ଆଇପିଏଲର ୧୮ତମ ସଂସ୍କରଣ ପୂର୍ବରୁ ସାଉଦି ଆରବର ଜେଧାହ ସହରରେ ମେଗା ନିଲାମ ଶେଷ ହୋଇଛି। ୨ ଦିନ ଧରି ଚାଲିଥିବା ଏହି ନିଲାମରେ ୧୦ଟି ଫ୍ରାଞ୍ଚାଇଜ୍ ୧୮୨ ଜଣ ଖେଳାଳିଙ୍କୁ କିଣିଥିଲେ। ଏମାନଙ୍କ ମଧ୍ୟରେ ୬୨ ଜଣ ବିଦେଶୀ ଖେଳାଳି ମଧ୍ୟ ବିକ୍ରି ହୋଇଥିଲେ। ଆଇପିଏଲ୍ ଇତିହାସରେ ଋଷଭ ପନ୍ତ ସବୁଠାରୁ ଦାମୀ ଖେଳାଳି ସାବ୍ୟସ୍ତ ହୋଇଥିଲେ। ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ତାଙ୍କୁ ୨୭ କୋଟିରେ କିଣିଥିଲା। ମାତ୍ର ଏଭଳି କିଛି ତାରକା ଖେଳାଳି ରହିଯାଇଥିଲେ, ଯେଉଁମାନଙ୍କୁ କିଣିବା ପାଇଁ ଫ୍ରାଞ୍ଚାଇଜମାନେ ଆଗ୍ରହ ଦେଖାଇ ନଥିଲେ।
ମୟଙ୍କ ଅଗ୍ରୱାଲ
ଏକଦା ଟେଷ୍ଟ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ ବିକ୍ରି ହୋଇନଥିଲେ। ତାଙ୍କର ବେସ୍ ପ୍ରାଇସ୍ ଥିଲା ୧ କୋଟି ଟଙ୍କା। ଗତ ସିଜନ ପର୍ଯ୍ୟନ୍ତ ସେ ସନରାଇଜର୍ସ ହାଇଦ୍ରାବାଦର ସଦସ୍ୟ ଥିଲେ। ଏହା ପୂର୍ବରୁ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ଦିଲ୍ଲୀ ଡେୟାରଡେଭିଲ୍ସ, ରାଇଜିଂ ପୁନେ ସୁପରଜାଇଣ୍ଟସ ଓ ପଞ୍ଜାବ କିଙ୍ଗସ ପକ୍ଷରୁ ମଧ୍ୟ ଖେଳିଛନ୍ତି। ସେ ଏପର୍ଯ୍ୟନ୍ତ ଆଇପିଏଲରେ ଖେଳିଥିବା ୧୨୭ ମ୍ୟାଚ୍ ଖେଳି ୨୬୬୧ ରନ୍ କରିଛନ୍ତି।
ପୃଥ୍ୱୀ ଶ’
ଗତ ସିଜନ ପର୍ଯ୍ୟନ୍ତ ଦିଲ୍ଲୀ କ୍ୟାପିଟାଲ୍ସରେ ଥିବା ପୃଥ୍ୱୀ ଶ’ଙ୍କୁ ୧୮ତମ ସିଜନ ପାଇଁ କୌଣସି ଦଳ କିଣି ନଥିଲା। ତାଙ୍କର ବେସ୍ ପ୍ରାଇସ୍ ଥିଲା ୭୫ ଲକ୍ଷ ଟଙ୍କା। ଶ’ ତାଙ୍କ ଆଇପିଏଲ୍ କ୍ୟାରିୟରରେ ଏପର୍ଯ୍ୟନ୍ତ ୭୯ଟି ମ୍ୟାଚ୍ ଖେଳି ୧୮୯୨ ରନ୍ କରିଥିଲେ। ଆଇପିଏଲ ୨୦୨୪ରେ ଶ’ ୮ଟି ମ୍ୟାଚ୍ ଖେଳି ସମ୍ପୂର୍ଣ୍ଣ ନିରାଶ କରିଥିଲେ। ସେ ମାତ୍ର ୧୯୮ ରନ୍ କରିପାରିଥିଲେ। ଫିଟ୍ନେସର ଅଭାବ ଓ ବିଶୃଙ୍ଖଳିତ ଆଚରଣ ଯୋଗୁଁ ଫ୍ରାଞ୍ଚାଇଜମାନେ ତାଙ୍କ ଉପରେ ଭରସା କରିପରିନଥିଲେ।
ଉମେଶ ଯାଦବ
