ଭାରତର ଉଚ୍ଚଶିକ୍ଷା ବ୍ୟବସ୍ଥା ଦୀର୍ଘ ଦିନ ଧରି ଜାତିଗତ ଅସମାନତା, ପଛୁଆପଣ ଓ ସାମାଜିକ ବିଭେଦର ଏକ ଜଟିଳ ସତ୍ୟ ସହ ଲଢ଼ୁଛି । ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟ ଅନୁଦାନ କମିଶନ (UGC) ଦ୍ୱାରା ଜାରି “Promotion of Equity in Higher Education Institutions Regulations 2026” କୁ ଅଣାଯାଇଥିଲା ଏକ ସୁଧାରମୂଳକ ପଦକ୍ଷେପ ଭାବେ କିନ୍ତୁ ଏହି ନୂଆ ନିୟମ, ଯାହାକୁ ସରକାର ଓ UGC “ସମାନତା” ଓ “ସମାବେଶ”ର ପକ୍ଷରେ ଏକ ଐତିହାସିକ ପଦକ୍ଷେପ ବୋଲି ଦାବି କରୁଛନ୍ତି । ସେହି ନିୟମ ଆଜି ଦେଶରେ ଏକ ବଡ଼ ରାଜନୈତିକ, ସାମାଜିକ ଓ ଆଇନଗତ ବିବାଦର କେନ୍ଦ୍ରବିନ୍ଦୁ ହୋଇଯାଇଛି ।

ଦିଲ୍ଲୀର UGC ମୁଖ୍ୟାଳୟ ସାମ୍ନାରେ ହଜାର ହଜାର ଶିକ୍ଷାର୍ଥୀଙ୍କ ବିକ୍ଷୋଭ, ଉତ୍ତର ପ୍ରଦେଶର ବିଭିନ୍ନ ସହରରେ ଆନ୍ଦୋଳନ, ବରେଲୀର ସିଟି ମାଜିଷ୍ଟ୍ରେଟଙ୍କ ଇସ୍ତଫା ନୋଏଡାରେ ବିଜେପି ଯୁବ ମୋର୍ଚ୍ଚା ନେତାଙ୍କ ପଦତ୍ୟାଗ, ସୋସିଆଲ ମିଡିଆରେ #RollbackUGC ଟ୍ରେଣ୍ଡ ଓ ସର୍ବୋପରି—ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା PIL—ଏସବୁ ମିଶି UGCର ଏହି ନିୟମକୁ ଏକ ସାଧାରଣ ନୀତିଗତ ପରିବର୍ତ୍ତନରୁ ବହୁ ଆଗକୁ ନେଇଯାଇଛି।
“चाहे तिल लो या ताड़ लो राजा,
राई लो या पहाड़ लो राजा,
मैं अभागा ‘सवर्ण’ हूँ मेरा,
रौंया-रौंया उखाड़ लो राजा ..।”😢🙏
(स्व० रमेश रंजन) #UGC_RollBack pic.twitter.com/VmsZ2xPiOL— Dr Kumar Vishvas (@DrKumarVishwas) January 27, 2026
ନୂଆ ନିୟମର ମୂଳ ଉଦ୍ଦେଶ୍ୟ: ସମାନତା ନା କେବଳ କାଗଜୀ ନୀତି?
UGC କହୁଛି ଯେ ଏହି ନୂଆ ନିୟମର ଲକ୍ଷ୍ୟ ହେଉଛି ଉଚ୍ଚ ଶିକ୍ଷାନୁଷ୍ଠାନରେ ଜାତିଭିତ୍ତିକ ଭେଦଭାବକୁ ରୋକିବା, ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି (ST), ଅନ୍ୟ ପଛୁଆ ବର୍ଗ (OBC), ମହିଳା ଓ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କୁ ସୁରକ୍ଷା ଓ ସୁଯୋଗ ଦେବା । ଏହି ନୀତି ଅନୁସାରେ—
ପ୍ରତିଟି ବିଶ୍ୱବିଦ୍ୟାଳୟ ଓ କଲେଜରେ ସମାନ ସୁଯୋଗ କେନ୍ଦ୍ର ଗଠନ
ସମାନତା କମିଟି ଗଠନ
୨୪ ଘଣ୍ଟିଆ ହେଲପ୍ ଲାଇନ
ମନିଟରିଂ ଓ ନିରୀକ୍ଷଣ ପାଇଁ ଟିମ
ସଚେତନତା କାର୍ଯ୍ୟକ୍ରମ ଓ ଶିକ୍ଷାର୍ଥୀ ସମର୍ଥନ
କାଗଜରେ ଦେଖିଲେ, ଏହା ଏକ ସମାବେଶୀ ଓ ପ୍ରଗତିଶୀଳ ପଦକ୍ଷେପ ପରି ଲାଗେ । କିନ୍ତୁ ପ୍ରଶ୍ନ ହେଉଛି—ଏହି ନିୟମ ବ୍ୟବହାରିକ କ୍ଷେତ୍ରରେ ସମାନତା ସୃଷ୍ଟି କରିବ, ନା ନୂଆ ପ୍ରକାରର ଅସମାନତା ଓ ଦ୍ୱନ୍ଦ୍ୱକୁ ଜନ୍ମ ଦେବ ?
