BJP Whip: ହ୍ୱିପଯୋଗେ ସବୁ ସାଂସଦଙ୍କୁ ଉପସ୍ଥିତ ରହିବାକୁ ବାଧ୍ୟ କରିଥିଲା। ତଥାପି ଦଳର ୨୦ ଜଣ ସାଂସଦ ଆଜି ଲୋକସଭାରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ନ ଥିଲେ।
ବାରମ୍ବାର ତାଗିଦ ସତ୍ତ୍ୱେ ଆଜି ଓଡ଼ିଶାରୁ ନିର୍ବାଚିତ ବିଜେପିର ତିନିଜଣ ଲୋକସଭା ସାଂସଦ ଅନୁପସ୍ଥିତ ରହିଛନ୍ତି। ଏହାଫଳରେ ମତ ବିଭାଜନରେ ବିଜେପିର ସଂଖ୍ୟା କମ୍ ଆସିଛି। ଏହାକୁ ନେଇ ଦଳ ପକ୍ଷରୁ ଅସନ୍ତୋଷ ପ୍ରୟକାଶ କରାଯାଇଛି। ସେମାନଙ୍କୁ ପାର୍ଟି ନୋଟିସ ପଠାଇବ ବୋଲି କେନ୍ଦ୍ରୀ ସ୍ତରରୁ ସୂଚନା ମିଳିଛି।
ଆଜି ଲୋକସଭାରେ ଏକ ଦେଶ ଏକ ନିର୍ବାଚନ ସମ୍ପର୍କିତ ବିଧେୟକ ଆଗତ ହେବା ପାଇଁ ସ୍ଥିର ହୋଇଥିବାରୁ ପାର୍ଟି ପକ୍ଷରୁ ସମସ୍ତ ସାଂସଦଙ୍କୁ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରାଯାଇଥିଲା। କେବଳ ସେତିକି ନୁହେଁ ବିରୋଧି ଦଳ ଏହି ସମ୍ବିଧାନ ସଂଶୋଧନ ବିଧେୟକ ନେଇ ଡିଭିଜନ୍ ବା ବିଭାଜନ ଭୋଟ୍ ଦାବି କରିବାର ସମ୍ଭାବନା ଥିବାରୁ ଦଳ ତିନିଥାକିଆ ହ୍ୱିପଯୋଗେ ସବୁ ସାଂସଦଙ୍କୁ ଉପସ୍ଥିତ ରହିବାକୁ ବାଧ୍ୟ କରିଥିଲା। ତଥାପି ଦଳର ୨୦ ଜଣ ସାଂସଦ ଆଜି ଲୋକସଭାରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ନ ଥିଲେ। ଏଣୁ ଏ ସମସ୍ତଙ୍କୁ ଦଳ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ଯାଉଛି।
ଏହି ତାଲିକାରେ ଓଡ଼ିଶାରୁ ତିନିଜଣ ସାଂସଦ ରହିଛନ୍ତି। ସେମାନେ ହେଲେ ମୟୁର ଭଞ୍ଜ ସାଂସଦ ନବ ଚରଣ ମାଝି, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଏବଂ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ। ବଳଭଦ୍ର ମାଝୀଙ୍କୁ ଛାଡ଼ିଦେଲେ ଅନ୍ୟ ଦୁଇ ସାଂସଦ ପ୍ରଥମଥର ପାଇଁ ସାଂସଦଭାବେ ନିର୍ବାଚିତ ହୋଇଛନ୍ତି।
ଆଜି ସରକାରଙ୍କ ପକ୍ଷରୁ ୧୨୯ତମ ସମ୍ବିଧାନ ସଂଶୋଧନ ବିଧେୟକ ଉପସ୍ଥାପନ କରାଯିବା ପାଇଁ ଗୃହର ଅନୁମତି ମଗାଯାଇଥିଲା। ଏଥିରେ ଦେଶରେ ଏକ ସମୟରେ ସମସ୍ତ ନିର୍ବାଚନ କରାଇବା ପାଇଁ ନିର୍ଦ୍ଦେଶ ରହିଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କମିଟି ସୁପାରିସ ଅନୁସାରେ ଏହି ପଦକ୍ଷେପ ନେଇଛନ୍ତି ସରକାର। କ୍ୟାବିନେଟ ଏହି ପ୍ରସ୍ତାବକୁ ଅନୁମୋଦନ କରି ଯୁଗ୍ମ ସଂସଦୀୟ କମିଟିରେ ଅଧିକ ଆଲୋଚନା ପାଇଁ ସୁଯୋଗ ସୃଷ୍ଟି କରିବାକୁ ଆଗ୍ରହ ପ୍ରକାଶ କରିଛି। ହେଲେ ଏହି ବିଧେୟକ ଉପସ୍ଥାପନ କରିବା ପାଇଁ ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘଓ୍ୱାଲ ବାଚସ୍ପତିଙ୍କ ଅନୁମତି ମାଗିବାବେଳେ ବାଚସ୍ପତି ଗୃହର ସହମତି ପାଇଁ ପ୍ରତି ଦଳର ନେତାଙ୍କୁ ନିଜର ମତ ରଖିବାକୁ ଅନୁରୋଧ କରିଥିଲେ।
ଏହି ସମୟରେ ବିରୋଧୀ ଦଳ ପକ୍ଷରୁ ଏହା ସମ୍ବିଧାନ ବିରୋଧି ବୋଲି କୁହାଯିବା ସହ ଏହି ବିଧେୟକକୁ ଫେରାଇ ନେବାକୁ କହିଥିଲେ। ଶାସକ ଦଳର ଦାବି ପରେ ବିରୋଧୀ ଦଳ ଏଥିନେଇ ବିଭାଜନ ମତ ଆହ୍ୱାନ କରିଥିଲେ। ପରେ ବାଚସ୍ପତି ବିଭାଜନ ମତ ପାଇଁ ସୁଯୋଗ ସୃଷ୍ଟି କରିଥିଲେ। ପ୍ରାୟ ଦେଢ଼ ଘଣ୍ଟା ଧରି ଏହି ଚର୍ଚ୍ଚା ହୋଇଥିଲା।
ବିଭାଜନ ମତରେ ସମୁଦାୟ ୪୬୭ଜଣ ସାଂସଦ ଭୋଟ ଦେଇଥିଲେ। ସେଥିରେ ସରକାରଙ୍କ ପକ୍ଷରେ ୨୬୯ଟି ଭୋଟ ପଡ଼ିଥିଲା। ବିରୋଧୀଙ୍କ ପକ୍ଷରେ ୧୯୮ଟି ଭୋଟ ପଡ଼ିଥିଲା। ପରେ ଜଣାପଡ଼ିଥିଲା ଯେ, ବିଜେପିର ୨୦ ଜଣ ସାଂସଦ ପାର୍ଟିର ହ୍ୱିପ ସତ୍ତ୍ୱେ ଗୃହରେ ଉପସ୍ଥିତ ରହିନଥିଲେ।
Also readhttps://purvapaksa.com/rahul-and-jadeja-fight-to-help-india-avoid-follow-on/