ଭାରତୀୟ ଦ୍ରୁତ ବୋଲର ଉମେଶ ଯାଦବଙ୍କୁ ମଧ୍ୟ ମେଗା ନିଲାମରେ କୌଣସି ଫ୍ରାଞ୍ଚାଇଜରୁ ବିଡ୍ ମିଳିନଥିଲା। ତାଙ୍କର ବେସ୍ ପ୍ରାଇସ୍ ଥିଲା ୨ କୋଟି ଟଙ୍କା। ଉମେଶ ଯାଦବ ୨୦୧୦ରୁ ଆଇପିଏଲ୍ ଖେଳୁଛନ୍ତି। ଲିଗ୍ ରେ ସେ ୧୪୮ ମ୍ୟାଚ୍ ଖେଳି ୧୪୪ଟି ୱିକେଟ୍ ନେଇଛନ୍ତି। ସେ ଦିଲ୍ଲୀ ଡେୟାରଡେଭିଲ୍ସ, କୋଲକାତା ନାଇଟ୍ ରାଇଡର୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟନ୍ସ ପକ୍ଷରୁ ଖେଳିଛନ୍ତି।
ସର୍ଦୁଲ ଠାକୁର
ମେଗା ନିଲାମରେ ଭାରତୀୟ ଦଳର ପ୍ରମୁଖ ସଦସ୍ୟ ସର୍ଦୁଲ ଠାକୁର ମଧ୍ୟ ବିକ୍ରି ହୋଇ ପାରିନଥିଲେ। ତାଙ୍କର ବେସ୍ ପ୍ରାଇସ୍ ଥିଲା ୨ କୋଟି ଟଙ୍କା। ଗତ ସିଜନରେ ସେ ଚେନ୍ନାଇ ସୁପର କିଙ୍ଗ୍ସର ଦଳର ସଦସ୍ୟ ଥିଲେ। ଏହାବ୍ୟତୀତ ସେ ପଞ୍ଜାବ, ପୁନେ, ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ମଧ୍ୟ ଖେଳିଛନ୍ତି। ସର୍ଦୁଲ ୯୫ ଟି ଆଇପିଏଲ ମ୍ୟାଚରେ ୩୦୭ ରନ୍ କରିବା ସହ ୯୪ ଟି ୱିକେଟ ନେଇଛନ୍ତି ।
ସର୍ଫରାଜ ଖାନ୍
ଟେଷ୍ଟ ଦଳର ସଦସ୍ୟ ସର୍ଫରାଜ ଖାନଙ୍କୁ ଏଥର ମଧ୍ୟ କେହି କିଣିବାକୁ ଆଗ୍ରହ ଦେଖାଇନଥିଲେ। ଗତ ବର୍ଷ ସେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ସଦସ୍ୟ ରହିଥିଲେ। ମାତ୍ର ଏଥର ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଆଗ୍ରହ ଦେଖାଇନଥିଲା। ଟେଷ୍ଟ ଦଳରେ ସ୍ଥାନ ପାଇବା ପରଠୁ ସର୍ଫରାଜଙ୍କ ଖେଳ ବହୁ କ୍ରିକେଟ ପ୍ରେମୀଙ୍କୁ ଆକୃଷ୍ଟ କରିଥିଲା। ମାତ୍ର ଫ୍ରାଞ୍ଚାଇଜଙ୍କୁ ଆକର୍ଷିତ କରିପାରିନଥିଲା
ସେ ପ୍ରଥମ ୪ ଟି ସିଜନ ପାଇଁ ଆରସିବିର ଅଂଶ ଥିଲେ । ଏହାପରେ ଆଇପିଏଲ୍ ୨୦୧୯ରୁ ଆଇପିଏଲ୍ ୨୦୨୧ ପର୍ଯ୍ୟନ୍ତ ସର୍ଫରାଜ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଖେଳିଥିଲେ। ଗତ ମେଗା ନିଲାମରେ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ନିଜ ଦଳରେ ସାମିଲ କରିଥିଲା। ସର୍ଫରାଜ ଆଇପିଏଲରେ ୪୦ ମ୍ୟାଚ୍ ଖେଳି ୪୪୧ ରନ୍ କରିଛନ୍ତି।
previous article: https://purvapaksa.com/three-school-kids-pruthvi-sarfaraj-armaan-once-broke-all-cricket-records/