କଳ୍ପନା କରନ୍ତୁ, ଆପଣ ଗୋଟିଏ ପ୍ୟାକେଟ କ୍ଷୀର କିଣିବାକୁ ଯାଆନ୍ତି ଏବଂ ଆପଣଙ୍କୁ ଏକ ବ୍ୟାଗ ଭର୍ତ୍ତି ନୋଟ ନେଇ ଯିବାକୁ ପଡ଼େ । ଏହା ଶୁଣିବାକୁ ଅଜଣା ଲାଗିପାରେ କିନ୍ତୁ ଇରାନରେ ମୁଦ୍ରାସ୍ଫୀତିର ପରିସ୍ଥିତି ଏପରି ହୋଇଯାଇଛି। ସେଠାରେ ଜିନିଷର ଦାମ ଏତେ ବଢ଼ିଯାଇଛି ଯେ ଲୋକମାନଙ୍କୁ ଛୋଟ ଜିନିଷ କିଣିବା ପାଇଁ ମଧ୍ୟ ଲକ୍ଷ ଲକ୍ଷ କିମ୍ବା କୋଟି କୋଟି ଟଙ୍କା ଦେବାକୁ ପଡ଼ୁଛି। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଇରାନ ସରକାର ଏକ ଏପରି ନିଷ୍ପତ୍ତି ନେଇଛନ୍ତି, ଯାହାର ଚର୍ଚ୍ଚା ସାରା ବିଶ୍ୱରେ ହେଉଛି।

ପ୍ରକୃତରେ, ଇରାନ ତାର ମୁଦ୍ରା ଅର୍ଥାତ୍ ‘ରିଆଲ’ରୁ ଚାରିଟି ଶୂନ୍ୟ ହଟାଇବା ପାଇଁ ଆଇନ ପାସ କରିଛି। ଏହାର ସିଧାସଳଖ ଅର୍ଥ ହେଉଛି ଯେ ୧୦,୦୦୦ ରିଆଲର ମୂଲ୍ୟ ଥିବା ନୋଟ ଏବେ କେବଳ ୧ ରିଆଲ ବୋଲି ଗଣାଯିବ। ଅର୍ଥାତ୍ ଏବେ ହିସାବ କରିବା ବହୁତ ସହଜ ହେବ। ବର୍ତ୍ତମାନ ୧ ଡଲାରର ମୂଲ୍ୟ ପ୍ରାୟ ୧୧,୫୦,୦୦୦ ରିଆଲ ସହିତ ସମାନ, କିନ୍ତୁ ଶୂନ୍ୟ ହଟାଇବା ପରେ ଏହା ୧୧୫ ରିଆଲ ପାଖାପାଖି ହେବ।
ଏଥିପାଇଁ ଏମିତି ନିଷ୍ପତ୍ତି ନେଲା ଇରାନ
ମୁଦ୍ରାସ୍ଫିତି କାରଣରୁ ମୁଦ୍ରାର ମୂଲ୍ୟ ହ୍ରାସ ପାଇଥିଲା । ଫଳରେ ଛୋଟମୋଟ ଜିନିଷ ମଧ୍ୟ କିଣିବା ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ୁଥିଲା । ଯାହାଦ୍ୱାରା ଦୈନନ୍ଦିନ କାରବାରର ପ୍ରଭାବିତ ହେଉଥିଲା । ଗ୍ରାହକଙ୍କୁ ସାଙ୍ଗରେ ବିଡ଼ାବିଡ଼ା ନୋଟ୍ ନେବାକୁ ପଡୁଥିଲା । ଏଣେ ଦୋକାନୀଙ୍କୁ ସେହି ବିଡ଼ା ଗଣିବାକୁ ପଡୁଥିଲା । ଯେଉଁଥିପାଇଁ ସମୟ ନଷ୍ଟ ହେଉଥିଲା । ଏହା ଅର୍ଥନୈତିକ କାରବାରରେ ବାଧା ସୃଷ୍ଟି କରୁଥିଲା। ଏହା ସହିତ ଯେତେବେଳେ ଛୋଟମୋଟ ସାମଗ୍ରୀ ପାଇଁ ଅଧିକ ମୁଦ୍ରା ଦେବାକୁ ପଡ଼େ ସେତେବେଳେ ମୁଦ୍ରାର ସମ୍ମାନ ମଧ୍ୟ ନଷ୍ଟ ହୁଏ,ଯାହା ସରକାର ଓ ଦେଶର ସମ୍ମାନକୁ ପ୍ରଭାବିତ କରେ । ସରକାର ଏହି ସମସ୍ତ ଅସୁବିଧା ଦୂର କରିବା ଏବଂ ମୁଦ୍ରାକୁ ପୁନର୍ବାର ‘ସମ୍ମାନ’ ଦେବା ପାଇଁ ଏହି ପଦକ୍ଷେପ ନେଇଛନ୍ତି। ଚାରିଟି ଶୂନ୍ୟ ହଟିବା ଦ୍ୱାରା ଏବେ ସଂଖ୍ୟାଗୁଡ଼ିକ ଛୋଟ ହେବ ଏବଂ ଟଙ୍କାର ନେଣଦେଣ ପୂର୍ବ ପରି ସହଜ ହେବ।
