April New Rules: ଏପ୍ରିଲ ୧ରୁ ବଦଳିଯିବ ଅନେକ ନିୟମ। ଯେଉଁଥିପାଇଁ ରୋଷେଇ ଘରଠାରୁ ଆରମ୍ଭକରି ବ୍ୟାଙ୍କ ପର୍ଯ୍ୟନ୍ତ ସବୁ ଜିନିଷରେ ଏହାର ପ୍ରଭାବ ଦେଖାଯିବ । ଚଳିତ ବର୍ଷ ୧ ଏପ୍ରିଲ ଠାରୁ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟ, ୟୁପିଆଇ ପେମେଣ୍ଟ ସେବା, ଜିଏସଟି ନିୟମ, ବ୍ୟାଙ୍କିଂ ପଲିସି ଏବଂ ଏଟିଏମ୍ ଟଙ୍କା ଉଠାଣ ଉପରେ ନୂତନ ସର୍ତ୍ତାବଳୀ ଲାଗୁ ହେବାକୁ ଯାଉଛି।
ପ୍ରତି ମାସରେ ଏକ ତାରିଖରେ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟ ସମୀକ୍ଷା କରାଯାଏ। ସରକାରୀ ତୈଳ କମ୍ପାନୀଗୁଡ଼ିକ ଘରୋଇ ଏବଂ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ସଂଶୋଧନ କରିପାରନ୍ତି। ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଏବଂ ଡଲାର-ଟଙ୍କା ବିନିମୟ ହାର ଆଧାରରେ ନୂତନ ଦର ସ୍ଥିର କରାଯାଏ। ଏହି ପରିବର୍ତ୍ତନର ସିଧାସଳଖ ପ୍ରଭାବ ସାଧାରଣ ଗ୍ରାହକ ଏବଂ ବ୍ୟବସାୟ ଉପରେ ପଡ଼ିବ। ଯଦି ମୂଲ୍ୟ ବୃଦ୍ଧି ପାଏ ତେବେ ଏହା ପରିବାର ବଜେଟ୍ ଉପରେ ଅତିରିକ୍ତ ଚାପ ପକାଇବ।
UPI ପେମେଣ୍ଟ ସିଷ୍ଟମକୁ ଅଧିକ ସୁରକ୍ଷିତ କରିବା ପାଇଁ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) ଡିଜିଟାଲ୍ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ (DIP) କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛି। ଏହା ଅଧୀନରେ, ମୋବାଇଲ୍ ନମ୍ବର ରିଭୋକେସନ୍ ଲିଷ୍ଟ (MNRL) ବ୍ୟବହାର କରାଯିବ। ଯାହା ମାଧ୍ୟମରେ ପୁରୁଣା ଏବଂ ନିଷ୍କ୍ରିୟ ମୋବାଇଲ୍ ନମ୍ବରଗୁଡ଼ିକୁ UPI ଡାଟାବେସ୍ ରୁ ହଟାଯାଇପାରିବ। ବ୍ୟାଙ୍କ ଏବଂ ପେମେଣ୍ଟ ସେବା ପ୍ରଦାନକାରୀ (PSPs)ମାନଙ୍କୁ ମାର୍ଚ୍ଚ ୩୧ ସୁଦ୍ଧା ସେମାନଙ୍କର ସିଷ୍ଟମକୁ ଅପଡେଟ୍ କରିବାକୁ ପଡିବ। ଯାହା ଦ୍ଵାରା ଆଉ ବ୍ୟବହୃତ ହେଉନଥିବା ମୋବାଇଲ୍ ନମ୍ବରଗୁଡ଼ିକୁ UPI ସିଷ୍ଟମରୁ ହଟାଇ ଦିଆଯିବ।
ଏଟିଏମ୍ କାରବାର ପିଲିସିରେ ଏକ ବଡ଼ ପରିବର୍ତ୍ତନ କରାଯାଉଛି। ଏବେ ପ୍ରତି ମାସରେ ମାଗଣା ଟଙ୍କା ଉଠାଣର ସୀମା ହ୍ରାସ କରାଯାଉଛି। ବିଶେଷକରି ଅନ୍ୟ ବ୍ୟାଙ୍କର ଏଟିଏମରୁ ଟଙ୍କା ଉଠାଣ ପାଇଁ ଅଧିକ ଚାର୍ଜ ଦେବାକୁ ପଡିବ। ଏବେ ଗ୍ରାହକମାନେ ଅନ୍ୟ ବ୍ୟାଙ୍କର ATMରୁ କେବଳ ତିନି ଥର ମାଗଣାରେ ଟଙ୍କା ଉଠାଣ କରିପାରିବେ। ଏହା ପର ପ୍ରତ୍ୟେକ ଉଠାଣ ପାଇଁ ୨୦ ରୁ ୨୫ ଟଙ୍କା ଅତିରିକ୍ତ ଶୁଳ୍କ ଦେବାକୁ ପଡିବ।
ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ୧ ଏପ୍ରିଲ୍ ୨୦୨୫ ରୁ ଅନେକ ନୂତନ ବ୍ୟାଙ୍କିଙ୍ଗ୍ ନିୟମ ଲାଗୁ କରିବାର ଘୋଷଣା କରିଛି। ଯାହା ସିଧାସଳଖ SBI, PNB, Canara, HDFC ପରି ସରକାରୀ ଏବଂ ଘରୋଇ ବ୍ୟାଙ୍କର ଆକାଉଣ୍ଟଧାରୀଙ୍କ ଉପରେ ପ୍ରଭାବ ପକାଇବ। ଏହା ସହିତ କିଛି ବ୍ୟାଙ୍କ ସଞ୍ଚୟ ଖାତାରେ ସର୍ବନିମ୍ନ ବାଲାନ୍ସ ସୀମା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯଦି ଆକାଉଣ୍ଟଧାରୀମାନେ ସର୍ବନିମ୍ନ ବାଲାନ୍ସ ବଜାୟ ରଖନ୍ତି ନାହିଁ, ତେବେ ସେମାନଙ୍କୁ ଜରିମାନା ଦେବାକୁ ପଡ଼ିପାରେ।
ALSO READ: https://purvapaksa.com/mkcg-mch-emerges-countrys-ragging-hotspot/