୍ ୧୪ ତାରିଖରେ ୱାଶିଂଟନରେ ଆମେରିକୀୟ ସାମରିକ ପରେଡ୍ରେ ଯୋଗଦେବେ ବୋଲି ନିଶ୍ଚିତ କରିବା ପରେ ଧରପଡ଼ିଛି ଏହି ପୁରୁଣା ଖେଳ। ଏହି ଗସ୍ତ ସମୟରେ, ସେ ବୈଦେଶିକ ବିଭାଗ ଏବଂ ପେଣ୍ଟାଗନର ଅଧିକାରୀମାନଙ୍କୁ ମଧ୍ୟ ଭେଟିବେ ବୋଲି ଜଣାପଡ଼ିଛି। ଆସିମ ମୁନିର ଏହି ସପ୍ତାହରେ ୱାଶିଂଟନ୍ ଡିସିରେ ଆମେରିକୀୟ ସେନାର ୨୫୦ତମ ବାର୍ଷିକୀ ସମାରୋହରେ ଯୋଗଦେବା ପାଇଁ ଆମେରିକା ଗସ୍ତ କରିବେ ବୋଲି ଜଣାପଡ଼ିଛି।
ୱାଶିଂଟନ୍ରୁ ମୁନିରଙ୍କୁ ନିମନ୍ତ୍ରଣ ମିଳିବା ପରେ, ସେ ଆମେରିକାରର ଏହି ସାମରିକ ପରେଡ୍ରେ ତାଙ୍କର ଉପସ୍ଥିତି ନିଶ୍ଚିତ କରିଛନ୍ତି ବୋଲି ସୂତ୍ରରୁ ଜଣା ପଡିଛି, ଏହିଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୭୯ତମ ଜନ୍ମଦିନ ମଧ୍ୟ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ତାଙ୍କର ଏହି ଗସ୍ତ ଚର୍ଚ୍ଚାର ବିଷୟ ପାଲଟିଛି। ସୂତ୍ର ଅନୁସାରେ, ମୁନିର ତାଙ୍କ ଗସ୍ତ ସମୟରେ ଆମେରିକୀୟ ବୈଦେଶିକ ବିଭାଗ ଏବଂ ପେଣ୍ଟାଗନର ବରିଷ୍ଠ ଅଧିକାରୀଙ୍କ ସହିତ ମଧ୍ୟ ବୈଠକ କରିବେ। ତେବେ ଏନେଇ ପାକିସ୍ତାନ କିମ୍ବା ଆମେରିକା ଉଚ୍ଚସ୍ତରୀୟ ସାମରିକ ସମ୍ପର୍କକୁ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହାଁନ୍ତି।
ଜଣେ ଶୀର୍ଷ ଆମେରିକୀୟ ଜେନେରାଲ ମୁନିରଙ୍କୁ ପ୍ରଶଂସା କରିବା ପରେ ଏହି ଗସ୍ତ ଖବର ଆସିଛି। ଏହି ସପ୍ତାହରେ ଏକ କଂଗ୍ରେସ ଶୁଣାଣିରେ, ଆମେରିକାର କେନ୍ଦ୍ରୀୟ କମାଣ୍ଡ (CENTCOM) ମୁଖ୍ୟ ଜେନେରାଲ ମାଇକେଲ କୁରିଲା ପାକିସ୍ତାନକୁ “ଆତଙ୍କବାଦ ବିରୋଧୀ ବିଶ୍ୱରେ ଏକ ଅଦ୍ଭୁତ ଅଂଶୀଦାର” ବୋଲି କହିଥିଲେ ଏବଂ ଆଇଏସଆଇଏସ-ଖୋରାସାନ ବିରୁଦ୍ଧ ଅଭିଯାନରେ ଇସଲାମାବାଦର ଅବଦାନକୁ ଗୁରୁତ୍ୱାରୋପ କରିଥିଲେ। କୁରିଲା ଏହା ମଧ୍ୟ କହିଥିଲେ ଯେ, ଆମେରିକା ଭାରତ ଏବଂ ପାକିସ୍ତାନ ଉଭୟ ସହିତ ଏକ ଦୃଢ଼ ସମ୍ପର୍କ ଚାହୁଁଥିଲେ ମଧ୍ୟ ଏହା ଏକ “ବାଇନରି ସ୍ୱିଚ୍” ହୋଇପାରିବ ନାହିଁ ଯାହାଫଳରେ ଗୋଟିଏ ସହିତ ସମ୍ପର୍କ ଅନ୍ୟ ସହିତ ସମ୍ପର୍କକୁ ବାଦ୍ ଦେଇଥାଏ। ତେବେ ସୂତ୍ର ଅନୁଯାୟୀ ମୁନିର ଏବଂ ଜେନେରାଲ କୁରିଲା ୨ ବର୍ଷରୁ କମ୍ ସମୟ ମଧ୍ୟରେ ୩ ଥର ସାକ୍ଷାତ ହୋଇ ସାରିଛନ୍ତି ।
ବଦଳିଛି ଟ୍ରମ୍ପଙ୍କ ମିଜାଜ!
