ଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଏହା ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ। ସେହିଦିନ ହିଁ ଗୃହରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ। ଏହାର ଦିନକ ପରେ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମଥର ପାଇଁ ବଜେଟ୍ ଉପସ୍ଥାପନ କରିବେ।
ଆଗାମୀ ବଜେଟ୍ରେ ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କ ପାଇଁ ଅନେକ ରିହାତି ମିଳିବ ବୋଲି ଆଲୋଚନା ହେଉଛି। ଆଲୋଚନା ଅନୁସାରେ ଆୟକର ସ୍ଲାବ ବଢ଼ିବା ସହିତ ଅନେକ ବସ୍ତୁ ଉପରୁ ଟିକସ ହାର ହ୍ରାସ ପାଇବ ବୋଲି ଆଶା କରାଯାଉଛି। କାରଣ ସରକାରଙ୍କ ମାଗଣା ଯୋଜନାରେ ଏହି ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଉପକୃତ ହେଉନଥିବାରୁ ସେମାନଙ୍କ ପାଇଁ ସରକାର ଆୟକରରେ କିଛି ରିହାତି ଦେବାର ସମ୍ଭାବନା ରହିଛି।
ବଜେଟ୍ ଆଗତ ପରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ଉଭୟ ଗୃହରେ ଚର୍ଚ୍ଚା ହେବ। ଲୋକସଭା ଏବଂ ରାଜ୍ୟସଭାକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ସହ ଏହି ଅଧିବେଶନ ଶେଷ ହେବ। ଫେବ୍ରୁଆରୀ ୧୪ରୁ ମାର୍ଚ୍ଚ ୯ ପର୍ଯ୍ୟନ୍ତ ସଂସଦ ବନ୍ଦ ରହିବ। ପରେ ମାର୍ଚ୍ଚ ୧୦ରୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭ ହୋଇ ଏପ୍ରିଲ ୪ରେ ଶେଷହେବ।
ଏହି ବଜେଟ୍ କେନ୍ଦ୍ର ସରକାରଙ୍କ ତୃତୀୟ କାର୍ଯ୍ୟକାଳର ଦ୍ୱିତୀୟ ସମ୍ପୂର୍ଣ୍ଣ ବଜେଟ୍ ହେବ। ଏହି ସମୟରେ ଦରଦାମ ବୃଦ୍ଧି, ଚାଷୀ ଆନ୍ଦୋଳନ, ଆଦାନୀ ପ୍ରସଙ୍ଗ ଆଦିକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ପ୍ରୟାସ କରିବେ। ସୂଚନାଯୋଗ୍ୟ ଯେ ଗତ ଶୀତ ଅଧିବେଶନ ହଟ୍ଟଗୋଳ ସହ ଶେଷ ହୋଇଥିଲା। ଅଧିବେଶନ ଶେଷ ହେବାର ଦୁଇଦିନ ପୂର୍ବରୁ ସଂସଦ ବାହାରେ ଅପ୍ରୀତିକର ଘଟଣା ଘଟିଥିଲା। ବିଜେପି ଏବଂ କଂଗ୍ରେସ ସାଂସଦଙ୍କ ଧସ୍ତାଧସ୍ତି ହୋଇଥିଲେ।