ଆପଣ ଯଦି ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ଆପଣଙ୍କ ପାଇଁ ଏହା ଏକ ବଡ଼ ଖବର । ଆସନ୍ତା ମାସରୁ ରେଳ ଯାତ୍ରୀମାନଙ୍କୁ ଏକ ବଡ଼ ଝଟକା ଲାଗିବାକୁ ଯାଉଛି । କୋଭିଡ-୧୯ ମହାମାରୀ ପରେ ଭାରତୀୟ ରେଳ ପ୍ରଥମ ଥର ପାଇଁ ଯାତ୍ରୀବାହୀ ଟ୍ରେନ୍ ଭଡ଼ା ବୃଦ୍ଧି କରିବାକୁ ଯାଉଛି । ଭଡ଼ାରେ ସାମାନ୍ୟ ବୃଦ୍ଧି ୧ ଜୁଲାଇ ୨୦୨୫ ରୁ କାର୍ଯ୍ୟକାରୀ ହେବ ।
ଇକୋନୋମିକ୍ ଟାଇମ୍ସ ସୂତ୍ରରୁ ଜଣାପଡ଼ିଛି ଯେ ନନ୍-ଏସି ମେଲ୍ / ଏକ୍ସପ୍ରେସ୍ ଟ୍ରେନ ପାଇଁ ଯାତ୍ରୀ ଭଡ଼ା ପ୍ରତି କିଲୋମିଟରରେ ୧ ପଇସା ବୃଦ୍ଧି ପାଇବ । ଏସି ଶ୍ରେଣୀ ପାଇଁ ଭଡ଼ା କିଲୋମିଟରରେ ୨ ପଇସା ବୃଦ୍ଧି ପାଇବ । ୫୦୦ କିଲୋମିଟର ଯାତ୍ରା ପାଇଁ ଉପନଗରୀୟ ଟିକେଟ୍ ଏବଂ ଦ୍ୱିତୀୟ ଶ୍ରେଣୀ ଯାତ୍ରାର ଭଡ଼ାରେ କୌଣସି ବୃଦ୍ଧି ହେବ ନାହିଁ । ୫୦୦ କିଲୋମିଟରରୁ ଅଧିକ ଦୂରତା ପାଇଁ ପ୍ରତି କିଲୋମିଟରରେ ଅଧ ପଇସା ବୃଦ୍ଧି ହେବ । ଏହା ବ୍ୟତୀତ ମାସିକ ସିଜିନ୍ ଟିକେଟରେ ମଧ୍ୟ କୌଣସି ବୃଦ୍ଧି ହେବ ନାହିଁ ।
୧ ଜୁଲାଇରୁ କାର୍ଯ୍ୟକାରୀ ହେବାକୁ ଥିବା ସଂଶୋଧିତ ଭଡ଼ା
• ସହରାଞ୍ଚଳ ଭଡ଼ାରେ କୌଣସି ବୃଦ୍ଧି ହେବ ନାହିଁ । ମାସିକ ସିଜିନ୍ ଟିକେଟ୍ ମୂଲ୍ୟ ଅପରିବର୍ତ୍ତିତ ରହିବ ।
• ସେକେଣ୍ଡ କ୍ଲାସରେ ୫୦୦ କିଲୋମିଟର ପର୍ଯ୍ୟନ୍ତ ଦୂରତା ପାଇଁ ଭଡ଼ା ବୃଦ୍ଧି କରାଯିବ ନାହିଁ ।
• ସେକେଣ୍ଡ କ୍ଲାସରେ ୫୦୦ କିଲୋମିଟରରୁ ଅଧିକ ଦୂରତା ପାଇଁ, ଭଡ଼ା କିଲୋମିଟର ପିଛା ଅଧ ପଇସା ବୃଦ୍ଧି ପାଇବ ।
• ମେଲ୍ ଏବଂ ଏକ୍ସପ୍ରେସ୍ (ନନ୍-ଏସି) ଟ୍ରେନ୍ରେ ଭଡ଼ା କିଲୋମିଟର ପିଛା ୧ ପଇସା ବୃଦ୍ଧି ପାଇବ ।
• ଏସି କ୍ଲାସରେ ଭଡ଼ା କିଲୋମିଟର ପିଛା ୨ ପଇସା ବୃଦ୍ଧି ପାଇବ ।
ତତ୍କାଳ ଟିକେଟ ବୁକିଂରେ ହେବ ବଡ଼ ପରିବର୍ତ୍ତନ
କହିରଖୁଛୁ ଯେ ଅନଲାଇନ୍ ତତ୍କାଳ ଟିକେଟ୍ ବ୍ୟବସ୍ଥାରେ ଦୀର୍ଘ ଦିନ ଧରି ଚାଲିଥିବା ହେରଫେରକୁ ଦୃଷ୍ଟିରେ ରଖି ସମ୍ପ୍ରତି ରେଳବାଇ ତତ୍କାଳ ଟିକେଟ୍ ବୁକିଂ ପ୍ରକ୍ରିୟାରେ ଏକ ବଡ଼ ପରିବର୍ତ୍ତନ କରିଛି । ୧ ଜୁଲାଇରୁ ତତ୍କାଳ ଟିକେଟ୍ ବୁକିଂ ପାଇଁ ଆଧାର ଆଧାରିତ OTP ଯାଞ୍ଚ ବାଧ୍ୟତାମୂଳକ ହେବ । ୧ ଜୁଲାଇ ୨୦୨୫ରୁ ତତ୍କାଳ ଟ୍ରେନ୍ ଟିକେଟ୍ ବୁକିଂ ପାଇଁ ଆଧାର ଯାଞ୍ଚ ବାଧ୍ୟତାମୂଳକ କରାଯାଇଛି । ୧୦ ଜୁନ୍ ୨୦୨୫ରେ ଜାରି ଏକ ନିର୍ଦ୍ଦେଶନାମା ମାଧ୍ୟମରେ ରେଳ ମନ୍ତ୍ରଣାଳୟ ସମସ୍ତ ରେଳ ଜୋନକୁ ସୂଚିତ କରିଛି ଯେ ଏହି ନୂତନ ଆବଶ୍ୟକତାର ଉଦ୍ଦେଶ୍ୟ ହେଉଛି “ତତ୍କାଳ ଯୋଜନାର ଲାଭ ସାଧାରଣ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ନିଶ୍ଚିତ କରିବା । କହିରଖୁଛୁ ଯେ ସରକାରଙ୍କ ଏହି ନିୟମ ଅନଲାଇନ୍ ବୁକିଂ, ରିଜର୍ଭେସନ କାଉଣ୍ଟର ଏବଂ ଏଜେଣ୍ଟମାନଙ୍କ ମାଧ୍ୟମରେ କରାଯାଇଥିବା ବୁକିଂ ପାଇଁ ପ୍ରଯୁଜ୍ୟ ହେବ । ଏହାର ଉଦ୍ଦେଶ୍ୟ ହେଉଛି ସାଧାରଣ ଲୋକଙ୍କୁ ସହଜରେ ନିଶ୍ଚିତ ହୋଇଥିବା ତତ୍କାଳ ଟିକେଟ୍ ଯୋଗାଇବା ।
ALSO READ https://purvapaksa.com/why-didnt-the-framers-of-indias-constitution-include-secularism-in-it/