ପାକିସ୍ତାନ ପ୍ରତି ଆମେରିକା ଜେନେରାଲଙ୍କ ସମର୍ଥନ ଏବଂ ମୁନିରଙ୍କ ଆଗାମୀ ଗସ୍ତ ସୂଚାଇ ଦେଉଛି ଯେ, ଆମେରିକା ତା’ର ପୁରୁଣା ସନ୍ତୁଳନ କାର୍ଯ୍ୟକୁ ଫେରିଛି। ଏହା ଭାରତ ସହିତ ଘନିଷ୍ଠ ରଣନୈତିକ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛି, ଏବଂ ଚୀନ୍ ସହିତ ଏହାର ବର୍ଦ୍ଧିତ ନିକଟତରତାର ମୁକାବିଲା କରିବା ପାଇଁ ପାରମ୍ପରିକ ସହଯୋଗୀ ପାକିସ୍ତାନକୁ ନିଜ ପାଖରେ ରଖିବାକୁ ଚାହୁଁଛି। ଦୁଇ ପରମାଣୁ ଶକ୍ତି ଆଉ ଚିର ଶତ୍ରୁ ଦେଶକୁ ସାଙ୍ଗରେ ରଖିବା ପାଇଁ ଆମେରିକା ଚାହୁଁଛନ୍ତି। ଗତ କିଛି ସପ୍ତାହ ହେବ, ଟ୍ରମ୍ପ୍ ବାରମ୍ବାର କାଶ୍ମୀର ପ୍ରସଙ୍ଗରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ନିଜର ଇଚ୍ଛା ପ୍ରକାଶ କରିଛନ୍ତି, ଯାହାକୁ ନୂଆଦିଲ୍ଲୀ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଛି। ସେ ଉଭୟ ଦେଶକୁ ମହାନ ଶକ୍ତି ବୋଲି କହିଛନ୍ତି ଯାହା ସହିତ ଆମେରିକା ବନ୍ଧୁ ହେବାକୁ ଚାହୁଁଛି, ପାକିସ୍ତାନ ପ୍ରତି ତାଙ୍କର ପୂର୍ବ ମନୋଭାବ ବଦଳିଥିବା ଭଳି ଅନୁମେୟ ହେଉଛି। ତାଙ୍କ ପ୍ରଥମ କାର୍ଯ୍ୟକାଳରେ, ଟ୍ରମ୍ପ ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେଉଥିବାରୁ ଇସଲାମାବାଦକୁ ସମାଲୋଚନା କରିଥିଲେ ଏବଂ ତାଙ୍କ ମାଟିରେ ଆତଙ୍କବାଦୀ ସଂଗଠନ ବିରୁଦ୍ଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହେବାରୁ ପାକିସ୍ତାନକୁ ଆମେରିକା ଦେଉଥିବା କୋଟି କୋଟି ଡଲାର ସହାୟତା ବନ୍ଦ କରିବାକୁ ମଧ୍ୟ ଧମକ ଦେଇଥିଲେ, କିନ୍ତୁ ଦ୍ବିତୀୟ ପାଳିରେ ପାକିସ୍ତାନ ପ୍ରତି ସେ ଭାରି ଉଦାର ହୃଦୟ ଦେଖାଉଛନ୍ତି।
କୂଟନୈତିକ ବିଫଳତା!
