Raja Chakra: ଗତକାଲି ହାଇକୋର୍ଟ ରାଜା ଓରଫ ସୋମ୍ୟଶଙ୍କର ଚକ୍ରଙ୍କର ଅନ୍ତରୀଣ ସୁରକ୍ଷାକୁ ହଟାଇଦେବା ପରେ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ।
ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ଆର୍ଥିକ ଅନିୟମିତତା ଘଟଣାରେ ଆଜି କ୍ରାଇମବ୍ରାଞ୍ଚ ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ କରିଛି। ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତାଙ୍କ ବିରୋଧରେ ୧୬୦ କୋଟି ଟଙ୍କା ଦୁର୍ନୀତି କରିଥିବାର ଅଭିଯୋଗ ସତ ବୋଲି ଜଣାଯିବା ପରେ ତାଙ୍କୁ ଗିରଫ କରାଯାଇଛି। ରାଜା ଓରଫ ସୋମ୍ୟଶଙ୍କର ଚକ୍ରଙ୍କର ପଲଟିକାଲ୍ ଲିଙ୍କ୍ ନେଇ ମଧ୍ୟ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ। ଆଜି ରାଜାଙ୍କୁ କୋର୍ଟଚାଲାଣ କରାଯିବ। ଗତକାଲି ହାଇକୋର୍ଟ ରାଜା ଓରଫ ସୋମ୍ୟଶଙ୍କର ଚକ୍ରଙ୍କର ଅନ୍ତରୀଣ ସୁରକ୍ଷାକୁ ହଟାଇଦେବା ପରେ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏହାପରେ ତାଙ୍କ ପତ୍ନୀ ଓ ସହଯୋଗୀଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଗିରଫ କରିବ ବୋଲି ସୂଚନା ରହିଛି।
ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଅନିୟମିତତା ଘଟଣାରେ ଏସଟିଏଫ୍ ଓ ଇଓଡବ୍ଲ୍ୟୁ କିଛି ଦିନ ଧରି ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଏହି ଘଟଣାରେ ଗତ ଦୁଇଦିନ ଧରି ରାଜା ଚକ୍ରଙ୍କ ସହଯୋଗୀ ପ୍ରଭାତ ପଟ୍ଟନାୟକ ଓ ସୁଶାନ୍ତ ସାମଲଙ୍କୁ ଜେରା କରାଯାଇଥିଲା। ରାଜାଙ୍କ ଘର ଏବଂ କିଛି ବ୍ୟାବସାୟିକ ପ୍ରତିଷ୍ଠାନରେ ଚଢ଼ଉ ହୋଇଛି। କେନ୍ଦୁଝରସ୍ଥିତ ରାଜାଙ୍କ ଘରେ ଇଓଡବ୍ଲ୍ୟୁର ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଗଠିତ ଟିମ୍ ଚଢ଼ଉ କରିବା ସହ ପରିବାର ସଦସ୍ୟଙ୍କୁ ପଚରାଉଚରା କରିଥିଲେ।
ସେହିପରି କେନ୍ଦୁଝର ସହରରେ ଥିବା ଶଙ୍କର ମିନେରାଲ୍ ଅଫିସରେ ଚଢ଼ଉ କରାଯାଇ କାଗଜପତ୍ର ଯାଞ୍ଚ କରାଯାଇଥିଲା। ସେପଟେ ଶନିବାର ପୂର୍ବାହ୍ଣରେ ଗୁଆଲିସ୍ଥିତ ଜେଏସଡବ୍ଲ୍ୟ ଖଣିରେ ରୁଗୁଡ଼ି ପୁଲିସ ଉପସ୍ଥିତିରେ ଇଓଡବ୍ଲ୍ୟୁ ଚଢ଼ଉ କରିଥିଲା। ସେଠାରେ ରାଜାଙ୍କ ମାଲିକାନାରେ ଥିବା ଦୁଇଟି ସ୍କ୍ରିନିଂ ପ୍ଲାଣ୍ଟ ଓ ଗୋଟିଏ ପୋକ୍ଲିନ୍ ମେସିନ୍ ଜବତ କରାଯାଇଥିବା ସୂଚନା ମିଳିଥିଲା।
