ମହାକାଶ ବିଜ୍ଞାନ ଜଗତର ଏକ ଦୀର୍ଘଦିନର ରହସ୍ୟର ଏବେ ସମାଧାନ ମିଳିଛି। ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍ (JWST) ଦ୍ୱାରା ଆବିଷ୍କୃତ ରହସ୍ୟମୟ “ଲିଟିଲ୍ ରେଡ୍ ଡଟ୍ସ” କ’ଣ, ଏନେଇ ବୈଜ୍ଞାନିକମାନଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଏବେ ଦୂର ହୋଇଛି। ୨୦୨୬ ଜାନୁଆରୀ ୪ ତାରିଖରେ ପ୍ରସିଦ୍ଧ ‘ନେଚର’ ଜର୍ଣ୍ଣାଲରେ ପ୍ରକାଶିତ ଏକ ନୂଆ ଅଧ୍ୟୟନ ଅନୁସାରେ, ଏହି ଲାଲ ବିନ୍ଦୁଗୁଡ଼ିକ ପ୍ରକୃତରେ ଅତ୍ୟନ୍ତ ୟଙ୍ଗ ସୁପରମାସିଭ୍ ବ୍ଲାକ୍ ହୋଲ୍।

୨୦୨୨ରେ JWST ଲଞ୍ଚ ପରେ ବ୍ରହ୍ମାଣ୍ଡର ଅତ୍ୟନ୍ତ ପୁରୁଣା ଅଞ୍ଚଳର ଯେଉଁ ଚିତ୍ର ପଠାଇଥିଲା, ସେଥିରେ କିଛି ଛୋଟ, ଲାଲ ଓ ଅତ୍ୟଧିକ ଉଜ୍ଜ୍ୱଳ ବିନ୍ଦୁ ଦେଖାଯାଇଥିଲା। ଏହି ବିନ୍ଦୁଗୁଡ଼ିକୁ ‘ଲିଟିଲ୍ ରେଡ୍ ଡଟ୍ସ’ ନାମ ଦିଆଯାଇଥିଲା । ପ୍ରଥମେ ବୈଜ୍ଞାନିକମାନେ ଏଗୁଡ଼ିକୁ ଘନ ତାରାପୂର୍ଣ୍ଣ ପ୍ରାରମ୍ଭିକ ଛାୟାପଥ ବୋଲି ଧାରଣା କରିଥିଲେ। କିନ୍ତୁ ଗଣନା ଦେଖାଇଥିଲା ଯେ ବ୍ରହ୍ମାଣ୍ଡର ଜନ୍ମର ମାତ୍ର କିଛି ଶହ ନିୟୁତ ବର୍ଷ ପରେ ଏତେ ବଡ଼ ଛାୟାପଥ ଗଠିତ ହେବା ଅସମ୍ଭବ। ଏହି ବିନ୍ଦୁଗୁଡ଼ିକର ରଙ୍ଗ ଏତେ ଲାଲ ଥିଲା ଯେ ସେମାନେ ସାଧାରଣ ଛାୟାପଥ କିମ୍ବା ପରିଚିତ କୃଷ୍ଣଗହ୍ୱରର କୌଣସି ବର୍ଗୀକରଣରେ ଫିଟ୍ ହେଉନଥିଲେ। ଏହା ବୈଜ୍ଞାନିକମାନଙ୍କ ପାଇଁ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଥିଲା।
