Maoists : ବିଜାପୁର ଓ ଦାନ୍ତେଓ୍ଵାଡା ଜିଲ୍ଲାର ଏକ ଜଙ୍ଗଲ ସୀମାନ୍ତ ଅଞ୍ଚଳରେ ସକାଳ ପ୍ରାୟ ୮ଟା ବେଳେ ସୁରକ୍ଷା କର୍ମୀଙ୍କ ଏକ ଟିମ୍ ନକ୍ସଲ ବିରୋଧୀ ଅଭିଯାନରେ ବାହାରିଥିବା ବେଳେ ଗୁଳିବିନିମୟ ହୋଇଥିଲା।
ବାମପନ୍ଥୀ ବିଦ୍ରୋହ ବିରୋଧରେ ସୁରକ୍ଷା ବାହିନୀ ପକ୍ଷରୁ ଅଭିଯାନ ଜୋରଦାର କରାଯାଇଥିବା ବେଳେ ସଂଘର୍ଷଗ୍ରସ୍ତ ଦାନ୍ତେଓ୍ଵାଡା ଜିଲ୍ଲାରେ ମଙ୍ଗଳବାର ହୋଇଥିବା ଏନକାଉଣ୍ଟରରେ ୟୁନିଫର୍ମ ପିନ୍ଧିଥିବା ୩ ଜଣ ମାଓବାଦୀ ନିହତ ହୋଇଛନ୍ତି।
ବସ୍ତର ପୁଲିସର ସୂଚନା ଅନୁଯାୟୀ, ଦାନ୍ତେଓ୍ଵାଡା-ବିଜାପୁରର ଆନ୍ତଃଜିଲ୍ଲା ଜଙ୍ଗଲ ସୀମାନ୍ତ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷା ବାହିନୀର ଏକ ଟିମ୍ ମାଓ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ। ସକାଳ ପ୍ରାୟ ୮ଟା ବେଳେ ମାଓବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା, ଯେଉଁଥିରେ ୩ ଜଣ ମାଓବାଦୀ ନିହତ ହୋଇଥିଲେ। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ବି ଗୁଳି ବିନିମୟ ଜାରି ରହିଥିଲା।
ନକ୍ସଲ କ୍ୟାଡରଙ୍କ ଉଦ୍ଧାର ମୃତଦେହର ପରିଚୟ ମିଳିପାରିନାହିଁ। ଦୀର୍ଘ ଦିନ ଧରି ସେମାନଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ ଭାବେ ପରିଗଣିତ ହେଉଥିବା ଏହି ଅଞ୍ଚଳରେ ମାଓବାଦୀଙ୍କ ସନ୍ଧାନ ଅଭିଯାନକୁ ଆହୁରି ଜୋରଦାର କରାଯାଇଛି। ଏହି ଅପରେସନରେ କୌଣସି ସୁରକ୍ଷାକର୍ମୀ ଆହତ ହୋଇନଥିବା ବେଳେ ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି। ଚଳିତ ବର୍ଷ ଛତିଶଗଡ଼ର ବିଭିନ୍ନ ଏନକାଉଣ୍ଟରରେ ଏପର୍ଯ୍ୟନ୍ତ ୧୧୬ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।
୨୦୨୬ ମାର୍ଚ୍ଚ ସୁଦ୍ଧା ଛତିଶଗଡ଼ରେ ମାଓବାଦୀ ପ୍ରଭାବ ହଟାଇବା ପାଇଁ ଏକ ନୂତନ ରଣନୀତିର ଅଂଶ ବିଶେଷ ଭାବେ ଏହି ଏନକାଉଣ୍ଟର ହୋଇଛି। ଦାନ୍ତେଓ୍ଵାଡ଼ା ବସ୍ତର ଅଞ୍ଚଳର ମାଓ ପ୍ରଭାବିତ ଜିଲ୍ଲା ମଧ୍ୟରୁ ଅନ୍ୟତମ ଏବଂ ଦକ୍ଷିଣ ଛତିଶଗଡ଼ର ବାମପନ୍ଥୀ ଉଗ୍ରବାଦୀଙ୍କ କେନ୍ଦ୍ରସ୍ଥଳ ବୋଲି କୁହାଯାଉଛି।
Previous article:https://purvapaksa.com/temperature-to-rise-again-by-3-to-5-degrees-celsius/