ଏହି ସମୟରେ, ମୁନିରଙ୍କୁ ଆମେରିକାର ନିମନ୍ତ୍ରଣ ଭାରତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। କଂଗ୍ରେସ ଯୋଗାଯୋଗ ମୁଖ୍ୟ ଜୟରାମ ରମେଶ ଏହାକୁ “ଭାରତ ପାଇଁ ଆଉ ଏକ ବଡ଼ କୂଟନୈତିକ ଝଟକା ” ବୋଲି କହିଛନ୍ତି। ସେ କହିଛନ୍ତି “ଏ ସେହି ବ୍ୟକ୍ତି ଯିଏ ପହଲଗାମ ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ଏପରି ଉତ୍ତେଜକ ଏବଂ ଉତ୍ତେଜନାପୂର୍ଣ୍ଣ ଭାଷା କହିଥିଲେ। ଆମେରିକା ପ୍ରକୃତରେ କ’ଣ କରୁଛି? ଏହା ଭାରତ ପାଇଁ ଆଉ ଏକ ବଡ଼ କୂଟନୈତିକ ବିପର୍ଯ୍ୟୟ” । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଅପରେସନ ସିନ୍ଦୁର ଆରମ୍ଭ ହୋଇଥିଲା, ଭାରତ ପାକିସ୍ତାନକୁ ବିଶ୍ୱ ସ୍ତରରେ ଏକ ଘରିଆ କରିବା ପାଇଁ କୂଟନୈତିକ ପ୍ରୟାସ ତ୍ୱରାନ୍ୱିତ କରିବା ସହ, ଆତଙ୍କବାଦ ବିରୋଧୀ ଅଭିଯାନ ପାଇଁ ୩୩ଟି ବିଦେଶୀ ରାଜଧାନୀ ଏବଂ ୟୁରୋପୀୟ ସଂଘକୁ ସର୍ବଦଳୀୟ ପ୍ରତିନିଧି ଦଳ ପଠାଇଥିଲା, ହେଲେ ଏଥିରୁ କଣ ଲାଭ ମିଳିଛି ତାକୁ ନେଇ ମଧ୍ୟ କଂଗ୍ରେସ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପାକିସ୍ତାନରେ ପ୍ରବାସୀମାନଙ୍କ ଦ୍ୱାରା ପ୍ରତିବାଦ
ପାକିସ୍ତାନୀ ପ୍ରବାସୀମାନେ ୱାଶିଂଟନରେ ମୁନିରଙ୍କ ଆଗମନର ପ୍ରତିବାଦ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାକିସ୍ତାନ ତେହେରିକ୍-ଇ-ଇନସାଫ (ପିଟିଆଇ) ଦଳ ସେନାମୁଖ୍ୟଙ୍କ ଗସ୍ତ ସମୟରେ ଆମେରିକାର ରାଜଧାନୀରେ ପ୍ରତିବାଦ କରିବାକୁ ଘୋଷଣା କରିଛି। ପିଟିଆଇ ବୈଦେଶିକ ବ୍ୟାପାର ସଚିବ ସଜ୍ଜାଦ ବୁର୍କି ଟ୍ୱିଟ୍ କରିଛନ୍ତି, “ହ୍ୱାଇଟ୍ ହାଉସକୁ କୁହନ୍ତୁ ଯେ ଏହି ସରକାରଙ୍କ ସହିତ କୌଣସି ବୁଝାମଣା ପାକିସ୍ତାନର ଲୋକଙ୍କ ପାଇଁ ଗ୍ରହଣୀୟ ନୁହେଁ।” ଜୁନ୍ ୧୪ ତାରିଖରେ ୱାଶିଂଟନ୍ରେ ଥିବା ପାକିସ୍ତାନ ଦୂତାବାସ ବାହାରେ ପ୍ରତିବାଦରେ ଯୋଗଦେବାକୁ ବୁର୍କି ପାକିସ୍ତାନୀ-ଆମେରିକୀୟମାନଙ୍କୁ ଅନୁରୋଧ କରିଥିଲେ। ସୂତ୍ର ଅନୁସାରେ ସହରର ବିଭିନ୍ନ ସ୍ଥାନରେ ପାକିସ୍ତାନୀ-ଆମେରିକୀୟ ଅଞ୍ଚଳରେ ଗଣ ଆନ୍ଦୋଳନ ପାଇଁ ଡାକରା ଦେଉଥିବା ପାମ୍ଫଲେଟ୍ ବଣ୍ଟନ କରାଯାଇଛି।
Also read https://purvapaksa.com/s-jaishankar-warns-west-over-pak-backed-terror/