ଗତ ଦୁଇ ସପ୍ତାହ ଧରି ଇଓଡବ୍ଲ୍ୟୁ ଓ ଏସଟିଏଫ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଲୋଡିଂ ଏଜେନ୍ସିର ଆର୍ଥିକ ଅନିୟମିତତାର ତନାଘନା କରିଥିଲା। ପୂର୍ବରୁ ଏହି ଘଟଣାରେ ଏଜେନ୍ସିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସଂପାଦକ ଉତ୍କଳ ଦାସଙ୍କୁ ଗିରଫ କରାଯାଇଛି। ଏଥିସହିତ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ ହୋଇଛି। ସେମାନଙ୍କଠାରୁ ମିଳିଥିବା ତଥ୍ୟ ଆଧାରରେ ରାଜାଙ୍କୁ ଇଓଡବ୍ଳ୍ୟୁ ଜେରା କରିଥିଲା। ପରେ ସହଯୋଗୀ ସୁଧାଂଶୁ ଶେଖର ନାୟକ, ସମୀର କୁମାର ଜେନା, ସଦାଶିବ ସାମଲ, ପ୍ରଭାତ ପଟ୍ଟନାୟକ ଓ ସୁଶାନ୍ତ ସାମଲଙ୍କୁ ମଧ୍ୟ ପଚରାଉଚରା କରାଯାଇଛି।
ଜେରା ବେଳେ ଏଜେନ୍ସିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସଂପାଦକ ଉତ୍କଳ ଦାସ ଆର୍ଥିକ ନେଣଦେଣର ଅନେକ ଗୁମର ଖୋଲିଛନ୍ତି। ରିମାଣ୍ଡ ଅବଧି ଆଜି ସରିବା ପରେ ଉଭୟଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିଲା। ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜା ଚକ୍ରର ୪୨ଟି ଗାଡ଼ି ଜବତ କରାଯିବା ସହ ୨ଟି ସ୍କ୍ରିନିଂ ପ୍ଲାଣ୍ଟକୁ ଜବତ କରାଯାଇଛି। ଆର୍ଥିକ ଅନୁସନ୍ଧାନ ଆଧାରରେ ଅନେକ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି ଏବଂ ପାଖାପାଖି ୨୫ ଲକ୍ଷ ଟଙ୍କା ଫ୍ରିଜ କରାଯାଇଛି। ଅନ୍ୟପକ୍ଷରେ ଚକ୍ରଙ୍କୁ ପଚରାଉଚରା କରାଯିବା ସହ ଅନ୍ୟ ବ୍ୟକ୍ତିଙ୍କ ସମ୍ପୃକ୍ତି ଓ ପୂରା ରାକେଟ୍ ର ପର୍ଦ୍ଦାଫାସ କରିବା ପାଇଁ ଅଧିକ ତଦନ୍ତ ଜାରି ରହିଛି।
ଠକେଇର ବିବରଣୀ:
ପ୍ରାୟ ୫୦୦ କୋଟି ଟଙ୍କା ମୂଲ୍ୟର ଏକ ବଡ଼ ଧରଣର ଠକେଇର ତଦନ୍ତ ରେ ଏହି ତଦନ୍ତ ଚାଲିଛି। ଏହାପରେ ଇଓଡବ୍ଲ୍ୟୁ ମାର୍ଚ୍ଚ ୩ ତାରିଖରେ ରାଜା ଚକ୍ରଙ୍କୁ ୧୧ ଘଣ୍ଟିଆ ବ୍ୟାପକ ପଚରାଉଚରା କରିବା ସହ ଚଢ଼ାଉ ଓ ତଦନ୍ତ କରିଥିଲା।
Previous article:https://purvapaksa.com/clamour-over-polavaram-project-halts-odisha-assembly-house-adjourned-again/