ସୁପ୍ରିମକୋର୍ଟରେ PIL: ସମ୍ବିଧାନୀୟ ଅଧିକାର କାଠଗଡ଼ାରେ
UGC ନିୟମ ବିରୋଧରେ ଆଇନଜୀବୀ ବିନୀତ ଜିନ୍ଦଲ ଦ୍ୱାରା ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା PIL ଏହି ବିବାଦକୁ ଏକ ନୂଆ ମାନସିକ ଓ ଆଇନଗତ ମଞ୍ଚରେ ନେଇଯାଇଛି । PILର ମୂଳ ଯୁକ୍ତି—ନୂଆ ନିୟମ SC/ST/OBC ବର୍ଗ ବାହାରେ ଥିବା ଶିକ୍ଷାର୍ଥୀଙ୍କ ସୁରକ୍ଷା ପାଇଁ ସ୍ପଷ୍ଟ ବ୍ୟବସ୍ଥା ରଖୁନାହିଁ ।
ମିଥ୍ୟା ଅଭିଯୋଗରୁ ସୁରକ୍ଷା ପାଇଁ କୌଣସି ଦଣ୍ଡ ବା ଫାଇନ୍ ବ୍ୟବସ୍ଥା ନାହିଁ

ଏହା ସମ୍ୱିଧାନ ଧାରା ୧୪ (ସମାନତା), ୧୫ (ଭେଦଭାବ ନିଷେଧ) ଓ ୨୧ (ଜୀବନ ଓ ସ୍ୱାଧୀନତା)କୁ ଉଲ୍ଲଙ୍ଘନ କରୁଛି । ଏହି PIL ମାଧ୍ୟମରେ ପ୍ରଶ୍ନ ଉଠାଯାଇଛି—ସମାନତାର ନାମରେ କି ଗୋଟିଏ ବର୍ଗକୁ ଅନ୍ୟ ବର୍ଗଠାରୁ କମ୍ ସୁରକ୍ଷା ଦେବା ସମ୍ୱିଧାନ ସମ୍ମତ?
ଇସ୍ତଫା ଓ ରାଜନୈତିକ ପ୍ରତିକ୍ରିୟା: ବିରୋଧ କେବଳ ଶିକ୍ଷାର୍ଥୀମାନଙ୍କର ନୁହେଁ
UGC ନିୟମକୁ ନେଇ ବିରୋଧ କେବଳ କ୍ୟାମ୍ପସରେ ସୀମିତ ହୋଇ ରହି ନାହିଁ । ଉତ୍ତର ପ୍ରଦେଶର ବରେଲୀ ସିଟି ମାଜିଷ୍ଟ୍ରେଟ ଅଳଙ୍କାର ଅଗ୍ନିହୋତ୍ରୀ ନୂଆ ନିୟମକୁ ବିରୋଧ କରି ନିଜ ପଦ ଛାଡ଼ିଛନ୍ତି । ସେ ସ୍ପଷ୍ଟ କହିଛନ୍ତି ଯେ ଏହି ନିୟମ “ସାଧାରଣ ବର୍ଗର ଶିକ୍ଷାର୍ଥୀଙ୍କୁ ଅସୁରକ୍ଷିତ କରିଦେବ”।
ସେହିପରି ନୋଏଡାରେ ବିଜେପି ଯୁବ ମୋର୍ଚ୍ଚାର ଉପସଭାପତି ରାଜୁ ପଣ୍ଡିତ ଏହାକୁ “କଳା ଆଇନ” କହି ଇସ୍ତଫା ଦେଇଛନ୍ତି । କବି କୁମାର ବିଶ୍ୱାସ ମଧ୍ୟ ସାର୍ବଜନୀନ ଭାବେ ଏହି ନିୟମକୁ ବିରୋଧ କରିଛନ୍ତି ।
ଏହି ଘଟଣାଗୁଡ଼ିକ ପ୍ରଶ୍ନ ଉଠାଉଛି—ଯଦି ଏକ ଶିକ୍ଷା ନୀତି ନିଜ ସରକାରୀ କର୍ମଚାରୀ ଓ ଦଳୀୟ ନେତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରୁଛି, ତେବେ ସେହି ନୀତିର ଗଭୀରତା କେଉଁଠି ?