କୋପେନହେଗେନ ବିଶ୍ୱବିଦ୍ୟାଳୟର ଗବେଷକ ଦଳ ଏହି ୩୦ଟି ‘ଲିଟିଲ୍ ରେଡ୍ ଡଟ୍ସ’ର ଆଲୋକ ବର୍ଣ୍ଣାଳୀର ବିସ୍ତୃତ ଅଧ୍ୟୟନ କରିଥିଲେ। ଏହି ଗବେଷଣାରୁ ଜଣାପଡ଼ିଲା ଯେ ଏହି ବସ୍ତୁଗୁଡ଼ିକ ପ୍ରକୃତରେ କୃଷ୍ଣଗହ୍ୱର, ଯେଉଁମାନେ ଗ୍ୟାସ ଓ ଧୂଳିର ଘନ ବାଦଲ—ଯାହାକୁ ‘କୋକୁନ୍’ କୁହାଯାଏ—ମଧ୍ୟରେ ଲୁଚି ରହିଛନ୍ତି। ଏହି ଘନ ଗ୍ୟାସୀୟ ଆବରଣ ହିଁ ସେମାନଙ୍କୁ ଲାଲ ରଙ୍ଗରେ ଦେଖାଉଥିଲା।

ଗବେଷଣା ଅନୁସାରେ, ଏହି ଗ୍ୟାସ ଆବରଣ ଏତେ ଶକ୍ତିଶାଳୀ ଯେ ଏହା କୃଷ୍ଣଗହ୍ୱର ଦ୍ୱାରା ନିର୍ଗତ ଏକ୍ସ-ରେ ଓ ରେଡିଓ ତରଙ୍ଗକୁ ମଧ୍ୟ ଶୋଷଣ କରିନେଇଥାଏ। ଏହି କାରଣରୁ ପୂର୍ବରୁ ଟେଲିସ୍କୋପଗୁଡ଼ିକ ସାଧାରଣ କୃଷ୍ଣଗହ୍ୱରର ସଙ୍କେତ ଧରିପାରୁନଥିଲେ। ଏହି ଗ୍ୟାସ କୃଷ୍ଣଗହ୍ୱର ପାଇଁ ଇନ୍ଧନ ଭାବେ କାମ କରୁଛି, ଯାହା ଫଳରେ ସେଗୁଡ଼ିକ ଦ୍ରୁତ ଗତିରେ ବିକାଶ ହେଉଛି।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ଏହି କୃଷ୍ଣଗହ୍ୱରଗୁଡ଼ିକର ବସ୍ତୁତ୍ୱ ପୂର୍ବ ଆକଳନ ଅପେକ୍ଷା ପ୍ରାୟ ୧୦୦ ଗୁଣ କମ୍ ବୋଲି ଜଣାପଡ଼ିଛି । ଏହା ପ୍ରମାଣ କରୁଛି ଯେ ସେମାନେ ଏବେ ମଧ୍ୟ ତାଙ୍କର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛନ୍ତି ଏବଂ ବର୍ତ୍ତମାନର ବିଶ୍ୱତତ୍ତ୍ୱ ତତ୍ତ୍ୱ ସହ ସମଞ୍ଜସ ରଖୁଛନ୍ତି । ଏହି ଆବିଷ୍କାର ବିଗ୍ ବ୍ୟାଙ୍ଗ ପରେ ଏତେ ଶୀଘ୍ର ବଡ଼ କୃଷ୍ଣଗହ୍ୱର କିପରି ସୃଷ୍ଟି ହେଲା—ଏହି ପ୍ରଶ୍ନର ଉତ୍ତର ଦେବାରେ ବୈଜ୍ଞାନିକମାନଙ୍କୁ ଏକ ନୂଆ ଦିଗ ଦେଇଛି। ମହାକାଶ ବିଜ୍ଞାନରେ ଏହି ଆବିଷ୍କାରକୁ ଏକ ବଡ଼ ମାଇଲସ୍ଟୋନ୍ ଭାବେ ଦେଖାଯାଉଛି।
also read https://purvapaksa.com/putin-greenland-issue/
Putin Greenland Issue ।। କ’ଣ ଟ୍ରମ୍ପଙ୍କ ଧମକରେ ଖୁସି ପୁଟିନ ,ସେ କ’ଣ ଏକ ବଡ଼ ସୁଯୋଗ ଖୋଜୁଛନ୍ତି?


