- ୧୨ ଦିନରେ ୧୦ଲକ୍ଷ ଜନସମାଗମ
- ପୂର୍ବବର୍ଷ ତୁଳନାରେ ଦୁଇଗୁଣା
ସରିଲା ରାଜ୍ୟସ୍ତରୀୟ ଆଦିବାସୀ ମେଳା । ଭୁବେନଶ୍ବରର ୟୁନିଟ-୩ ଆଦିବାସୀ ପଡ଼ିଆଠାରେ ଗତ ୧୨ ଦିନବ୍ୟାପୀ ଚାଲିଥିବା ମେଳା ସଫଳତାର ସହ ଶେଷ ହୋଇଛି । ଏହି ୧୨ ଦିନ ମଧ୍ୟରେ ସାଢେ ୯ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ପ୍ରାୟ ୧୦ ଲକ୍ଷରୁ ଅଧିକ ଜନସମାଗମ ହୋଇଛି, ଯାହା ପୂର୍ବ ବର୍ଷ ତୁଳନାରେ ଦୁଇ ଗୁଣା ଥିଲା । ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମେଳାର ସଫଳତା ସମ୍ପର୍କରେ ସୂଚନା ଦେଇଛନ୍ତି । ଉଦଯାପନୀ ସମାରୋହରରେ ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୈାରୀଶଙ୍କର ମାଝୀ, କୋଟପାଡ଼ ବିଧାୟକ ରୁପୁ ଭଦ୍ରା ଉପସ୍ଥିତ ଥିବା ବେଳେ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର, ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ଡ. ପୋମା ଟୁଡୁ, ଅନୁସୂଚିତ ଜାତି କଲ୍ୟାଣ ନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ମଲ୍ଲିକ ମଞ୍ଚାସୀନ ଥିଲେ ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ଚଳିତ ବର୍ଷର ଆଦିବାସୀ ମେଳା ଆମ ପାଇଁ ଥିଲା ସ୍ୱତନ୍ତ୍ର । ପ୍ରବାସୀ ଭାରତୀୟ ଦିବସ ଆମେ ପାଳନ କରିଛୁ, ପ୍ରଥମ ଥର ଓଡ଼ିଶାକୁ ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଇବାରେ ସଫଳତା ପାଇଛୁ । ସେ ଏହା ମଧ୍ୟ କହିଛନ୍ତି, ମୁଖ୍ୟଧାରାର ବିକାଶରେ ଆଦିବାସୀଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରାଯିବ । ରାଜ୍ୟ ସରକାର ଅନେକ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରିବା ସହିତ, ଆଦିବାସୀଙ୍କ ସାମୂହିକ ଆକାଂକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କ ସ୍ୱାର୍ଥ ପ୍ରତି ଯତ୍ନବାନ ହେଉଛନ୍ତି । ଆଦିବାସୀ ସଶକ୍ତିକରଣ ଏବଂ ଜୀବିକା କାର୍ଯ୍ୟକ୍ରମର ସଫଳ କାର୍ଯ୍ୟାନ୍ୱୟନ ସହିତ, ଆଦିବାସୀଙ୍କ ମଧ୍ୟରେ ଅଧିକ ସଚେତନତା ବୃଦ୍ଧି ପାଉଛି ।
ସେହିପରି ନବରଙ୍ଗପୁର ବିଧାୟକ ଆଦିବାସୀ ମେଳା ଆୟୋଜନର ଭୁରି ଭୁରି ପ୍ରଶଂସା କରିଥିବା ବେଳେ କୋଟପାଡ଼ ବିଧାୟକ ଓଡ଼ିଶା ମାଟିକୁ ଆଦିବାସୀ ପ୍ରଦେଶର ମାଟି ବୋଲି ବର୍ଣ୍ଣନା କରିଛନ୍ତି । ଉଦଯାପନୀ ସନ୍ଧ୍ୟାରେ ଜର୍ଣ୍ଣାଲ ‘ଆଦିବାସୀ: ୬୪ତମ ଖଣ୍ଡ’ ଉନ୍ମୋଚିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନର ବାର୍ଷିକ ରିପୋର୍ଟକୁ ମୁଖ୍ୟ ଅତିଥି ଅନାବରଣ କରିଛନ୍ତି । ୬ ଜଣ ସଫଳ ଜନଜାତି ଚାଷୀ, ୬ ଜଣ କ୍ଷୁଦ୍ର ଉଦ୍ୟୋଗୀ ଓ ଜଣେ ଜନଜାତି କଳାକାରଙ୍କୁ ସମ୍ମାନିତ କରାଯାଇଥିବା ବେଳେ ୩ ଟି ଶ୍ରେଷ୍ଠ କୁଡ଼ିଆ ଓ ୩ ଜଣ ଜନଜାତି ବ୍ୟବସାୟୀଙ୍କୁ ପୁରସ୍କୃତ କରାଯାଇଛି । ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଆଦିବାସୀ ଭାଷା ଓ ସଂସ୍କୃତି ପ୍ରତିଷ୍ଠାନ ଭୁବନେଶ୍ୱର ଦ୍ୱାରା ଆଦିବାସୀ ମେଳା ଅନୁଷ୍ଠିତ ହୋଇଥିଲା । ଆଦିବାସୀ ଗାଁ, ଆଦିବାସୀ ହାଟ, ଆଦିବାସୀ କଳା ଏବଂ କଳାବସ୍ତୁ ପ୍ରସ୍ତୁତି ପ୍ରଦର୍ଶନୀ, ଭଗବାନ ବିର୍ସା ମୁଣ୍ଡା ଗ୍ୟାଲେରୀ, ଖାଦ୍ୟ ପ୍ରାଙ୍ଗଣର ଆୟୋଜନ କରାଯାଇଥିଲା ।
ଭଗବାନ ବିର୍ସା ମୁଣ୍ଡାଙ୍କର ୧୫୦ତମ ଜୟନ୍ତୀ ପାଳନ ଅବସରରେ ଚଳିତବର୍ଷ ଭଗବାନ ବିର୍ସା ମୁଣ୍ଡା ପାଭିଲିୟନ୍ ନିର୍ମିତ ହୋଇଥିଲା । ଏଥିରେ ଭାରତ ଓ ଓଡ଼ିଶାର ପ୍ରମୁଖ ଜନଜାତି ସ୍ବାଧୀନତା ସଂଗ୍ରାମୀ, ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନଯାତ୍ରା ସମ୍ପର୍କିତ ବୃତ୍ତିଚିତ୍ର ଓ ଚିତ୍ରକଳା ଏବଂ ଜନଜାତି ଜୀବନ ଓ ସଂସ୍କୃତି ସମ୍ବନ୍ଧିତ ଫଟୋଚିତ୍ର ପ୍ରଦର୍ଶନ କରାଯାଇଥିଲା । ଏଥିସହ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଡ୍ରୋନ୍ ଶୋ, ଲେଜର୍ ଶୋ, ଫାୟାର୍ ଶୋ, ଜନଜାତି ଫ୍ୟାସନ୍ ଶୋ, ପ୍ରୋଜେକ୍ସନ ମ୍ୟାପିଂ, ଲାଇଟ୍ ଆଣ୍ଡ ସାଉଣ୍ଡ୍ ଶୋ ର ଆୟୋଜନ କରାଯାଇଥିଲା । ପ୍ରଥମ ଥର ରାଜ୍ୟ ବାହାରର ଜନଜାତି ବିକ୍ରେତା ଓ ଜନଜାତି ନୃତ୍ୟ ଦଳଙ୍କୁ ମେଳାରେ ଭାଗନେବା ପାଇଁ ସୁଯୋଗ ଦିଆଯାଇଥିଲା ।
ଚଳିତ ବର୍ଷ ପ୍ରବାସୀ ଭାରତୀୟ ଦିବସକୁ ଧ୍ୟାନରେ ରଖି ୧୮୮ ଷ୍ଟଲ୍ ପ୍ରସ୍ତୁତ କରାଯାଇଥିବା ବେଳେ ୨୦ ଟି ଆଦିବାସୀ କୁଡ଼ିଆ ନିର୍ମାଣ କରାଯାଇଥିଲା ଫଳରେ ସହର ମଧ୍ୟରେ ଆଦିବାସୀ ଗ୍ରାମର ଅନୁଭୂତି ପାଇଥିଲେ ଜନସାଧାରଣ । ଗଦବା, ପାଉଡିଭୂୟାଁ, ଡଙ୍ଗରିଆ କନ୍ଧ, ଜୁଆଙ୍ଗ, ସଉରା, ହିଲ୍ ଖଡ଼ିଆ, କୁଟିଆ କନ୍ଧ, ଚୁକୁଟିଆ ଭୁଞ୍ଜିଆ, ବଣ୍ଡା, ଭୂମିଜ, ସାନ୍ତାଳ, କୋୟା, ମୁଣ୍ଡା, ଖଡ଼ିଆ, ପରଜା, ଓରାଓଁ, ଗଣ୍ଡ, ଭାତୁଡ଼ି, କିସାନ ଏବଂ କୋହ୍ଲ ପ୍ରମୁଖ ଜନଜାତିଙ୍କର ବାସସ୍ଥଳୀର ନମୁନା ସର୍ବସାଧାରଣରେ ବେଶ୍ ପ୍ରଶଂସିତ ହୋଇଥିଲା । ଚଳିତ ବର୍ଷ ଆଦିବାସୀ ମେଳାରେ ୧୪୦ଟି ଜନଜାତି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଭାଗ ନେଇଥିଲେ । ମୋଟ୍ ୪୯ ଟି ଗ୍ରୁପ୍ ର ୯୮୦ ଜଣ ଜନଜାତି ପ୍ରତିଭା ୭୦ ପ୍ରକାରର ଜନଜାତି ନୃତ୍ୟ ମଞ୍ଚରେ ପରିବେଷଣ କରିଛନ୍ତି । ମୋଟ୍ ୨୫୩୦ ଜଣ ଜନଜାତି ଏହି ମେଳାରେ ଅଂଶଗ୍ରହଣ କରିଥିବା ବେଳେ ମୋଟ୍ ୧୪୨୦ ଜଣ ଜନଜାତି ମହିଳା ଏହି ମେଳାରେ ଅଂଶଗ୍ରହଣ କରିଛନ୍ତି ।
previous article:https://purvapaksa.com/this-state-of-india-has-the-highest-number-of-snakes/
