ଅନ୍ୟ ରାଜ୍ୟରୁ ଅଣାଯାଉଥିବା ମହାବଳ ବାଘ ଓଡ଼ିଶା ଜଙ୍ଗଲରେ ତିଷ୍ଠିପାରୁ ନାହାନ୍ତି। ୨୦୧୮ ମସିହାରେ ଦୁଇଟି ମହାବଳ ଆଣି ବାଘବଂଶ ବୃଦ୍ଧି ଯୋଜନା ଫେଲ୍ ମାରିଥିବାବେଳେ ଛଅବର୍ଷ ପରେ ପୁଣିଥରେ ଆଣିଥିବା ଆଉ ଦୁଇଟି ମହାବଳ ଏବେ ତିନିଟି ରାଜ୍ୟର ସରକାରଙ୍କୁ ନାକେଦମ କଲେଣି।
ଓଡ଼ିଶାରେ ମହାବଳ ବାଘ ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ନିରନ୍ତରଭାବେ ଉଦ୍ୟମ କରୁଛନ୍ତି। ଏଥିପାଇଁ ୨୦୧୮ ମସିହାରେ ଦୁଇଟି ମହାବଳ ଆଣିଥିଲେ। ବାଘ ମହାବୀର ଓ ବାଘୁଣି ସୁନ୍ଦରୀକୁ ମଧ୍ୟପ୍ରଦେଶରୁ ଅଣାଯାଇଥିଲା। ମହାବୀର କାହ୍ନାରୁ ଆସିଥିବାବେଳେ ବାନ୍ଧବଗଡ଼ରୁ ଆସିଥିଲା ସୁନ୍ଦରୀ। ଉଭୟଙ୍କୁ ସାତକୋଶିଆରେ ଛଡ଼ା ଯାଇଥିଲା। ସମସ୍ତ ପ୍ରକାର ସୁରକ୍ଷା ଓ ନଜର ସତ୍ତ୍ୱେ ମହାବୀର ସାତକୋଶିଆରେ ଫାଶରେ ପଡ଼ିମୃତ୍ୟୁବରଣ କରିଥିଲା। ମହାବୀର ମରିବାପରେ ରାଜ୍ୟ ସରକାର ସୁନ୍ଦରୀକୁ ମଧ୍ୟପ୍ରଦେଶକୁ ଫେରାଇ ଦେଇଥିଲେ।
ଏହାପରେ ଅନ୍ୟରାଜ୍ୟରୁ ବାଘ ଆଣି ଓଡ଼ିଶାରେ ବାଘ ବଂଶ ବୃଦ୍ଧି ଯୋଜନାକୁ ସ୍ଥଗିତ ରଖାଯାଇଥିଲା। ତେବେ ଛଅବର୍ଷ ପରେ ପୁଣିଥରେ ଚଳିତବର୍ଷ ରାଜ୍ୟ ସରକାର ମଧ୍ୟପ୍ରଦେଶରୁ ଦୁଇଟି ମହାବଳ ଆଣିଛନ୍ତି। ତେବେ ବାଘୁଣୀ ଜିନ୍ନତକୁ ବନ ବିଭାଗ ପକ୍ଷରୁ ଶିମିଳିପାଳରେ ଛଡ଼ାଯାଇଥିଲା। ଆଶା କରାଯାଉଥିଲା ଜିନ୍ନତ ଶିମିଳପାଳରେ ପୁରୁଷ ମହାବଳ ପାଖରେ ରହିବ। ହେଲେ ଜିନ୍ନତ ଇତି ମଧ୍ୟରେ ଶିମିଳିପାଳରୁ ଝାଡ଼ଖଣ୍ଡ ଓ ସେଠାରୁ ପଶ୍ଚିମବଙ୍ଗର ପୁରୁଲିଆକୁ ଡିଆଁମାରି ପଳାଇଥିଲା।
ଓଡ଼ିଶା ସରକାର ଅନ୍ୟ ରାଜ୍ୟରୁ ଆଣୁଥିବା ମହାବଳ ଓଡ଼ିଶା ଜଙ୍ଗଲରେ ରହିବାକୁ ରାଜି ହେଉନଥିବାବେଳେ ଗତବର୍ଷ କିନ୍ତୁ ଗୋଟିଏ ମହାବଳ ବଦର୍ଭ ଅଞ୍ଚଳରୁ ପ୍ରାୟ ୨୦୦୦ କିଲୋମିଟର ଅଞ୍ଚଳ ଅତିକ୍ରମ କରି ଓଡ଼ିଶାରେ ଆସି ପହଞ୍ଚିଯାଇଥିଲା। ଏହି ମହାବଳଟି ଓଡ଼ିଶାରେ ପହଞ୍ଚିବାପାଇଁ ୪ଟି ରାଜ୍ୟ ଅତିକ୍ରମ କରିଥିଲା।
ତେବେ ରାଜ୍ୟରେ ହୋଇଥିବା ସର୍ବଶେଷ ବାଘ ଗଣନା ଅନୁଯାୟୀ ଓଡ଼ିଶାରେ ୩୦ଟି ମହାବଳ ରହିଥିବାବେଳେ ଏମାନଙ୍କର ୮ଟି ଶାବକ ରହିଛନ୍ତି। ସୂଚନା ଅନୁଯାୟୀ ରାଜ୍ୟରେ ଥିବା ୩୦ଟି ମହାବଳଙ୍କ ମଧ୍ୟରୁ କେବଳ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ୨୭ଟି ମହାବଳ ରହିଛନ୍ତି।
Also readhttps://purvapaksa.com/3700-rooms-reserved-for-pravasi-guests/