ପୁରୁଣା ନୋଟ ମଧ୍ୟ ଚାଲୁ ରହିବ
ସରକାରଙ୍କ ଏହି ନିଷ୍ପତ୍ତି ହଠାତ କିମ୍ବା ଏକାଥରକେ ଲାଗୁ ହେବ ନାହିଁ। ଲୋକମାନଙ୍କୁ ଅସୁବିଧାରେ ପଡ଼ିବାର କୌଣସି ଆବଶ୍ୟକତା ନାହିଁ। ଏହା ପାଇଁ ଏକ ପୂର୍ଣ୍ଣାଙ୍ଗ ଯୋଜନା ପ୍ରସ୍ତୁତ କରାଯାଇଛି। ସରକାର ପୁରୁଣା ନୋଟ ବଦଳାଇବା ଏବଂ ନୂଆ ନୋଟ ଚଳାଇବା ପାଇଁ ୩ ବର୍ଷର ଲମ୍ବା ସମୟ ଦେଇଛନ୍ତି। ଏହି ୩ ବର୍ଷ ମଧ୍ୟରେ ପୁରୁଣା ଏବଂ ନୂଆ, ଉଭୟ ପ୍ରକାରର ନୋଟ ବଜାରରେ ଚାଲୁ ରହିବ। କେହି ମଧ୍ୟ ପୁରୁଣା ନୋଟ ନେବାକୁ ମନା କରିପାରିବେ ନାହିଁ। ବ୍ୟାଙ୍କ ଧୀରେ ଧୀରେ ପୁରୁଣା ନୋଟକୁ ଫେରାଇ ନେଇ ସେମାନଙ୍କ ସ୍ଥାନରେ ନୂଆ ନୋଟ ଜାରି କରିବ, ଯାହା ଦ୍ୱାରା କାହାକୁ କୌଣସି ଅସୁବିଧା ନ ହେବ।
‘ଶୁନ’ ହଟିବା ଦ୍ୱାରା ଜିନିଷ ଶସ୍ତା ହେବ କି?

ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଯାହା ସମସ୍ତଙ୍କ ମନରେ ଆସିବ। ଚାରୋଟି ଶୂନ୍ୟ ହଟିବା ଦ୍ୱାରା ଇରାନରେ ଜିନିଷ ଶସ୍ତା ହେବ କି? ତେବେ ଏହାର ଉତ୍ତର ହେଉଛି, ନା, ଏପରି ବିଲକୁଲ ନୁହେ। ଏକ ସହଜ ଉଦାହରଣ ଦ୍ୱାରା ଏହାକୁ ବୁଝନ୍ତୁ। ମନେକରନ୍ତୁ, ଆପଣଙ୍କର ଦରମା ୨୦ ଲକ୍ଷ ରିଆଲ ଏବଂ ଏକ କିଲୋ ଚିନିର ଦାମ ୨୦,୦୦୦ ରିଆଲ।
ପୁରୁଣା ହିସାବ ଅନୁସାରେ ୨୦ ଲକ୍ଷ ରିଆଲ ଦରମାରେ ଆପଣ ୧୦୦ କିଲୋ ଚିନି କିଣିପାରୁଥିଲେ। ଏବେ ନୂଆ ହିସାବ ଅନୁସାରେ ଚାରିଟି ଶୂନ୍ୟ ହଟିବା ପରେ ଆପଣଙ୍କ ଦରମା ୨୦୦ ରିଆଲ ହେବ ଏବଂ ଏକ କିଲୋ ଚିନିର ଦାମ ୨୦ ରିଆଲ । ଅର୍ଥାତ୍ ଏବେ ଆପଣ ଆପଣଙ୍କ ୨୦୦ ରିଆଲ ଦରମାରେ ୧୦୦ କିଲୋ ଚିନି ହିଁ କିଣିପାରିବେ। ଅର୍ଥାତ୍ ଆପଣଙ୍କ କିଣିବା ଶକ୍ତିରେ କୌଣସି ପରିବର୍ତ୍ତନ ହୋଇନାହିଁ । ବଦଳିଛି କେବଳ ନୋଟରେ ଲେଖାଥିବା ସଂଖ୍ୟା। ଏହା କେବଳ ହିସାବକୁ ସହଜ କରିବାର ଏକ ଉପାୟ, ମୁଦ୍ରାସ୍ଫୀତି କମାଇବାର ନୁହେଁ।
ଭେନେଜୁଏଲା ମଧ୍ୟ ଏପରି ନିଷ୍ପତ୍ତି ନେଇଛି
ଜଣାଇ ରଖୁଛୁ ଯେ ଇରାନ ଏପରି କରିବା ପ୍ରଥମ ଦେଶ ନୁହେ। ଏହା ପୂର୍ବରୁ ଭେନେଜୁଏଲା ଅକ୍ଟୋବର ୨୦୨୧ରେ ତାର ମୁଦ୍ରା ନୋଟରୁ ୬ଟି ଶୂନ୍ୟ ହଟାଇ ସାରିଛି।
ALSO READ https://purvapaksa.com/hc-directs-university-in-telangana-to-consider-nri-quota-web-option/