ବିରୋଧର ୫ଟି ମୁଖ୍ୟ କାରଣ
୧. ବିଶାଳ ପରିଭାଷା ଓ ଦୁରୁପଯୋଗର ଆଶଙ୍କା
ଭେଦଭାବର ବ୍ୟାପକ ପରିଭାଷା ନିୟମକୁ ଅସ୍ପଷ୍ଟ କରୁଛି । କେଉଁ କଥା, କେଉଁ ବ୍ୟବହାର ଦଣ୍ଡଯୋଗ୍ୟ—ଏହା ନିର୍ଦ୍ଦିଷ୍ଟ ନୁହେଁ ।
୨. ପ୍ରତିନିଧିତ୍ୱର ଅସମତୁଳନ
ସମାନତା କମିଟିରେ ସାଧାରଣ ବର୍ଗର ପ୍ରତିନିଧିତ୍ୱ ବାଧ୍ୟତାମୂଳକ ନୁହେଁ ।
୩. ମିଥ୍ୟା ଅଭିଯୋଗରୁ ସୁରକ୍ଷା ନାହିଁ
ଚୂଡ଼ାନ୍ତ ନିୟମରେ ମିଥ୍ୟା ଅଭିଯୋଗ ପାଇଁ ଦଣ୍ଡ ବ୍ୟବସ୍ଥା ବାଦ ଦିଆଯାଇଛି ।
୪. କ୍ୟାମ୍ପସ ଧ୍ରୁବୀକରଣ
ଶିକ୍ଷା ପରିବେଶରେ ସନ୍ଦେହ ଓ ଭୟର ବାତାବରଣ ସୃଷ୍ଟି ହେବ।
୫. ସୋସିଆଲ ମିଡିଆ ରୋଷ
#RollbackUGC ଟ୍ରେଣ୍ଡ ଏହାର ଲୋକପ୍ରତିକ୍ରିୟାକୁ ସ୍ପଷ୍ଟ କରୁଛି।
ନିଷ୍କର୍ଷ: ସମାନତା ପାଇଁ ସମ୍ମତି, କିନ୍ତୁ ଏହି ରାସ୍ତା ନୁହେଁ?

UGCର ନୂଆ ନିୟମ ଏକ ମୂଳ ଉଦ୍ଦେଶ୍ୟ ନେଇ ଆସିଛି—ଶିକ୍ଷାରେ ସମାନତା। କିନ୍ତୁ ଉଦ୍ଦେଶ୍ୟ ଭଲ ହେଲେ ମଧ୍ୟ ଉପାୟ ଯଦି ବିଭାଜନ, ଭୟ ଓ ଅନ୍ୟାୟର ଆଶଙ୍କା ସୃଷ୍ଟି କରେ, ତେବେ ସେହି ନୀତି ପୁନର୍ବିଚାର ଦାବି କରେ । ଆଜି ପ୍ରଶ୍ନ ଏହା ନୁହେଁ ଯେ ଭେଦଭାବ ବିରୋଧରେ ଆଇନ ଦରକାର କି ନୁହେଁ । ପ୍ରଶ୍ନ ହେଉଛି—ସମସ୍ତଙ୍କ ପାଇଁ ସମାନ ସୁରକ୍ଷା ଓ ନ୍ୟାୟ ଦେବା ଭଳି ଆଇନ କେବେ ହେବ ? ଶିକ୍ଷା ବ୍ୟବସ୍ଥାକୁ ରାଜନୈତିକ ପରୀକ୍ଷାଗାର କରିଦେବା ଆଗରୁ, ସରକାର ଓ UGC ଏହି ନିୟମକୁ ଫେରିଥରେ ଶିକ୍ଷାବିଦ, ଆଇନଜ୍ଞ, ଶିକ୍ଷାର୍ଥୀ ଓ ସମାଜ ସହ ଆଲୋଚନା କରିବା ଆବଶ୍ୟକ । ନଚେତ୍, ସମାନତାର ନାମରେ ଏହି ନୀତି ଭାରତୀୟ ଶିକ୍ଷା ପରିଦୃଶ୍ୟକୁ ଆହୁରି ଭାଗ କରିଦେବ ।
also read https://purvapaksa.com/pakistan-was-brought-to-its-knees-in-24-hours/
Pakistan was brought to its knees in 24 hours || ୨୪ ଘଣ୍ଟାରେ ଆଣ୍ଠୁ ମାଡ଼ି ବସିଲା ପାକିସ୍ତାନ


