ଶପଥ ଗ୍ରହଣ ପରଠାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ବରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆତଙ୍କ ସୃଷ୍ଟି କରିଛନ୍ତି । କେବେ ପ୍ରବାସୀଙ୍କୁ ନିଶାଣ କରୁଛନ୍ତି ତ ଆଉ କେବେ ଶୁଳ୍କ ଲଗାଇ ବିଶ୍ବ ଅର୍ଥନୀତିକୁ ଅସ୍ଥିର କରିବାକୁ ପ୍ରୟାସ କରିଛନ୍ତି । ସେ ୧୯୪ ଦିନ ହେଲା କ୍ଷମତାସୀନ ହେଲେଣି । କିନ୍ତୁ ତାଙ୍କର ଏହି କାର୍ଯ୍ୟକାଳ ଅଶାନ୍ତିପୂର୍ଣ୍ଣ ଏବଂ ୟୁ-ଟର୍ଣ୍ଣ ଭରା ରହିଛି । ଶୁଳ୍କ ନୀତିକୁ ନେଇ ସର୍ବାଧିକ ଅସ୍ଥିରତା ଦେଖା ଦେଇଛି । ଏ ପର୍ଯ୍ୟନ୍ତ ଟ୍ରମ୍ପ ଜବାବୀ ଶୁଳ୍କ ସମ୍ବନ୍ଧିତ ୨୮ ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି । ତେଣୁ ଟ୍ରମ୍ପଙ୍କୁ ଏବେ ପଲ୍ଟୁରାମ କୁହାଗଲାଣି । ସେ ଶୁଳ୍କ ପାଇଁ ଯେତିକି ଚର୍ଚ୍ଚାରେ ଅଛନ୍ତି ତାଠୁ ଅଧିକ ଚର୍ଚ୍ଚା ନିଜ ନିଷ୍ପତ୍ତିକୁ ବଦଳାଇବାକୁ ନେଇ ହେଉଛି ।
ଏପର୍ଯ୍ୟନ୍ତ ରେକର୍ଡ ୧୭୮ଟି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ଟ୍ରମ୍ପ ସ୍ବାକ୍ଷର କରିଛନ୍ତି। ଅର୍ଥାତ୍ ପ୍ରତିଦିନ ପ୍ରାୟ ଗୋଟିଏ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି । ତେବେ ଏଥିମଧ୍ୟରୁ ୩୪ଟି ନିଷ୍ପତ୍ତିକୁ ଟ୍ରମ୍ପ ପ୍ରତ୍ୟାହାର କରି ନେଇଛନ୍ତି। ଉଦାହରଣ ସ୍ବରୂପ ଗବେଷଣା ପାଣ୍ଠି ବନ୍ଦ କରିବାର ନିର୍ଦ୍ଦେଶକୁ ଆମେରିକା ରାଷ୍ଟ୍ରପତି ମାତ୍ର ୩ ଦିନ ମଧ୍ୟରେ ପ୍ରତ୍ୟାହାର କରି ନେଇଥିଲେ । ଗ୍ୟାସ ଏବଂ ଶକ୍ତି କ୍ଷେତ୍ରରେ ଦିଆଯାଉଥିବା ରିହାତି ପ୍ରତ୍ୟାହାର କରିବାକୁ ମଧ୍ୟ ସେ ଘୋଷଣା କରିଥିଲେ । ତେବେ ଦୁଇ ସପ୍ତାହ ପରେ ଏଥିରୁ ଟ୍ରମ୍ପ ୟୁ-ଟର୍ଣ୍ଣ ନେଇଥିଲେ । ବେଆଇନ ପ୍ରବାସୀ, ଶୁଳ୍କ ଏବଂ ଏଲଜିବିଟିକ୍ୟୁ ଅଧିକାର ପର୍ଯ୍ୟନ୍ତ ଟ୍ରମ୍ପ ଅନେକ ଥର ନିଜ ନିର୍ଦ୍ଦେଶକୁ ପ୍ରତ୍ୟାହାର କରି ନେଇଛନ୍ତି । ଟ୍ରମ୍ପଙ୍କ ୟୁ ଟର୍ଣ୍ଣର ଗୁରୁତର ପ୍ରଭାବ ଶିଳ୍ପ ଉପରେ ପଡ଼ିଛି । ଉଦ୍ୟୋଗ ଜଗତ ସବୁଠାରୁ ଅଧିକ ଦ୍ୱନ୍ଦ୍ୱରେ ରହିଛି ।
