ଗୁଳି ବିନିମୟରେ ଯବାନ ସହିଦ
ସୀମାନ୍ତରେ ପୁଣି ହିଂସ୍ର ହୋଇଉଠିଛନ୍ତି ମାଓବାଦୀ। ପୁଲିସର ଘନଘନ ଚଢ଼ାଉରେ ମାଓବାଦୀ ଏବେ ରକ୍ତମୁଖା। ଲୋଙ୍କୁ ଭୟଭୀତ କରାଇବା ଏବଂ ପୁଲିସକୁ ଚ୍ୟାଲେଞ୍ଚ କରିବା ପାଇଁ ନିରୀହ ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ଏହି ଘଟଣାକ୍ରମରେ ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଗୋଟିଏ ଦିନରେ ଦୁଇ ଜଣ ପୂର୍ବତନ ସରପଞ୍ଚଙ୍କୁ ଅପହରଣ କରିନେଇ ମୁଣ୍ଡ ଗଡ଼ାଇଛନ୍ତି ମାଓବାଦୀ। ଭେରମଗଡ ଥାନା ଅଂଚଳର ପୂର୍ବତନ ସରପଞ୍ଚ ସୁକୁଲ ଫରସା ଏବଂ କଡେର ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁଖରାମ ଅବଲମଙ୍କୁ ନିଜ ନିଜ ଅଂଚଳରୁ ମାଓବାଦୀ ଅପହରଣ କରି ନେଇଥିଲେ। ଗତ ୨ ନଭେମ୍ବର ଦିନ ବିରିୟାଭୁମି ଗ୍ରାମକୁ ଯାଉଥିବା ରାସ୍ତାରୁ ସୁକୁଲ ଫରସାକୁ ଅପହରଣ କରି ନେଇଥିଲେ। ସେହିପରି କଡେର ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କୁ କୁକୁଡା ହାଟରୁ ଅପହରଣ କରି ନେଇଥିଲେ। ଗୁରୁବାର ସକାଳେ ଦୁଇ ଜଣଙ୍କର ଶବ ସେମାନଙ୍କ ଅଂଚଳରେ ପଡିଥିବା ଲୋକେ ଦେଖିଥିଲେ।
ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ସୀମାରେ ସୁରକ୍ଷାବାହିନୀ ଓ ମାଓବାଦୀମାନଙ୍କ ଭିତରେ ଛକାପଞ୍ଝା ଚାଲୁରହିଛି। ସୁରକ୍ଷା ବାହିନୀ ଡାଳେ ଡାଳେ ଗଲେ ମାଓବାଦୀ ପତ୍ରେ ପତ୍ରେ ଯାଉଛନ୍ତି। ତେବେ ସୁକୁଲ ଫରସାଙ୍କ ଶବ ଉପରେ ଏକ ପୋଷ୍ଟର ମାଓବାଦୀ ଛାଡିଯାଇଛନ୍ତି। ଏଥିରେ ସୁକୁଲ ବିଜେପି ସହ ଯୋଡି ହେବାରୁ ଏଭଳି ଦଣ୍ଡ ଦିଆଗଲା ବୋଲି ଉଲ୍ଲେଖ ରହିଛି। ତେବେ ଏହା ପୂର୍ବରୁ ସୁକୁଲକୁ ବାରମ୍ବାର ବିଜେପି ସହ ନଯୋଡି ହେବାକୁ ତାଗିଦ କରିଥିଲୁ ବୋଲି ମଧ୍ୟ କୁହାଯାଇଛି। କିନ୍ତୁ ଆମ କଥାକୁ ସେ ଗୁରୁତର ସହ ନେଲା ନାହିଁ। ତେଣୁ ସେ ମୃତ୍ୟୁ ଦଣ୍ଡ ପାଇଲା। ସୁକଲଙ୍କ ଝିଅ ମାଓବାଦୀଙ୍କୁ ନେହୁରା ହୋଇ ବାପାଙ୍କୁ ଛାଡି ଦେବାକୁ ଅନୁରୋଧ କରିଥିଲେ ମଧ୍ୟ ଶୁଣିନଥିଲେ।
ତେବେ ଏନେଇ ପରିବାର ଲୋକେ ଥାନାରେ ଏତଲା ମଧ୍ୟ ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଲୋକେ ଭୟଭୀତ ହେବା ସହ ମାଓବାଦୀଙ୍କ ଏହି ହତ୍ୟାକାଣ୍ଡକୁ ନିନ୍ଦା କରିଛନ୍ତି। ତେବେ ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଆବୁଝମାଡ଼ ଜଂଗଲରେ ପୁଣି ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ଜଣେ ଯବାନ ସହିଦ ହୋଇଥିବା ଜଣାପଡିଛି।
ବିଶେଷ ସୂତ୍ରରୁ ଖବର ପାଇ ଡିଆରଜି ଏବଂ ସିଆରପିଏଫ ଯବାନ ଆବୁଝମାଡ ଅଂଚଳର ସୋନପାରୁ ଏବଂ କୋହକାମେଟା ଥାନା ଅଂଚଳର ଜଙ୍ଗଲରେ ଚଢାଉ କରିଥିଲେ। ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ପରେ ଯବାନ ମଧ୍ୟ ନିଜକୁ ସୁରକ୍ଷିତ ରଖି ମାଓବାଦୀଙ୍କ ଉପରେ ଗୁଳି ଚଳାଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିଥିଲା। ଏହି ଗୁଳିବିନିମୟରେ ଜଣେ ଡିଆରଜି ଯବାନ ସହିଦ ହୋଇଛନ୍ତି। ସହିଦ ହୋଇଥିବା ଯବାନ ଜଣକ ହେଲେ ବୀରେନ୍ଦ୍ର କୁମାର ସୋରୀ। ୨୦୧୦ରେ ସେ ନାରାୟଣପୁର ଜିଲ୍ଲା ପୁଲିସରେ ଭର୍ତ୍ତି ହୋଇଥିଲେ। ଆଜି ତାଂକ ମୃତଶରୀରକୁ ହେଲିକପ୍ଟର ଯୋଗେ ନାରାୟଣପୁର ଜିଲ୍ଲା ମୁଖ୍ୟ ପୁଲିସ କାର୍ଯ୍ୟାଳୟକୁ ଅଣାଯିବ ବୋଲି ଜଣାପଡିଛି। ସହିଦ ଯବାନଙ୍କୁ ତୋପ ସଲାମୀ ଦେବା ପରେ ତାଂକ ପୈତୃକ ଗ୍ରାମ କାଂକେର ଜିଲ୍ଲାର ଭରିମପାନି ନରହପୁରକୁ ନିଆଯିବ।
previous article: https://purvapaksa.com/president-offers-tribute-to-ambedkar/