ଆମେରିକା ରାଷ୍ଟ୍ରପତି ନିଜ ନିଷ୍ପତ୍ତିକୁ ନିଜେ ପ୍ରତ୍ୟାହାର କରିବା ପଛରେ ଆଇନଗତ ମାମଲା ରହିଛି। ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରି କୋର୍ଟରେ ମାମଲାର ବନ୍ୟା ଆସିଛି। ଆମେରିକାର ସଂଘୀୟ ଅଦାଲତ ଉପରେ ଅଚାନକ ନିଷ୍ପତ୍ତି ଏବଂ ଏହାକୁ ପଲଟାଇବା ଓ ଆଇନଗତ ବିରୋଧର ଚାପ ବଢ଼ିବାରେ ଲାଗିଛି। ବିଶେଷଜ୍ଞଙ୍କ ଅନୁଯାୟୀ ‘ମେକ୍ ଆମେରିକା ଗ୍ରେଟ୍ ଏଗେନ୍’ ନାମରେ ନେଇଥିବା ନିଷ୍ପତ୍ତି ଉପରେ ୟୁ-ଟର୍ଣ୍ଣ ନେଇ ଟ୍ରମ୍ପ ପ୍ରଶାସନ ଏବଂ ଜନସାଧାରଣଙ୍କୁ ଦ୍ୱନ୍ଦ୍ୱରେ ପକାଇଛନ୍ତି ।
ବିନା ଭାବିଚିନ୍ତି ଟ୍ରମ୍ପ ନେଇଥିବା ନିଷ୍ପତ୍ତି ଉପରେ କୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏ ପର୍ଯ୍ୟନ୍ତ ଟ୍ରମ୍ପ ପ୍ରଶାସନର ନିର୍ଦ୍ଦେଶ ବିରୋଧରେ ଦାଏର ଅବେଦନଗୁଡିକରୁ ୨୦୦ରୁ ଅଧିକ ମାମଲାରେ କୋର୍ଟ ସ୍ଥଗିତାଦେଶ ଲଗାଇ ସାରିଲେଣି। ଏଗୁଡିକ ମଧ୍ୟରୁ ଅଧିକାଂଶ କ୍ଷେତ୍ରରେ ସଂଘୀୟ ଅଦାଲତ ତୁରନ୍ତ ହସ୍ତକ୍ଷେପ କରିଥିଲେ। ସାମ୍ବିଧାନିକ କିମ୍ବା ତରବରିଆ ଭାବେ ପ୍ରଶାସନ ଏହି ସବୁ ନିଷ୍ପତ୍ତି ନେଇଥିଲା ବୋଲି କହିଥିଲେ। ଉଦାହରଣ ସ୍ୱରୂପ ଜନ୍ମଗତ ନାଗରିକତା ଶେଷ କରିବା ନିଷ୍ପତ୍ତି ଉପରେ ଅନେକ କୋର୍ଟ ତୁରନ୍ତ ସ୍ଥଗିତାଦେଶ ଲଗାଇ ଥିଲେ। ଏହା ୧୪ତମ ସମ୍ବିଧାନ ସଂଶୋଧନର ବିରୋଧୀ ବୋଲି କହିଥିଲେ। ଜଣେ ବିଚାରପତି ସମାନତା-ସମ୍ବନ୍ଧୀୟ ଚୁକ୍ତିନାମା ବାତିଲକୁ ରୋକି ଦେଇଥିଲେ। ଆଉ ଜଣେ ବିଚାରପତି ଇକ୍ଵିଟି ସମ୍ବନ୍ଧିତ ଠିକା ରଦ୍ଦ ଉପରେ କଟକଣା ଲଗାଇ ଦେଇଥିଲେ। ଟ୍ରମ୍ପଙ୍କ ଦ୍ବାରା ନିଯୁକ୍ତ ବିଚାରପତିମାନେ ମଧ୍ୟ ଅନେକ ମାମଲା ଉପରେ ରୋକ୍ ଲଗାଇଛନ୍ତି। ଏ ପର୍ଯ୍ୟନ୍ତ ଟ୍ରମ୍ପ ପ୍ରଶାସନ ବିରୋଧରେ ୩୨୯ ମାମଲା ରୁଜୁ ହେଲାଣି। ଏହି ଆବେଦନକାରୀଙ୍କ ମଧ୍ୟରେ ରାଜ୍ୟ ସରକାର, ବିଶ୍ବବିଦ୍ୟାଳୟ ଏବଂ ସାଧାରଣ ନାଗରିକ ସାମିଲ ଅଛନ୍ତି ।
କାନାଡ଼ା ଏବଂ ଚୀନ୍ ଭଳି ବ୍ୟାବସାୟିକ ସହଯୋଗୀଙ୍କ ଉପରେ ଶୁଳ୍କ ଘୋଷଣା କରିବା ପରେ ବଜାରରେ ଅସ୍ଥିରତା ଏବଂ କୂଟନୈତିକ ଚାପ ଯୋଗୁଁ ଟ୍ରମ୍ପ ଅନେକ ଥର ପଛଘୁଞ୍ଚା ଦେଇଛନ୍ତି। ଶୁକ୍ଳ କାର୍ଯ୍ୟକାରୀ କରିବାର କଣ୍ଟରୁ ଟ୍ରମ୍ପ ତିନି ଥର ଓହରି ଯାଇଛନ୍ତି। ଏହାକୁ ଲାଗୁ କରିବା ପାଇଁ ପ୍ରଥମେ ଜୁଲାଇ ୯, ପରେ ଅଗଷ୍ଟ ୧ ଏବଂ ଏବେ ଅଗଷ୍ଟ ୭ ତାରିଖ ଧାର୍ଯ୍ୟ କରିଛନ୍ତି । ଟ୍ରମ୍ପ ୨୪ ଘଣ୍ଟା ମଧ୍ୟରେ ଗାଜା ଯୁଦ୍ଧ ବନ୍ଦ କରିଦେବେ ବୋଲି କହିଥିଲେ। କିନ୍ତୁ ୬ ମାସ ବିତି ଯାଇଥିଲେ ବି ଏହାକୁ ରୋକି ପାରିନାହାନ୍ତି। ସେ ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିଦେବେ ବୋଲି ମଧ୍ୟ ଦାବି କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ କରିପାରି ନାହାନ୍ତି। ଟ୍ରମ୍ପ ଜୁଲାଇ ୯ରେ ୟୁକ୍ରେନକୁ ସାମରିକ ସହାୟତା ରୋକି ଦେଇଥିଲେ, ମାତ୍ର ପରେ ୧୦ ପାଟ୍ରିୟଟ ମିସାଇଲ ଏବଂ ଅନ୍ୟ ସାମରିକ ସହାୟତା ପଠାଇବାକୁ କହିଥିଲେ। ସେ ଜାନୁଆରୀ ୨୨ରେ ବେଆଇନ ପ୍ରବାସୀଙ୍କୁ ପ୍ରତ୍ୟର୍ପଣ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କୋର୍ଟଙ୍କ ଭୟରେ ନିର୍ଦ୍ଦେଶ ରଦ୍ଦ କରି ଦେଇଥିଲେ । ପରେ ନୂଆ ନିର୍ଦ୍ଦେଶ ଜାରି କରିଥିଲେ ।
ALSO READ https://purvapaksa.com/rajiv-gandhi-sought-us-mediation-nishikant-dubey-slams-congress/
